ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • w24 ଜୁଲାଇ ପୃଷ୍ଠା ୨-୭
  • ସାଦୋକ୍‌ଙ୍କ ଭଳି ସାହସୀ ହୁଅନ୍ତୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ସାଦୋକ୍‌ଙ୍କ ଭଳି ସାହସୀ ହୁଅନ୍ତୁ
  • ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୪
  • ଉପଶୀର୍ଷକ
  • ପ୍ରାୟ ସମାନ ଲେଖା
  • ଈଶ୍ୱରଙ୍କ ରାଜ୍ୟକୁ ସହଯୋଗ କରନ୍ତୁ
  • ଭାଇଭଉଣୀମାନଙ୍କୁ ସାହାଯ୍ୟ କରନ୍ତୁ
  • ସବୁବେଳେ ଯିହୋବାଙ୍କ ବିଶ୍ୱସ୍ତ ରହନ୍ତୁ
  • ମନେ ରଖନ୍ତୁ ଯିହୋବା ‘ଜୀବିତ ପରମେଶ୍ୱର’ ଅଟନ୍ତି !
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୪
  • ବିଶ୍ୱସ୍ତ ସେବକମାନଙ୍କଠାରୁ ଶିଖନ୍ତୁ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୪
  • କʼଣ ମୋ ନିଷ୍ପତ୍ତିଗୁଡ଼ିକରୁ ଜଣାପଡ଼େ ଯେ ମୁଁ ଯିହୋବାଙ୍କ ଉପରେ ନିର୍ଭର ରହେ ?
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଜାଣନ୍ତୁ
    ୨୦୨୫-୨୦୨୬ ସର୍କିଟ ସମ୍ମିଳନୀ ପାଇଁ କାର୍ଯ୍ୟକ୍ରମ ଶାଖା ପ୍ରତିନିଧିଙ୍କ ସହିତ
ଆହୁରି ଦେଖନ୍ତୁ
ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୪
w24 ଜୁଲାଇ ପୃଷ୍ଠା ୨-୭

ଅଧ୍ୟୟନ ଲେଖା ୨୭

ଗୀତ ୭୩ ଦେ ନିଡର୍‌ତା କା ୱରଦାନ୍‌ !

ସାଦୋକ୍‌ଙ୍କ ଭଳି ସାହସୀ ହୁଅନ୍ତୁ

‘ସାଦୋକ୍‌ ଏକ ବିକ୍ରମଶାଳୀ ଯୁବା ଲୋକ ଥିଲେ ।’—୧ ବଂଶା. ୧୨:୨୮.

କʼଣ ଶିଖିବା ?

ସାଦୋକ୍‌ କିପରି ସାହସର ସହ କାମ କଲେ ଆଉ ଆମେ ତାଙ୍କ ଭଳି କିପରି ହୋଇପାରିବା ।

୧-୨. ସାଦୋକ୍‌ କିଏ ଥିଲେ ? (୧ ବଂଶାବଳୀ ୧୨:୨୨, ୨୬-୨୮)

ହିବ୍ରୋଣ ନିକଟରେ ୩,୪୦,୦୦୦ ହଜାରରୁ ବି ଅଧିକ ଲୋକ ଏକାଠି ହୋଇଛନ୍ତି । ସେମାନେ ଦାଉଦଙ୍କୁ ଇସ୍ରାଏଲର ରାଜା କରିବା ପାଇଁ ଚାହୁଁଛନ୍ତି, ଆଉ ତିନିଦିନ ଧରି ସେମାନେ ଉତ୍ସବ ପାଳନ କରୁଛନ୍ତି, ପରସ୍ପର ମଧ୍ୟରେ କଥା ହେଉଛନ୍ତି ଏବଂ ଯିହୋବାଙ୍କ ପ୍ରଶଂସାରେ ଗୀତ ଗାଉଛନ୍ତି । (୧ ବଂଶା. ୧୨:୩୯) ଏହି ଗହଳି ଭିତରେ ଜଣେ ଯୁବା ଲୋକ ବି ଅଛନ୍ତି, ତାଙ୍କ ନାମ ହେଉଛି ସାଦୋକ୍‌ । ଏତେ ଭିଡ଼ ମଧ୍ୟରେ ଅନେକ ଲୋକ ହୁଏତ ତାଙ୍କ ଉପରେ ଧ୍ୟାନ ଦେଉ ନ ଥିବେ କିନ୍ତୁ ଯିହୋବା ତାଙ୍କୁ ଧ୍ୟାନ ଦେଉଥିଲେ । ଆଉ ସେ ଚାହାନ୍ତି ଯେ ଆମେ ବି ତାଙ୍କ ଉପରେ ଧ୍ୟାନ ଦେଉ ଓ ତାଙ୍କଠାରୁ ଶିଖୁ । (୧ ବଂଶାବଳୀ ୧୨:୨୨, ୨୬-୨୮ ପଢ଼ନ୍ତୁ ।) କିନ୍ତୁ ସାଦୋକ୍‌ କିଏ ଥିଲେ ?

୨ ସାଦୋକ୍‌ ଜଣେ ଯାଜକ ଥିଲେ ଯିଏ ମହାଯାଜକ ଅବୀୟାଥରଙ୍କ ସହ ସେବା କରୁଥିଲେ, ସାଦୋକ୍‌ ଜଣେ ଦର୍ଶକ ବି ଥିଲେ । ଏହାର ଅର୍ଥ ଯିହୋବା ତାଙ୍କୁ ବୁଦ୍ଧି ଦେଇଥିଲେ ଆଉ ତାଙ୍କ ଇଚ୍ଛା ଜାଣିବା ପାଇଁ ଦକ୍ଷତା ବି ଦେଇଥିଲେ । (୨ ଶାମୁ. ୧୫:୨୭) ଯେବେ ବି ଲୋକମାନଙ୍କୁ କୌଣସି ଜରୁରୀ ମାମଲାରେ ପରାମର୍ଶର ଦରକାର ପଡ଼ୁଥିଲା, ସେସମୟରେ ସେମାନେ ସାଦୋକ୍‌ଙ୍କ ପାଖକୁ ଯାଉଥିଲେ । ସାଦୋକ୍‌ ବହୁତ ସାହସୀ ବି ଥିଲେ । ଏହି ଲେଖାରେ ଆମେ ତାଙ୍କର ଏହି ଗୁଣ ବିଷୟରେ ଚର୍ଚ୍ଚା କରିବା ।

୩. (କ) ଯିହୋବାଙ୍କ ସେବକମାନଙ୍କୁ କାହିଁକି ସାହସୀ ହେବା ଉଚିତ୍‌ ? (ଖ) ଏହି ଲେଖାରେ ଆମେ କʼଣ ଜାଣିବା ?

୩ ଆଜି ଏହି ଶେଷ କାଳରେ ଶୟତାନ ଆମର ବିଶ୍ୱାସ ଦୁର୍ବଳ କରିବା ପାଇଁ ବହୁତ ଚେଷ୍ଟା କରୁଛି । (୧ ପିତ. ୫:୮) ତେଣୁ ଆମକୁ ସାହସୀ ହେବା ଉଚିତ୍‌, ଯାହାଦ୍ୱାରା ଆମେ ଧୈର୍ଯ୍ୟ ଧରିପାରିବା ଆଉ ସେସମୟର ଅପେକ୍ଷା କରିପାରିବା ଯେବେ ଯିହୋବା ଶୟତାନ ଆଉ ତାର ଦୁଷ୍ଟ ଦୁନିଆକୁ ବିନାଶ କରିଦେବେ । (ଗୀତ. ୩୧:୨୪) ଆମେ କିପରି ସାଦୋକ୍‌ଙ୍କ ଭଳି ସାହସର ସହ କାମ କରିପାରିବା, ତାʼପାଇଁ ଆମେ ତିନୋଟି ବିଷୟ ଉପରେ ଆଲୋଚନା କରିବା ।

ଈଶ୍ୱରଙ୍କ ରାଜ୍ୟକୁ ସହଯୋଗ କରନ୍ତୁ

୪. ଈଶ୍ୱରଙ୍କ ରାଜ୍ୟକୁ ସହଯୋଗ କରିବା ପାଇଁ ଆମକୁ କାହିଁକି ସାହସ ଦରକାର ? (ଚିତ୍ର ମଧ୍ୟ ଦେଖନ୍ତୁ ।)

୪ ଆମେ ଯିହୋବାଙ୍କ ରାଜ୍ୟକୁ ପୂରା ସହଯୋଗ କରିବା ପାଇଁ ଚାହୁଁ । କିନ୍ତୁ ଏଥିପାଇଁ ଅନେକଥର ଆମକୁ ସାହସର ଦରକାର ପଡ଼ିଥାଏ । (ମାଥି. ୬:୩୩) ଯେପରି, ଏହି ଦୁଷ୍ଟ ଦୁନିଆରେ ଯିହୋବାଙ୍କ ସ୍ତର ଅନୁସାରେ ବଞ୍ଚିବା ଓ ତାଙ୍କ ରାଜ୍ୟର ସୁସମାଚାର ଶୁଣାଇବା ପାଇଁ ଆମକୁ ସାହସର ଦରକାର ପଡ଼େ । (୧ ଥେସ. ୨:୨) ଆଜି ରାଜନୈତିକ ମାମଲାଗୁଡ଼ିକୁ ନେଇ ଲୋକମାନଙ୍କ ମଧ୍ୟରେ ଏକତା ଦେଖିବାକୁ ମିଳୁ ନାହିଁ, ତେଣୁ ନିଷ୍ପକ୍ଷ ରହିବା ପାଇଁ ଆମକୁ ସାହସ ଦରକାର । (ଯୋହ. ୧୮:୩୬) ଏହା ବ୍ୟତୀତ ଅନ୍ୟ ପରିସ୍ଥିତିରେ ବି ଭାଇଭଉଣୀମାନଙ୍କୁ ସାହସର ଦରକାର ପଡ଼ିଛି । ଯେପରି, କିଛି ଭାଇଭଉଣୀ ରାଜନୀତିରେ ଭାଗ ନେବା କିମ୍ବା ସେନାରେ ଭର୍ତ୍ତି ହେବା ପାଇଁ ମନା କରିଛନ୍ତି, ତେଣୁ ସେମାନଙ୍କୁ ପଇସାର ଅସୁବିଧା ହୋଇଛି, ମାରପିଟ୍‌ କରାଯାଇଛି କିମ୍ବା ଜେଲରେ ବି ଭର୍ତ୍ତି କରି ଦିଆଯାଇଛି ।

ଜଣେ ଭାଇ ନିଜ ସହିତ କାମ କରୁଥିବା ଦୁଇଜଣ ଲୋକଙ୍କ ସହ କଫି ପିଉଛନ୍ତି ଏବଂ ସେ ଦୁହେଁ ଭାଇଙ୍କ ଉପରେ ନିଜ ମତ ମାନିବା ପାଇଁ ତାଙ୍କୁ ବାଧ୍ୟ କରୁଛନ୍ତି । ଜଣେ ବ୍ୟକ୍ତି ଟିଭି ଆଡ଼କୁ ଦେଖାଉଛନ୍ତି, ଯେଉଁଥିରେ ଦେଖାଇ ଦିଆଯାଉଛି ଯେ ରାଜନୈତିକ ପ୍ରାର୍ଥୀମାନଙ୍କୁ କେତେ ଭୋଟ ମିଳିଛି ।

ଯେବେ ଅନ୍ୟମାନେ ରାଜନୈତିକ ପାର୍ଟିଗୁଡ଼ିକର ପକ୍ଷ ନିଅନ୍ତି, ତେବେ ଆପଣ କʼଣ କରିବେ ? (ପାରାଗ୍ରାଫ ୪)


୫. ଦାଉଦଙ୍କୁ ସହଯୋଗ କରିବା ପାଇଁ ସାଦୋକ୍‌ଙ୍କୁ କାହିଁକି ସାହସର ଦରକାର ପଡ଼ିଥିବ ?

୫ ସାଦୋକ୍‌ ହିବ୍ରୋଣରେ କେବଳ ଉତ୍ସବ ପାଳନ କରିବା ପାଇଁ ଆସି ନ ଥିଲେ । ସେ ନିଜ ସହିତ ଅସ୍ତ୍ରଶସ୍ତ୍ର ବି ଆଣିଥିଲେ । (୧ ବଂଶା. ୧୨:୩୮) ସେ ନିଜ ରାଜାଙ୍କ ସହ ଯୁଦ୍ଧରେ ଯିବା ପାଇଁ ଓ ଇସ୍ରାଏଲକୁ ତାʼ ଶତ୍ରୁମାନଙ୍କଠାରୁ ରକ୍ଷା କରିବା ପାଇଁ କିଛି ବି କରିବାକୁ ପ୍ରସ୍ତୁତ ଥିଲେ । ସେ ଯୁବା ଥିଲେ ଆଉ ତାଙ୍କୁ ଯୁଦ୍ଧ ବିଷୟରେ ବେଶି କିଛି ଜଣା ନ ଥିଲା । ତଥାପି ସେ ଲଢ଼ିବା ପାଇଁ ପ୍ରସ୍ତୁତ ଥିଲେ । ଆଉ ଏଥିପାଇଁ ତାଙ୍କୁ ନିଶ୍ଚୟ ସାହସର ଦରକାର ପଡ଼ିଥିବ ।

୬. ସାହସର ସହ କାମ କରିବା ମାମଲାରେ ସାଦୋକ୍‌ ଦାଉଦଙ୍କଠାରୁ କʼଣ ଶିଖିଥିବେ ? (ଗୀତସଂହିତା ୧୩୮:୩)

୬ ଏହି ଯାଜକ ସାହସୀ କିପରି ହେଲେ ? ସାଦୋକ୍‌ ଏପରି ଅନେକ ଲୋକଙ୍କୁ ଜାଣିଥିଲେ, ଯେଉଁମାନେ ବହୁତ ଶକ୍ତିଶାଳୀ ଓ ସାହସୀ ଥିଲେ । ସେ ସେମାନଙ୍କଠାରୁ ବହୁତ କିଛି ଶିଖିଥିବେ । ସେମାନଙ୍କ ମଧ୍ୟରୁ ଜଣେ ଥିଲେ, ଦାଉଦ । ସେ ବହୁତ ସାହସୀ ଥିଲେ ଓ ‘ଇସ୍ରାଏଲକୁ ବାହାରେ ଓ ଭିତରେ ଗମନାଗମନ କରାଉଥିଲେ’ [“ଲଢ଼େଇରେ ଇସ୍ରାଏଲର ନେତୃତ୍ୱ ନେଉଥିଲେ,” NWT] ତେଣୁ ସମସ୍ତେ ତାଙ୍କୁ ସହଯୋଗ କରୁଥିଲେ । (୧ ବଂଶା. ୧୧:୧, ୨) ଦାଉଦ ନିଜ ଶତ୍ରୁମାନଙ୍କ ସହ ଲଢ଼ିବା ପାଇଁ ସବୁବେଳେ ଯିହୋବାଙ୍କ ଉପରେ ଭରସା କରୁଥିଲେ । (ଗୀତ. ୨୮:୭; ଗୀତସଂହିତା ୧୩୮:୩ ପଢ଼ନ୍ତୁ ।) ଏହାଛଡ଼ା ସାଦୋକ୍‌ ଅନ୍ୟ କିଛି ଲୋକମାନଙ୍କଠାରୁ ବି ସାହସୀ ହେବା ଶିଖିଥିବେ, ଯେପରି ଯିହୋୟାଦା ଓ ତାଙ୍କ ପୁଅ ବନାୟ ଓ ଇସ୍ରାଏଲୀୟର ୨୨ଜଣ ମୁଖିଆଙ୍କଠାରୁ । (୧ ବଂଶା. ୧୧:୨୨-୨୫; ୧୨:୨୬-୨୮) ଏମାନେ ସମସ୍ତେ ଦାଉଦଙ୍କ ବିଶ୍ୱସ୍ତ ଥିଲେ, ତାଙ୍କୁ ରାଜା କରିବା ପାଇଁ ଚାହୁଁଥିଲେ ଏବଂ ଯେକୌଣସି ପରିସ୍ଥିତିରେ ବି ତାଙ୍କୁ ସହଯୋଗ କରିବା ପାଇଁ ଚାହୁଁଥିଲେ ।

୭. (କ) ଆଜି କିଛି ଭାଇମାନେ କିପରି ସାହସର ସହ କାମ କରୁଛନ୍ତି ଓ ଯିହୋବାଙ୍କୁ ସହଯୋଗ କରୁଛନ୍ତି ? (ଖ) ଆପଣ ଭାଇ ଏଞ୍ଜ ସିଲୁଙ୍କଠାରୁ କʼଣ ଶିଖିଲେ ? (ଫୁଟନୋଟ୍‌ ଦେଖନ୍ତୁ ।)

୭ ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ ଈଶ୍ୱରଙ୍କ ରାଜ୍ୟକୁ ସହଯୋଗ କରିବା ପାଇଁ ସାହସର ସହ କାମ କରିଛନ୍ତି । ଯଦି ଆମେ ସେମାନଙ୍କ ଉଦାହରଣ ଉପରେ ଧ୍ୟାନ ଦେବା ତାହେଲେ ଆମକୁ ବି ଶକ୍ତି ଓ ସାହସ ମିଳିପାରିବ । ଯେପରି, ଯେବେ ଆମ ରାଜା ଯୀଶୁ ପୃଥିବୀରେ ଥିଲେ, ତେବେ ସେ ଦୁନିଆର ରାଜନୈତିକ ମାମଲାରେ ଭାଗ ନେବା ପାଇଁ ସ୍ପଷ୍ଟ ଭାବେ ମନା କରି ଦେଇଥିଲେ । (ମାଥି. ୪:୮-୧୧; ଯୋହ. ୬:୧୪, ୧୫) ତାଙ୍କୁ ଯିହୋବାଙ୍କ ଉପରେ ପୂରା ଭରସା ଥିଲା, ତେଣୁ ସେ ସାହସର ସହ କାମ କରିପାରିଲେ । ଆଜି ବି ଅନେକ ଯୁବା ଭାଇମାନେ ଏପରି ହିଁ କରିଛନ୍ତି । ସେମାନେ ସେନାରେ ଭର୍ତ୍ତି ହେବା ପାଇଁ ବା ରାଜନୈତିକ ମାମଲାରେ ଭାଗ ନେବା ପାଇଁ ସ୍ପଷ୍ଟ ଭାବେ ମନା କରିଛନ୍ତି । ଏମାନଙ୍କ ମଧ୍ୟରୁ ଅନେକ ଭାଇମାନଙ୍କର ଅନୁଭୂତି jw.org ୱେବସାଇଟ୍‌ରେ ଦିଆଯାଇଛି । ତାହେଲେ କେତେ ଭଲ ହେବ ଯଦି ଆପଣ ସମୟ ବାହାର କରି ଏହି ଲେଖାଗୁଡ଼ିକୁ ପଢ଼ିବେ ।a ଏପରି କଲେ ଆପଣ ବି ସାହସୀ ହୋଇପାରିବେ ।

ଭାଇଭଉଣୀମାନଙ୍କୁ ସାହାଯ୍ୟ କରନ୍ତୁ

୮. ଭାଇଭଉଣୀମାନଙ୍କର ସାହାଯ୍ୟ କରିବା ପାଇଁ ପ୍ରାଚୀନମାନଙ୍କୁ କେଉଁ ସମୟରେ ସାହସର ସହ କାମ କରିବାକୁ ପଡ଼ିପାରେ ?

୮ ଯିହୋବାଙ୍କ ଲୋକମାନେ ପରସ୍ପରକୁ ପ୍ରେମ କରନ୍ତି ଓ ପରସ୍ପରକୁ ସାହାଯ୍ୟ କରନ୍ତି । (୨ କରି. ୮:୪) କିନ୍ତୁ ବେଳେବେଳେ ଏପରି କରିବା ପାଇଁ ସେମାନଙ୍କୁ ସାହସର ବି ଦରକାର ପଡ଼ିଥାଏ । ଯେପରି, ଯେବେ ଯୁଦ୍ଧ ହୁଏ, ତେବେ ପ୍ରାଚୀନମାନେ ଭାଇଭଉଣୀମାନଙ୍କୁ ସାହାଯ୍ୟ କରିବା ପାଇଁ ବହୁତ କିଛି କରନ୍ତି । ସେମାନେ ତାଙ୍କ ଖାଇବା ପିଇବାର ଆବଶ୍ୟକତା ପୂରା କରନ୍ତି ଆଉ ସେମାନଙ୍କୁ ବାଇବଲ ଓ ଅନ୍ୟ ପ୍ରକାଶନଗୁଡ଼ିକ ମିଳୁଥାଉ, ଏଥିପ୍ରତି ମଧ୍ୟ ଧ୍ୟାନ ଦିଅନ୍ତି । ଆଉ ସେମାନଙ୍କର ଉତ୍ସାହ ବି ବଢ଼ାନ୍ତି । ପ୍ରାଚୀନମାନେ ଭାଇଭଉଣୀମାନଙ୍କୁ ବହୁତ ପ୍ରେମ କରନ୍ତି, ତେଣୁ ସେମାନଙ୍କର ସାହାଯ୍ୟ କରିବା ପାଇଁ ସେମାନେ ନିଜ ଜୀବନକୁ ବି ବିପଦରେ ପକାଇ ଦିଅନ୍ତି । (ଯୋହ. ୧୫:୧୨, ୧୩) ଏପରି ଭାବେ ସେମାନେ ସାଦୋକ୍‌ଙ୍କ ଭଳି ସାହସର ସହ କାମ କରନ୍ତି ।

୯. ଯେପରି, ୨ ଶାମୁୟେଲ ୧୫:୨୭-୨୯ ପଦରେ କୁହାଯାଇଛି, ଦାଉଦ ସାଦୋକ୍‌ଙ୍କୁ କʼଣ କରିବା ପାଇଁ କହିଲେ ? (ଚିତ୍ର ମଧ୍ୟ ଦେଖନ୍ତୁ ।)

୯ ସାଦୋକ୍‌ ମଧ୍ୟ ସମସ୍ୟା ସମୟରେ ଅନ୍ୟମାନଙ୍କର ସାହାଯ୍ୟ କରିଥିଲେ । ଥରେ ଦାଉଦଙ୍କ ଜୀବନ ବିପଦରେ ଥିଲା । ତାଙ୍କ ପୁଅ ଅବଶାଲୋମ ତାଙ୍କ ରାଜଗାଦି ହଡ଼ପ କରିବା ପାଇଁ ଚାହୁଁଥିଲା । (୨ ଶାମୁ. ୧୫:୧୨, ୧୩) ପରିସ୍ଥିତି ଏତେ ଖରାପ ହୋଇଗଲା ଯେ ଦାଉଦଙ୍କୁ ତୁରନ୍ତ ଯିରୂଶାଲମ ଛାଡ଼ିକି ପଳାଇବାକୁ ପଡ଼ିଲା । ସେ ନିଜ ସେବକମାନଙ୍କୁ ଡାକିଲେ । ଆଉ ସେମାନଙ୍କୁ କହିଲେ, “ଉଠ ଆମ୍ଭେମାନେ ପଳାଉ; ନୋହିଲେ ଆମ୍ଭେମାନେ କେହି ଅବଶାଲୋମଠାରୁ ରକ୍ଷା ପାଇବୁ ନାହିଁ ।” (୨ ଶାମୁ. ୧୫:୧୪) ଯେବେ ସେମାନେ ଯିରୂଶାଲମ ଛାଡ଼ି ଯାଉଥିଲେ, ତେବେ ଦାଉଦ ଭାବିଲେ ଯେ ଯିରୂଶାଲମରେ କାହାରିକୁ ରହିବାକୁ ହିଁ ପଡ଼ିବ, ଯାହାଫଳରେ ସେମାନେ ଅବଶାଲୋମର ଯୋଜନା ବିଷୟରେ ତାଙ୍କୁ ଖବର ପଠାଉ ଥିବେ । ତେଣୁ ସେ ସାଦୋକ୍‌ ଓ ଅନ୍ୟ କିଛି ଯାଜକମାନଙ୍କୁ ଯିରୂଶାଲମ ଫେରି ଯିବା ପାଇଁ କହିଲେ, ଯାହାଫଳରେ ସେମାନେ ଅବଶାଲୋମ ଉପରେ ନଜର ରଖିପାରିବେ । (୨ ଶାମୁୟେଲ ୧୫:୨୭-୨୯ ପଢ଼ନ୍ତୁ ।) ସେମାନଙ୍କୁ ସାବଧାନ ରହିବାର ଥିଲା କାରଣ ଏହି କାମ ବହୁତ ବିପଦପୂର୍ଣ୍ଣ ଥିଲା । ଅବଶାଲୋମ ବହୁତ ସ୍ୱାର୍ଥୀ ଥିଲା ଆଉ ସେ ନିଜ ସ୍ୱାର୍ଥ ପୂରା କରିବା ପାଇଁ କିଛି ବି କରିବାକୁ ପ୍ରସ୍ତୁତ ରହୁଥିଲା । ସେ ଜଣେ ବିଶ୍ୱାସଘାତୀ ଥିଲା, ଯିଏ ନିଜ ପିତାଙ୍କୁ ବି ଛାଡ଼ିଲା ନାହିଁ, ତାକୁ ଯଦି ଜଣା ପଡ଼ିଯାʼନ୍ତା ଯେ ସାଦୋକ୍‌ ଓ ଅନ୍ୟ ଯାଜକମାନେ ତାʼ ଉପରେ ନଜର ରଖିଛନ୍ତି, ତାହେଲେ ଭାବନ୍ତୁ ସେମାନଙ୍କର କʼଣ ଅବସ୍ଥା ହୋଇଥାʼନ୍ତା !

ରାଜା ଦାଉଦ ସାଦୋକ୍‌ଙ୍କ ସହ କଥା ହେଉଛନ୍ତି । ପଛ ପଟେ ଦେଖାଇ ଦିଆଯାଇଛି ଯେ ଦାଉଦଙ୍କ କିଛି ସେବକ ଯିରୂଶାଲମ ଛାଡ଼ି ଯାଉଛନ୍ତି ।

ଦାଉଦ ସାଦୋକ୍‌ଙ୍କୁ ଏପରି ଗୋଟିଏ କାମ ଦେଲେ ଯାହା ବହୁତ ବିପଦପୂର୍ଣ୍ଣ ଥିଲା (ପାରାଗ୍ରାଫ ୯)


୧୦. ସାଦୋକ୍‌ ଓ ତାଙ୍କ ସାଥୀମାନେ ଦାଉଦଙ୍କ ଜୀବନ ରକ୍ଷା କରିବା ପାଇଁ କʼଣ କଲେ ?

୧୦ ଦାଉଦ ଗୋଟିଏ ଯୋଜନା କଲେ, ଆଉ ତାହାକୁ ପୂରା କରିବା ପାଇଁ ସେ ସାଦୋକ୍‌ ଓ ନିଜ ସାଙ୍ଗ ହୂଶୟଙ୍କ ସାହାଯ୍ୟ ନେଲେ । (୨ ଶାମୁ. ୧୫:୩୨-୩୭) ସେ ହୂଶୟଙ୍କୁ କହିଲେ ଯେ ସେ ଯାଇ ଅବଶାଲୋମର ଭରସା ଜିତିବା ପାଇଁ ଚେଷ୍ଟା କରନ୍ତୁ ଓ ଏପରି କିଛି ଉପାୟ କହନ୍ତୁ ଯାହାକୁ ପୂରା କରିବା ପାଇଁ ସମୟ ଲାଗନ୍ତା । ଆଉ ସେହି ସମୟ ମଧ୍ୟରେ ଦାଉଦ ନିଜକୁ ଯୁଦ୍ଧ ପାଇଁ ପ୍ରସ୍ତୁତ କରିପାରନ୍ତେ । ସେ ହୂଶୟଙ୍କୁ ଏହା ବି କହିଲେ ଯେ ତାଙ୍କୁ ରାଜମହଲରେ ଯାହା ବି ଖବର ମିଳେ, ସେ ସାଦୋକ୍‌ ଓ ଅବୀୟାଥରଙ୍କୁ ଜଣାନ୍ତୁ ଯାହାଫଳରେ ସେମାନେ ସେହି ଖବର ଦାଉଦଙ୍କୁ ଦିଅନ୍ତେ । (୨ ଶାମୁ. ୧୭:୮-୧୬) ଦାଉଦ ଯେପରି କହିଥିଲେ, ସେହି ଲୋକମାନେ ଠିକ୍‌ ସେପରି ହିଁ କଲେ । (୨ ଶାମୁ. ୧୭:୧୭) ଯିହୋବାଙ୍କ ସାହାଯ୍ୟରେ ସାଦୋକ୍‌ ଓ ସେମାନଙ୍କ ସାଥୀମାନେ ସାହସର ସହ କାମ କରିପାରିଲେ ଓ ଦାଉଦଙ୍କ ଜୀବନ ରକ୍ଷା ହୋଇପାରିଲା ।—୨ ଶାମୁ. ୧୭:୨୧, ୨୨.

୧୧. ଭାଇଭଉଣୀମାନଙ୍କୁ ସାହାଯ୍ୟ କରିବା ସମୟରେ ଆମେ କିପରି ସାଦୋକ୍‌ଙ୍କ ଭଳି ସାହସର ସହ କାମ କରିପାରିବା ?

୧୧ ଯଦି ଆମକୁ କୌଣସି ବିପଦପୂର୍ଣ୍ଣ ପରିସ୍ଥିତିରେ ଭାଇଭଉଣୀମାନଙ୍କୁ ସାହାଯ୍ୟ କରିବାକୁ ପଡ଼େ, ତେବେ ଆମେ ସାଦୋକ୍‌ଙ୍କ ଭଳି କିପରି ସାହସର ସହ କାମ କରିପାରିବା ? (୧) ପରାମର୍ଶ ମାନନ୍ତୁ । ଏପରି ପରିସ୍ଥିତିରେ ଏହା ବହୁତ ଜରୁରୀ ଯେ ଆମେ ପରସ୍ପର ମଧ୍ୟରେ ଏକତା ବଜାୟ ରଖୁ । ତେଣୁ ଶାଖା କାର୍ଯ୍ୟାଳୟରୁ ଯାହା ବି ପରାମର୍ଶ ମିଳେ, ତାହା ମାନନ୍ତୁ । (ଏବ୍ରୀ ୧୩:୧୭) ବିପତ୍ତି ଆସିବା ସମୟରେ କʼଣ କରିବା ଉଚିତ୍‌, ଏହା ବିଷୟରେ ପ୍ରତ୍ୟେକ ମଣ୍ଡଳୀରେ କିଛି ବ୍ୟବସ୍ଥା କରାଯାଇଥାଏ ଓ ସଂଗଠନ ବି ଏହା ବିଷୟରେ କିଛି ପରାମର୍ଶ ଦେଇ ଥାଏ । ମଝି ମଝିରେ ପ୍ରାଚୀନମାନଙ୍କୁ ଏହି ପରାମର୍ଶ ଓ ବ୍ୟବସ୍ଥାଗୁଡ଼ିକ ଉପରେ ଧ୍ୟାନ ଦେବା ଉଚିତ୍‌ । (୧ କରି. ୧୪:୩୩, ୪୦) (୨) ସାହସର ସହ କାମ କରନ୍ତୁ କିନ୍ତୁ ସତର୍କ ମଧ୍ୟ ରହନ୍ତୁ । (ହିତୋ. ୨୨:୩) କିଛି କରିବା ପୂର୍ବରୁ ଭାବନ୍ତୁ ଓ ଅଯଥା ସମସ୍ୟାରେ ପଡ଼ନ୍ତୁ ନାହିଁ । (୩) ଯିହୋବାଙ୍କ ଉପରେ ଭରସା ରଖନ୍ତୁ । ଏହା ମନେରଖନ୍ତୁ ଯେ ଯିହୋବା ଆପଣଙ୍କ ଓ ଅନ୍ୟ ସବୁ ଭାଇଭଉଣୀଙ୍କ ପାଇଁ ଚିନ୍ତା କରନ୍ତି । ଆଉ ସେମାନଙ୍କ ରକ୍ଷା କରିବା ପାଇଁ ସେ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବେ ।

୧୨-୧୩. ଆପଣ ଭାଇ ୱିକ୍ଟର ଓ ଭାଇ ୱିଟାଲିଙ୍କ ଅନୁଭବରୁ କʼଣ ଶିଖିଲେ ? (ଚିତ୍ର ମଧ୍ୟ ଦେଖନ୍ତୁ ।)

୧୨ ଭାଇ ୱିକ୍ଟର ଓ ଭାଇ ୱିଟାଲିଙ୍କ ଉଦାହରଣ ପ୍ରତି ଧ୍ୟାନ ଦିଅନ୍ତୁ । ଏହି ଦୁଇ ଭାଇ ବହୁତ ସାହସର ସହ କାମ କଲେ । ସେମାନେ ୟୁକ୍ରେନ୍‌ରେ ଭାଇଭଉଣୀମାନଙ୍କ ପାଖକୁ ଖାଇବା ପିଇବା ଓ ଅନ୍ୟ ଜିନିଷଗୁଡ଼ିକ ପହଞ୍ଚାଇବା ଜାରି ରଖିଲେ । ଭାଇ ୱିକ୍ଟର କହନ୍ତି, “ଆମ ଆଖପାଖରେ ଗୁଳି ଚାଲୁଥିଲା । ଆଉ ଯେଉଁ ଜାଗାରେ ବି ଖାଇବା ପିଇବା ଜିନିଷ ମିଳିବାର ସମ୍ଭାବନା ଥିଲା, ସେଠାରୁ ଖାଇବା ଜିନିଷ ନେଇ ଭାଇଭଉଣୀମାନଙ୍କ ପାଖକୁ ପହଞ୍ଚାଉ ଥିଲୁ । ଜଣେ ଭାଇ ଏତେଗୁଡ଼ିଏ ଜିନିଷ ଦେଲେ, ଯାହାଫଳରେ ଅନେକ ଭାଇଭଉଣୀମାନଙ୍କର କିଛି ସମୟ ପାଇଁ ଆବଶ୍ୟକତା ପୂରା ହୋଇପାରନ୍ତା । ଆଉ ଯେବେ ଆମେ ଟ୍ରକରେ ସେହି ଜିନିଷ ସବୁ ରଖୁଥିଲୁ, ତେବେ କʼଣ ହେଲା ? ଆମ ଗାଡ଼ିର କେବଳ ୨୦ ମିଟର (୬୬ ଫୁଟ) ଦୂରରେ ଗୋଟିଏ ବୋମା ପଡ଼ିଲା । ତାʼପରେ ମୁଁ ଯିହୋବାଙ୍କୁ ଦିନସାରା ପ୍ରାର୍ଥନା କଲି ଯେ ଭାଇଭଉଣୀମାନଙ୍କୁ ସାହାଯ୍ୟ କରିବା ପାଇଁ ସେ ମୋତେ ସାହସ ଦିଅନ୍ତୁ ।”

୧୩ ଭାଇ ୱିଟାଲି କହନ୍ତି, “ଏହି କାମ ପାଇଁ ବହୁତ ସାହସର ଦରକାର ଥିଲା । ଯେବେ ମୁଁ ପ୍ରଥମ ଥର ଭାଇଭଉଣୀଙ୍କ ପାଖକୁ ଜିନିଷ ପହଞ୍ଚାଇବା ପାଇଁ ଯାଉଥିଲି, ତେବେ ସେମାନଙ୍କ ଯାଏ ପହଞ୍ଚିବା ପାଇଁ ମୋତେ ପ୍ରାୟ ୧୨ ଘଣ୍ଟା ଲାଗିଲା । ମୁଁ ରାସ୍ତା ସାରା ପ୍ରାର୍ଥନା କରୁଥିଲି ।” ଭାଇ ୱିଟାଲି ସାହସର ସହ କାମ କଲେ, କିନ୍ତୁ ସେ ସତର୍କ ମଧ୍ୟ ଥିଲେ । ସେ କହନ୍ତି, “ମୁଁ ଯିହୋବାଙ୍କୁ ବୁଦ୍ଧି ମାଗିଲି, ଯାହାଦ୍ୱାରା ମୁଁ ଅଯଥା ବିପଦରେ ନ ପଡ଼େ ଓ ଅଧିକାରୀମାନଙ୍କ ପରାମର୍ଶଗୁଡ଼ିକୁ ବି ମାନେ । ଯେଉଁ ରାସ୍ତା ଦେଇ ଯିବା ପାଇଁ ସରକାର ଅନୁମତି ଦେଇଥିଲେ ମୁଁ ସେହି ରାସ୍ତା ଦେଇ ଗଲି । ଯେବେ ମୁଁ ଦେଖିଲି ଯେ ଭାଇଭଉଣୀମାନେ କିଭଳି ଭାବେ ସାଙ୍ଗରେ ମିଶି କାମ କରୁଛନ୍ତି, ତେବେ ମୋ ବିଶ୍ୱାସ ଆହୁରି ବଢ଼ିଗଲା । ସେମାନେ ବନ୍ଦ ଥିବା ରାସ୍ତାଗୁଡ଼ିକୁ ସଫା କରୁଥିଲେ ଓ ଅନ୍ୟମାନଙ୍କ ପାଇଁ ଜିନିଷ ସବୁ ଏକାଠି କରି ଟ୍ରକରେ ରଖୁଥିଲେ । କେବଳ ଏତିକି ନୁହେଁ, ଆମେ ଯେଉଁଠି ବି ଗଲୁ, ଭାଇଭଉଣୀମାନେ ୱିକ୍ଟର ଓ ମୋ ପାଇଁ ଖାଇବା ପିଇବା ଓ ଆରାମ କରିବାର ବି ବ୍ୟବସ୍ଥା କଲେ । ଏହି କଥା ବି ମୋ ହୃଦୟକୁ ଛୁଇଁ ଗଲା ।”

ଯୁଦ୍ଧ ଚାଲୁଛି ଏବଂ ଦୁଇଜଣ ଭାଇ ଗୋଟିଏ ଗାଡ଼ିରେ ସେହି ଜାଗା ଦେଇ ଯାଉଛନ୍ତି । ପଛ ପଟେ ଧୂଆଁ, ନିଆଁ ଓ ଘର ଭାଙ୍ଗିବାର ଦେଖାଯାଉଛି ।

କଠିନ ସମୟରେ ଭାଇଭଉଣୀମାନଙ୍କ ସାହାଯ୍ୟ କରିବା ବେଳେ ସାହସର ସହ କାମ କରନ୍ତୁ କିନ୍ତୁ ସତର୍କ ମଧ୍ୟ ରହନ୍ତୁ (ପାରାଗ୍ରାଫ ୧୨-୧୩)


ସବୁବେଳେ ଯିହୋବାଙ୍କ ବିଶ୍ୱସ୍ତ ରହନ୍ତୁ

୧୪. ଯେବେ ଆମର କୌଣସି ପରିବାରର ସଦସ୍ୟ କିମ୍ବା ସାଙ୍ଗ ଯିହୋବାଙ୍କୁ ଛାଡ଼ି ଦିଅନ୍ତି, ତେବେ ଆମକୁ କିପରି ଲାଗେ ?

୧୪ କିଛି ସମସ୍ୟାଗୁଡ଼ିକ ଏପରି ଥାଏ ଯାହା ଆମକୁ ବହୁତ କଷ୍ଟ ପହଞ୍ଚାଏ । ଯେପରି ଯେବେ ଆମ ପରିବାରର କୌଣସି ସଦସ୍ୟ କିମ୍ବା ଆମର କୌଣସି ସାଙ୍ଗ ଯିହୋବାଙ୍କୁ ଛାଡ଼ି ଚାଲିଯାʼନ୍ତି, ତେବେ ଆମକୁ ସେହି କଷ୍ଟ ସହିବା ବହୁତ କଠିନ ହୋଇଯାଏ । (ଗୀତ. ୭୮:୪୦; ହିତୋ. ୨୪:୧୦) ସେହି ବ୍ୟକ୍ତି ସହିତ ଆମ ସମ୍ପର୍କ ଯେତେ ଗଭୀର ଥାଏ, ଆମକୁ ସେତେ ଅଧିକ କଷ୍ଟ ହୁଏ । ହୋଇପାରେ ଆମେ ପୂରାପୂରି ଭାଙ୍ଗି ପଡ଼ିବା । ଆମେ ଏପରି ପରିସ୍ଥିତିର କିପରି ସାମନା କରିପାରିବା ? ସାଦୋକ୍‌ ଯେପରି ଭାବେ ଯିହୋବାଙ୍କ ବିଶ୍ୱସ୍ତ ରହିଲେ, ସେଥିରୁ ଆମେ ବହୁତ କିଛି ଶିଖିପାରିବା ।

୧୫. ଯିହୋବାଙ୍କ ବିଶ୍ୱସ୍ତ ରହିବା ପାଇଁ ସାଦୋକ୍‌ଙ୍କୁ କାହିଁକି ସାହସର ସହ କାମ କରିବାକୁ ପଡ଼ିଥିବ ? (୧ ରାଜାବଳୀ ୧:୫-୮)

୧୫ ସାଦୋକ୍‌ଙ୍କ ଜୀବନରେ ଏପରି ବି ସମୟ ଆସିଲା ଯେବେ ତାଙ୍କ ପାଇଁ ଯିହୋବାଙ୍କ ବିଶ୍ୱସ୍ତ ରହିବା କଠିନ ହୋଇଥିବ ଆଉ ତାଙ୍କୁ ସାହସର ସହ କାମ କରିବାକୁ ପଡ଼ିଥିବ । ଯେପରି, ଏହା ସେସମୟର କଥା ଅଟେ ଯେବେ ଦାଉଦ ବହୁତ ବୃଦ୍ଧ ହୋଇଯାଇଥିଲେ ଓ ତାଙ୍କର ମୃତ୍ୟୁର କିଛି ସମୟ ପୂର୍ବେ ତାଙ୍କ ପୁଅ ଅଦୋନୀୟ ତାଙ୍କ ରାଜଗାଦି ହଡ଼ପ କରିବା ପାଇଁ ଚେଷ୍ଟା କଲା । ଯିହୋବା ଆଗରୁ ହିଁ କହି ଦେଇଥିଲେ ଯେ ଶଲୋମନ ପରବର୍ତ୍ତୀ ରାଜା ହେବେ ତଥାପି ଅଦୋନୀୟ ରାଜା ହେବା ପାଇଁ ଦୁଃସାହସ କଲା । (୧ ବଂଶା. ୨୨:୯, ୧୦) ସେସମୟରେ ସାଦୋକ୍‌ଙ୍କ ସାଙ୍ଗ ଅବୀୟାଥର ଅଦୋନୀୟର ସହଯୋଗ କଲେ । (୧ ରାଜାବଳୀ ୧:୫-୮ ପଢ଼ନ୍ତୁ ।) ଏପରି କରିବା ଦ୍ୱାରା ସେ କେବଳ ଦାଉଦଙ୍କ ସହ ବିଦ୍ରୋହ କଲେନି, ବରଂ ସେ ଯିହୋବାଙ୍କ ସହ ମଧ୍ୟ ବିଦ୍ରୋହ କଲେ । ଭାବନ୍ତୁ, ଏସବୁ ଦେଖି ସାଦୋକ୍‌ଙ୍କୁ କିପରି ଲାଗିଥିବ ! ହୁଏତ ସେ କେବେ ବି ଭାବି ନ ଥିବେ ଯେ ତାଙ୍କ ପ୍ରିୟ ସାଙ୍ଗ ଏପରି କିଛି କରିବ । ଅବୀୟାଥର ଓ ସାଦୋକ୍‌ ପ୍ରାୟ ୪୦ ବର୍ଷରୁ ସାଙ୍ଗରେ ମିଶି ଯିହୋବାଙ୍କର ସେବା କରୁଥିଲେ । (୨ ଶାମୁ. ୮:୧୭) ସେମାନେ ସାଙ୍ଗରେ ମିଶି ‘ପରମେଶ୍ୱରଙ୍କ ସିନ୍ଦୁକରʼ ଦେଖାରେଖା ସହ ଜଡ଼ିତ କାମ କରିଥିଲେ । (୨ ଶାମୁ. ୧୫:୨୯) ସେମାନେ ଦାଉଦଙ୍କୁ ରାଜା କରିବା ପାଇଁ ତାଙ୍କ ସହଯୋଗ କରିଥିଲେ ଓ ସାଙ୍ଗରେ ମିଶି ଯିହୋବାଙ୍କ ସେବାରେ ବହୁତ କିଛି କରିଥିଲେ । (୨ ଶାମୁ. ୧୯:୧୧-୧୪) ଯେବେ ଅବୀୟାଥର ଯିହୋବାଙ୍କ ବିଶ୍ୱସ୍ତ ରହିଲେନି, ତେବେ ସାଦୋକ୍‌ଙ୍କୁ ବହୁତ କଷ୍ଟ ପହଞ୍ଚିଥିବ ।

୧୬. ବିଶ୍ୱସ୍ତ ରହିବା ପାଇଁ ସାଦୋକ୍‌ଙ୍କୁ କେଉଁ କଥା ସାହାଯ୍ୟ କଲା ?

୧୬ ସାଦୋକ୍‌ଙ୍କ ସାଙ୍ଗ ଅବୀୟାଥର ଦାଉଦଙ୍କୁ ଛାଡ଼ି ଦେଲେ, କିନ୍ତୁ ସାଦୋକ୍‌ ଦାଉଦଙ୍କ ବିଶ୍ୱସ୍ତ ରହିଲେ । ଦାଉଦଙ୍କୁ ସାଦୋକ୍‌ଙ୍କ ଉପରେ ପୂରା ଭରସା ଥିଲା । ତେଣୁ ସେ ଅଦୋନୀୟର ଷଡ଼ଯନ୍ତ୍ର ବିଷୟରେ ଜାଣିବା ପରେ ସାଦୋକ୍‌, ନାଥନ ଓ ବନାୟଙ୍କୁ ଡାକିଲେ ଓ ସେମାନଙ୍କୁ କହିଲେ ଯେ ସେମାନେ ଶଲୋମନଙ୍କୁ ରାଜା କରନ୍ତୁ । (୧ ରାଜା. ୧:୩୨-୩୪) ଟିକେ ଭାବନ୍ତୁ, ଯେବେ ସାଦୋକ୍‌ ଦେଖିଥିବେ ଯେ ନାଥନ ଓ ଅନ୍ୟ ସେବକମାନେ ଦାଉଦଙ୍କ ବିଶ୍ୱସ୍ତ ଅଛନ୍ତି, ତେବେ ତାଙ୍କୁ ବହୁତ ସାହସ ମିଳିଥିବ । ଆଉ ଏହି କାରଣ ଯୋଗୁଁ ସେ ମଧ୍ୟ ବିଶ୍ୱସ୍ତ ରହି ପାରିଥିବେ । (୧ ରାଜା. ୧:୩୮, ୩୯) ଆଉ ଯେବେ ଶଲୋମନ ରାଜା ହୋଇଗଲେ, ତେବେ ସେ “ଅବୀୟାଥର ପଦରେ ସାଦୋକକୁ ଯାଜକ କରି ନିଯୁକ୍ତ କଲେ ।”—୧ ରାଜା. ୨:୩୫.

୧୭. ଯଦି ଆପଣଙ୍କର ନିଜର କେହି ଯିହୋବାଙ୍କୁ ଛାଡ଼ି ଦିଅନ୍ତି, ତେବେ ଆପଣ ସାଦୋକ୍‌ଙ୍କ ଭଳି କʼଣ କରିପାରିବେ ?

୧୭ ଯଦି ଆପଣଙ୍କ ନିଜର କେହି ଯିହୋବାଙ୍କୁ ଛାଡ଼ି ଦିଅନ୍ତି, ତେବେ ସାଦୋକ୍‌ଙ୍କ ଭଳି ନିଜ କାମରୁ ଦେଖାନ୍ତୁ ଯେ ଆପଣ ଯିହୋବାଙ୍କ ବିଶ୍ୱସ୍ତ ଅଛନ୍ତି । (ଯିହୋ. ୨୪:୧୫) ଏପରି କରିବା ପାଇଁ ଯିହୋବା ଆପଣଙ୍କୁ ସାହସ ଦେବେ । ତେଣୁ ଆପଣ ତାଙ୍କୁ ପ୍ରାର୍ଥନା କରନ୍ତୁ ଆଉ ସେହି ସାଙ୍ଗମାନଙ୍କ ନିକଟତର ହୋଇ ରହନ୍ତୁ ଯେଉଁମାନେ ଯିହୋବାଙ୍କ ବିଶ୍ୱସ୍ତ ଅଛନ୍ତି । ମନେରଖନ୍ତୁ, ଯେବେ ଆପଣ ଯିହୋବାଙ୍କ ବିଶ୍ୱସ୍ତ ରହିବେ, ତେବେ ଏହି କଥା ତାଙ୍କ ହୃଦୟକୁ ଛୁଇଁ ଯିବ ଓ ସେ ଆପଣଙ୍କୁ ଏହାର ପୁରସ୍କାର ମଧ୍ୟ ଦେବେ ।—୨ ଶାମୁ. ୨୨:୨୬.

୧୮. ଆପଣ ଭାଇ ମାର୍କ ଓ ସିଡ଼ସେଙ୍କ ଉଦାହରଣରୁ କʼଣ ଶିଖିଲେ ?

୧୮ ମାର୍କ ଓ ତାଙ୍କ ସ୍ତ୍ରୀ ସିଡସେଙ୍କ ଉଦାହରଣ ପ୍ରତି ଧ୍ୟାନ ଦିଅନ୍ତୁ । ତାଙ୍କର ଦୁଇଜଣ ଝିଅ ବଡ଼ ହେବା ପରେ ଯିହୋବାଙ୍କ ସେବା କରିବା ଛାଡ଼ି ଦେଲେ । ଭାଇ ମାର୍କ କହନ୍ତି, “ଯେବେ ଆପଣଙ୍କର ପିଲା ଥାʼନ୍ତି, ତେବେ ଆପଣ ତାଙ୍କୁ ବହୁତ ପ୍ରେମ କରନ୍ତି ଓ ଆପଣ ସେମାନଙ୍କୁ ପ୍ରତ୍ୟେକ ଖରାପ ଜିନିଷରୁ ବଞ୍ଚାନ୍ତି । ତେଣୁ ଯେବେ ଆପଣଙ୍କ କୌଣସି ପିଲା ଯିହୋବାଙ୍କଠାରୁ ଦୂରକୁ ଚାଲିଯାଏ, ତେବେ ଆପଣ ପୂରାପୂରି ଭାଙ୍ଗି ପଡ଼ନ୍ତି ।” ଭାଇ ଆଗକୁ କହନ୍ତି, “କିନ୍ତୁ ଯିହୋବା ଆମକୁ କେବେ ବି ଏକୁଟିଆ ଛାଡ଼ିଲେ ନାହିଁ । ସେ ଆମ ଦୁଇଜଣଙ୍କୁ ପରସ୍ପରର ଉତ୍ସାହ ବଢ଼ାଇବା ପାଇଁ ଶକ୍ତି ଦେଲେ । ଯେବେ ମୁଁ ନିରାଶ ହୋଇଯାଉଥିଲି, ତେବେ ମୋ ସ୍ତ୍ରୀ ମୋ ଉତ୍ସାହ ବଢ଼ାଉ ଥିଲେ ଓ ଯେବେ ସେ ନିରାଶ ହୋଇ ଯାଉଥିଲେ, ତେବେ ମୁଁ ତାଙ୍କର ଉତ୍ସାହ ବଢ଼ାଉ ଥିଲି ।” ଭଉଣୀ ସିଡସେ କହନ୍ତି, “ଯଦି ଯିହୋବା ନ ଥାʼନ୍ତେ, ତେବେ ଆମେ ଏତେ କିଛି ସହିପାରି ନ ଥାʼନ୍ତୁ ।” ମୋତେ ସବୁବେଳେ ଏହା ହିଁ ଲାଗୁଥିଲା ଯେ ନିଶ୍ଚୟ ମୋର ହିଁ ଭୁଲ ଥିବ, ମୋ ଯୋଗୁଁ ହିଁ ଏସବୁ ହେଲା । ମୁଁ ପ୍ରାର୍ଥନାରେ ଯିହୋବାଙ୍କୁ ବି ଏକଥା କହିଲି । ଏହାର କିଛି ସମୟ ପରେ ଜଣେ ଭଉଣୀ ମତେ ଭେଟ କରିବା ପାଇଁ ଆସିଲେ ଯାହାଙ୍କୁ ମୁଁ ବହୁତ ବର୍ଷ ଆଗରୁ ଭେଟି ଥିଲି । ସେ ମୋ କାନ୍ଧରେ ହାତ ରଖି ଓ ମୋ ଆଖିରେ ଆଖି ମିଶାଇ କହିଲେ, ‘ମନେ ରଖ ସିଡ଼ସେ, ଏଥିରେ ତମର କୌଣସି ଭୁଲ ନାହିଁ ।’ ଯିହୋବା ମୋର ବହୁତ ସାହାଯ୍ୟ କରିଛନ୍ତି, ତେଣୁ ମୁଁ ଆଜି ମଧ୍ୟ ଖୁସିର ସହ ତାଙ୍କ ସେବା କରିପାରୁଛି ।”

୧୯. ଏହି ଲେଖା ପଢ଼ିବା ପରେ ଆପଣ କʼଣ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ?

୧୯ ଯିହୋବା ଚାହାନ୍ତି ଯେ ତାଙ୍କ ସମସ୍ତ ସେବକ ସାଦୋକ୍‌ଙ୍କ ଭଳି ସାହସୀ ହୁଅନ୍ତୁ । (୨ ତୀମ. ୧:୭) କିନ୍ତୁ ସେ ଏହା ଚାହାନ୍ତିନି ଯେ ଆମେ ନିଜ ଶକ୍ତି ଉପରେ ଭରସା କରୁ, ବରଂ ସେ ଚାହାନ୍ତି ଯେ ଆମେ ତାଙ୍କ ଉପରେ ଭରସା କରୁ । ତେଣୁ ଯେବେ କୌଣସି କଠିନ ପରିସ୍ଥିତିରେ ଆପଣଙ୍କୁ ସାହସ ଦରକାର ପଡ଼େ, ତେବେ ଯିହୋବାଙ୍କୁ ସାହାଯ୍ୟ ମାଗନ୍ତୁ । ତେବେ ଆପଣ ପୂରା ଭରସା ରଖିପାରିବେ ଯେ ସାଦୋକ୍‌ଙ୍କ ଭଳି ସେ ଆପଣଙ୍କୁ ମଧ୍ୟ ସାହସୀ ହେବା ପାଇଁ ସାହାଯ୍ୟ କରିବେ ।—୧ ପିତ. ୫:୧୦.

ଆପଣ ସେସମୟରେ ସାଦୋକ୍‌ଙ୍କ ଭଳି କିପରି ସାହସର ସହ କାମ କରିପାରିବେ . . .

  • ଯେବେ ଈଶ୍ୱରଙ୍କ ରାଜ୍ୟକୁ ସହଯୋଗ କରିବାକୁ ପଡ଼େ ?

  • ଯେବେ ଭାଇଭଉଣୀମାନଙ୍କୁ ସାହାଯ୍ୟ କରିବାକୁ ପଡ଼େ ?

  • ଯେବେ ଯିହୋବାଙ୍କ ବିଶ୍ୱସ୍ତ ରହିବାକୁ ପଡ଼େ ?

ଗୀତ ୧୨୬ ଜାଗତେ ରହୋ, ଶକ୍ତିଶାଲି ବାନ୍‌ତେ ଜାଓ

a jw.org ୱେବସାଇଟ୍‌ରେ ଦିଆଯାଇଥିବା ଭିଡିଓ ପ୍ରକୃତ ଖ୍ରୀଷ୍ଟିୟାନମାନଙ୍କୁ ସାହସ କାହିଁକି ଆବଶ୍ୟକ—ନିଷ୍ପକ୍ଷ ରହିବା ପାଇଁ ଦେଖନ୍ତୁ ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ