ଅଧ୍ୟୟନ ଲେଖା ୨୪
ଗୀତ ୯୮ ଈଶ୍ୱର ପ୍ରେରିତ ଶାସ୍ତ୍ର
ଯାକୁବ ନିଜ ଚାରିଜଣ ପୁତ୍ରଙ୍କ ବିଷୟରେ କରିଥିବା ଭବିଷ୍ୟତବାଣୀରୁ ମିଳୁଥିବା ଶିକ୍ଷା
“ତୁମ୍ଭେମାନେ ଏକତ୍ର ହୁଅ; ଶେଷ କାଳରେ ତୁମ୍ଭମାନଙ୍କ ପ୍ରତି ଯାହା ଘଟିବ, ତାହା ତୁମ୍ଭମାନଙ୍କୁ କହୁଅଛି ।”—ଆଦି. ୪୯:୧.
କʼଣ ଶିଖିବା ?
ଯାକୁବ ନିଜ ମୃତ୍ୟୁ ପୂର୍ବରୁ ରୁବେନ୍, ଶିମୀୟୋନ, ଲେବୀ ଓ ଯିହୁଦାଙ୍କ ବିଷୟରେ ଯେଉଁ ଭବିଷ୍ୟତବାଣୀ କରିଥିଲେ, ସେଥିରୁ ଆମେ କʼଣ ଶିଖିପାରିବା ?
୧-୨. ନିଜର ମୃତ୍ୟୁ ପୂର୍ବରୁ ଯାକୁବ କʼଣ କଲେ ଏବଂ କାହିଁକି ? (ଚିତ୍ର ମଧ୍ୟ ଦେଖନ୍ତୁ ।)
ଈଶ୍ୱରଙ୍କ ବିଶ୍ୱସ୍ତ ସେବକ ଯାକୁବ ନିଜ ପରିବାର ସହ ମିସରରେ ରହୁଥିଲେ । ତାଙ୍କୁ କିଣାନରୁ ଏଠାକୁ ଆସିବାର ପ୍ରାୟ ୧୭ ବର୍ଷ ହୋଇଯାଇଥିଲା । (ଆଦି. ୪୭:୨୮) ଏଠାକୁ ଆସି ସେ ନିଜର ପ୍ରିୟ ପୁତ୍ର ଯୋଷେଫଙ୍କୁ ଭେଟିଥିଲେ ଓ ପୂରା ପରିବାର ଖୁସିର ସହ ରହୁଥିଲେ । କିନ୍ତୁ ଯାକୁବ ବୃଦ୍ଧ ହୋଇଯାଇଥିଲେ ଓ ସେ ଅନୁଭବ କରିପାରିଲେ ଯେ ସେ ଆଉ ବେଶୀ ସମୟ ବଞ୍ଚିବେ ନାହିଁ । ସେଥିପାଇଁ ସେ ନିଜର ପରିବାରକୁ ଡାକି କିଛି ଜରୁରୀ କଥା କହିଲେ ।—ଆଦି. ୪୯:୨୮.
୨ ସେହି ସମୟରେ ଏପରି ହେଉଥିଲା ଯେ ପରିବାରର ମୁଖିଆ ନିଜର ମୃତ୍ୟୁ ପୂର୍ବରୁ ପୂରା ପରିବାରକୁ ଡାକି କିଛି ଜରୁରୀ ନିର୍ଦ୍ଦେଶ ଦେଉଥିଲେ । (ଯିଶା. ୩୮:୧) ସେ ହୁଏତ ଏହା ବି ଜଣାଉଥିଲେ ଯେ ତାଙ୍କର ମୃତ୍ୟୁ ପରେ କିଏ ଘରର ମୁଖିଆ ହେବ ।
ଯାକୁବ ନିଜ ମୃତ୍ୟୁ ପୂର୍ବରୁ ୧୨ ଜଣ ପୁତ୍ରଙ୍କ ସମ୍ମୁଖରେ ଭବିଷ୍ୟତବାଣୀ କରୁଛନ୍ତି (ପାରାଗ୍ରାଫ ୧-୨)
୩. ଯାକୁବ ନିଜର ପୁତ୍ରମାନଙ୍କୁ ଯାହା କହିଲେ, ତାହା କାହିଁକି ବହୁତ ମହତ୍ତ୍ୱ ରଖୁଥିଲା ? (ଆଦି ପୁସ୍ତକ ୪୯:୧, ୨)
୩ ଆଦି ପୁସ୍ତକ ୪୯:୧, ୨ ପଢ଼ନ୍ତୁ । କିନ୍ତୁ ଯାକୁବ କେବଳ କିଛି ନିର୍ଦ୍ଦେଶ ଦେବା ପାଇଁ ପୂରା ପରିବାରକୁ ଡାକି ନ ଥିଲେ । ପ୍ରକୃତରେ ସେ ଜଣେ ଭବିଷ୍ୟଦ୍ବକ୍ତା ଥିଲେ ଓ ଯିହୋବା ତାଙ୍କ ଜରିଆରେ ଆଗାମୀ ସମୟ ପାଇଁ କିଛି ଭବିଷ୍ୟତବାଣୀ କରିବା ପାଇଁ ଚାହୁଁଥିଲେ । ଏହି ଭବିଷ୍ୟତବାଣୀଗୁଡ଼ିକର ଗଭୀର ପ୍ରଭାବ ଯାକୁବଙ୍କ ବଂଶ ଉପରେ ପଡ଼ନ୍ତା ।
୪. ଯାକୁବ ନିଜର ମୃତ୍ୟୁ ପୂର୍ବରୁ କେଉଁ ଭବିଷ୍ୟତବାଣୀ କରିଥିଲେ ଓ ତାʼ ଉପରେ ଆମେ କାହିଁକି ଧ୍ୟାନ ଦେବା ଉଚିତ୍ ? (“ଯାକୁବଙ୍କ ପରିବାର” ନାମକ ବକ୍ସ ମଧ୍ୟ ଦେଖନ୍ତୁ ।)
୪ ଏହି ଲେଖାରେ ଆମେ ଜାଣିବା ଯେ ଯାକୁବ ମୃତ୍ୟୁ ପୂର୍ବରୁ ନିଜର ଚାରିଜଣ ପୁତ୍ର, ଅର୍ଥାତ୍ ରୁବେନ୍, ଶିମୀୟୋନ, ଲେବୀ ଓ ଯିହୁଦାଙ୍କୁ କʼଣ କହିଲେ । ପରବର୍ତ୍ତୀ ଲେଖାରେ ଜାଣିବା ଯେ ସେ ନିଜର ଅନ୍ୟ ଆଠଜଣ ପୁତ୍ରଙ୍କୁ କʼଣ କହିଲେ । ଆମେ ଏହା ବି ଜାଣିବା ଯେ ଯାକୁବ କେବଳ ନିଜ ପୁତ୍ରମାନଙ୍କ ବିଷୟରେ ନୁହେଁ, ବରଂ ସେମାନଙ୍କର ବଂଶଜମାନଙ୍କ ବିଷୟରେ ମଧ୍ୟ ଭବିଷ୍ୟତବାଣୀ କଲେ । ଆଗକୁ ଯାଇ ଏହି ବଂଶଜରୁ ଇସ୍ରାଏଲ ରାଷ୍ଟ୍ର ଗଠିତ ହେଲା । ଯଦି ଆମେ ଇସ୍ରାଏଲ ରାଷ୍ଟ୍ରର ଇତିହାସକୁ ଧ୍ୟାନ ଦେବା, ତାହେଲେ ଆମେ ବୁଝିପାରିବା ଯେ ଯାକୁବଙ୍କର ଭବିଷ୍ୟତବାଣୀର ପ୍ରତ୍ୟେକ ଶବ୍ଦ କିପରି ପୂରା ହେଲା । ଏଥିରୁ ଆମେ କିଛି ଜରୁରୀ କଥା ମଧ୍ୟ ଶିଖିପାରିବା ଏବଂ ଏହା ଜାଣିପାରିବା ଯେ ଆମେ କିପରି ନିଜ ପିତା ଯିହୋବାଙ୍କୁ ଖୁସି କରିପାରିବା ।
ରୁବେନ୍
୫. ରୁବେନ୍ ହୁଏତ ନିଜ ବାପାଙ୍କଠାରୁ କʼଣ ପାଇବାର ଆଶା କରୁଥିଲେ ?
୫ ଯାକୁବ ସର୍ବପ୍ରଥମେ ରୁବେନ୍ ସହ କଥା ହେଲେ । ସେ କହିଲେ, “ତୁମ୍ଭେ ମୋହର ପ୍ରଥମଜାତ (ପୁତ୍ର) ।” (ଆଦି. ୪୯:୩) ପ୍ରଥମଜାତ ହେବା ଯୋଗୁଁ ରୁବେନ୍ ହୁଏତ ଏହା ଆଶା କରିଥିବେ ଯେ ତାଙ୍କୁ ନିଜ ବାପାଙ୍କର ଉତ୍ତରାଧିକାରୀ ଭାବେ ଦୁଇଗୁଣ ଭାଗ ମିଳିବ । ସେ ହୁଏତ ଏହା ବି ଭାବିଥିବେ ଯେ ତାଙ୍କ ବାପାଙ୍କ ମୃତ୍ୟୁ ପରେ ସେ ହିଁ ପୂରା ବଂଶର ମୁଖିଆ ହେବେ ଓ ଆଗକୁ ଯାଇ ତାଙ୍କ ପିଲାମାନଙ୍କୁ ମଧ୍ୟ ଏହି ସମ୍ମାନ ମିଳିବ ।
୬. ରୁବେନ୍ ପ୍ରଥମଜାତ ହେବାର ଅଧିକାର କିପରି ହରାଇ ବସିଲେ ? (ଆଦି ପୁସ୍ତକ ୪୯:୩, ୪)
୬ କିନ୍ତୁ ରୁବେନ୍ ପ୍ରଥମଜାତ ହେବାର ଅଧିକାର ହରାଇ ବସିଲେ । (୧ ବଂଶା. ୫:୧) ତାହା କିପରି ? ରାହେଲ ନିଜ ସ୍ୱାମୀ ଯାକୁବଙ୍କୁ ତାଙ୍କ ଦାସୀ ବିଲ୍ହାଙ୍କୁ ତାଙ୍କ ଉପପତ୍ନୀ ହେବା ପାଇଁ ଦେଲେ । କିନ୍ତୁ ରୁବେନ୍ ବିଲ୍ହାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଲେ ଓ ଏହି କାରଣ ଯୋଗୁଁ ନିଜର ପ୍ରଥମଜାତ ହେବାର ଅଧିକାର ହରାଇ ବସିଲେ । (ଆଦି. ୩୫:୧୯, ୨୨) ସେ ଏହି ଖରାପ କାମ କାହିଁକି କଲେ ? ହୁଏତ ସେ ଚାହୁଁଥିଲେ ଯେ ଯାକୁବ ତାଙ୍କର ଉପପତ୍ନୀ ବିଲ୍ହାଙ୍କୁ ଘୃଣା କରନ୍ତୁ ଓ ନିଜର ପ୍ରଥମ ସ୍ତ୍ରୀ ଲେୟାଙ୍କୁ ଅଧିକ ପ୍ରେମ କରନ୍ତୁ, କାରଣ ଲେୟା, ରୁବେନ୍ଙ୍କ ମାଆ ଥିଲେ । କିମ୍ବା ଏହା ବି ହୋଇପାରେ ଯେ ରୁବେନ୍ ନିଜର ଯୌନ ଇଚ୍ଛା ପୂରା କରିବା ପାଇଁ ବିଲ୍ହାଙ୍କ ସହିତ ଅନୈତିକ ଯୌନ ସମ୍ପର୍କ ରଖିଥିଲେ । କାରଣ ଯାହା ବି ହୋଇଥାଉ ନା କାହିଁକି, ରୁବେନ୍ ଯାହା କଲେ ସେଥିରୁ ଯିହୋବା ଓ ତାଙ୍କ ପିତା ଯାକୁବ ବହୁତ ଦୁଃଖିତ ହେଲେ ।—ଆଦି ପୁସ୍ତକ ୪୯:୩, ୪ ପଢ଼ନ୍ତୁ ।
୭. ରୁବେନ୍ ଓ ତାଙ୍କର ବଂଶଜ ସହିତ କʼଣ ହେଲା ? (“ଯାକୁବ ନିଜର ମୃତ୍ୟୁ ପୂର୍ବରୁ ଯେଉଁ ଭବିଷ୍ୟତବାଣୀ କରିଥିଲେ” ନାମକ ବକ୍ସ ମଧ୍ୟ ଦେଖନ୍ତୁ ।)
୭ ଯାକୁବ ରୁବେନ୍ଙ୍କୁ କହିଲେ, “ତୁମ୍ଭର ପ୍ରଧାନତା ରହିବ ନାହିଁ ।” ତାଙ୍କର ଏହି କଥା ସତ ହେଲା । ରୁବେନ୍ଙ୍କ କୌଣସି ବଂଶଜ କେବେ ବି ରାଜା, ଯାଜକ କିମ୍ବା ଭବିଷ୍ୟଦ୍ବକ୍ତା ହେଲା ନାହିଁ । କିନ୍ତୁ ଯାକୁବ ନିଜ ପୁତ୍ର ରୁବେନ୍ଙ୍କୁ ଅଣଦେଖା କଲେ ନାହିଁ । ସେ ତାଙ୍କୁ ମଧ୍ୟ ଉତ୍ତରାଧିକାରୀ ଭାବେ ଭାଗ ଦେଲେ । ଆଗକୁ ଯାଇ ରୁବେନ୍ଙ୍କ ବଂଶଜରୁ ଇସ୍ରାଏଲରୁ ଗୋଟିଏ ଗୋତ୍ର ଗଠନ ହେଲା । (ଯିହୋ. ୧୨:୬) ଏହା ସତ ଯେ ରୁବେନ୍ଙ୍କ ଦ୍ୱାରା ଅନେକ ଭୁଲ ହେଲା, କିନ୍ତୁ ସେ ଅନେକ ସମୟରେ ଭଲ ଗୁଣ ମଧ୍ୟ ଦେଖାଇଲେ ଓ ଏପରି ଜଣାପଡ଼େ ଯେ ସେ ପୁଣି କେବେ ବି କାହାରି ସହ ଅନୈତିକ ଯୌନ ସମ୍ପର୍କ ରଖିଲେ ନାହିଁ ।—ଆଦି. ୩୭:୨୦-୨୨; ୪୨:୩୭.
୮. ଆମେ ରୁବେନ୍ଙ୍କ ଘଟଣାରୁ କʼଣ ଶିଖିପାରିବା ?
୮ ଆମେ ଏଥିରୁ କʼଣ ଶିଖୁ ? ଆମେ ନିଜ ଖରାପ ଇଚ୍ଛାଗୁଡ଼ିକୁ କାବୁରେ ରଖିବା ଉଚିତ୍ ଓ ଦୃଢ଼ ନିଷ୍ପତ୍ତି ନେବା ଉଚିତ୍ ଯେ ଆମେ ଅନୈତିକ ଯୌନ ସମ୍ପର୍କରୁ ଦୂରେଇ ରହିବା । ଯଦି ଆମକୁ ଖରାପ କାମ କରିବା ପାଇଁ ପ୍ରଲୋଭିତ କରାଯାଏ, ତାହେଲେ ଆମେ ଟିକେ ରହି ଭାବିବା ଉଚିତ୍ ଯେ ଏପରି କଲେ ଯିହୋବାଙ୍କୁ, ଆମ ପରିବାର ଲୋକଙ୍କୁ ଓ ଅନ୍ୟମାନଙ୍କୁ କେତେ ଦୁଃଖ ପହଞ୍ଚିବ । ଆମେ ଏହା ମଧ୍ୟ ମନେ ରଖିବା ଉଚିତ୍ ଯେ “ମନୁଷ୍ୟ ଯାହା ବୁଣେ, ତାହାହିଁ କାଟିବ ।” (ଗାଲା. ୬:୭) ଆମେ ରୁବେନ୍ଙ୍କ ଘଟଣାରୁ ଆଉ ଗୋଟିଏ କଥା ଶିଖୁ । ତାହା ହେଉଛି, ଯିହୋବା ଦୟାଳୁ ଈଶ୍ୱର ଅଟନ୍ତି । ଏହା ସତ ଯେ ସେ ଆମକୁ ନିଜର ଭୁଲଗୁଡ଼ିକର ଖରାପ ପରିଣାମରୁ ରକ୍ଷା କରନ୍ତି ନାହିଁ, କିନ୍ତୁ ଯଦି ଆମେ ପଶ୍ଚାତାପ କରୁ ଓ ସଠିକ୍ କାମ କରିବା ପାଇଁ ଚେଷ୍ଟା କରୁ, ତାହେଲେ ସେ ଆମକୁ କ୍ଷମା କରିବେ ଓ ଆଶିଷ ଦେବେ ।
ଶିମୀୟୋନ ଓ ଲେବୀ
୯. ଯାକୁବ କାହିଁକି ଶିମୀୟୋନ ଓ ଲେବୀଙ୍କଠାରୁ ଖୁସି ନ ଥିଲେ ? (ଆଦି ପୁସ୍ତକ ୪୯:୫-୭)
୯ ଆଦି ପୁସ୍ତକ ୪୯:୫-୭ ପଢ଼ନ୍ତୁ । ରୁବେନ୍ଙ୍କ ପରେ ଯାକୁବ, ଶିମୀୟୋନ ଓ ଲେବୀଙ୍କ ସହିତ କଥା ହେଲେ । ଯାକୁବଙ୍କ କଥାରୁ ଜଣାପଡ଼େ ଯେ ସେ ଏହି ଦୁହିଁଙ୍କଠାରୁ ଜମା ଖୁସି ନ ଥିଲେ । ଅନେକ ବର୍ଷ ପୂର୍ବେ ଶିଖିମ ନାମକ ଜଣେ କିଣାନୀୟ ବ୍ୟକ୍ତି ଯାକୁବଙ୍କ ଝିଅ ଦୀଣାଙ୍କର ବଳାତ୍କାର କରିଥିଲା । ଏହି କଥା ପାଇଁ ଯାକୁବଙ୍କ ସମସ୍ତ ପୁତ୍ର ବହୁତ ରାଗରେ ଥିଲେ, କିନ୍ତୁ ଶିମୀୟୋନ ଓ ଲେବୀ ନିଜ ରାଗକୁ କାବୁ କଲେ ନାହିଁ । ସେମାନେ ଗୋଟିଏ ଷଡ଼ଯନ୍ତ୍ର କଲେ । ସେମାନେ ଶିଖିମ ଓ ତାʼ ଲୋକମାନଙ୍କୁ କହିଲେ ଯେ ଯଦି ସେମାନେ ସୁନ୍ନତ କରାନ୍ତି, ତାହେଲେ ତାʼ ପରିବାର ଓ ଯାକୁବଙ୍କ ପରିବାର ମଧ୍ୟରେ ଶାନ୍ତି ବଜାୟ ରହିବ । ଶିଖିମ ଓ ତାʼ ଲୋକମାନେ ଏହି ମିଛ କଥାକୁ ସତ ଭାବିନେଲେ ଓ ସମସ୍ତେ ସୁନ୍ନତ କରାଇଲେ । କିନ୍ତୁ ପରେ ଯେବେ ସେମାନେ ସୁନ୍ନତ କରାଇବା ଯୋଗୁଁ କଷ୍ଟରେ ଥିଲେ, ତେବେ ଶିମୀୟୋନ ଓ ଲେବୀ “ଆପଣା ଖଡ଼୍ଗ ଘେନି ନିର୍ଭୟରେ ନଗର ଆକ୍ରମଣ କରି ସବୁ ପୁରୁଷମାନଙ୍କୁ ବଧ କଲେ ।”—ଆଦି. ୩୪:୨୫-୨୯.
୧୦. ଶିମୀୟୋନ ଓ ଲେବୀଙ୍କ ବିଷୟରେ ଯାକୁବ ଯେଉଁ ଭବିଷ୍ୟତବାଣୀ କରିଥିଲେ, ତାହା କିପରି ପୂରା ହେଲା ? (“ଯାକୁବ ନିଜର ମୃତ୍ୟୁ ପୂର୍ବରୁ ଯେଉଁ ଭବିଷ୍ୟତବାଣୀ କରିଥିଲେ” ନାମକ ବକ୍ସ ମଧ୍ୟ ଦେଖନ୍ତୁ ।)
୧୦ ଯାକୁବଙ୍କ ଦୁଇ ପୁତ୍ର ଯାହା କଲେ, ତାହା ଦେଖି ଯାକୁବଙ୍କୁ ବହୁତ ରାଗ ଲାଗିଲା । ସେ କହିଲେ ଯେ ସେମାନେ ଦୁହିଁଙ୍କୁ ଇସ୍ରାଏଲର ଅଲଗା ଅଲଗା ଭାଗରେ ଛିନ୍ନଭିନ୍ନ କରିଦିଆଯିବ । ଏହି ଭବିଷ୍ୟତବାଣୀ ୨୦୦ ବର୍ଷ ପରେ ଯାଇ ପୂରା ହେଲା । ଯେବେ ଇସ୍ରାଏଲ ରାଷ୍ଟ୍ର ପ୍ରତିଜ୍ଞାତ ଦେଶରେ ଗଲା, ତେବେ ଶିମୀୟୋନ ଗୋତ୍ରକୁ ଯିହୁଦା ଅଞ୍ଚଳର ବିଭିନ୍ନ ଜାଗାରେ ଛୋଟ ଛୋଟ ଅଞ୍ଚଳ ଦିଆଗଲା । (ଯିହୋ. ୧୯:୧) ଆଉ ଲେବୀୟ ଗୋତ୍ରକୁ ପୂରା ଇସ୍ରାଏଲର ୪୮ଟି ସହରରେ ପଠାଇ ଛିନ୍ନଭିନ୍ନ କରିଦିଆଗଲା ।—ଯିହୋ. ୨୧:୪୧.
୧୧. ଶିମୀୟୋନ ଓ ଲେବୀୟ ଗୋତ୍ର କେଉଁ ଭଲ କାମ କଲା ?
୧୧ ଶିମୀୟୋନ ଓ ଲେବୀ ଯେପରି ଭୁଲ କରିଥିଲେ, ସେମାନଙ୍କ ବଂଶଜ ସେପରି ଭୁଲ କଲା ନାହିଁ । ଲେବୀୟ ଗୋତ୍ର ସତ୍ୟ ଉପାସନାକୁ ସହଯୋଗ କଲା । ଯେବେ ଯିହୋବା ମୋଶାଙ୍କୁ ବ୍ୟବସ୍ଥା ଦେବା ପାଇଁ ସୀନୟ ପର୍ବତକୁ ଡାକିଲେ, ସେସମୟରେ ଅଧିକାଂଶ ଇସ୍ରାଏଲୀୟ ସୁନାର ବାଛୁରିକୁ ଉପାସନା କରିବାକୁ ଲାଗିଲେ । କିନ୍ତୁ ଲେବୀୟମାନେ ଏପରି କଲେ ନାହିଁ । ମୋଶା ଫେରିବା ପରେ ଲେବୀୟମାନେ ମୋଶାଙ୍କ ସହ ମିଶି ଯେଉଁମାନେ ସୁନାର ବାଛୁରିକୁ ଉପାସନା କରୁଥିଲେ, ସେମାନଙ୍କୁ ଜୀବନରୁ ମାରିଦେଲେ । (ଯାତ୍ରା. ୩୨:୨୬-୨୯) ଆଗକୁ ଯାଇ ଯିହୋବା ଲେବୀୟ ଗୋତ୍ରକୁ ବାଛିଲେ ଓ ସେମାନଙ୍କୁ ଗୋଟିଏ ଖାସ୍ ସମ୍ମାନ ଦେଲେ । ସେ ସେମାନଙ୍କୁ ଇସ୍ରାଏଲର ଯାଜକ ନିଯୁକ୍ତ କଲେ । (ଯାତ୍ରା. ୪୦:୧୨-୧୫; ଗଣ. ୩:୧୧, ୧୨) ଶିମୀୟୋନ ଗୋତ୍ର ମଧ୍ୟ ଈଶ୍ୱରଙ୍କ ଉଦ୍ଦେଶ୍ୟ ଅନୁସାରେ କାମ କଲା । ସେମାନେ କିଣାନୀୟମାନଙ୍କୁ ପ୍ରତିଜ୍ଞାତ ଦେଶରୁ ବାହାର କରିବା ପାଇଁ ଯିହୁଦା ଗୋତ୍ରକୁ ସହଯୋଗ କଲେ ।—ବିଚା. ୧:୩, ୧୭.
୧୨. ଶିମୀୟୋନ ଓ ଲେବୀଙ୍କ ଘଟଣାରୁ ଆମେ କʼଣ ଶିଖିପାରିବା ?
୧୨ ଆମେ ଏଥିରୁ କʼଣ ଶିଖୁ ? ଆମେ କେବେ ବି ରାଗିଯାଇ କୌଣସି କାମ କରିବା ଉଚିତ୍ ନୁହେଁ । ଯଦି କେହି ଆମ ସହ କିମ୍ବା ଆମ ନିଜର ଲୋକଙ୍କ ସହ ଖରାପ ବ୍ୟବହାର କରନ୍ତି, ତାହେଲେ ରାଗ ଲାଗିବା ସ୍ୱାଭାବିକ । (ଗୀତ. ୪:୪) କିନ୍ତୁ ମନେ ରଖନ୍ତୁ, ଯଦି ଆମେ ରାଗିଯାଇ ସେହି ବ୍ୟକ୍ତିଙ୍କୁ କିଛି କହିଦେବା କିମ୍ବା ତାଙ୍କ ସହ ଖରାପ ବ୍ୟବହାର କରିବା, ତାହେଲେ ଏହା ଯିହୋବା ଜମା ପସନ୍ଦ କରିବେ ନାହିଁ । (ଯାକୁ. ୧:୨୦) ଯଦିଓ ଭାଇଭଉଣୀ କିମ୍ବା ବାହାର ଲୋକ ଆମ ସହିତ ଅନ୍ୟାୟ କରନ୍ତି, ଆମେ ସବୁବେଳେ ବାଇବଲର ସିଦ୍ଧାନ୍ତ ମାନିବା ଉଚିତ୍ । ଏପରି କଲେ ଆମେ କେବେ ବି ରାଗିଯାଇ ଅନ୍ୟମାନଙ୍କୁ କ୍ଷତି ପହଞ୍ଚାଇଲା ଭଳି କାମ କରିବା ନାହିଁ । (ରୋମୀ. ୧୨:୧୭, ୧୯; ୧ ପିତ. ୩:୯) ତାʼଛଡ଼ା, ହୁଏତ ଆପଣଙ୍କ ବାପାମାଆ ଏପରି କାମ କରନ୍ତି ଯାହା ଯିହୋବା ପସନ୍ଦ କରନ୍ତି ନାହିଁ, ତଥାପି ଆପଣ ସେମାନଙ୍କ ଭଳି ହୁଅନ୍ତୁ ନାହିଁ । ଆପଣ ଯେମିତି ପରିବେଶରେ ବଡ଼ ହୋଇଥିଲେ ବି ଯିହୋବାଙ୍କୁ ଖୁସି କରିପାରିବେ । ସଠିକ୍ କାମ କରିବା ପାଇଁ ଯିହୋବା ଆପଣଙ୍କୁ ସାହାଯ୍ୟ କରିବେ ଓ ଏଥିପାଇଁ ଆପଣଙ୍କୁ ପୁରସ୍କାର ବି ଦେବେ ।
ଯିହୁଦା
୧୩. ଯେବେ ଯାକୁବ, ଯିହୁଦାଙ୍କ ସହ କଥା ହୁଅନ୍ତି, ତେବେ ଯିହୁଦା କେଉଁ କଥା ପାଇଁ ଚିନ୍ତିତ ହୋଇଥିବେ ?
୧୩ ବର୍ତ୍ତମାନ ଯାକୁବ ଯିହୁଦାଙ୍କ ସହିତ କଥା ହୁଅନ୍ତି । ବର୍ତ୍ତମାନ ସୁଦ୍ଧା ଯାକୁବ ନିଜ ଅନ୍ୟ ପୁତ୍ରମାନଙ୍କ ବିଷୟରେ ଯାହା କିଛି କହିଲେ, ସେସବୁ ଶୁଣି ଯିହୁଦା ଚିନ୍ତିତ ହୋଇଗଲେ, କାରଣ ସେ ବି କିଛି ବଡ଼ ଭୁଲ କରିଥିଲେ । ଏପରି ଜଣାପଡ଼େ ଯେ ଶିଖିମ ଯେଉଁ ନଗରରେ ରହୁଥିଲା, ତାହାକୁ ଲୁଟ କରିବା ପାଇଁ ସେ ନିଜର ବଡ଼ ଭାଇମାନଙ୍କୁ ସହଯୋଗ କରିଥିଲେ । (ଆଦି. ୩୪:୨୭) ତାʼସହ ସେ ନିଜ ଭାଇମାନଙ୍କ ସହ ମିଶି ଯୋଷେଫଙ୍କୁ ବିକ୍ରି କରି ଦେଇଥିଲେ ଏବଂ ଏବିଷୟରେ ନିଜ ବାପାଙ୍କୁ ମିଛ ବି କହିଥିଲେ । (ଆଦି. ୩୭:୩୧-୩୩) ଆଗକୁ ଯାଇ ସେ ନିଜ ବହୁ ତାମରଙ୍କୁ ବେଶ୍ୟା ଭାବି ତାଙ୍କ ସହିତ ଅନୈତିକ ଯୌନ ସମ୍ପର୍କ ରଖିଥିଲେ ।—ଆଦି. ୩୮:୧୫-୧୮.
୧୪. ଯାକୁବ ଯିହୁଦାଙ୍କୁ କʼଣ କହିଥିଲେ ଏବଂ ଯିହୁଦା କେଉଁ ଭଲ କାମ କରିଥିଲେ ? (ଆଦି ପୁସ୍ତକ ୪୯:୮, ୯)
୧୪ ଯିହୁଦା ଯେଉଁ କଥା ପାଇଁ ଚିନ୍ତା କରୁଥିଲେ, ସେପରି କିଛି ହେଲା ନାହିଁ । ଈଶ୍ୱରଙ୍କ ପ୍ରେରଣାରେ ଯାକୁବ ତାଙ୍କୁ କେବଳ ଆଶୀର୍ବାଦ ଦିଅନ୍ତି ଓ ତାଙ୍କର ପ୍ରଶଂସା କରନ୍ତି । (ଆଦି ପୁସ୍ତକ ୪୯:୮, ୯ ପଢ଼ନ୍ତୁ ।) କାରଣ ଯିହୁଦା କିଛି ଭଲ କାମ କରିଥିଲେ । ସେ ନିଜର ବୃଦ୍ଧ ବାପା ଯାକୁବଙ୍କର ବହୁତ ଚିନ୍ତା କରୁଥିଲେ ଓ ତାଙ୍କର ଯତ୍ନ ନେଉଥିଲେ । ସେ ନିଜ ଛୋଟ ଭାଇ ବିନ୍ୟାମିନକୁ ବି ବହୁତ ପ୍ରେମ କରୁଥିଲେ, ତେଣୁ ତାʼପାଇଁ ସେ ଦାସ ହେବା ପାଇଁ ବି ପ୍ରସ୍ତୁତ ଥିଲେ ।—ଆଦି. ୪୪:୧୮, ୩୦-୩୪.
୧୫. ଯିହୁଦାଙ୍କୁ କେଉଁ କେଉଁ ଆଶୀର୍ବାଦ ମିଳିଲା ?
୧୫ ଯାକୁବ ଭବିଷ୍ୟତବାଣୀ କରିଥିଲେ ଯେ ତାଙ୍କର ସମସ୍ତ ପୁତ୍ରମାନଙ୍କ ମଧ୍ୟରୁ ଯିହୁଦା ନେତୃତ୍ୱ ନେବେ । କିନ୍ତୁ ଏହି ଭବିଷ୍ୟତବାଣୀ ପୂରା ହେବା ପାଇଁ ଦୀର୍ଘ ସମୟ ଲାଗନ୍ତା । ପ୍ରାୟ ୨୦୦ ବର୍ଷ ପରେ ଏହି ଭବିଷ୍ୟତବାଣୀ ପୂରା ହେବାକୁ ଲାଗିଲା । ଯେବେ ଇସ୍ରାଏଲୀୟମାନେ ପ୍ରାନ୍ତର ଦେଇ ପ୍ରତିଜ୍ଞାତ ଦେଶ ଆଡ଼କୁ ଯାଉଥିଲେ, ତେବେ ଯିହୁଦା ଗୋତ୍ର ସବୁଠୁ ଆଗରେ ଥିଲା । (ଗଣ. ୧୦:୧୪) ଏହାର ଅନେକ ବର୍ଷ ପରେ ଯେବେ କିଣାନୀୟମାନଙ୍କୁ ପ୍ରତିଜ୍ଞାତ ଦେଶରୁ ବାହାର କରିବାର ଥିଲା, ତେବେ ଯିହୋବା ସେମାନଙ୍କ ସହ ଯୁଦ୍ଧ କରିବା ପାଇଁ ସର୍ବପ୍ରଥମେ ଯିହୁଦା ଗୋତ୍ରର ଲୋକମାନଙ୍କୁ ପଠାଇଲେ । (ବିଚା. ୧:୧, ୨) ଆଗକୁ ଯାଇ ଦାଉଦ ମଧ୍ୟ ଏହି ଗୋତ୍ରରେ ଜନ୍ମ ଗ୍ରହଣ କଲେ ଓ ସେ ଏହି ଗୋତ୍ରରେ ସବୁଠାରୁ ପ୍ରଥମ ରାଜା ଥିଲେ । କିନ୍ତୁ ଯାକୁବ ଯେଉଁ ଭବିଷ୍ୟତବାଣୀ କରିଥିଲେ, ତାହାର କିଛି କଥା ଆଗକୁ ଯାଇ ପୂରା ହୁଅନ୍ତା ।
୧୬. ଆଦି ପୁସ୍ତକ ୪୯:୧୦ ପଦରେ ଦିଆଯାଇଥିବା ଭବିଷ୍ୟତବାଣୀ କିପରି ପୂରା ହେଲା ? (“ଯାକୁବ ନିଜର ମୃତ୍ୟୁ ପୂର୍ବରୁ ଯେଉଁ ଭବିଷ୍ୟତବାଣୀ କରିଥିଲେ” ନାମକ ବକ୍ସ ମଧ୍ୟ ଦେଖନ୍ତୁ ।)
୧୬ ଯାକୁବ କହିଲେ ଯେ ଯିହୁଦାର ବଂଶରୁ ଜଣେ ରାଜା ଆସିବେ, ଯିଏ ସବୁଦିନ ଯାଏ ଶାସନ କରିବେ । (ଆଦି ପୁସ୍ତକ ୪୯:୧୦ ପଢ଼ନ୍ତୁ ।) ସେହି ରାଜା ଯୀଶୁ ଖ୍ରୀଷ୍ଟ ଥିଲେ, ଯାହାଙ୍କୁ ଯାକୁବ, ଶୀଲୋ ବୋଲି କହିଲେ । ଯୀଶୁଙ୍କ ବିଷୟରେ ଜଣେ ସ୍ୱର୍ଗଦୂତ କହିଲେ, “ଈଶ୍ୱର ତାହାଙ୍କୁ ତାହାଙ୍କ ପିତା ଦାଉଦଙ୍କ ସିଂହାସନ ଦାନ କରିବେ ।” (ଲୂକ ୧:୩୨, ୩୩) ଏହା ବ୍ୟତୀତ ବାଇବଲରେ ଯୀଶୁଙ୍କୁ “ଯିହୁଦା ବଂଶଜାତ ସିଂହ” ମଧ୍ୟ କୁହାଯାଇଛି ।—ପ୍ରକା. ୫:୫.
୧୭. ଅନ୍ୟମାନଙ୍କ ପାଇଁ ଆମ ଦୃଷ୍ଟିକୋଣ କିପରି ହେବା ଉଚିତ୍, ଏବିଷୟରେ ଆମେ ଯିହୋବାଙ୍କଠାରୁ କʼଣ ଶିଖୁ ?
୧୭ ଆମେ ଏଥିରୁ କʼଣ ଶିଖୁ ? ଯିହୁଦା କେତେକ ଭୁଲ କରିଥିବା ସତ୍ତ୍ୱେ ଯିହୋବା ତାଙ୍କୁ ଆଶିଷ ଦେଲେ । ଏହା ଦେଖି ହୁଏତ ଯିହୁଦାଙ୍କ ଭାଇମାନେ ଭାବିଥିବେ ଯେ ଯିହୋବା କାହିଁକି ତାଙ୍କୁ ଆଶିଷ ଦେଲେ । କିନ୍ତୁ ଆମେ ଜାଣିଛୁ ଯେ ଯିହୋବା, ଯିହୁଦାଙ୍କ ଭଲ ଗୁଣଗୁଡ଼ିକୁ ଦେଖି ତାଙ୍କୁ ଆଶିଷ ଦେଲେ । ଆମେ ଯିହୋବାଙ୍କ ଭଳି କିପରି ହୋଇପାରିବା ? ଯେବେ କେହି ଭାଇ କିମ୍ବା ଭଉଣୀଙ୍କୁ କୌଣସି ବିଶେଷ ଦାୟିତ୍ୱ ଦିଆଯାଏ, ତେବେ ହୁଏତ ଆମେ ସବୁଠୁ ପ୍ରଥମେ ତାଙ୍କର ଦୁର୍ବଳତା ବିଷୟରେ ଭାବିବା । କିନ୍ତୁ ଆମେ ମନେ ରଖିବା ଉଚିତ୍ ଯେ ଯିହୋବା ସେମାନଙ୍କର ଭଲ ଗୁଣଗୁଡ଼ିକୁ ଦେଖିଛନ୍ତି ଓ ସେମାନଙ୍କଠାରୁ ଖୁସି ଅଛନ୍ତି । ଯିହୋବା ସର୍ବଦା ନିଜ ସେବକମାନଙ୍କର ଭଲ ଗୁଣଗୁଡ଼ିକୁ ଦେଖନ୍ତି ଓ ଆମେ ବି ଏପରି କରିବା ଉଚିତ୍ ।
୧୮. ଆମେ କାହିଁକି ଧୈର୍ଯ୍ୟ ଧରିବା ଉଚିତ୍ ?
୧୮ ଆମେ ଯିହୁଦାଙ୍କ ଘଟଣାରୁ ଧୈର୍ଯ୍ୟ ଧରିବା ବିଷୟରେ ବି ଶିଖିପାରିବା । ଯିହୋବା ସବୁବେଳେ ନିଜ ପ୍ରତିଜ୍ଞା ପୂରା କରନ୍ତି, କିନ୍ତୁ ଏହା ସେ ନିଜ ସମୟରେ ଓ ନିଜ ଉପାୟରେ କରନ୍ତି । ଯିହୋବା ପ୍ରତିଜ୍ଞା କରିଥିଲେ ଯେ ଯିହୁଦାର ବଂଶଜ ନେତୃତ୍ୱ ନେବ, କିନ୍ତୁ ଏହା ତୁରନ୍ତ ପୂରା ହେଲା ନାହିଁ । ସେମାନଙ୍କ ପୂର୍ବରୁ ଯିହୋବା ଅନ୍ୟ ଗୋତ୍ରରୁ ନେତୃତ୍ୱ ନେବା ପାଇଁ ଲୋକମାନଙ୍କୁ ବାଛିଥିଲେ । ଯେପରି, ଲେବୀୟ ଗୋତ୍ରରୁ ମୋଶାଙ୍କୁ, ଇଫ୍ରୟିମ ଗୋତ୍ରରୁ ଯିହୋଶୂୟଙ୍କୁ ଓ ବିନ୍ୟାମିନ ଗୋତ୍ରରୁ ରାଜା ଶାଉଲଙ୍କୁ ବାଛିଥିଲେ । ଯିହୁଦା ଗୋତ୍ର ଏହି ନେତୃତ୍ୱ ନେଉଥିବା ଲୋକମାନଙ୍କର ସହଯୋଗ କଲା । ଆମେ ବି ସେମାନଙ୍କୁ ପୂରା ସହଯୋଗ କରିବା ଉଚିତ୍, ଯେଉଁମାନଙ୍କୁ ଯିହୋବା ନେତୃତ୍ୱ ନେବା ପାଇଁ ବାଛନ୍ତି ।—ଏବ୍ରୀ ୬:୧୨.
୧୯. ଯାକୁବଙ୍କ ଭବିଷ୍ୟତବାଣୀରୁ ଆମେ ଯିହୋବାଙ୍କ ବିଷୟରେ କʼଣ ଶିଖିଲୁ ?
୧୯ ଯାକୁବ ନିଜ ମୃତ୍ୟୁ ପୂର୍ବରୁ ଯେଉଁ ଭବିଷ୍ୟତବାଣୀ କରିଥିଲେ, ସେଥିରୁ ଆମେ ଅନେକ କଥା ଶିଖିଲୁ । ଆମେ ଶିଖିଲୁ ଯେ ‘ମନୁଷ୍ୟ ଯେପରି ଦେଖେ, ଯିହୋବା ସେପରି ଦେଖନ୍ତି ନାହିଁ ।’ (୧ ଶାମୁ. ୧୬:୭) ଯିହୋବା ଧୈର୍ଯ୍ୟ ଧରନ୍ତି ଓ କ୍ଷମା କରନ୍ତି । ଏହା ସତ ଯେ ଯିହୋବା ଖରାପ କାମଗୁଡ଼ିକୁ ସହ୍ୟ କରନ୍ତି ନାହିଁ, କିନ୍ତୁ ସେ ଏହା ଆଶା ମଧ୍ୟ କରନ୍ତି ନାହିଁ ଯେ ତାଙ୍କର ସେବକମାନଙ୍କ ଦ୍ୱାରା କେବେ ଭୁଲ ହେବ ନାହିଁ । ଯେଉଁମାନେ ଗମ୍ଭୀର ପାପ କରିଛନ୍ତି, ଯଦି ସେମାନେ ହୃଦୟରୁ ପଶ୍ଚାତାପ କରନ୍ତି ଓ ସଠିକ୍ କାମ କରନ୍ତି, ତାହେଲେ ଯିହୋବା ସେମାନଙ୍କୁ କ୍ଷମା କରନ୍ତି ଓ ଆଶିଷ ବି ଦିଅନ୍ତି । ପରବର୍ତ୍ତୀ ଲେଖାରେ ଆମେ ଯାକୁବଙ୍କ ଅନ୍ୟ ଆଠଜଣ ପୁତ୍ରଙ୍କ ବିଷୟରେ ଦେଖିବା ଓ ଜାଣିବା ଯେ ଯାକୁବ ସେମାନଙ୍କୁ କʼଣ କହିଲେ ।
ଗୀତ ୧୨୪ ବଜାୟ ରଖିବା ବିଶ୍ୱାସ