ଅଧ୍ୟୟନ ଲେଖା ୪୬
ପାରଦୀଶ ନିଶ୍ଚୟ ଆସିବ—ଏହା ଯିହୋବାଙ୍କ ଗ୍ୟାରେଣ୍ଟି
“ଯେଉଁ ଲୋକ ପୃଥିବୀରେ ଆପଣାକୁ ଆଶୀର୍ବାଦ କରେ, ସେ ସତ୍ୟ ପରମେଶ୍ୱରରେ ଆପଣାକୁ ଆଶୀର୍ବାଦ କରିବ ।”—ଯିଶା. ୬୫:୧୬.
ଗୀତ ୩ ହାମାରି ତାକତ୍, ଆଶା ଔର ଭରୋସା
ଲେଖାର ଝଲକa
୧. ଯିଶାଇୟ ଇସ୍ରାଏଲୀୟମାନଙ୍କୁ କʼଣ ସନ୍ଦେଶ ଦେବା ପାଇଁ ଚାହୁଁଥିଲେ ?
ଭବିଷ୍ୟଦ୍ବକ୍ତା ଯିଶାଇୟ କହିଲେ ଯେ ଯିହୋବା “ସତ୍ୟ ପରମେଶ୍ୱର” ଅଟନ୍ତି । ଯେଉଁ ଶବ୍ଦର ଅନୁବାଦ “ସତ୍ୟ” କରାଯାଇଛି, ତାʼର ଅର୍ଥ “ଆମେନ୍ ।” (ଯିଶା. ୬୫:୧୬) ଆଉ ‘ଆମେନ୍ର’ ଅର୍ଥ, “ଏପରି ହିଁ ହେଉ” କିମ୍ବା “ନିଶ୍ଚୟ ।” ଯେବେ ବି ବାଇବଲରେ “ଆମେନ୍” ଶବ୍ଦର ବ୍ୟବହାର ଯିହୋବା କିମ୍ବା ଯୀଶୁଙ୍କ ପାଇଁ କରାଯାଇଛି, ତାହା ଏକଥାର ଗ୍ୟାରେଣ୍ଟି ଅଟେ ଯେ ଯାହା କୁହାଯାଇଛି, ତାହା ପୂରାପୂରି ସତ ଅଟେ । ତାʼଅର୍ଥ ଯିଶାଇୟ ଇସ୍ରାଏଲୀୟମାନଙ୍କୁ ଏହି ସନ୍ଦେଶ ଦେବା ପାଇଁ ଚାହୁଁଥିଲେ: ଯିହୋବା ଭବିଷ୍ୟତ ବିଷୟରେ ଯାହା କହିଛନ୍ତି, ତାହା ନିଶ୍ଚୟ ପୂରା ହୁଏ । ଆଉ ଯିହୋବା ନିଜ ପ୍ରତିଜ୍ଞା ପୂରା କରି ଏହା ସତ ପ୍ରମାଣିତ କରିଛନ୍ତି ।
୨. (କ) ଭବିଷ୍ୟତ ବିଷୟରେ ଯିହୋବା ଯେଉଁ ପ୍ରତିଜ୍ଞା କରିଛନ୍ତି, ତାʼ ଉପରେ ଆମେ କାହିଁକି ଭରସା କରିପାରିବା ? (ଖ) ଏହି ଲେଖାରେ ଆମେ କେଉଁ ପ୍ରଶ୍ନଗୁଡ଼ିକର ଉତ୍ତର ଜାଣିବା ?
୨ କʼଣ ଆମେ ବି ଏହି କଥା ଉପରେ ପୂରା ଭରସା କରିପାରିବା ଯେ ଭବିଷ୍ୟତ ବିଷୟରେ ଯିହୋବା ଯେଉଁ ପ୍ରତିଜ୍ଞା କରିଛନ୍ତି, ତାହା ନିଶ୍ଚୟ ପୂରା ହେବ ? ଯିଶାଇୟଙ୍କ ସମୟଠାରୁ ପ୍ରାୟ ୮୦୦ ବର୍ଷ ପରେ ପ୍ରେରିତ ପାଉଲ ବୁଝାଇଲେ ଯେ ଆମେ କାହିଁକି ଭରସା କରିପାରିବା ଯେ ଯିହୋବାଙ୍କ ପ୍ରତିଜ୍ଞା ସବୁବେଳେ ପୂରା ହୁଏ । ସେ କହିଲେ, “ଈଶ୍ୱରଙ୍କ ମିଥ୍ୟା କହିବା ଅସମ୍ଭବ ।” (ଏବ୍ରୀ ୬:୧୮) ଭାବନ୍ତୁ, କʼଣ ମିଠା ପାଣିର ଝରଣାରୁ କ୍ଷାର ପାଣି ବାହାରିବ ? କେବେ ବି ନୁହେଁ । ଠିକ୍ ସେହିପରି ଯିହୋବା ସତ୍ୟ ପରମେଶ୍ୱର ଅଟନ୍ତି, ସେ କେବେ ବି ମିଛ କହିପାରିବେନି । ତେଣୁ ଆମେ ଯିହୋବାଙ୍କ ପ୍ରତ୍ୟେକ କଥା ଉପରେ ପୂରା ଭରସା କରିପାରିବା, ସେହି ପ୍ରତିଜ୍ଞାଗୁଡ଼ିକ ଉପରେ ବି ଯାହା ସେ ଭବିଷ୍ୟତରେ ପୂରା କରିବେ ବୋଲି କହିଛନ୍ତି । ଏହି ଲେଖାରେ ଆମେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକର ଉତ୍ତର ଜାଣିବା: ଯିହୋବା ଭବିଷ୍ୟତ ବିଷୟରେ କʼଣ ପ୍ରତିଜ୍ଞା କରିଛନ୍ତି ? ଆଉ ଯିହୋବା କʼଣ ଗ୍ୟାରେଣ୍ଟି ଦେଇଛନ୍ତି ଯେ ତାଙ୍କ ପ୍ରତିଜ୍ଞା ନିଶ୍ଚୟ ପୂରା ହେବ ?
ଯିହୋବା କʼଣ ପ୍ରତିଜ୍ଞା କରିଛନ୍ତି ?
୩. (କ) ଈଶ୍ୱରଙ୍କ ସେବକମାନଙ୍କ ପାଇଁ କେଉଁ ପ୍ରତିଜ୍ଞା ବହୁତ ବିଶେଷ ଅଟେ ? (ପ୍ରକାଶିତ ବାକ୍ୟ ୨୧:୩, ୪) (ଖ) ଏହି ପ୍ରତିଜ୍ଞା ବିଷୟରେ ଶୁଣି କିଛି ଲୋକଙ୍କୁ କିପରି ଲାଗେ ?
୩ ଏବେ ଆମେ ଯେଉଁ ପ୍ରତିଜ୍ଞା ବିଷୟରେ ଚର୍ଚ୍ଚା କରିବା, ତାହା ସାରା ଦୁନିଆରେ ଯିହୋବାଙ୍କ ସେବକମାନଙ୍କ ପାଇଁ ବହୁତ ବିଶେଷ ଅଟେ । (ପ୍ରକାଶିତ ବାକ୍ୟ ୨୧:୩, ୪ ପଢ଼ନ୍ତୁ ।) ଯିହୋବା ପ୍ରତିଜ୍ଞା କରିଛନ୍ତି ଯେ ଏପରି ଏକ ସମୟ ଆସିବ, ଯେବେ “ମୃତ୍ୟୁ ଆଉ ଘଟିବ ନାହିଁ; ଶୋକ କି କ୍ରନ୍ଦନ କି ବ୍ୟଥା ଆଉ ହେବ ନାହିଁ ।” ଏହି ପ୍ରତିଜ୍ଞା ଆମ ହୃଦୟକୁ ଛୁଇଁ ଯାଏ । ଆମ ମଧ୍ୟରୁ କିଛି ଲୋକ ପ୍ରଚାର ସମୟରେ ଏହି ପ୍ରତିଜ୍ଞାକୁ ପଢ଼ି ଲୋକମାନଙ୍କୁ ଶୁଣାନ୍ତି ଯେ ପାରଦୀଶରେ ଜୀବନ କିପରି ହେବ । କିନ୍ତୁ ଏହି ପ୍ରତିଜ୍ଞା ବିଷୟରେ ଶୁଣି ହୁଏତ କିଛି ଲୋକ କହିବେ, “ଏହା ଶୁଣିବାରେ ତ ବହୁତ ଭଲ ଲାଗୁଛି, କିନ୍ତୁ ମୋତେ ଲାଗେନି ଯେ ଏପରି ହେବ ।”
୪. (କ) ଯିହୋବା କʼଣ ଜାଣିଥିଲେ ଓ ତାଙ୍କୁ ଆଗରୁ କʼଣ ଜଣାଥିଲା ? (ଖ) ପ୍ରତିଜ୍ଞା କରିବା ସହିତ ଯିହୋବା ଆଉ କʼଣ କରିଛନ୍ତି ?
୪ ଯେବେ ଯିହୋବା ଯୋହନଙ୍କ ଦ୍ୱାରା ପାରଦୀଶ ବିଷୟରେ ଏହି ପ୍ରତିଜ୍ଞା ଲେଖାଇଲେ, ତେବେ ଯିହୋବା ଜାଣିଥିଲେ ଯେ ଆଗକୁ ଯାଇ ଆମେ ତାଙ୍କ ରାଜ୍ୟ ବିଷୟରେ ଲୋକମାନଙ୍କୁ ପ୍ରଚାର କରିବା ସମୟରେ ଏହି ପ୍ରତିଜ୍ଞା ବିଷୟରେ ବି କହିବା । ଯିହୋବାଙ୍କୁ ଏହା ବି ଆଗରୁ ଜଣାଥିଲା ଯେ “ନୂତନ ବିଷୟମାନ” ବିଷୟରେ ସେ ଯେଉଁ ପ୍ରତିଜ୍ଞା କରିଛନ୍ତି, ତାʼ ଉପରେ ଭରସା କରିବା କିଛି ଲୋକଙ୍କୁ କଠିନ ଲାଗିବ । (ଯିଶା. ୪୨:୯; ୬୦:୨; ୨ କରି. ୪:୩, ୪) ତାହେଲେ ଆମେ ନିଜକୁ ଓ ଅନ୍ୟମାନଙ୍କୁ କିପରି ଭରସା କରାଇପାରିବା ଯେ ପ୍ରକାଶିତ ବାକ୍ୟ ୨୧:୩, ୪ ପଦରେ ଲେଖାଥିବା ପ୍ରତିଜ୍ଞା ନିଶ୍ଚୟ ପୂରା ହେବ ? ଯିହୋବା କେବଳ ବଢ଼ିଆ ପ୍ରତିଜ୍ଞା କରିଛନ୍ତି ତାହା ନୁହେଁ, ବରଂ ତାʼ ଉପରେ ଭରସା କରିବା ପାଇଁ କିଛି ବିଶ୍ୱସନୀୟ ପ୍ରମାଣ ମଧ୍ୟ ଦେଇଛନ୍ତି । ତାହା କʼଣ ଅଟେ ?
ଯିହୋବା ନିଜ ପ୍ରତିଜ୍ଞା ପୂରା କରିବାର ଗ୍ୟାରେଣ୍ଟି ଦେଲେ
୫. କେଉଁ ପଦଗୁଡ଼ିକରେ ଯିହୋବାଙ୍କ ପ୍ରତିଜ୍ଞା ଉପରେ ଭରସା କରିବାର କାରଣଗୁଡ଼ିକ କୁହାଯାଇଛି ଓ ସେହି କାରଣଗୁଡ଼ିକ କʼଣ ଅଟେ ?
୫ ପାରଦୀଶ ବିଷୟରେ ଯିହୋବାଙ୍କ ପ୍ରତିଜ୍ଞା ଉପରେ ଭରସା କରିବା ପାଇଁ ଅନେକ କାରଣ ଅଛି । ଏହା ଆମେ ଆଗକୁ ଦିଆଯାଇଥିବା ପଦଗୁଡ଼ିକରେ ଧ୍ୟାନ ଦେଲେ ଜାଣିପାରିବା, “ସିଂହାସନୋପବିଷ୍ଟ ବ୍ୟକ୍ତି କହିଲେ, ଦେଖ, ଆମ୍ଭେ ସମସ୍ତ ବିଷୟ ନୂତନ କରୁଅଛୁ । ଆଉ ସେ କହିଲେ, ଲେଖ, କାରଣ ଏହି ସମସ୍ତ ବାକ୍ୟ ବିଶ୍ୱସନୀୟ ଓ ସତ୍ୟ । ସେ ମୋତେ ଆହୁରି କହିଲେ, ସମସ୍ତ ସମାପ୍ତ ହୋଇଅଛି । ଆମ୍ଭେ କ ଓ କ୍ଷ [“ଆଲ୍ଫା ଓ ଓମେଗା,” NWT] ଆଦି ଓ ଅନ୍ତ ।”—ପ୍ରକା. ୨୧:୫, ୬କ.
୬. ପ୍ରକାଶିତ ବାକ୍ୟ ୨୧:୫, ୬ ପଦରେ ଯେଉଁ କଥା ଲେଖାଅଛି, ସେଥିରୁ ଈଶ୍ୱରଙ୍କ ପ୍ରତିଜ୍ଞା ଉପରେ ଆମ ଭରସା କାହିଁକି ବଢ଼େ ?
୬ ବାଇବଲର ଏହି ପଦଗୁଡ଼ିକରୁ ଈଶ୍ୱରଙ୍କ ପ୍ରତିଜ୍ଞା ଉପରେ ଆମ ଭରସା କାହିଁକି ବଢ଼େ ? ଆମର ଗୋଟିଏ ବହିରେ ଏହି ପଦଗୁଡ଼ିକ ବିଷୟରେ କିଛି ଏପରି ଲେଖାଅଛି, “ଏହା ଏପରି ଅଟେ ଯେପରିକି ଯିହୋବା ନିଜେ ଗୋଟିଏ ଚୁକ୍ତି ପତ୍ରରେ ଦସ୍ତଖତ (କିମ୍ବା ସାଇନ୍) କରି ବିଶ୍ୱସ୍ତ ଲୋକମାନଙ୍କୁ ଏହା ଗ୍ୟାରେଣ୍ଟି ଦେଉଛନ୍ତି ଯେ ଭବିଷ୍ୟତରେ ଏହି ଆଶିଷଗୁଡ଼ିକ ନିଶ୍ଚୟ ମିଳିବ ।”b ପ୍ରକାଶିତ ବାକ୍ୟ ୨୧:୩, ୪ ପଦରେ ଆମେ ଈଶ୍ୱରଙ୍କ ପ୍ରତିଜ୍ଞାଗୁଡ଼ିକ ବିଷୟରେ ପଢ଼ୁ ଏବଂ ୫ ଓ ୬ ପଦରେ ଯିହୋବା ନିଜ ପ୍ରତିଜ୍ଞା ପୂରା କରିବାର ଗ୍ୟାରେଣ୍ଟି ଦିଅନ୍ତି, ଏହା ଏପରି ଅଟେ ଯେପରିକି ଯିହୋବା ଏହି ପ୍ରତିଜ୍ଞା ତଳେ ଦସ୍ତଖତ କରନ୍ତି । ଯିହୋବା ଗ୍ୟାରେଣ୍ଟି ଦେବା ସମୟରେ ଯେଉଁ କଥା କହିଲେ, ଆସନ୍ତୁ ସେଗୁଡ଼ିକ ଉପରେ ଗୋଟେ ଗୋଟେ କରି ଧ୍ୟାନ ଦେବା ।
୭. ପ୍ରକାଶିତ ବାକ୍ୟ ଅଧ୍ୟାୟ ୨୧ର ପଦ ୫ରୁ କିଏ କହିବା ଆରମ୍ଭ କରନ୍ତି ଏବଂ ଏହା କାହିଁକି ବହୁତ ବିଶେଷ ଅଟେ ?
୭ ଈଶ୍ୱର ଯେଉଁ ଗ୍ୟାରେଣ୍ଟି ଦେଇଛନ୍ତି, ତାʼର ଆରମ୍ଭ ଏହି ଶବ୍ଦଗୁଡ଼ିକରୁ ହୁଏ, “ସିଂହାସନୋପବିଷ୍ଟ ବ୍ୟକ୍ତି କହିଲେ ।” (ପ୍ରକା. ୨୧:୫କ) ପ୍ରକାଶିତ ବାକ୍ୟ ବହିରେ ଏପରି ତିନୋଟି ଘଟଣା ଦିଆଯାଇଛି ଯେଉଁଥିରେ ଯିହୋବା ଦର୍ଶନ ଜରିଆରେ କଥା ହେଉଛନ୍ତି । ଏହା ସେମଧ୍ୟରୁ ଗୋଟେ ଅଟେ । କିନ୍ତୁ ଧ୍ୟାନ ଦିଅନ୍ତୁ, ଏହି ଗ୍ୟାରେଣ୍ଟି କୌଣସି ଶକ୍ତିଶାଳୀ ସ୍ୱର୍ଗଦୂତ କିମ୍ବା ସ୍ୱର୍ଗ ଯିବା ପରେ ଯୀଶୁ ଦେଇ ନ ଥିଲେ, ବରଂ ଯିହୋବା ନିଜେ ଦେଇଛନ୍ତି । ଏଥିରୁ ଆମକୁ ଆଗକୁ କୁହାଯାଇଥିବା କଥା ଉପରେ ଭରସା କରିବାର ଆହୁରି ବିଶ୍ୱସନୀୟ ପ୍ରମାଣ ମିଳେ । ତାହା କାହିଁକି ? କାରଣ ଯିହୋବା “ସତ୍ୟବାଦୀ” ଅଟନ୍ତି । (ତୀତ. ୧:୩) ସତରେ, ପ୍ରକାଶିତ ବାକ୍ୟ ୨୧:୫, ୬ ପଦରେ ଲେଖାଥିବା କଥା ପୂରାପୂରି ଭରସାଯୋଗ୍ୟ ଅଟେ ।
“ଦେଖ, ଆମ୍ଭେ ସମସ୍ତ ବିଷୟ ନୂତନ କରୁଅଛୁ”
୮. ଯିହୋବା ନିଜ ପ୍ରତିଜ୍ଞା ଯେକୌଣସି ବି ପରିସ୍ଥିତିରେ ପୂରା କରିବେ, ସେ ଏହି କଥାର କିପରି ଭରସା କରାଇଲେ ? (ଯିଶାଇୟ ୪୬:୧୦)
୮ ଏବେ ଶବ୍ଦ “ଦେଖ” ଉପରେ ଧ୍ୟାନ ଦିଅନ୍ତୁ । (ପ୍ରକା. ୨୧:୫) ଯେଉଁ ଗ୍ରୀକ୍ ଶବ୍ଦର ଅନୁବାଦ “ଦେଖ” କରାଯାଇଛି, ତାହା ପ୍ରକାଶିତ ବାକ୍ୟ ବହିରେ ଅନେକଥର ଆସିଛି । ବାଇବଲ ବିଷୟରେ ତଥ୍ୟ ଦେଉଥିବା ଗୋଟିଏ ବହିରେ “ଦେଖ” ଶବ୍ଦର ବ୍ୟବହାର ବିଷୟରେ କୁହାଯାଇଛି । ସେଠାରେ କୁହାଯାଇଛି ଯେ ଏହାର ବ୍ୟବହାର ପ୍ରାୟ ଆଗକୁ କୁହାଯାଉଥିବା କଥା ଉପରେ ଧ୍ୟାନ କେନ୍ଦ୍ରିତ କରିବା ପାଇଁ କରାଯାଏ । ତାହେଲେ “ଦେଖ” କହିବା ପରେ ଈଶ୍ୱର କʼଣ କହିଲେ ? ସେ କହିଲେ, “ଆମ୍ଭେ ସମସ୍ତ ବିଷୟ ନୂତନ କରୁଅଛୁ ।” ଦେଖିବାକୁ ଗଲେ ଏହି ପ୍ରତିଜ୍ଞା ଭବିଷ୍ୟତରେ ପୂରା ହେବ, କିନ୍ତୁ ଈଶ୍ୱର ଜାଣନ୍ତି ଯେ ସେ ଏହାକୁ ଯେକୌଣସି ବି ପରିସ୍ଥିତିରେ ପୂରା କରିବେ । ତେଣୁ ସେ ଏହା କହିଲେ ନାହିଁ, “ଆମ୍ଭେ ସମସ୍ତ ବିଷୟ ନୂତନ କରିବା,” ବରଂ ସେ କହିଲେ, “ଆମ୍ଭେ ସମସ୍ତ ବିଷୟ ନୂତନ କରୁଅଛୁ,” ଯେପରି ଏହି ପ୍ରତିଜ୍ଞା ଏବେଠୁ ପୂରା ହେବାକୁ ଲାଗିଛି ।—ଯିଶାଇୟ ୪୬:୧୦ ପଢ଼ନ୍ତୁ ।
୯. (କ) “ଆମ୍ଭେ ସମସ୍ତ ବିଷୟ ନୂତନ କରୁଅଛୁ” ଏହି ଶବ୍ଦଗୁଡ଼ିକରୁ ଯିହୋବାଙ୍କର କେଉଁ ଦୁଇଟି କାମ ବିଷୟରେ ଜଣାପଡ଼େ ? (ଖ) ‘ପ୍ରଥମ ଆକାଶମଣ୍ଡଳ ଓ ପ୍ରଥମ ପୃଥିବୀର’ କʼଣ ହେବ ?
୯ ଏବେ ଆସନ୍ତୁ ଯିହୋବାଙ୍କ ଏହି ଶବ୍ଦଗୁଡ଼ିକୁ ଆହୁରି ଭଲଭାବେ ବୁଝିବା, “ଆମ୍ଭେ ସମସ୍ତ ବିଷୟ ନୂତନ କରୁଅଛୁ ।” (ପ୍ରକା. ୨୧:୫) ପ୍ରକାଶିତ ବାକ୍ୟ ଅଧ୍ୟାୟ ୨୧ରୁ ଜଣାପଡ଼େ ଯେ ଯେବେ ଯିହୋବା ଏହା କହିଲେ, ତେବେ ସେ ଦୁଇଟି କାମ କରିବା ବିଷୟରେ କଥା ହେଉଥିଲେ । ପ୍ରଥମ କାମ, ସେ ‘ପ୍ରଥମ ଆକାଶମଣ୍ଡଳ ଓ ପ୍ରଥମ ପୃଥିବୀକୁ’ ବିନାଶ କରିଦେବେ । ଆଉ ଦ୍ୱିତୀୟ କାମ, ସେ ତାʼ ବଦଳରେ “ନୂତନ ଆକାଶମଣ୍ଡଳ ଓ ନୂତନ ପୃଥିବୀ” ଆଣିବେ । (ପ୍ରକା. ୨୧:୧) ‘ପ୍ରଥମ ଆକାଶମଣ୍ଡଳର’ ଅର୍ଥ ହେଉଛି, ମନୁଷ୍ୟ ସରକାରଗୁଡ଼ିକ ଯାହା ଶୟତାନ ଓ ଦୁଷ୍ଟ ସ୍ୱର୍ଗଦୂତମାନଙ୍କ ହାତ ମୁଠାରେ ଅଛି । (ମାଥି. ୪:୮, ୯; ୧ ଯୋହ. ୫:୧୯) ଆଉ ବାଇବଲରେ ପ୍ରାୟ “ପୃଥିବୀ” ଶବ୍ଦର ବ୍ୟବହାର ଏଥିରେ ରହୁଥିବା ଲୋକମାନଙ୍କ ପାଇଁ କରାଯାଇଛି । (ଦ୍ୱିବି. ୩୨:୧; ୧ ବଂଶା. ୧୬:୩୧) ତେଣୁ ‘ପ୍ରଥମ ପୃଥିବୀର’ ଅର୍ଥ ହେଉଛି, ଆଜି ପୃଥିବୀରେ ରହୁଥିବା ଦୁଷ୍ଟ ଲୋକ । ଯିହୋବା ‘ପ୍ରଥମ ଆକାଶମଣ୍ଡଳ’ ଏବଂ ‘ପ୍ରଥମ ପୃଥିବୀରେ’ କିଛି ମାତ୍ରାରେ ସୁଧାର କରିବେନି, ବରଂ ଏହାକୁ ପୂରାପୂରି ବିନାଶ କରିଦେବେ । ଆଉ ତାʼ ବଦଳରେ ସେ “ନୂତନ ଆକାଶମଣ୍ଡଳ ଓ ନୂତନ ପୃଥିବୀ” ଆଣିବେ ଅର୍ଥାତ୍ ଗୋଟିଏ ନୂତନ ସରକାର ଏବଂ ଧାର୍ମିକ ଲୋକମାନଙ୍କର ଗୋଟିଏ ନୂତନ ସମାଜ ।
୧୦. ଯିହୋବା କʼଣ ନୂତନ କରିବେ ?
୧୦ ଏବେ ଧ୍ୟାନ ଦେବା ଯେ ଯିହୋବା ଯେଉଁ ଜିନିଷଗୁଡ଼ିକ “ନୂତନ” କରିବେ, ସେବିଷୟରେ ସେ କʼଣ କହିଥିଲେ । ସେ ଏପରି କହିଲେନି, “ଆମ୍ଭେ ସମସ୍ତ ବିଷୟ ପୁଣିଥରେ ଆରମ୍ଭରୁ କରୁଅଛୁ,” ବରଂ ସେ କହିଲେ, “ଆମ୍ଭେ ସମସ୍ତ ବିଷୟ ନୂତନ କରୁଅଛୁ ।” (ପ୍ରକା. ୨୧:୫) ଏହାର ଅର୍ଥ ଯିହୋବା ପୃଥିବୀ ଏବଂ ଲୋକମାନଙ୍କ ପରିସ୍ଥିତି ଏତେ ଭଲ କରିଦେବେ ଯେ ସବୁକିଛି ପୂରାପୂରି ନୂତନ ଭଳି ହୋଇଯିବ । ଯେପରି ଯିଶାଇୟ ଭବିଷ୍ୟତବାଣୀ କରିଥିଲେ, ସାରା ପୃଥିବୀ ଏଦନ ଉଦ୍ୟାନ ଭଳି ସୁନ୍ଦର ଓ ଉର୍ବର ହୋଇଯିବ । ପ୍ରତ୍ୟେକ ମଣିଷ ପରିପୂର୍ଣ୍ଣ ହୋଇଯିବେ, ଆମ ସମସ୍ତଙ୍କୁ ଯେପରି ଗୋଟିଏ ନୂତନ ଜୀବନ ମିଳିଯିବ । ଯେଉଁମାନେ ଚାଲିପାରନ୍ତି ନାହିଁ, ଦେଖିପାରନ୍ତି ନାହିଁ କିମ୍ବା ଶୁଣିପାରନ୍ତି ନାହିଁ, ସେମାନେ ପୂରାପୂରି ଠିକ୍ ହୋଇଯିବେ, ଏପରିକି ଯେଉଁମାନଙ୍କ ମୃତ୍ୟୁ ହୋଇଯାଇଛି, ସେମାନଙ୍କୁ ବି ଜୀବିତ କରାଯିବ ।—ଯିଶା. ୨୫:୮; ୩୫:୧-୭.
“ଏହି ସମସ୍ତ ବାକ୍ୟ ବିଶ୍ୱସନୀୟ ଓ ସତ୍ୟ । . . . ସମସ୍ତ ସମାପ୍ତ ହୋଇଅଛି ।”
୧୧. ଯିହୋବା ଯୋହନଙ୍କୁ କʼଣ କରିବା ପାଇଁ କହିଲେ ଓ କାହିଁକି ?
୧୧ ଈଶ୍ୱର ନିଜ କଥା ଉପରେ ଭରସା କରାଇବା ପାଇଁ ଆଉ କʼଣ କହିଲେ ? ସେ ଯୋହନଙ୍କୁ କହିଲେ, “ଲେଖ, କାରଣ ଏହି ସମସ୍ତ ବାକ୍ୟ ବିଶ୍ୱସନୀୟ ଓ ସତ୍ୟ ।” (ପ୍ରକା. ୨୧:୫) ଯିହୋବା ଯୋହନଙ୍କୁ କେବଳ ଏହା କହିଲେନି ଯେ ଏହି କଥାଗୁଡ଼ିକୁ “ଲେଖ,” ବରଂ ସେ ତାଙ୍କୁ ଲେଖିବାର କାରଣ ବି କହିଲେ । ସେ କହିଲେ, “ଏହା ବିଶ୍ୱସନୀୟ ଓ ସତ୍ୟ ।” ଆମେ ବହୁତ ଖୁସି ଯେ ଯୋହନ ଯିହୋବାଙ୍କ ଆଜ୍ଞା ମାନିଲେ ଆଉ ସେହି କଥାଗୁଡ଼ିକୁ ‘ଲେଖିଲେ ।’ ଏହି କାରଣ ଯୋଗୁଁ ଆଜି ଆମେ ପାରଦୀଶ ବିଷୟରେ ଯିହୋବାଙ୍କ ପ୍ରତିଜ୍ଞାଗୁଡ଼ିକୁ ପଢ଼ିପାରୁ ଓ ସେଠାରେ ଯେଉଁ ବଢ଼ିଆ ଆଶିଷଗୁଡ଼ିକ ମିଳିବ ତାʼଉପରେ ଚିନ୍ତନ କରିପାରୁ ।
୧୨. ଯିହୋବାଙ୍କ ଏପରି କହିବା କାହିଁକି ଠିକ୍ ଅଟେ, “ସମସ୍ତ ସମାପ୍ତ ହୋଇଅଛି ।”
୧୨ ତାʼପରେ ଈଶ୍ୱର କହନ୍ତି, “ସମସ୍ତ ସମାପ୍ତ ହୋଇଅଛି ।” (ପ୍ରକା. ୨୧:୬) ଯିହୋବା ଏହା ଏପରି ଭାବେ କହନ୍ତି ଯେପରି ପାରଦୀଶ ଆଣିବାର ତାଙ୍କ ପ୍ରତିଜ୍ଞା ପୂରା ହୋଇସାରିଛି । ଆଉ ତାଙ୍କର ଏପରି କହିବା ଠିକ୍ ବି ଅଟେ । ନିଜ ଉଦ୍ଦେଶ୍ୟ ପୂରା କରିବା ପାଇଁ କେହି ବି ତାଙ୍କୁ ରୋକିପାରିବେ ନାହିଁ । ଏହା ପରେ ସେ ଆହୁରି କିଛି କହନ୍ତି ଯେଉଁଥିରୁ ଏହି କଥା ନିଶ୍ଚିତ ହୋଇଯାଏ ଯେ ତାଙ୍କ ଏହି ପ୍ରତିଜ୍ଞା ନିଶ୍ଚୟ ପୂରା ହୋଇଯିବ । ସେ କʼଣ କହନ୍ତି ?
“ଆମ୍ଭେ ଆଲ୍ଫା ଓ ଓମେଗା”
୧୩. “ଆମ୍ଭେ ଆଲ୍ଫା ଓ ଓମେଗା” ଯିହୋବା ଏହା କାହିଁକି କହିଲେ ?
୧୩ ଯେପରି ଆରମ୍ଭରେ କୁହାଯାଇଥିଲା, ଯୋହନଙ୍କୁ ଦର୍ଶନ ଦେବା ସମୟରେ ତିନିଥର ଯିହୋବା ନିଜେ ତାଙ୍କ ସହ କଥା ହେଲେ । (ପ୍ରକା. ୧:୮; ୨୧:୫, ୬; ୨୨:୧୩) ଆଉ କଥା ହେବା ସମୟରେ ତିନିଥର ଯାକ ଯିହୋବା କହିଲେ, “ଆମ୍ଭେ ଆଲ୍ଫା ଓ ଓମେଗା” ଅର୍ଥାତ୍ “ଆଦି ଓ ଅନ୍ତ ।” “ଆଲ୍ଫା” ଗ୍ରୀକ୍ ଅକ୍ଷରର ପ୍ରଥମ ଅକ୍ଷର ଅଟେ ଏବଂ “ଓମେଗା” ଶେଷ ଅକ୍ଷର । ଯେବେ ଯିହୋବା କହିଲେ ଯେ “ଆମ୍ଭେ ଆଲ୍ଫା ଓ ଓମେଗା,” ତେବେ ଯିହୋବା ଆମମାନଙ୍କୁ ଏହା ବୁଝିବା ପାଇଁ ସାହାଯ୍ୟ କରୁଥିଲେ ଯେ ଯେବେ ସେ କୌଣସି କାମ କରିବା ଆରମ୍ଭ କରନ୍ତି, ତେବେ ସେ ତାହାକୁ ଯେକୌଣସି ବି ପରିସ୍ଥିତିରେ ପୂରା କରନ୍ତି ।
ଯେବେ ଯିହୋବା କୌଣସି କାମ ଆରମ୍ଭ କରନ୍ତି, ତେବେ ସେ ତାହା ପୂରା ମଧ୍ୟ କରନ୍ତି (ପାରାଗ୍ରାଫ ୧୪, ୧୭)
୧୪. (କ) ଯିହୋବା କେବେ “ଆଲ୍ଫା” କହିଲେ ଏବଂ କେବେ ସେ “ଓମେଗା” କହିବେ ? ଗୋଟିଏ ଉଦାହରଣ ଦିଅନ୍ତୁ । (ଖ) ଆଦି ପୁସ୍ତକ ୨:୧-୩ ପଦରେ କʼଣ ଗ୍ୟାରେଣ୍ଟି ଦିଆଯାଇଛି ?
୧୪ ଆଦମ ଓ ହବାକୁ ସୃଷ୍ଟି କଲା ପରେ ଯିହୋବା ସ୍ପଷ୍ଟ ଭାବେ କହିଲେ ଯେ ମଣିଷମାନଙ୍କ ଓ ପୃଥିବୀ ପାଇଁ ତାଙ୍କର ଉଦ୍ଦେଶ୍ୟ କʼଣ ଅଟେ । ବାଇବଲରେ ଲେଖାଅଛି, “ଆଉ ପରମେଶ୍ୱର ସେମାନଙ୍କୁ ଆଶୀର୍ବାଦ କଲେ; ପୁଣି ପରମେଶ୍ୱର ସେମାନଙ୍କୁ କହିଲେ, ପ୍ରଜାବନ୍ତ ଓ ବହୁବଂଶ ହୁଅ, ପୁଣି ପୃଥିବୀକି ପରିପୂର୍ଣ୍ଣ କରି ବଶୀଭୂତ କର ।” (ଆଦି. ୧:୨୮) ଯେବେ ଈଶ୍ୱର ନିଜର ଏହି ଉଦ୍ଦେଶ୍ୟ ବିଷୟରେ କହିଲେ, ତେବେ ତାହା ଗୋଟିଏ ଆରମ୍ଭ ଥିଲା । ସେସମୟରେ ଯିହୋବା ଯେପରି “ଆଲ୍ଫା” କହିଲେ । ଭବିଷ୍ୟତରେ ଆଦମ ଓ ହବାର ପରିପୂର୍ଣ୍ଣ ସନ୍ତାନମାନଙ୍କ ଦ୍ୱାରା ପୂରା ପୃଥିବୀ ଭରିଯିବ, ସମସ୍ତେ ଯିହୋବାଙ୍କ ଆଜ୍ଞା ପାଳନ କରିବେ ଏବଂ ପୃଥିବୀ ଗୋଟିଏ ସୁନ୍ଦର ପାରଦୀଶ ହୋଇଯିବ । ଏପରି ଭାବେ ଆଗକୁ ଯାଇ ଯେବେ ଯିହୋବାଙ୍କ ଉଦ୍ଦେଶ୍ୟ ପୂରା ହେବ, ତେବେ ସେ ଯେପରି “ଓମେଗା” କହିବେ । ଯେବେ ଯିହୋବା ଆରମ୍ଭରେ “ଆକାଶମଣ୍ଡଳ ଓ ପୃଥିବୀର, ପୁଣି ସେହି ଦୁଇରେ ସ୍ଥିତ ସମସ୍ତ ବସ୍ତୁର ସୃଷ୍ଟି ସମାପ୍ତ” କରିନେଇଥିଲେ, ତେବେ ସେ ଗୋଟିଏ ଗ୍ୟାରେଣ୍ଟି ଦେଇଥିଲେ । ଏହାକୁ ଆମେ ଆଦି ପୁସ୍ତକ ୨:୧-୩ ପଦରେ ପଢ଼ିପାରିବା । (ପଢ଼ନ୍ତୁ ।) ଯିହୋବା ଘୋଷଣା କଲେ ଯେ ସପ୍ତମ ଦିନ ପବିତ୍ର ଅଟେ । ତାʼଅର୍ଥ, ଯିହୋବା ସପ୍ତମ ଦିନକୁ ପବିତ୍ର କଲେ ଯାହାଦ୍ୱାରା ସେ ପୃଥିବୀ ଓ ମଣିଷମାନଙ୍କ ପାଇଁ ନିଜ ଉଦ୍ଦେଶ୍ୟ ପୂରା କରିପାରନ୍ତେ । ଯେବେ ସେ ସପ୍ତମ ଦିନକୁ ପବିତ୍ର କହିଲେ, ତେବେ ସେ ଯେପରି ଏହି ଗ୍ୟାରେଣ୍ଟି ଦେଉଥିଲେ ଯେ ସପ୍ତମ ଦିନର ଶେଷ ଯାଏଁ ତାଙ୍କ ଉଦ୍ଦେଶ୍ୟ ପୂରା ହୋଇସାରିଥିବ ।
୧୫. ଶୟତାନକୁ ହୁଏତ କାହିଁକି ଲାଗିଥିବ ଯେ ଯିହୋବାଙ୍କ ଉଦ୍ଦେଶ୍ୟ ଏବେ ଆଉ ପୂରା ହୋଇପାରିବନି ?
୧୫ ଯେବେ ଆଦମ ଓ ହବା ବିଦ୍ରୋହ କଲେ, ତେବେ ସେମାନେ ପାପୀ ହୋଇଗଲେ ଏବଂ ନିଜ ସନ୍ତାନମାନଙ୍କୁ ପାପ ଓ ମୃତ୍ୟୁ ଦେଲେ । (ରୋମୀ. ୫:୧୨) ଏହି କାରଣ ଯୋଗୁଁ ହୁଏତ ଶୟତାନକୁ ଲାଗିଥିବ ଯେ ଏବେ ଈଶ୍ୱରଙ୍କ ଉଦ୍ଦେଶ୍ୟ କେବେ ବି ପୂରା ହୋଇପାରିବନି, ଏବେ ପୃଥିବୀରେ ଯିହୋବାଙ୍କ ଆଜ୍ଞା ପାଳନ କରୁଥିବା ପରିପୂର୍ଣ୍ଣ ଲୋକମାନେ କେବେ ବି ରହିପାରିବେ ନାହିଁ । ଶୟତାନକୁ ହୁଏତ ଲାଗିଥିବ ଯେ ଏବେ ଯିହୋବା କେବେ ବି “ଓମେଗା” କହିପାରିବେନି । ସେ ଭାବିଥିବ ଯେ ଏବେ ଯିହୋବା ବେଶି କିଛି କରିପାରିବେନି, ସେ ଚାହିଁଲେ କେବଳ ଆଦମ ଓ ହବାକୁ ମାରିଦେଇ ଆଉ ଗୋଟିଏ ପରିପୂର୍ଣ୍ଣ ସ୍ତ୍ରୀ ପୁରୁଷକୁ ସୃଷ୍ଟି କରିପାରିବେ ଯିଏ ମଣିଷମାନଙ୍କ ପାଇଁ ତାଙ୍କ ଉଦ୍ଦେଶ୍ୟ ପୂରା କରିବେ । କିନ୍ତୁ ଯଦି ଈଶ୍ୱର ଏପରି କରନ୍ତେ, ତେବେ ଶୟତାନ ଯିହୋବାଙ୍କ ଉପରେ ମିଛ କହିବାର ଆରୋପ ଲଗାଇପାରନ୍ତା । ତାହା କାହିଁକି ? କାରଣ ଯେପରି ଆଦି ପୁସ୍ତକ ୧:୨୮ ପଦରେ ଲେଖାଅଛି, ଯିହୋବା ଆଦମ ଓ ହବାକୁ କହିଥିଲେ ଯେ ସେ ସେମାନଙ୍କ ସନ୍ତାନମାନଙ୍କ ଦ୍ୱାରା ପୃଥିବୀକୁ ପରିପୂର୍ଣ୍ଣ କରିବେ ।
୧୬. ଶୟତାନ ଏପରି କାହିଁକି ଭାବିଥିବ ଯେ ସେ ଯିହୋବାଙ୍କୁ ବିଫଳ ପ୍ରମାଣିତ କରିପାରିବ ?
୧୬ ହୋଇପାରେ, ଶୟତାନ ଆଉ ଗୋଟିଏ କଥା ଭାବିଥିବ । ହୁଏତ ସେ ଭାବିଥିବ ଯେ ଯିହୋବା ଆଦମ ଓ ହବାକୁ ସନ୍ତାନ ଜନ୍ମ କରିବାକୁ ଦେବେ କିନ୍ତୁ ସେହି ସନ୍ତାନମାନେ କେବେ ବି ପରିପୂର୍ଣ୍ଣ ହୋଇପାରିବେନି । (ଉପ. ୭:୨୦; ରୋମୀ. ୩:୨୩) ଏପରି ସମୟରେ ଶୟତାନ ଯିହୋବାଙ୍କୁ ବିଫଳ ପ୍ରମାଣିତ କରନ୍ତା । ତାହା କାହିଁକି ? କାରଣ ଏପରି ଭାବେ ଈଶ୍ୱରଙ୍କ ଉଦ୍ଦେଶ୍ୟ ପୂରା ହୋଇପାରନ୍ତାନି ଅର୍ଥାତ୍ ଏହି ପୃଥିବୀ ପାରଦୀଶ ହୋଇପାରନ୍ତାନି ଏବଂ ଯିହୋବାଙ୍କ ଆଜ୍ଞା ପାଳନ କରୁଥିବା ପରିପୂର୍ଣ୍ଣ ମଣିଷମାନଙ୍କ ଦ୍ୱାରା ଏହି ପୃଥିବୀ ଭରନ୍ତା ନାହିଁ ।
୧୭. (କ) ଶୟତାନ ଓ ମଣିଷମାନେ ଯିହୋବାଙ୍କ ସହ ଯେଉଁ ବିଦ୍ରୋହ କଲେ, ତାʼର ଯିହୋବା କʼଣ ସମାଧାନ ବାହାର କଲେ ? (ଖ) ଶେଷରେ କʼଣ ହେବ ? (ଚିତ୍ର ମଧ୍ୟ ଦେଖନ୍ତୁ ।)
୧୭ ଯେବେ ଶୟତାନ ଓ ଆଦମ ହବା ଯିହୋବାଙ୍କ ସହ ବିଦ୍ରୋହ କଲେ, ତେବେ ଯିହୋବା ନିଜ ଉଦ୍ଦେଶ୍ୟ ପୂରା କରିବା ପାଇଁ ଗୋଟିଏ ବଢ଼ିଆ ସମାଧାନ ବାହାର କଲେ । ଆଉ ତାହା ଦେଖି ଶୟତାନ ବହୁତ ଆଶ୍ଚର୍ଯ୍ୟ ହୋଇଯାଇଥିବ । (ଗୀତ. ୯୨:୫) ଯିହୋବା ଆଦମ ଓ ହବାକୁ ପିଲା ଜନ୍ମ କରିବାକୁ ଦେଲେ । ଏପରି କରି ଯିହୋବା ପ୍ରମାଣିତ କଲେ ଯେ ସେ ସତ୍ୟବାଦୀ ଈଶ୍ୱର ଅଟନ୍ତି । କେବଳ ଏତିକି ନୁହେଁ, ବିଫଳ ହେବା ପରିବର୍ତ୍ତେ ଯିହୋବା ବହୁତ ଅଦ୍ଭୁତ ଭାବେ ବିଜୟୀ ହେଲେ । କାରଣ ସେ ନିଜ ଉଦ୍ଦେଶ୍ୟ ପୂରା କରିବା ପାଇଁ ଗୋଟିଏ ‘ବଂଶର’ ବ୍ୟବସ୍ଥା କଲେ ଯିଏ ଆଦମ ଓ ହବାର ସନ୍ତାନମାନଙ୍କୁ ବଞ୍ଚାଇବା ପାଇଁ ନିଜ ଜୀବନ ବଳିଦାନ ଦିଅନ୍ତେ । (ଆଦି. ୩:୧୫; ୨୨:୧୮) ଶୟତାନ କେବେ ଭାବି ବି ନ ଥିବ ଯେ ଯିହୋବା ଏପରି କିଛି କରିବେ । ତାହା କାହିଁକି ? କାରଣ ଶୟତାନ ବହୁତ ସ୍ୱାର୍ଥୀ ଅଟେ ଓ ଯିହୋବାଙ୍କ ଏହି ବ୍ୟବସ୍ଥା ପ୍ରେମ ଉପରେ ଆଧାରିତ ଅଛି ଯେଉଁଥିରେ ତାଙ୍କର କୌଣସି ସ୍ୱାର୍ଥ ସାମିଲ୍ ନାହିଁ । (ମାଥି. ୨୦:୨୮; ଯୋହ. ୩:୧୬) ଯିହୋବାଙ୍କ ଏହି ବ୍ୟବସ୍ଥା ଯୋଗୁଁ କʼଣ ହୋଇପାରିବ ? ଖ୍ରୀଷ୍ଟଙ୍କ ହଜାର ବର୍ଷର ଶାସନର ଶେଷରେ ପୂରା ପୃଥିବୀ ପାରଦୀଶ ହୋଇଯିବ ଏବଂ ଆଦମ ଓ ହବାର ପରିପୂର୍ଣ୍ଣ ସନ୍ତାନମାନଙ୍କ ଦ୍ୱାରା ଭରିଯିବ ଏବଂ ସେ ସମସ୍ତେ ଯିହୋବାଙ୍କ ଆଜ୍ଞା ପାଳନ କରିବେ । ଆରମ୍ଭରେ ମଣିଷ ଓ ପୃଥିବୀ ପାଇଁ ଯିହୋବାଙ୍କ ଯେଉଁ ଉଦ୍ଦେଶ୍ୟ ଥିଲା ତାହା ସେ ନିଶ୍ଚୟ ପୂରା କରିବେ । ତେବେ ଯେପରି ଯିହୋବା “ଓମେଗା” କହିବେ ।
ପାରଦୀଶର ପ୍ରତିଜ୍ଞା ଉପରେ ନିଜର ଭରସା କିପରି ବଢ଼ାଇବା
୧୮. ଈଶ୍ୱର ନିଜ ପ୍ରତିଜ୍ଞା ଉପରେ ଭରସା କରିବାର କେଉଁ ତିନୋଟି କାରଣ ଦେଇଛନ୍ତି ? (“ଯିହୋବାଙ୍କ ଉପରେ ଭରସା କରିବାର ତିନୋଟି କାରଣ” ନାମକ ବକ୍ସ ମଧ୍ୟ ଦେଖନ୍ତୁ ।)
୧୮ ଏହି ଲେଖାରେ ଜାଣିଲୁ ଯେ ଆମେ କାହିଁକି ଭରସା କରିପାରିବା ଯେ ଯିହୋବା ଏହି ପୃଥିବୀକୁ ପାରଦୀଶ କରିବେ । କିନ୍ତୁ ଯେଉଁମାନେ ଏହି କଥା ଉପରେ ବିଶ୍ୱାସ କରନ୍ତିନି, ଆମେ ସେମାନଙ୍କୁ କିପରି ଭରସା କରାଇପାରିବା ଯେ ଯିହୋବା ନିଜ ପ୍ରତିଜ୍ଞା ନିଶ୍ଚୟ ପୂରା କରିବେ ? ଆମେ ସେମାନଙ୍କୁ ଏହାର ତିନୋଟି କାରଣ ବିଷୟରେ କହିପାରିବା । ପ୍ରଥମ, ଯିହୋବା ନିଜେ ଏହି ପ୍ରତିଜ୍ଞା କରିଛନ୍ତି । ପ୍ରକାଶିତ ବାକ୍ୟ ବହିରେ ଲେଖାଅଛି, “ସିଂହାସନୋପବିଷ୍ଟ ବ୍ୟକ୍ତି କହିଲେ, ଦେଖ, ଆମ୍ଭେ ସମସ୍ତ ବିଷୟ ନୂତନ କରୁଅଛୁ ।” ଯିହୋବାଙ୍କ ପାଖରେ ଏତେ ବୁଦ୍ଧି ଓ ଶକ୍ତି ଅଛି ଯେ ସେ ନିଜ ପ୍ରତିଜ୍ଞା ପୂରା କରିପାରିବେ ଆଉ ସେ ଏପରି କରିବା ପାଇଁ ମଧ୍ୟ ଚାହାନ୍ତି । ଦ୍ୱିତୀୟ କାରଣ, ଯିହୋବା ଜାଣନ୍ତି ଯେ ତାଙ୍କ ପ୍ରତିଜ୍ଞା ନିଶ୍ଚୟ ପୂରା ହେବ । ତେଣୁ ସେ ଏହି କଥା ଏପରି କହନ୍ତି ଯେ ଏହା ପୂରା ହୋଇସାରିଛି । ସେ କହିଲେ, “ଏହି ସମସ୍ତ ବାକ୍ୟ ବିଶ୍ୱସନୀୟ ଓ ସତ୍ୟ । . . . ସମସ୍ତ ସମାପ୍ତ ହୋଇଅଛି ।” ଆଉ ତୃତୀୟ କଥା, ଯେବେ ଯିହୋବା କିଛି ଆରମ୍ଭ କରନ୍ତି, ତେବେ ସେ ଯେକୌଣସି ବି ପରିସ୍ଥିତିରେ ତାହା ପୂରା କରନ୍ତି । ତେଣୁ ସେ କହିଲେ, “ଆମ୍ଭେ ଆଲ୍ଫା ଓ ଓମେଗା ।” ଯିହୋବା ଖୁବ୍ ଶୀଘ୍ର ପ୍ରମାଣିତ କରିବେ ଯେ ଶୟତାନର କଥା ମିଛ ଅଟେ ଓ ତାʼ କାମ କେବେ ବି ସଫଳ ହୋଇପାରିବନି ।
୧୯. ଯେବେ କେହି ପାରଦୀଶ ବିଷୟରେ କରିଥିବା ଈଶ୍ୱରଙ୍କ ପ୍ରତିଜ୍ଞା ଉପରେ ଭରସା କରନ୍ତିନି, ତେବେ ଆପଣ କʼଣ କରିପାରିବେ ?
୧୯ ପ୍ରତିଥର ପ୍ରଚାର କରିବା ସମୟରେ ଯେବେ ବି ଆମେ କାହାରିକୁ ଈଶ୍ୱରଙ୍କ ଏହି ଗ୍ୟାରେଣ୍ଟି ବିଷୟରେ କହୁ, ତେବେ ଯିହୋବାଙ୍କ ପ୍ରତିଜ୍ଞା ଉପରେ ଆମର ଭରସା ଆହୁରି ବଢ଼ିଯାଏ । ତେଣୁ ଆର ଥର ଯେବେ ବି ଆପଣ କାହାରିକୁ ପ୍ରକାଶିତ ବାକ୍ୟ ୨୧:୪ ପଢ଼ି କହିବେ ଯେ ଯିହୋବା ପାରଦୀଶରେ କ’ଣ କ’ଣ କରିବେ ଆଉ ତାʼପରେ ସେ ଆପଣଙ୍କୁ କହିବେ, “ଏହା ଶୁଣିବାରେ ତ ବହୁତ ଭଲ ଲାଗୁଛି, କିନ୍ତୁ ମୋତେ ଲାଗେନି ଯେ ଏପରି ହେବ ।” ତେବେ ଆପଣ କʼଣ କହିପାରିବେ ? ଆପଣ ଚାହିଁଲେ ତାଙ୍କୁ ପଦ ୫ ଓ ୬ ପଢ଼ି ବୁଝାଇପାରିବେ । ଆପଣ ତାଙ୍କୁ କହିପାରିବେ ଯେ ଯିହୋବା ନିଜ ପ୍ରତିଜ୍ଞା ପୂରା କରିବା ପାଇଁ ଗ୍ୟାରେଣ୍ଟି ଦେଇଛନ୍ତି ଏବଂ ଏହି ପ୍ରତିଜ୍ଞା ଉପରେ ସେ ଯେପରି ନିଜର ଦସ୍ତଖତ କରିଛନ୍ତି ।—ଯିଶା. ୬୫:୧୬.
ଗୀତ ୧୪୫ ଫିରଦୋଶ ୟହୋୱା କା ୱାଦା
a ଯିହୋବା ପାରଦୀଶ ଆଣିବାର ଯେଉଁ ପ୍ରତିଜ୍ଞା କରିଛନ୍ତି, ତାହା ସେ ନିଶ୍ଚୟ ପୂରା କରିବେ । ସେ ଏହାର ଗ୍ୟାରେଣ୍ଟି ଦେଇଛନ୍ତି । ଏହି ଲେଖାରେ ଆମେ ଏହି ଗ୍ୟାରେଣ୍ଟି ବିଷୟରେ ଚର୍ଚ୍ଚା କରିବା । ଯେବେ ବି ଆମେ ଏହି ଗ୍ୟାରେଣ୍ଟି ବିଷୟରେ ଅନ୍ୟମାନଙ୍କୁ କହୁ, ତେବେ ଯିହୋବାଙ୍କ ପ୍ରତିଜ୍ଞାଗୁଡ଼ିକ ଉପରେ ଆମ ଭରସା ବଢ଼ିଯାଏ ।