ଜୁଲାଇ—ଜୀବନ ଓ ସେବା ସଭା ପୁସ୍ତିକା ପାଇଁ ରେଫରେନ୍ସ
୨-୮ ଜୁଲାଇ
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଲୂକ ୬-୭
“ଉଦାରତାର ସହିତ ଦାନ କରନ୍ତୁ”
ଅଧ୍ୟୟନ ବାଇବଲ—ଲୂକ ୬:୩୭ ଅଧ୍ୟୟନ ତଥ୍ୟ
କ୍ଷମା କର, ତାହାହେଲେ ତୁମ୍ଭମାନଙ୍କୁ କ୍ଷମା କରାଯିବ: କିମ୍ବା “ମୁକ୍ତ କର, ତାʼହେଲେ ତୁମ୍ଭକୁ ମଧ୍ୟ ମୁକ୍ତ କରାଯିବ ।” “କ୍ଷମା କରିବା” ପାଇଁ ବ୍ୟବହୃତ ହୋଇଥିବା ଗ୍ରୀକ୍ ଶବ୍ଦର ଶାବ୍ଦିକ ଅର୍ଥ ହେଉଛି, “ମୁକ୍ତ କରିବା; ପଠାଇ ଦେବା; ଛାଡ଼ି ଦେବା (ଉଦାହରଣସ୍ୱରୂପ, ଜଣେ ବନ୍ଦୀକୁ) ।” ଏହି ସନ୍ଦର୍ଭରେ ଏହି କ୍ରିୟା ବିଚାର କରିବା ଓ ଦୋଷୀ ସାବ୍ୟସ୍ତ କରିବାର ବିପରୀତ ଅର୍ଥରେ ବ୍ୟବହୃତ ହୋଇଛି । ତେଣୁ ଏଠାରେ ଏହି ଶବ୍ଦର ଅର୍ଥ ହେଉଛି, ଯଦିଓ ଜଣେ ବ୍ୟକ୍ତିକୁ ଦଣ୍ଡ ଦେବା କିମ୍ବା ତାʼର ପ୍ରତିଶୋଧ ନେବା ଯୁକ୍ତିଯୁକ୍ତ ଜଣାପଡ଼ୁଥାଏ, ତଥାପି ତାକୁ ଦୋଷମୁକ୍ତ କରିବା ଓ ପୂରାପୂରି କ୍ଷମା କରିବା ।
ପ୍ର୦୮-ହି ୫/୧୫ ୯ ¶୧୩-୧୪
ମଙ୍ଗଳ କରିବା ଜାରି ରଖନ୍ତୁ
ମାଥିଉ ବହି ଅନୁଯାୟୀ, ଯୀଶୁ କହିଲେ: “ତୁମ୍ଭେମାନେ ଯେପରି ବିଚାରିତ ନ ହେବ, ଏଥିପାଇଁ ବିଚାର କର ନାହିଁ ।” (ମାଥି. ୭:୧) ଏହି ସମାନ କଥାକୁ ଲୂକ ଏପରି ଲେଖିଲେ: “ବିଚାର କର ନାହିଁ, ତାହାହେଲେ ତୁମ୍ଭେମାନେ ବିଚାରିତ ହେବ ନାହିଁ; ଦୋଷୀ କର ନାହିଁ, ତାହାହେଲେ ତୁମ୍ଭେମାନେ ଦୋଷୀକୃତ ହେବ ନାହିଁ । କ୍ଷମା କର, ତାହାହେଲେ ତୁମ୍ଭମାନଙ୍କୁ କ୍ଷମା କରାଯିବ ।” (ଲୂକ ୬:୩୭) ଫାରୂଶୀମାନେ ଅତି କଠୋର ଭାବେ ଅନ୍ୟମାନଙ୍କୁ ଦୋଷୀ ସାବ୍ୟସ୍ତ କରୁଥିଲେ, ଯାହା ଶାସ୍ତ୍ର ଉପରେ ଆଧାରିତ ନ ଥିଲା, ବରଂ ମାନବୀୟ ପରମ୍ପରା ଉପରେ ଆଧାରିତ ଥିଲା । ଯୀଶୁଙ୍କୁ ଯେଉଁମାନେ ଶୁଣୁଥିଲେ, ସେମାନଙ୍କ ମଧ୍ୟରେ ଯଦି କାହାରିଠାରେ ଫାରୂଶୀମାନଙ୍କ ଭଳି ଅଭ୍ୟାସ ଥିଲା, ତେବେ ତାକୁ ‘ବିଚାର କରିବା’ ବନ୍ଦ କରିବାର ଥିଲା । ତାକୁ ଅନ୍ୟମାନଙ୍କର ଦୋଷ “କ୍ଷମା” କରିବାର ଥିଲା ।
ଯଦି ଯୀଶୁଙ୍କ ଶିଷ୍ୟମାନେ ଲୋକମାନଙ୍କୁ କ୍ଷମା କରନ୍ତେ, ତେବେ ଲୋକେ ମଧ୍ୟ ସେମାନଙ୍କୁ କ୍ଷମା କରିବା ପାଇଁ ପ୍ରେରଣା ପାଆନ୍ତେ । ଯୀଶୁ କହିଲେ: “ଯେଉଁ ବିଚାରରେ ବିଚାର କର, ସେହି ବିଚାରରେ ତୁମ୍ଭେମାନେ ବିଚାରିତ ହେବ ।” (ମାଥି. ୭:୨) ଅନ୍ୟମାନଙ୍କ ସହିତ ଆମ ବ୍ୟବହାରରେ ମଧ୍ୟ ଏହି ସିଦ୍ଧାନ୍ତ ଲାଗୁ ହୁଏ— ଆମେ ଯାହା ବୁଣୁ, ତାହା ହିଁ କାଟିବା ।—ଗାଲା. ୬:୭.
ଅଧ୍ୟୟନ ବାଇବଲ—ଲୂକ ୬:୩୮ ଅଧ୍ୟୟନ ତଥ୍ୟ
ଦାନ କର: କିମ୍ବା “ଦେବା ଜାରି ରଖ ।” ଏଠାରେ ଗ୍ରୀକ୍ କ୍ରିୟାର ଯେଉଁ ରୂପ ବ୍ୟବହୃତ ହୋଇଛି, ତାʼର ଅନୁବାଦ “ଦେବା” ମଧ୍ୟ କରାଯାଇପାରିବ । କିନ୍ତୁ ଏହା ଲଗାତାର କରାଯାଉଥିବା କାମକୁ ସୂଚାଇଥାଏ ।
ଅଧ୍ୟୟନ ବାଇବଲ—ଲୂକ ୬:୩୮ ଅଧ୍ୟୟନ ତଥ୍ୟ
ତୁମ୍ଭମାନଙ୍କ ଅଣ୍ଟିରେ: ଗ୍ରୀକ୍ ଶବ୍ଦର ଶାବ୍ଦିକ ଅର୍ଥ ହେଉଛି, “ତୁମର ବକ୍ଷରେ (ଛାତିରେ),” କିନ୍ତୁ ଏଠାରେ ହୁଏତ ଏହାର ଅର୍ଥ ଚୋଗା ବା ବାହ୍ୟ ବସ୍ତ୍ରରେ କରାଯାଇଥିବା ଅଣ୍ଟି । ଲୋକେ ଢିଲା ଚୋଗା ପିନ୍ଧୁଥିଲେ, ତାʼ ଉପରେ ବେଲ୍ଟ ବା ପଟି ବାନ୍ଧୁଥିଲେ ଏବଂ ପଟିଠାରୁ ତଳ ଭାଗକୁ ଉପର ଆଡ଼େ ଭାଙ୍ଗି ଅଣ୍ଟି ତିଆରି କରୁଥିଲେ । ‘ଅଣ୍ଟିରେ ଦେବାର’ ଅର୍ଥ ହୁଏତ ଏପରି ପ୍ରଥାକୁ ସୂଚାଏ, ଯେତେବେଳେ କିଛି ବିକାଳିମାନେ ଗ୍ରାହକମାନଙ୍କର ଅଣ୍ଟିରେ ଜିନିଷ ଭରିଦେଉଥିଲେ ।
ବହୁମୂଲ୍ୟ ରତ୍ନ ଖୋଜନ୍ତୁ
ପ୍ର୦୭-ହି ୮/୧ ୬ ¶୨
ପ୍ରକୃତ ଆଧ୍ୟାତ୍ମିକତା—ଆପଣ କିପରି ପାଇପାରିବେ?
ଯୀଶୁ ଅନେକ ସମୟରେ ଲମ୍ବା ସମୟ ପର୍ଯ୍ୟନ୍ତ ପ୍ରାର୍ଥନା କରୁଥିଲେ । (ଯୋହନ ୧୭:୧-୨୬) ୧୨ ଜଣ ଶିଷ୍ୟଙ୍କୁ ବାଛିବା ପୂର୍ବରୁ ଯୀଶୁ “ପର୍ବତକୁ ବାହାରିଯାଇ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁ କରୁ ସମସ୍ତ ରାତ୍ରି ଯାପନ କଲେ ।” (ଲୂକ ୬:୧୨) ଆଧ୍ୟାତ୍ମିକ ଚିନ୍ତାଧାରା ରଖୁଥିବା ଲୋକମାନେ ହୁଏତ ରାତିସାରା ପ୍ରାର୍ଥନା କରନ୍ତି ନାହିଁ, କିନ୍ତୁ ଏକ୍ଷେତ୍ରରେ ସେମାନେ ଯୀଶୁଙ୍କୁ ଅନୁକରଣ କରିଥାʼନ୍ତି । ସେମାନେ ଜୀବନର ମହତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ସମୟରେ ପବିତ୍ର ଶକ୍ତିର ସାହାଯ୍ୟ ପାଇଁ ପ୍ରାର୍ଥନାରେ ଯଥେଷ୍ଟ ସମୟ ବିତାଇଥାʼନ୍ତି । ଏହା ସେମାନଙ୍କ ଆଧ୍ୟାତ୍ମିକତାକୁ ଆହୁରି ଦୃଢ଼ କରିଥାଏ ।
ଅଧ୍ୟୟନ ବାଇବଲ—ଲୂକ ୭:୩୫ ଅଧ୍ୟୟନ ତଥ୍ୟ
ଆପଣା ସମସ୍ତ ସନ୍ତାନ: କିମ୍ବା “ଆପଣା ସମସ୍ତ ପରିଣାମ ।” ଏଠାରେ ଜ୍ଞାନକୁ ଜଣେ ବ୍ୟକ୍ତି ରୂପେ କୁହାଯାଇଛି ଏବଂ ଏହା ମଧ୍ୟ କୁହାଯାଇଛି ଯେ ତାʼର ସନ୍ତାନ ଅଛନ୍ତି । ଏହାର ଏକାଭଳି ବିବରଣୀ ମାଥି ୧୧:୧୯ ପଦରେ ମିଳେ, ଯେଉଁଠାରେ ଜ୍ଞାନର “କର୍ମ” ବିଷୟରେ କୁହାଯାଇଛି । ଜ୍ଞାନର ସନ୍ତାନ ବା କର୍ମ ଏପରି ପ୍ରମାଣ ଅଟେ, ଯାହା ବାଯ୍ତିଜକ ଯୋହନ ଓ ଯୀଶୁ ଖ୍ରୀଷ୍ଟ ଦେଇଥିଲେ ଏବଂ ଯାହାଦ୍ୱାରା ସେମାନଙ୍କ ଉପରେ କରାଯାଇଥିବା ଦୋଷାରୋପ ମିଥ୍ୟା ପ୍ରମାଣିତ ହେଲା । ଅନ୍ୟ ଶବ୍ଦରେ ଯୀଶୁ କହୁଥିଲେ, ‘ମୋର ଭଲ କାମ ଓ ଚାଲିଚଳନକୁ ଦେଖ, ତେବେ ଜାଣିପାରିବ ଯେ ଏହି ଦୋଷାରୋପ ମିଥ୍ୟା ।’
୯-୧୫ ଜୁଲାଇ
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଲୂକ ୮-୯
“ଯୀଶୁଙ୍କ ଅନୁଗମନ କରିବା ପାଇଁ କʼଣ ଜରୁରୀ?”
ଇନସାଇଟ୍-୨ ୪୯୪
ବସା
ଯେତେବେଳେ ଜଣେ ଶାସ୍ତ୍ରୀ ଯୀଶୁଙ୍କୁ କହିଲେ: “ହେ ଗୁରୁ, ଆପଣ ଯେକୌଣସି ସ୍ଥାନକୁ ଯିବେ, ମୁଁ ଆପଣଙ୍କ ଅନୁଗମନ କରିବି,” ଯୀଶୁ ତାଙ୍କୁ କହିଲେ: “କୋକିଶିଆଳିର ଗାତ ଅଛି, ଆକାଶ ପକ୍ଷୀର ବସା ଅଛି, ମାତ୍ର ମନୁଷ୍ୟପୁତ୍ରର ମୁଣ୍ଡ ଗୁଞ୍ଜିବାର ସ୍ଥାନ ନାହିଁ ।” (ମାଥି ୮:୧୯, ୨୦; ଲୂକ ୯:୫୭, ୫୮) ଯୀଶୁ କହିବାକୁ ଚାହୁଁଥିଲେ ଯେ ତାହାଙ୍କ ଶିଷ୍ୟ ହେବା ପାଇଁ ସେହି ଶାସ୍ତ୍ରୀଙ୍କୁ ବିଳାସବ୍ୟସନ କିମ୍ବା ଆରାମର ଜୀବନ ଛାଡ଼ିବାକୁ ହେବ ଏବଂ ଯିହୋବାଙ୍କ ଉପରେ ସମ୍ପୂର୍ଣ୍ଣ ଭରସା ରଖିବାକୁ ହେବ ଯେ ସେ ତାଙ୍କର ଯତ୍ନ ନେବେ । ଏହି ସିଦ୍ଧାନ୍ତକୁ ସେ ଆଦର୍ଶ ପ୍ରାର୍ଥନାରେ ମଧ୍ୟ କହିଥିଲେ, “ଆଜି ଆମ୍ଭମାନଙ୍କୁ ପ୍ରୟୋଜନୀୟ ଆହାର ଦିଅ ।” ସେ ଏହା ମଧ୍ୟ କହିଥିଲେ, “ତୁମ୍ଭମାନଙ୍କ ମଧ୍ୟରୁ ଯେକେହି ଆପଣାର ସର୍ବସ୍ୱ ତ୍ୟାଗ ନ କରେ, ସେ ମୋହର ଶିଷ୍ୟ ହୋଇ ପାରେ ନାହିଁ ।”—ମାଥି ୬:୧୧; ଲୂକ ୧୪:୩୩.
ଅଧ୍ୟୟନ ବାଇବଲ—ଲୂକ ୯:୫୯, ୬୦ ଅଧ୍ୟୟନ ତଥ୍ୟ
ମୋହର ପିତାଙ୍କୁ ସମାଧି ଦେବା ନିମନ୍ତେ: ସମ୍ଭବତଃ, ଏହି ଶବ୍ଦଗୁଡ଼ିକର ଅର୍ଥ ଏହା ନୁହେଁ ଯେ ସେହି ଲୋକଙ୍କର ପିତାଙ୍କ ମୃତ୍ୟୁ ଏବେ ଏବେ ହୋଇଥିଲା ଏବଂ ସେ ତାଙ୍କୁ ସମାଧି ଦେବା ନିମନ୍ତେ ପ୍ରସ୍ତୁତ କରିବା ପାଇଁ ଅନୁରୋଧ କରୁଥିଲେ । ଯଦି ଏହା ଅର୍ଥ ହୋଇଥାʼନ୍ତା, ତେବେ ଏସମୟରେ ସେ ଯୀଶୁଙ୍କ ସହିତ କଥାବାର୍ତ୍ତା କରୁ ନ ଥାʼନ୍ତେ । ପ୍ରାଚୀନ ମଧ୍ୟ ପୂର୍ବ ଦେଶଗୁଡ଼ିକରେ ଯେତେବେଳେ ପରିବାରରେ କାହାରି ମୃତ୍ୟୁ ହେଉଥିଲା, ଶବକୁ ଯଥାଶୀଘ୍ର କିମ୍ବା ସେହିଦିନ କବର ଦିଆଯାଉଥିଲା । ତେଣୁ କୁହାଯାଇପାରେ ଯେ ସେହି ଲୋକଙ୍କର ପିତାଙ୍କ ମୃତ୍ୟୁ ହୋଇ ନ ଥିଲା, ବରଂ ହୁଏତ ସେ ରୁଗ୍ଣ କିମ୍ବା ବୃଦ୍ଧ ଥିଲେ । ଏହା ଛଡ଼ା, ତାଙ୍କ ପିତାଙ୍କ ଦେଖାଶୁଣା କରିବା ପାଇଁ ନିଶ୍ଚୟ ପରିବାରରେ ଅନ୍ୟ ସଦସ୍ୟମାନେ ମଧ୍ୟ ଥିବେ । ନଚେତ୍ ଯୀଶୁ ସେହି ଲୋକଙ୍କୁ ନିଜ ରୁଗ୍ଣ କିମ୍ବା ବୃଦ୍ଧ ପିତାଙ୍କୁ ଛାଡ଼ି ତାହାଙ୍କର ଅନୁଗମନ କରିବାକୁ କହି ନ ଥାʼନ୍ତେ । (ମାର୍କ ୭:୯-୧୩) ଅନ୍ୟ ଶବ୍ଦରେ ଲୋକ ଜଣକ କହୁଥିଲେ, ‘ମୁଁ ଆପଣଙ୍କର ଅନୁଗମନ କରିବି, କିନ୍ତୁ ଏବେ ନୁହେଁ କାରଣ ମୋ ପିତା ବଞ୍ଚିଛନ୍ତି । ଯେବେ ତାଙ୍କର ମୃତ୍ୟୁ ହୋଇଯିବ, ଆଉ ମୁଁ ତାଙ୍କୁ କବର ଦେଇଦେବି, ତେବେ ମୁଁ ଆପଣଙ୍କର ଅନୁଗମନ କରିବି ।’ କିନ୍ତୁ ଯୀଶୁଙ୍କ ଦୃଷ୍ଟିରେ ସେହି ଲୋକ ଈଶ୍ୱରଙ୍କ ରାଜ୍ୟ ସହ ଜଡ଼ିତ କାମଗୁଡ଼ିକୁ ଜୀବନରେ ପ୍ରଥମ ସ୍ଥାନ ଦେବାର ସୁଯୋଗକୁ ହାତଛଡ଼ା କରୁଥିଲେ ।—ଲୂକ ୯:୬୦, ୬୨.
ମୃତମାନଙ୍କୁ ଆପଣା ଆପଣା ମୃତ ଲୋକଙ୍କୁ ସମାଧି ଦେବା ପାଇଁ ଛାଡ଼ିଦିଅ: ଯେପରି ଲୂକ ୯:୫୯ ପଦର ଅଧ୍ୟୟନ ତଥ୍ୟରେ କୁହାଯାଇଛି, ଯୀଶୁ ଯେଉଁ ଲୋକ ବିଷୟରେ କହୁଥିଲେ, ତାଙ୍କର ପିତା ମରି ନ ଥିଲେ, ବରଂ ହୁଏତ ରୁଗ୍ଣ କିମ୍ବା ବୃଦ୍ଧ ଥିଲେ । ତେଣୁ ଏହା ସ୍ପଷ୍ଟ ଯେ ଯୀଶୁ କହୁଥିଲେ, ‘ଯେଉଁମାନେ ଲାକ୍ଷଣିକ ଭାବେ ମୃତ, ସେମାନେ ନିଜ ମୃତ ଲୋକମାନଙ୍କୁ ସମାଧି ଦିଅନ୍ତୁ ।’ ଏହାର ଅର୍ଥ, ସେହି ଲୋକଙ୍କୁ ନିଜ ପିତାଙ୍କ ଦେଖାଶୁଣା କରିବା ଏବଂ ମୃତ୍ୟୁ ପରେ ତାଙ୍କୁ କବର ଦେବାର ଦାୟିତ୍ୱ ନିଜ ସମ୍ପର୍କୀୟମାନଙ୍କ ଉପରେ ଛାଡ଼ିଦେବା ଉଚିତ୍ ଥିଲା । ଯଦି ସେହି ଲୋକ ଯୀଶୁଙ୍କର ଶିଷ୍ୟ ହୁଅନ୍ତେ, ତେବେ ତାଙ୍କୁ ଅନନ୍ତ ଜୀବନ ପାଇବାର ଆଶା ମିଳନ୍ତା ଏବଂ ଯେଉଁମାନେ ଈଶ୍ୱରଙ୍କ ଦୃଷ୍ଟିରେ ମୃତ, ସେମାନଙ୍କ ମଧ୍ୟରେ ସେ ଗଣାଯାଇ ନ ଥାʼନ୍ତେ । ଯୀଶୁ ସ୍ପଷ୍ଟ ଭାବେ କହିଲେ, ଈଶ୍ୱରଙ୍କ ଦୃଷ୍ଟିରେ ଜୀବିତ ରହିବା ପାଇଁ ଜଣେ ବ୍ୟକ୍ତି ଈଶ୍ୱରଙ୍କ ରାଜ୍ୟକୁ ନିଜ ଜୀବନରେ ପ୍ରଥମ ସ୍ଥାନ ଦେବା ଏବଂ ତାʼ ବିଷୟରେ ଦୂରଦୂରାନ୍ତରେ ପ୍ରଚାର କରିବା ଜରୁରୀ ।
ଅଧ୍ୟୟନ ବାଇବଲ—ଚିତ୍ର
ଲଙ୍ଗଳରେ ହଳ କରିବା
ସାଧାରଣତଃ, ଶରତ ଋତୁରେ କ୍ଷେତକୁ ହଳ କରାଯାଉଥିଲା । କାରଣ ଗ୍ରୀଷ୍ମ ଋତୁରେ ଉତ୍ତଯ୍ତ ସୂର୍ଯ୍ୟ କିରଣ ଯୋଗୁଁ ଜମି ଟାଣୁଆ ହୋଇଯାଉଥିଲା, କିନ୍ତୁ ବର୍ଷା ଋତୁରେ ନରମ ହୋଇଯାଉଥିଲା ଏବଂ ଏହାପରେ ହଳ କରିବା ସହଜ ହେଉଥିଲା । (ଆପେଣ୍ଡିକ୍ସ ଖ୧୫ ଦେଖନ୍ତୁ ।) ସାଧାରଣତଃ, ଲଙ୍ଗଳକୁ କାଠରେ ତିଆରି କରାଯାଉଥିଲା । ଏହାର ତଳ ଭାଗ ମୁନିଆ ରହୁଥିଲା, ଯାହାର ଅଗ୍ରଭାଗରେ କୌଣସି ଧାତୁ ଲଗାଯାଉଥିଲା । ଲଙ୍ଗଳକୁ ଗୋଟିଏ କିମ୍ବା ତାʼଠାରୁ ଅଧିକ ପଶୁମାନେ ଟାଣୁଥିଲେ । ହଳ କରିବା ପରେ ବିହନ ବୁଣାଯାଉଥିଲା । ଲୋକେ ଏହି କାମ ସହିତ ବେଶ୍ ପରିଚିତ ଥିଲେ ଏବଂ ଏବ୍ରୀ ଶାସ୍ତ୍ରରେ ମଧ୍ୟ ହଳ କରିବାକୁ ଲାକ୍ଷଣିକ ଭାବେ ବ୍ୟବହାର କରାଯାଇଛି । (ବିଚା ୧୪:୧୮; ଯିଶା ୨:୪; ଯିରି ୪:୩; ମୀଖା ୪:୩) ଯୀଶୁ ମଧ୍ୟ ଅନେକ ସମୟରେ ଲୋକମାନଙ୍କୁ ମହତ୍ତ୍ୱପୂର୍ଣ୍ଣ ଶିକ୍ଷାଗୁଡ଼ିକୁ ବୁଝାଇବା ପାଇଁ ଚାଷ ସହ ଜଡ଼ିତ କାମଗୁଡ଼ିକ ବିଷୟରେ କହୁଥିଲେ । ଉଦାହରଣସ୍ୱରୂପ, ହଳ କରିବା ବିଷୟରେ ସେ ବୁଝାଇଲେ ଯେ ତାହାଙ୍କ ଶିଷ୍ୟ ହେବାରେ କʼଣ କʼଣ ସାମିଲ୍ ରହିଛି । (ଲୂକ ୯:୬୨) ଯଦି ହଳ କରୁଥିବା ଜଣେ ବ୍ୟକ୍ତିର ଧ୍ୟାନ ଭଙ୍ଗ ହୋଇଯାଏ, ତେବେ ସେ କ୍ଷେତରେ ସିଧା ଶିଆର କାଟିପାରିବ ନାହିଁ । ଠିକ୍ ସେହିପରି, ଯଦି ଯୀଶୁଙ୍କର ଜଣେ ଶିଷ୍ୟର ଧ୍ୟାନ ଭଙ୍ଗ ହୋଇଯାଏ କିମ୍ବା ସେ ନିଜ ଦାୟିତ୍ୱରୁ ଓହରିଯାଏ, ତେବେ ସେ ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବାର ଯୋଗ୍ୟ ହୋଇପାରିବ ନାହିଁ ।
ପ୍ର୧୨-ହି ୪/୧୫ ୧୫-୧୬ ¶୧୧-୧୩
ସମ୍ପୂର୍ଣ୍ଣ ହୃଦୟର ସହିତ ଯିହୋବାଙ୍କ ସେବା କରିବା ବଜାୟ ରଖନ୍ତୁ
ଆସନ୍ତୁ ଯୀଶୁ ଦେଇଥିବା ଉଦାହରଣକୁ ବୁଝିବା ପାଇଁ ଏହାକୁ ଆହୁରି ଜୀବନ୍ତ କରିବା । କଳ୍ପନା କରନ୍ତୁ, ଜଣେ ମୂଲିଆ କ୍ଷେତରେ ହଳ କରିବାରେ ବ୍ୟସ୍ତ ଅଛି । କିନ୍ତୁ ଏସମସୟରେ ତାକୁ ଘର କଥା ମନେ ପଡ଼ୁଛି । ସେ ଭାବୁଛି ଯେ ସେ ଏତେ ଖରାରେ ପରିଶ୍ରମ କରୁଛି, କିନ୍ତୁ ତାʼର ପରିବାରର ଲୋକେ ଓ ତାʼର ସାଙ୍ଗମାନେ ଆରାମରେ ବସି ଭଲ ଭଲ ଜିନିଷ ଖାଉଥିବେ, ସଂଗୀତ ଶୁଣୁଥିବେ ଏବଂ ହସମଜା କରୁଥିବେ । ମନେ ମନେ ସେ ଭାବୁଛି, “କାଳେ ମୁଁ ବି ଘରେ ଥାʼନ୍ତି!” କିଛି ସମୟ ହଳ କରିବା ପରେ ଘରକୁ ଫେରିବା ପାଇଁ ତାʼର ଇଚ୍ଛା ଏତେ ବଢ଼ିଯାଏ ଯେ ସେ ଫେରି “ପଛକୁ ଚାହେଁ ।” ବିହନ ବୁଣିବା ପୂର୍ବରୁ ବହୁତଗୁଡ଼ିଏ କାମ ବାକି ଅଛି, କିନ୍ତୁ ତାʼର ଧ୍ୟାନ ଭଙ୍ଗ ହୋଇଯାଇଛି । ସେ କାମ କରିବା ବନ୍ଦ କରିଦିଏ । ତାʼର ମାଲିକ ଏହା ଦେଖି ଦୁଃଖିତ, କାରଣ ସେ ହଳ କରିବା ଜାରି ରଖିବା ପରିବର୍ତ୍ତେ, ଅଧାରୁ ହିଁ ଛାଡ଼ିଦେଇଛି ।
ସେହି ମୂଲିଆର ତୁଳନା ଆମେ ଆଜିର ଏପରି ଜଣେ ଖ୍ରୀଷ୍ଟିୟାନଙ୍କ ସହିତ କରିପାରିବା, ଯିଏ ଈଶ୍ୱରଙ୍କ ସେବାରେ ଭଲ କାମ ତ କରୁଛନ୍ତି, କିନ୍ତୁ ଈଶ୍ୱରଙ୍କ ସହିତ ତାଙ୍କ ସମ୍ପର୍କ ବିପଦରେ ଅଛି । କଳ୍ପନା କରନ୍ତୁ, ସେ ସଭାଗୁଡ଼ିକରେ ଆସୁଛନ୍ତି, ପ୍ରଚାରରେ ଯାଉଛନ୍ତି, କିନ୍ତୁ ସେ ସଂସାରର ଜିନିଷଗୁଡ଼ିକୁ ବହୁତ ଭଲ ପାʼନ୍ତି । ସେ ବହୁ ବର୍ଷ ପର୍ଯ୍ୟନ୍ତ ଈଶ୍ୱରଙ୍କ ସେବା କରନ୍ତି । କିନ୍ତୁ, ପରେ ସଂସାରର ଜିନିଷଗୁଡ଼ିକୁ ହାସଲ୍ କରିବାର ତାଙ୍କ ଇଚ୍ଛା ଏତେ ବଢ଼ିଯାଏ ଯେ ସେ ଫେରି ‘ପଛକୁ ଚାହାନ୍ତି ।’ ଈଶ୍ୱରଙ୍କ ସେବାରେ ତାଙ୍କୁ ଆଗକୁ ବହୁତ କିଛି କରିବାର ଅଛି, କିନ୍ତୁ ସେ “ଜୀବନର ବାକ୍ୟ ଧରି” ରଖନ୍ତି ନାହିଁ ଏବଂ ପୂର୍ବ ଭଳି ଆଉ ସେବା କରିପାରନ୍ତି ନାହିଁ । (ଫିଲିପ୍ପୀ. ୨:୧୫) “ଶସ୍ୟକ୍ଷେତ୍ରର କର୍ତ୍ତା” ଯିହୋବାଙ୍କୁ ଏହା ଦେଖି କେତେ ଦୁଃଖ ଲାଗିବ ଯେ ସେ ସେବାରେ ଲାଗି ରହିବା ପରିବର୍ତ୍ତେ, ସଂସାରର ଜିନିଷଗୁଡ଼ିକ ପଛରେ ଧାଇଁଛନ୍ତି ।—ଲୂକ ୧୦:୨.
ଏହା ପ୍ରକୃତରେ ପ୍ରଶଂସାର ବିଷୟ ଯେ ଆମେ ମଣ୍ଡଳୀର ସଭାଗୁଡ଼ିକରେ ଉପସ୍ଥିତ ହେଉ ଏବଂ ପ୍ରଚାର ସେବାରେ ଭାଗ ନେଉ । କିନ୍ତୁ ସମ୍ପୂର୍ଣ୍ଣ ହୃଦୟର ସହିତ ସେବା କରିବାରେ ଆହୁରି କିଛି ସାମିଲ୍ ରହିଛି । (୨ ବଂଶା. ୨୫:୧, ୨, ୨୭) ଯଦି ଜଣେ ଖ୍ରୀଷ୍ଟିୟାନଙ୍କ ହୃଦୟରେ ଟିକେ ବି ‘ପଛକୁ ଚାହିଁବାର’ ଇଚ୍ଛା ଥାଏ, ଅର୍ଥାତ୍ ସେ ସଂସାରର ଜିନିଷଗୁଡ଼ିକୁ କିମ୍ବା ଏହାର ଜୀବନଶୈଳୀକୁ ଭଲ ପାʼନ୍ତି, ତେବେ ଈଶ୍ୱରଙ୍କ ସହିତ ତାଙ୍କ ସମ୍ପର୍କ ବିପଦରେ ପଡ଼ିପାରେ । (ଲୂକ ୧୭:୩୨) ଯଦି ଆମେ ‘ଯାହା ମନ୍ଦ, ତାହା ଘୃଣା କରିବା ଏବଂ ଯାହା ଉତ୍ତମ, ସେଥିରେ ଆସକ୍ତ ହେବା,’ ତେବେ ଆମେ “ଈଶ୍ୱରଙ୍କ ରାଜ୍ୟର ଯୋଗ୍ୟ” ହୋଇପାରିବା । (ରୋମୀ. ୧୨:୯; ଲୂକ ୯:୬୨) ଆସନ୍ତୁ, ଆମେ ଦୃଢ଼ ସଙ୍କଳ୍ପ କରିବା ଯେ ସଂସାରର ଯେକୌଣସି ଜିନିଷ, ଆମ ପାଇଁ ଯେତେ ଜରୁରୀ ହେଉ ନା କାହିଁକି, ତାହା ଆମକୁ ରାଜ୍ୟ ସହ ଜଡ଼ିତ କାମଗୁଡ଼ିକୁ ସମ୍ପୂର୍ଣ୍ଣ ହୃଦୟର ସହିତ କରିବା ପାଇଁ ବାଧା ନ ଦେଉ ।—୨ କରି. ୧୧:୧୪; ଫିଲିପ୍ପୀୟ ୩:୧୩, ୧୪ ପଢ଼ନ୍ତୁ ।
ବହୁମୂଲ୍ୟ ରତ୍ନ ଖୋଜନ୍ତୁ
ଅଧ୍ୟୟନ ବାଇବଲ—ଲୂକ ୮:୩ ଅଧ୍ୟୟନ ତଥ୍ୟ
ସେମାନଙ୍କ ସେବା କରୁଥିଲେ: କିମ୍ବା “ସେମାନଙ୍କୁ ସାହାଯ୍ୟ (ଆବଶ୍ୟକତା ପୂରଣ) କରୁଥିଲେ ।” ଗ୍ରୀକ୍ ଶବ୍ଦ ଦିଆକୋନିଓର ଅର୍ଥ ହୋଇପାରେ: ଅନ୍ୟମାନଙ୍କ ଖାଇବାପିଇବାର ଆବଶ୍ୟକତା ପୂରଣ କରିବା ପାଇଁ କାମ କରିବା, ଯେପରି— ଖାଇବାପିଇବାର ଜିନିଷ ଆଣିବା, ରୋଷେଇ କରିବା ଏବଂ ଖାଦ୍ୟ ପରଷିବା ଇତ୍ୟାଦି । ଏହି ଅର୍ଥ ଦେବା ପାଇଁ ଦିଆକୋନିଓ ଶବ୍ଦର ବ୍ୟବହାର ଏହି ପଦଗୁଡ଼ିକରେ ମଧ୍ୟ କରାଯାଇଛି: ଲୂକ ୧୦:୪୦ (“ପରିଚର୍ଯ୍ୟା”), ଲୂକ ୧୨:୩୭ (“ସେବା କରିବେ”), ଲୂକ ୧୭:୮ (“ସେବା କର୍”) ଏବଂ ପ୍ରେରି ୬:୨ (“ପରିବେଷଣ”) । କିନ୍ତୁ ଏହି ଶବ୍ଦର ଅର୍ଥ ଏପରି ସେବାଗୁଡ଼ିକ ମଧ୍ୟ ହୋଇପାରେ, ଯେଉଁଥିରୁ ସେମାନଙ୍କ ଅନ୍ୟାନ୍ୟ ଆବଶ୍ୟକତା ପୂରଣ ହେଉଥିଲା । ଏହି ପଦରେ କୁହାଯାଇଛି ଯେ ୨ ଓ ୩ ପଦରେ ଉଲ୍ଲେଖ କରାଯାଇଥିବା ସ୍ତ୍ରୀଲୋକମାନେ କିପରି ଯୀଶୁ ଓ ତାହାଙ୍କ ଶିଷ୍ୟମାନଙ୍କୁ ସାହାଯ୍ୟ କଲେ, ଯାହାଫଳରେ ସେମାନେ ଈଶ୍ୱରଙ୍କଠାରୁ ମିଳିଥିବା କାମକୁ କରିବାରେ ନିଜ ଧ୍ୟାନ କେନ୍ଦ୍ରିତ କରିପାରିଲେ । ଏପରି କରିବା ଦ୍ୱାରା ସେହି ସ୍ତ୍ରୀଲୋକମାନେ ଈଶ୍ୱରଙ୍କ ମହିମା କରୁଥିଲେ । ଆଗକୁ ସମସ୍ତ ପିଢ଼ି ସେମାନଙ୍କ ଉଦାରତାର କାମଗୁଡ଼ିକୁ ପଢ଼ିପାରିବେ ବୋଲି ଈଶ୍ୱର ସେଗୁଡ଼ିକୁ ବାଇବଲରେ ଉଲ୍ଲେଖ କରାଇ ସେ ମଧ୍ୟ ସେମାନଙ୍କ ପ୍ରତି କୃତଜ୍ଞତା ଦେଖାଇଲେ । (ହିତୋ ୧୯:୧୭; ଏବ୍ରୀ ୬:୧୦) ଗ୍ରୀକ୍ ଶବ୍ଦ ଦିଆକୋନିଓ ମାଥି ୨୭:୫୫; ମାର୍କ ୧୫:୪୧ ପଦରେ କୁହାଯାଇଥିବା ସ୍ତ୍ରୀଲୋକମାନଙ୍କ ବିବରଣୀରେ ମଧ୍ୟ ବ୍ୟବହୃତ ହୋଇଛି ।
ପ୍ର୦୮-ହି ୩/୧୫ ୩୧ ¶୩
ଲୂକ ବହିର ମୁଖ୍ୟାଂଶ
୯:୪୯, ୫୦—ଯଦିଓ ଜଣେ ଲୋକ ଯୀଶୁଙ୍କର ଅନୁଗାମୀ ନ ଥିଲା, ତଥାପି ସେ ତାକୁ ଭୂତ ଛଡ଼ାଇବା ପାଇଁ କାହିଁକି ମନା କଲେ ନାହିଁ? ଯୀଶୁ ତାକୁ ଏଥିପାଇଁ ମନା କଲେ ନାହିଁ, କାରଣ ସେତେବେଳେ ଖ୍ରୀଷ୍ଟିୟାନ ମଣ୍ଡଳୀ ଗଠିତ ହୋଇ ନ ଥିଲା । ଯୀଶୁଙ୍କ ନାମ ଉପରେ ବିଶ୍ୱାସ କରିବା ଏବଂ ଭୂତ ଛଡ଼ାଇବା ପାଇଁ ସେ ଯୀଶୁଙ୍କ ସହିତ ରହିବା ଜରୁରୀ ନ ଥିଲା ।—ମାର୍କ ୯:୩୮-୪୦.
୧୬-୨୨ ଜୁଲାଇ
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଲୂକ ୧୦-୧୧
“ଦୟାଳୁ ଶମିରୋଣୀୟର ଦୃଷ୍ଟାନ୍ତ”
ଅଧ୍ୟୟନ ବାଇବଲ—ଭିଡିଓ
ଯିରୂଶାଲମରୁ ଯିରୀହୋକୁ ଯାଉଥିବା ରାସ୍ତା
ଏହି ସଂକ୍ଷିଯ୍ତ ଭିଡିଓରେ ଦେଖାଯାଇଥିବା ରାସ୍ତା (୧) ସମ୍ଭବତଃ ପ୍ରାଚୀନ ସମୟରେ ଯିରୂଶାଲମରୁ ଯିରୀହୋକୁ ଯାଉଥିବା ରାସ୍ତା ଭଳି ହୋଇଥିବ । ଏହି ରାସ୍ତା ୨୦ କି.ମି (୧୨ ମାଇଲ୍)ରୁ ମଧ୍ୟ ଅଧିକ ଲମ୍ବ ଥିଲା ଏବଂ ଯେଉଁଠାରେ ଏହି ରାସ୍ତାରେ ମୋଡ଼ ଆସୁଥିଲା, ସେଠାରେ ୧ କି.ମି. (୦.୬ ମାଇଲ୍) ଲମ୍ବ ତୀକ୍ଷ୍ଣ ଢାଲୁ ଥିଲା । ଏହି ନିର୍ଜନ ପାହାଡ଼ିଆ ରାସ୍ତାରେ ଏତେ ମାତ୍ରାରେ ଡକାୟତି ହେଉଥିଲା ଯେ ଏଠାରେ ଯାତ୍ରୀମାନଙ୍କୁ ସୁରକ୍ଷା ଦେବା ପାଇଁ ସୈନ୍ୟମାନଙ୍କୁ ଜାଗା ଜାଗାରେ ନିଯୁକ୍ତ କରାଯାଉଥିଲା । ରୋମୀୟ ସହର ଯିରୀହୋ (୨) ଏପରି ଜାଗାରେ ଅବସ୍ଥିତ ଥିଲା, ଯେଉଁଠାରେ ଏହି ରାସ୍ତାରେ ଯିହୁଦାର ପାହାଡ଼ିଆ ଅଞ୍ଚଳ ଶେଷ ହେଉଥିଲା । ପ୍ରାଚୀନ ଯିରୀହୋ ସହର (୩) ରୋମୀୟ ସହରଠାରୁ ପ୍ରାୟ ୨ କି.ମି. (ପ୍ରାୟ ୧ ମାଇଲ୍) ଦୂରରେ ଥିଲା ।
ପ୍ର୦୨-ହି ୯/୧ ୧୬-୧୭ ¶୧୪-୧୫
“ଦୃଷ୍ଟାନ୍ତ ବିନା ସେ ସେମାନଙ୍କୁ କିଛି କହୁ ନ ଥିଲେ”
ଦୟାଳୁ ଶମିରୋଣୀୟର ଦୃଷ୍ଟାନ୍ତକୁ ମନେ ପକାନ୍ତୁ । ଯୀଶୁ ଏପରି ଭାବେ ଆରମ୍ଭ କଲେ: “ଜଣେ ଲୋକ ଯିରୂଶାଲମରୁ ଯିରୀହୋକୁ ଯାଉ ଯାଉ ଡକାଇତମାନଙ୍କ ହାବୁଡ଼ରେ ପଡ଼ିଲା । ସେମାନେ ତାହାର ଲୁଗାପଟା ଛଡ଼ାଇନେଇ ଓ ମାଡ଼ ମାରି ତାହାକୁ ଦରମରା ଅବସ୍ଥାରେ ଛାଡ଼ି ଚାଲିଗଲେ ।” (ଲୂକ ୧୦:୩୦) ଯୀଶୁ ଏହି ଦୃଷ୍ଟାନ୍ତକୁ ଯିହୁଦାରେ କହିଥିଲେ, ତେଣୁ ଏହା ସ୍ପଷ୍ଟ ଯେ ଯେଉଁମାନେ ତାହାଙ୍କ କଥା ଶୁଣୁଥିଲେ, ସେମାନେ “ଯିରୂଶାଲମରୁ ଯିରୀହୋକୁ” ଯାଉଥିବା ରାସ୍ତା ସହ ବେଶ୍ ପରିଚିତ ଥିଲେ । ଏହି ରାସ୍ତା ବିଶେଷ କରି ଜଣେ ଏକୁଟିଆ ଯାତ୍ରୀ ପାଇଁ ବିପଦପୂର୍ଣ୍ଣ ଥିଲା । ଏହି ରାସ୍ତା ବହୁତ ଅଙ୍କାବଙ୍କା ଥିଲା ଏବଂ ନିର୍ଜନ ପାହାଡ଼ିଆ ଅଞ୍ଚଳ ଦେଇ ଯାଉଥିଲା । ତେଣୁ ଡକାୟତମାନଙ୍କ ପାଇଁ ଛପି ରହି ଆକ୍ରମଣ କରିବାକୁ ଅନେକଗୁଡ଼ିଏ ଆଡ୍ଡା ଥିଲା ।
“ଯିରୂଶାଲମରୁ ଯିରୀହୋକୁ” ଯାଉଥିବା ରାସ୍ତା ବିଷୟରେ ଆଉ ଏକ ବିଶେଷତା ରହିଛି । ପ୍ରଥମେ ଏକ ଯାଜକ ଏବଂ ତାʼପରେ ଜଣେ ଲେବୀୟ ମଧ୍ୟ ସେହି ରାସ୍ତା ଦେଇ ଗଲେ । କିନ୍ତୁ କେହି ମଧ୍ୟ ପୀଡ଼ିତ ବ୍ୟକ୍ତି ଜଣକୁ ସାହାଯ୍ୟ କଲେ ନାହିଁ । (ଲୂକ ୧୦:୩୧, ୩୨) ଯାଜକମାନେ ଯିରୂଶାଲମର ମନ୍ଦିରରେ ସେବା କରୁଥିଲେ ଏବଂ ଲେବୀୟମାନେ ସେମାନଙ୍କୁ ସାହାଯ୍ୟ କରୁଥିଲେ । କିଛି ଯାଜକ ଓ ଲେବୀୟମାନେ ଯେତେବେଳେ ମନ୍ଦିରରେ ସେବା କରୁ ନ ଥିଲେ, ସେମାନେ ଯିରୀହୋରେ ରହୁଥିଲେ । କାରଣ ଏହି ସହର ଯିରୂଶାଲମଠାରୁ ୨୩ କି.ମି. ଦୂରରେ ଥିଲା । ତେଣୁ ସେମାନେ ନିଶ୍ଚୟ ଏହି ରାସ୍ତା ଦେଇ ଯାତାୟତ କରୁଥିବେ । ଧ୍ୟାନ ଦିଅନ୍ତୁ ଯେ ଯାଜକ ଓ ଲେବୀୟ “ଯିରୂଶାଲମରୁ” ଯାଉଥିଲେ, ଅର୍ଥାତ୍ ମନ୍ଦିରଠାରୁ ଯିରୀହୋକୁ ଯାଉଥିଲେ । ସେମାନଙ୍କର ଏପରି ଅଣଦେଖା କରିବାକୁ ଯୁକ୍ତିଯୁକ୍ତ ଦର୍ଶାଇ କେହି ଏହା କହିପାରିବ ନାହିଁ— ‘ସେ ଦୁହେଁ ସେହି ପୀଡ଼ିତ ବ୍ୟକ୍ତିକୁ ଏଥିପାଇଁ ଛାଡ଼ି ଚାଲିଗଲେ, କାରଣ ସେମାନେ ଭାବିଲେ ଯେ ଲୋକଟି ମରିଯାଇଛି । ଯଦି ସେମାନେ ଶବକୁ ଛୁଅନ୍ତେ, ତେବେ ସେମାନେ କିଛି ସମୟ ପାଇଁ ମନ୍ଦିରରେ ସେବା କରିପାରି ନ ଥାʼନ୍ତେ ।’ (ଲେବୀ ପୁସ୍ତକ ୨୧:୧; ଗଣନା ପୁସ୍ତକ ୧୯:୧୧, ୧୬) ଏଥିରୁ ଜଣାପଡ଼େ ଯେ ଯୀଶୁ ଏପରି ଦୃଷ୍ଟାନ୍ତ ଦେଉଥିଲେ, ଯାହା ସହ ଲୋକେ ଭଲ ଭାବେ ପରିଚିତ ଥିଲେ ।
ଅଧ୍ୟୟନ ବାଇବଲ—ଲୂକ ୧୦:୩୩, ୩୪ ଅଧ୍ୟୟନ ତଥ୍ୟ
ଜଣେ ଶମିରୋଣୀୟ: ସାଧାରଣତଃ ଯିହୁଦୀମାନେ ଶମିରୋଣୀୟମାନଙ୍କୁ ନୀଚ ଦୃଷ୍ଟିରେ ଦେଖୁଥିଲେ ଏବଂ ସେମାନଙ୍କ ସହିତ କୌଣସି ସମ୍ପର୍କ ରଖୁ ନ ଥିଲେ । (ଯୋହ ୪:୯) ଏପରିକି କିଛି ଯିହୁଦୀ କାହାରିକୁ ଅପମାନିତ କରିବା ଏବଂ ନିନ୍ଦା କରିବା ପାଇଁ ତାକୁ “ଶମିରୋଣୀୟ” ବୋଲି କହୁଥିଲେ । (ଯୋହ ୮:୪୮) ମିସ୍ନା ଅନୁସାରେ ଜଣେ ରାବ୍ବୀ କହିଥିଲେ: “ଯିଏ ଶମିରୋଣୀୟମାନଙ୍କ ରୋଟୀ ଖାଏ, ସେ ଘୁଷୁରି ମାଂସ ଖାଇବା ସହିତ ସମାନ ।” (ଶେବିଥ୍ ୮:୧୦) ଅନେକ ଯିହୁଦୀମାନେ ଶମିରୋଣୀୟମାନଙ୍କର ସାକ୍ଷ୍ୟ ଉପରେ ବିଶ୍ୱାସ କରୁ ନ ଥିଲେ ଏବଂ ସେମାନଙ୍କଠାରୁ କୌଣସି ସାହାଯ୍ୟ ମଧ୍ୟ ନେଉ ନ ଥିଲେ । ଶମିରୋଣୀୟମାନଙ୍କ ପ୍ରତି ଯିହୁଦୀମାନଙ୍କର ଏଭଳି ବ୍ୟବହାର ବିଷୟରେ ଯୀଶୁ ଜାଣିଥିଲେ । ତେଣୁ ସେ ଏହି ଦୃଷ୍ଟାନ୍ତ ସାହାଯ୍ୟରେ ଏକ ଉପଯୁକ୍ତ ଶିକ୍ଷା ଦେଲେ । ଏହି ଦୃଷ୍ଟାନ୍ତକୁ ସାଧାରଣତଃ ଉତ୍ତମ ଶମିରୋଣୀୟ କିମ୍ବା ଦୟାଳୁ ଶମିରୋଣୀୟର ଦୃଷ୍ଟାନ୍ତ ବୋଲି କୁହାଯାଏ ।
ତାହାର କ୍ଷତସବୁରେ ତୈଳ ଓ ଦ୍ରାକ୍ଷାରସ ଢାଳି ସେହିସବୁ ବାନ୍ଧିଦେଲେ: ଚିକିତ୍ସକ ଲୂକ ଯୀଶୁଙ୍କ ଦୃଷ୍ଟାନ୍ତରେ କୁହାଯାଇଥିବା ଅନେକ ଟିକିନିଖି ତଥ୍ୟ ଲେଖିଥିଲେ । ଲୂକ କହିଲେ ଯେ ସେସମୟରେ କ୍ଷତ ସ୍ଥାନକୁ କିପରି ଚିକିତ୍ସା କରାଯାଉଥିଲା । କ୍ଷତରେ ତେଲ ଓ ଦ୍ରାକ୍ଷାରସ ଢାଳିବା ଏକ ଘରୋଇ ଚିକିତ୍ସା ଥିଲା । ବେଳେ ବେଳେ କ୍ଷତକୁ କୋମଳ କରିବା ପାଇଁ ତେଲ ଢଳା ଯାଉଥିଲା । (ଯିଶା ୧:୬ ସହିତ ତୁଳନା କରନ୍ତୁ ।) ଦ୍ରାକ୍ଷାରସରେ କିଛି ଔଷଧୀୟ ଗୁଣ ରହିଛି ଏବଂ ଏହାଦ୍ୱାରା କିଛି ମାତ୍ରାରେ ରୋଗର ଜୀବାଣୁ ମଧ୍ୟ ନାଶ ହୁଏ ବୋଲି ଧରାଯାଉଥିଲା । ଲୂକ ଏହା ମଧ୍ୟ କହିଲେ ଯେ କ୍ଷତଗୁଡ଼ିକ ଆହୁରି ନ ବଢ଼ିବା ପାଇଁ ସେଗୁଡ଼ିକରେ ପଟି ବନ୍ଧା ଯାଇଥିଲା ।
ଗୋଟିଏ ପାନ୍ଥଶାଳା: ଏହାର ଗ୍ରୀକ୍ ଶବ୍ଦର ଶାବ୍ଦିକ ଅର୍ଥ ହେଉଛି, “ଏପରି ଜାଗା ଯେଉଁଠାରେ ସମସ୍ତଙ୍କୁ ସ୍ୱାଗତ କରାଯାଏ କିମ୍ବା ଭିତରକୁ ଆସିବାକୁ ଦିଆଯାଏ ।” ପାନ୍ଥଶାଳାରେ ଯାତ୍ରୀମାନଙ୍କ ସଙ୍ଗେ ସଙ୍ଗେ ସେମାନଙ୍କର ପଶୁମାନଙ୍କ ପାଇଁ ମଧ୍ୟ ରହିବାର ବ୍ୟବସ୍ଥା ଥିଲା । ପାନ୍ଥଶାଳାର କର୍ତ୍ତା ଯାତ୍ରୀମାନଙ୍କର ଜରୁରୀ ଆବଶ୍ୟକତା ପୂରଣ କରୁଥିଲା । ଯଦି ପାନ୍ଥଶାଳାର କର୍ତ୍ତାକୁ ସେଠାରେ ରହିଥିବା କାହାରି ଦେଖାଶୁଣା କରିବା ପାଇଁ କୁହାଯାଏ, ତେବେ ସେ ହୁଏତ ପଇସା ନେଇ ଏହି କାମ ମଧ୍ୟ କରୁଥିଲା ।
ପ୍ର୯୮-ହି ୭/୧ ୩୧ ¶୨
ଜଣେ ଶମିରୋଣୀୟ ଉତ୍ତମ ପଡ଼ୋଶୀ ପ୍ରମାଣିତ ହୁଅନ୍ତି
ଯୀଶୁଙ୍କ ଦୃଷ୍ଟାନ୍ତରୁ ଜଣାପଡ଼େ ଯେ ଯିଏ ଈଶ୍ୱରଙ୍କ ନିୟମଗୁଡ଼ିକୁ ପାଳନ କରିବା ସହିତ ତାହାଙ୍କ ଗୁଣଗୁଡ଼ିକୁ ଅନୁକରଣ କରେ, ସେ ହିଁ ପ୍ରକୃତରେ ସଚ୍ଚୋଟ ବ୍ୟକ୍ତି । (ଏଫିସୀୟ ୫:୧) ଉଦାହରଣସ୍ୱରୂପ, ବାଇବଲ କହେ: ‘ଈଶ୍ୱର ମୁଖାପେକ୍ଷା କରନ୍ତି ନାହିଁ ।’ (ପ୍ରେରିତ ୧୦:୩୪) ଖ୍ରୀଷ୍ଟିୟାନମାନଙ୍କୁ ଆଜ୍ଞା ଦିଆଯାଇଛି ଯେ ସେମାନେ କେବଳ ନିଜ ଦେଶ, ଜାତି, ଭାଷା ଓ ବର୍ଣ୍ଣର କିମ୍ବା ସମାଜର ସମାନ ସ୍ତରର ଲୋକଙ୍କ ସହିତ ଏବଂ ସାଥୀ ବିଶ୍ୱାସୀମାନଙ୍କ ସହିତ ନୁହେଁ, ବରଂ ‘ସମସ୍ତଙ୍କର ମଙ୍ଗଳ କରନ୍ତୁ ।’—ଗାଲାତୀୟ ୬:୧୦.
ବହୁମୂଲ୍ୟ ରତ୍ନ ଖୋଜନ୍ତୁ
ଅଧ୍ୟୟନ ବାଇବଲ—ଲୂକ ୧୦:୧୮ ଅଧ୍ୟୟନ ତଥ୍ୟ
ବିଜୁଳି ପରି ସ୍ୱର୍ଗରୁ ଶୟତାନକୁ ପଡ଼ିବା ମୁଁ ଦେଖୁଥିଲି: ଏହା ସ୍ପଷ୍ଟ ଯେ ଶୟତାନକୁ ସ୍ୱର୍ଗରୁ ତଡ଼ି ଦିଆଯିବ ବୋଲି ଯୀଶୁ ଏଠାରେ ଭବିଷ୍ୟତବାଣୀ କରୁଥିଲେ । କିନ୍ତୁ ସେ ଏକଥାକୁ ଏପରି କହିଲେ, ସତେ ଯେପରି ତାହା ପୂରଣ ହୋଇସାରିଥିଲା । ପ୍ରକା ୧୨:୭-୯ ପଦ ଅନୁଯାୟୀ ସ୍ୱର୍ଗରେ ଯୁଦ୍ଧ ହୋଇଥାʼନ୍ତା ଏବଂ ଖ୍ରୀଷ୍ଟୀୟ ରାଜ୍ୟ ସ୍ଥାପନ ହେବାର ତୁରନ୍ତ ପରେ ଶୟତାନକୁ ସେଠାରୁ ତଡ଼ି ଦିଆଯାଇଥାʼନ୍ତା । ଯୀଶୁ ଏଠାରେ କହୁଥିଲେ ଯେ ଏହି ଯୁଦ୍ଧରେ ଶୟତାନ ଓ ତାʼର ଦୁଷ୍ଟ ଦୂତମାନଙ୍କର ପରାଜୟ ନିଶ୍ଚିତ ଅଟେ, କାରଣ ଈଶ୍ୱର ଏବେ ଟିକିଏ ପୂର୍ବରୁ ୭୦ ଜଣ ଶିଷ୍ୟଙ୍କୁ, ଅର୍ଥାତ୍ ଅସିଦ୍ଧ ମଣିଷମାନଙ୍କୁ ଦୁଷ୍ଟ ଦୂତ ବା ଭୂତ ଛଡ଼ାଇବା ପାଇଁ ଶକ୍ତି ଦେଇଥିଲେ ।—ଲୂକ ୧୦:୧୭.
ପ୍ର୦୮-ହି ୩/୧୫ ୩୧ ¶୧୨
ଲୂକ ବହିର ମୁଖ୍ୟାଂଶ
୧୦:୧୮—ଯେତେବେଳେ ଯୀଶୁ ନିଜ ୭୦ ଜଣ ଶିଷ୍ୟଙ୍କୁ କହିଲେ: “ବିଜୁଳି ପରି ସ୍ୱର୍ଗରୁ ଶୟତାନକୁ ପଡ଼ିବା ମୁଁ ଦେଖୁଥିଲି,” ତାହାଙ୍କ କହିବାର ଅର୍ଥ କʼଣ ଥିଲା? ଯୀଶୁ ଏହା କହୁ ନ ଥିଲେ ଯେ ସେସମୟରେ ଶୟତାନକୁ ସ୍ୱର୍ଗରୁ ତଡ଼ି ଦିଆଯାଇଥିଲା । ଏହି ଘଟଣା ତ ୧୯୧୪ ମସିହାରେ ଯୀଶୁ ସ୍ୱର୍ଗରେ ରାଜା ହେବାର କିଛି ସମୟ ପରେ ଘଟିଲା । (ପ୍ରକା. ୧୨:୧-୧୦) ଆମେ ନିଶ୍ଚିତ ଭାବେ ଏହା କହିପାରିବା ନାହିଁ ଯେ ଯୀଶୁଙ୍କ ଏପରି କହିବାର ଅର୍ଥ କʼଣ ଥିଲା । କିନ୍ତୁ ଯୀଶୁ ଭବିଷ୍ୟତରେ ହେବାକୁ ଯାଉଥିବା ଘଟଣାକୁ ଏପରି ଭାବେ କହିଲେ ସତେ ଯେପରି ତାହା ପୂରଣ ହୋଇସାରିଥିଲା । ଯୀଶୁ ହୁଏତ ଜୋର୍ ଦେବାକୁ ଚାହୁଁଥିଲେ ଯେ ଏହି ଘଟଣା ଘଟିବା ସୁନିଶ୍ଚିତ ।
ଅଧ୍ୟୟନ ବାଇବଲ—ଲୂକ ୧୧:୫-୯ ଅଧ୍ୟୟନ ତଥ୍ୟ
ହେ ବନ୍ଧୁ, ମୋତେ ତିନୋଟି ରୋଟୀ ଉଧାର ଦିଅ: ମଧ୍ୟ ପୂର୍ବ ଦେଶଗୁଡ଼ିକରେ ଲୋକେ ଅତିଥିସତ୍କାର କରିବାକୁ ଏକ ଦାୟିତ୍ୱ ବୋଲି ମନେ କରୁଥିଲେ । ଠିକ୍ ଯେପରି ଉଦାହରଣରେ ଦର୍ଶାଯାଇଛି, ଲୋକେ ଏଥିପାଇଁ କିଛି ବି କରିବା ପାଇଁ ପ୍ରସ୍ତୁତ ଥିଲେ । ଅତିଥି ଅଧରାତିରେ ପହଞ୍ଚନ୍ତି, ଯେଉଁଥିରୁ ଜଣାପଡ଼େ ଯେ ପ୍ରାଚୀନ ସମୟରେ ଯାତ୍ରା କରିବା ବେଳେ କିଛି ବି ସମସ୍ୟା ଦେଖାଦେଉଥିଲା । ଫଳରେ ଯାତ୍ରୀମାନଙ୍କୁ ନିର୍ଦ୍ଧାରିତ ସମୟରେ ଠିକ୍ ଜାଗାରେ ପହଞ୍ଚିବା ସମ୍ଭବପର ନ ଥିଲା । ଅତିଥି ଏପରି ସମୟରେ ଆସିଥିବା ସତ୍ତ୍ୱେ ଘରମାଲିକକୁ ଲାଗେ ଯେ ଅତିଥିଙ୍କୁ କିଛି ନା କିଛି ଖାଇବାକୁ ଦେବାକୁ ହିଁ ପଡ଼ିବ । ଏପରିକି ସେ ଏତେ ରାତିରେ ନିଜ ପଡ଼ୋଶୀକୁ ନିଦରୁ ଉଠାଇ ତାକୁ ଖାଦ୍ୟ ମାଗିବା ପାଇଁ ମଧ୍ୟ ପ୍ରସ୍ତୁତ ଥିଲା ।
ମୋତେ କଷ୍ଟ ଦିଅ ନାହିଁ: ଏହି ଦୃଷ୍ଟାନ୍ତରେ ପଡ଼ୋଶୀ ଜଣକ ମନା କରିବାର କାରଣ ଏହା ନ ଥିଲା ଯେ ସେ ନିର୍ଦ୍ଦୟୀ ଥିଲା, ବରଂ ସେସମୟରେ ସେ ଶୋଇଥିଲା । ପ୍ରାଚୀନ ସମୟରେ ବିଶେଷ କରି ଗରିବମାନଙ୍କର ଘରେ ଏକମାତ୍ର ବଡ଼ କଠୋରୀ ରହୁଥିଲା । ଯଦି ସେ ନିଦରୁ ଉଠନ୍ତା, ତେବେ ପରିବାରର ବାକି ସଦସ୍ୟ, ଏପରିକି ପିଲାମାନେ ମଧ୍ୟ ନିଦରୁ ଉଠିଯାଇଥାʼନ୍ତେ ।
ଥରକୁ ଥର ମାଗିବାରୁ: ଏଠାରେ ବ୍ୟବହୃତ ହୋଇଥିବା ଗ୍ରୀକ୍ ଶବ୍ଦର ଶାବ୍ଦିକ ଅର୍ଥ ହେଉଛି, “ଅଶାଳୀନ ଭାବେ” କିମ୍ବା “ନିର୍ଲଜ୍ଜ ଭାବେ ।” କିନ୍ତୁ ଏ ସନ୍ଦର୍ଭରେ ଏହି ଶବ୍ଦ ହାର୍ ନ ମାନି ବାରମ୍ବାର ମାଗିବାକୁ ସୂଚାଏ । ଯୀଶୁଙ୍କ ଦୃଷ୍ଟାନ୍ତରେ କୁହାଯାଇଥିବା ଲୋକଟିକୁ ଯାହା ଆବଶ୍ୟକ ଥିଲା, ସେ ତାକୁ ମାଗିବାରେ ଲଜ୍ଜା ଅନୁଭବ କଲା ନାହିଁ କିମ୍ବା ବାରମ୍ବାର ମାଗିବାରେ ହାର୍ ମାନିଲା ନାହିଁ । ଯୀଶୁ ନିଜ ଶିଷ୍ୟମାନଙ୍କୁ କହିଲେ ଯେ ସେମାନେ ଏହିଭଳି ବାରମ୍ବାର ପ୍ରାର୍ଥନା କରିବା ଉଚିତ୍ ।—ଲୂକ ୧୧:୯, ୧୦.
୨୩-୨୯ ଜୁଲାଇ
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଲୂକ ୧୨-୧୩
“ତୁମ୍ଭେମାନେ ଅନେକ ଘରଚଟିଆଠାରୁ ଶ୍ରେଷ୍ଠ”
ଅଧ୍ୟୟନ ବାଇବଲ—ଲୂକ ୧୨:୬ ଅଧ୍ୟୟନ ତଥ୍ୟ
ଘରଚଟିଆ: ଏହି ଶବ୍ଦ ପାଇଁ ବ୍ୟବହୃତ ହୋଇଥିବା ଗ୍ରୀକ୍ ଶବ୍ଦ ଷ୍ଟ୍ରୁଥିଓନ ଯେକୌଣସି ଛୋଟ ଚଢ଼େଇକୁ ବୁଝାଏ । କିନ୍ତୁ ଏହି ଶବ୍ଦ ସାଧାରଣତଃ ଘରଚଟିଆ ପାଇଁ ବ୍ୟବହୃତ ହେଉଥିଲା, ଯାହା ଭୋଜନ ପାଇଁ ସବୁଠାରୁ ଶସ୍ତା ଚଢ଼େଇ ଥିଲା ।
ଅଧ୍ୟୟନ ବାଇବଲ—ଲୂକ ୧୨:୭ ଅଧ୍ୟୟନ ତଥ୍ୟ
ତୁମ୍ଭମାନଙ୍କର ମସ୍ତକର ସମସ୍ତ କେଶ ହିଁ ଗଣାଯାଇଛି: ଜଣେ ବ୍ୟକ୍ତିର ମୁଣ୍ଡରେ ହାରାହାରି ୧,୦୦,୦୦୦ କେଶ ଥାଏ ବୋଲି କୁହାଯାଏ । ଯିହୋବାଙ୍କର ଏପରି ଟିକିନିଖି ତଥ୍ୟ ରଖିବା ଆମକୁ ଭରସା ଦିଏ ଯେ ତାହାଙ୍କଠାରେ ଖ୍ରୀଷ୍ଟଙ୍କର ପ୍ରତ୍ୟେକ ଅନୁଗାମୀମାନଙ୍କ ପାଇଁ ଗଭୀର ଆଗ୍ରହ ରହିଛି ।
ଯିହୋବାଙ୍କ ନିକଟବର୍ତ୍ତୀ (ହିନ୍ଦୀ) ୨୪୧ ¶୪-୫
କୌଣସି ଜିନିଷ ‘ଈଶ୍ୱରଙ୍କ ପ୍ରେମରୁ ଆମ୍ଭମାନଙ୍କୁ ବିଚ୍ଛିନ୍ନ କରିପାରିବ ନାହିଁ’
ବାଇବଲ ଶିଖାଏ ଯେ ଈଶ୍ୱରଙ୍କ ଦୃଷ୍ଟିରେ ତାହାଙ୍କର ପ୍ରତ୍ୟେକ ସେବକ ବହୁମୂଲ୍ୟ । ଉଦାହରଣସ୍ୱରୂପ, ଯୀଶୁ କହିଲେ: “ଦୁଇଟି ଘରଚଟିଆ କଅଣ ଗୋଟିଏ ପଇସାରେ ବିକାଯାଆନ୍ତି ନାହିଁ? ଆଉ, ତୁମ୍ଭମାନଙ୍କର ପିତାଙ୍କର ଅନୁମତି ବିନା ସେମାନଙ୍କ ମଧ୍ୟରୁ ଗୋଟିଏ ହେଲେ ତଳେ ପଡ଼େ ନାହିଁ; କିନ୍ତୁ ତୁମ୍ଭମାନଙ୍କ ମସ୍ତକର ସମସ୍ତ କେଶ ହିଁ ଗଣାଯାଇଅଛି । ଏଣୁ ଭୟ କର ନାହିଁ, ତୁମ୍ଭେମାନେ ଅନେକ ଘରଚଟିଆଠାରୁ ଶ୍ରେଷ୍ଠ ।” (ମାଥିଉ ୧୦:୨୯-୩୧) ଯୀଶୁଙ୍କ କଥା ଶୁଣୁଥିବା ଲୋକମାନଙ୍କ ପାଇଁ ଏହା କʼଣ ଅର୍ଥ ରଖୁଥିଲା?
ଆମେ ହୁଏତ ଭାବିପାରୁ ଯେ ଘରଚଟିଆ କିଏ ବା କିଣିବ? ଯୀଶୁଙ୍କ ସମୟରେ ଘରଚଟିଆ ସବୁଠାରୁ ଶସ୍ତା ଚଢ଼େଇ ଥିଲା । ଗୋଟିଏ ପଇସାରେ ଦୁଇଟି ଘରଚଟିଆ କିଣା ଯାଇପାରୁଥିଲା । ଯୀଶୁ କହିଲେ ଯେ ଯଦି ଜଣେ ଲୋକ ଦୁଇଟି ପଇସା ଖର୍ଚ୍ଚ କରିବାକୁ ପ୍ରସ୍ତୁତ ଥିଲା, ତେବେ ତାକୁ ଚାରିଟି ଜାଗାରେ ପାଞ୍ଚୋଟି ଘରଚଟିଆ ମିଳୁଥିଲା । ପଞ୍ଚମ ଘରଚଟିଆକୁ ସେମିତି ହିଁ ମାଗଣାରେ ଦିଆଯାଉଥିଲା । ମଣିଷର ଦୃଷ୍ଟିରେ ଏହି ଚଢ଼େଇଗୁଡ଼ିକର ମୂଲ୍ୟ ହୁଏତ କିଛି ନ ଥିଲା । କିନ୍ତୁ ସୃଷ୍ଟିକର୍ତ୍ତା ସେଗୁଡ଼ିକୁ କେଉଁ ଦୃଷ୍ଟିରେ ଦେଖନ୍ତି? ଯୀଶୁ କହିଲେ: “ସେମାନଙ୍କ ମଧ୍ୟରୁ ଗୋଟିଏ [ସେହି ପଞ୍ଚମଟି ମଧ୍ୟ] ହେଲେ ଈଶ୍ୱରଙ୍କ ଛାମୁରେ ବିସ୍ମୃତ ନୁହେଁ ।” (ଲୂକ ୧୨:୬, ୭) ଯଦି ଯିହୋବା ଏହି ଘରଚଟିଆମାନଙ୍କୁ ଏତେ ପ୍ରାଧାନ୍ୟ ଦିଅନ୍ତି, ତେବେ ଭାବି ଦେଖନ୍ତୁ ତାହାଙ୍କ ଦୃଷ୍ଟିରେ ଜଣେ ମଣିଷର ମୂଲ୍ୟ କେତେ ହୋଇ ନ ଥିବ! ଯିହୋବା ଆମ ବିଷୟରେ ପ୍ରତ୍ୟେକ ଟିକିନିଖି କଥା ଜାଣନ୍ତି । ଏପରିକି ଆମ ମୁଣ୍ଡର ସମସ୍ତ କେଶ ମଧ୍ୟ ଗଣାଯାଇଛି ।
ବହୁମୂଲ୍ୟ ରତ୍ନ ଖୋଜନ୍ତୁ
ଅଧ୍ୟୟନ ବାଇବଲ—ଲୂକ ୧୩:୨୪ ଅଧ୍ୟୟନ ତଥ୍ୟ
ପ୍ରାଣପଣ କର: କିମ୍ବା “ସଂଘର୍ଷ କରିବା ଜାରି ରଖ ।” ଯୀଶୁ ନିଜ ପରାମର୍ଶରେ ଜୋର୍ ଦେଲେ ଯେ ସଂକୀର୍ଣ୍ଣ ଦ୍ୱାର ଦେଇ ପ୍ରବେଶ କରିବା ପାଇଁ ଜଣେ ବ୍ୟକ୍ତିକୁ ସମ୍ପୂର୍ଣ୍ଣ ହୃଦୟର ସହିତ କଠିନ ପରିଶ୍ରମ କରିବାକୁ ହେବ । ଭିନ୍ନ ଭିନ୍ନ ବହିଗୁଡ଼ିକରେ କୁହାଯାଇଛି ଯେ ଏହି ଶବ୍ଦଗୁଡ଼ିକର ଅନୁବାଦ ଏପରି ମଧ୍ୟ କରାଯାଇପାରେ: “ପ୍ରାଣପଣେ ଚେଷ୍ଟା କର; ପ୍ରତ୍ୟେକ ପ୍ରକାରର ଚେଷ୍ଟା କର ।” ଗ୍ରୀକ୍ କ୍ରିୟା ଆଗୋନାଇଜୋମାଇର ଗ୍ରୀକ୍ ବିଶେଷ୍ୟ ଆଗୋନ୍ ସହିତ ସମ୍ବନ୍ଧ ରହିଛି, ଯାହା ସାଧାରଣତଃ ଖେଳ ପ୍ରତିଯୋଗିତା ପାଇଁ ବ୍ୟବହୃତ ହେଉଥିଲା । ଏବ୍ରୀ ୧୨:୧ ପଦରେ ଏହି ବିଶେଷ୍ୟ ଲାକ୍ଷଣିକ ଭାବେ “ଧାବମାନ” ହେବା ବା ଦୌଡ଼ିବା ପାଇଁ ବ୍ୟବହୃତ ହୋଇଛି । ଏହି ପଦ ଅନୁଯାୟୀ ସବୁ ଖ୍ରୀଷ୍ଟିୟାନମାନେ ଜୀବନର ଏକ ଦୌଡ଼ରେ ସାମିଲ୍ ଅଛନ୍ତି । ଏହି ଗ୍ରୀକ୍ କ୍ରିୟାକୁ ମୋଟାମୋଟି ଭାବେ “ଯୁଦ୍ଧ” (ଫିଲିପ୍ ୧:୩୦), “ପ୍ରାଣପଣ” (କଲ ୨:୧), କିମ୍ବା “ଯୁଦ୍ଧରେ ପ୍ରାଣପଣ” (୧ତୀମ ୬:୧୨; ୨ତୀମ ୪:୭) ପାଇଁ ବ୍ୟବହାର କରାଯାଇଛି । ଗ୍ରୀକ୍ କ୍ରିୟା ଆଗୋନାଇଜୋମାଇର ଭିନ୍ନ ଭିନ୍ନ ରୂପଗୁଡ଼ିକ ଏଭଳି ମଧ୍ୟ କରାଯାଇଛି: “କ୍ରୀଡ଼ାରେ ପ୍ରତିଦ୍ୱନ୍ଦିତା” (୧କରି ୯:୨୫), “ପ୍ରାଣପଣରେ ପରିଶ୍ରମ” (କଲ ୧:୨୯), ‘ପ୍ରାଣପଣ କରିବା’ (କଲ ୪:୧୨; ୧ତୀମ ୪:୧୦) ଓ “ଯୁଦ୍ଧରେ ପ୍ରାଣପଣ” (୧ତୀମ ୬:୧୨) । ଯେହେତୁ ଏହି ଶବ୍ଦର ସମ୍ପର୍କ ଖେଳ ପ୍ରତିଯୋଗିତା ସହ ରହିଛି, ତେଣୁ କିଛି ଲୋକେ କହନ୍ତି ଯେ ଯୀଶୁ ଯେଉଁ ସଂଘର୍ଷ କରିବା ପାଇଁ ପ୍ରୋତ୍ସାହନ ଦେଲେ, ତାʼର ତୁଳନା ଜଣେ ଖେଳାଳୀର ପରିଶ୍ରମ ସହିତ କରାଯାଇପାରେ । ଏପରି ଖେଳାଳୀ ପୁରସ୍କାର ପାଇବା ପାଇଁ ନିଜ ସମସ୍ତ ଶକ୍ତି, ସମସ୍ତ ପ୍ରାଣ ଲଗାଇ ଦେଇଥାଏ ।
ଅଧ୍ୟୟନ ବାଇବଲ—ଲୂକ ୧୩:୩୩ ଅଧ୍ୟୟନ ତଥ୍ୟ
ଉଚିତ୍ ନୁହେଁ: କିମ୍ବା “ଚିନ୍ତା ମଧ୍ୟ କରାଯାଇପାରିବ ନାହିଁ (କଳ୍ପନା ମଧ୍ୟ କରାଯାଇପାରିବ ନାହିଁ) ।” ମସୀହଙ୍କ ମୃତ୍ୟୁ ଯିରୂଶାଲମରେ ହେବ ବୋଲି ବାଇବଲର କୌଣସି ଭବିଷ୍ୟତବାଣୀରେ ସ୍ପଷ୍ଟ ଭାବେ କୁହାଯାଇ ନାହିଁ ତାହା ସତ, କିନ୍ତୁ ଦାନି ୯:୨୪-୨୬ ପଦରେ ଏହାର କିଛି ସୂଚନା ମିଳେ । ଏହା ସହିତ, ଯଦି ଯିହୁଦୀମାନେ କୌଣସି ଭବିଷ୍ୟଦ୍ବକ୍ତାଙ୍କୁ ହତ୍ୟା କରନ୍ତେ, ବିଶେଷ କରି ମସୀହଙ୍କୁ, ତେବେ ଏହା ସ୍ପଷ୍ଟ ଯେ ସେମାନେ ତାହାଙ୍କୁ ସେହି ସହରରେ ହିଁ ହତ୍ୟା କରନ୍ତେ । ଯିହୁଦୀମାନଙ୍କର ମହାସଭା ସବୁଠାରୁ ବଡ଼ ଅଦାଲତ ଥିଲା । ଏହାର ୭୧ ଜଣ ସଦସ୍ୟ ଯିରୂଶାଲମରେ ହିଁ ଏକତ୍ରିତ ହେଉଥିଲେ । ତେଣୁ ଯେଉଁ ଲୋକମାନଙ୍କୁ ମିଥ୍ୟା ଭବିଷ୍ୟଦ୍ବକ୍ତା ବୋଲି ଦୋଷାରୋପ କରାଯାଉଥିଲା, ସେମାନଙ୍କ ମୋକଦ୍ଦମାର ଶୁଣାଣି ସେଠାରେ ହିଁ ହେଉଥିଲା । ଯୀଶୁଙ୍କ ମନରେ ଏକଥା ମଧ୍ୟ ଥିବ ଯେ ଯିରୂଶାଲମରେ ହିଁ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ନିୟମିତ ବଳି ଚଢ଼ାଯାଉଥିଲା ଏବଂ ସେଠାରେ ହିଁ ନିସ୍ତାର ପର୍ବର ମେଷଶାବକକୁ ବଳି ପାଇଁ ହତ୍ୟା କରାଯାଉଥିଲା । ଯୀଶୁ ଯାହା କହିଥିଲେ, ତାହା ହିଁ ହେଲା । ତାହାଙ୍କୁ ଯିରୂଶାଲମର ମହାସଭାର ସମ୍ମୁଖରେ ଉପସ୍ଥିତ କରାଗଲା ଏବଂ ଦୋଷୀ ସାବ୍ୟସ୍ତ କରାଗଲା । ତାʼପରେ ଯିରୂଶାଲମର ପ୍ରାଚୀର ବାହାରେ ଅଳ୍ପ ଦୂରରେ ହିଁ “ନିସ୍ତାର ପର୍ବର ମେଷଶାବକ” ରୂପେ ତାହାଙ୍କର ମୃତ୍ୟୁ ହେଲା ।—୧କରି ୫:୭.
୩୦ ଜୁଲାଇ–୫ ଅଗଷ୍ଟ
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଲୂକ ୧୪-୧୬
“ଅପବ୍ୟୟୀ ପୁତ୍ରର ଦୃଷ୍ଟାନ୍ତ”
ଅଧ୍ୟୟନ ବାଇବଲ—ଲୂକ ୧୫:୧୧-୧୬ ଅଧ୍ୟୟନ ତଥ୍ୟ
ଜଣେ ବ୍ୟକ୍ତିଙ୍କର ଦୁଇଟି ପୁତ୍ର ଥିଲେ: ଅପବ୍ୟୟୀ ପୁତ୍ରର (କିମ୍ବା “ବିପଥଗାମୀ ପୁତ୍ର”) ଦୃଷ୍ଟାନ୍ତର ଅନେକ କଥା ଉଲ୍ଲେଖନୀୟ ଅଟେ । ଏହା ଯୀଶୁ କହିଥିବା ସବୁଠାରୁ ଲମ୍ବା ଦୃଷ୍ଟାନ୍ତ । ଏହାର ଏକ ବିଶେଷତା ହେଉଛି ଯେ ଏଥିରେ ପାରିବାରିକ ସମ୍ପର୍କ ବିଷୟରେ କୁହାଯାଇଛି । ଅନ୍ୟ ଦୃଷ୍ଟାନ୍ତଗୁଡ଼ିକରେ ଯୀଶୁ ସାଧାରଣତଃ ନିର୍ଜୀବ ବସ୍ତୁଗୁଡ଼ିକ ବିଷୟରେ କହିଥିଲେ, ଯେପରି— ଭିନ୍ନ ଭିନ୍ନ ବିହନ କିମ୍ବା ମାଟି । ସେ ଦାସ ଓ ମାଲିକର ଦୃଷ୍ଟାନ୍ତ ମଧ୍ୟ ଦେଲେ, କିନ୍ତୁ ସେମାନଙ୍କ ମଧ୍ୟରେ କେବଳ ଔପଚାରିକ ସମ୍ପର୍କ ରହୁଥିଲା । (ମାଥି ୧୩:୧୮-୩୦; ୨୫:୧୪-୩୦; ଲୂକ ୧୯:୧୨-୨୭) କିନ୍ତୁ ଯୀଶୁ ଏହି ଦୃଷ୍ଟାନ୍ତରେ ଜଣେ ପିତା ଓ ତାଙ୍କ ପୁତ୍ରମାନଙ୍କ ମଧ୍ୟରେ ରହିଥିବା ଘନିଷ୍ଟ ସମ୍ପର୍କ ବିଷୟରେ କହିଲେ । ଏହି ଦୃଷ୍ଟାନ୍ତକୁ ଯେଉଁମାନେ ଶୁଣନ୍ତି, ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କ ପିତା ହୁଏତ ଏତେ ଦୟାଳୁ ଓ ସହୃଦୟ ହୋଇ ନ ଥିବେ । ଏହି ଦୃଷ୍ଟାନ୍ତରୁ ଜଣାପଡ଼େ ଯେ ସ୍ୱର୍ଗରେ ରହୁଥିବା ପିତାଙ୍କ ହୃଦୟରେ ପୃଥିବୀରେ ଥିବା ନିଜ ପୁତ୍ରମାନଙ୍କ ପାଇଁ କେତେ ଗଭୀର ପ୍ରେମ ଓ କରୁଣା ରହିଛି । ସେ ଏପରି ଲୋକମାନଙ୍କୁ ପ୍ରେମ କରନ୍ତି, ଯେଉଁମାନେ ସର୍ବଦା ତାହାଙ୍କ ନିକଟବର୍ତ୍ତୀ ହୋଇ ରହନ୍ତି ଏବଂ ଯେଉଁମାନେ ବିପଥଗାମୀ ହେବା ପରେ ପୁଣି ଫେରି ଆସନ୍ତି ।
ସାନ ପୁଅ: ମୋଶାଙ୍କ ନିୟମ ଅନୁଯାୟୀ ପ୍ରଥମଜାତ ପୁତ୍ରକୁ ଉତ୍ତରାଧିକାରୀ ଭାବେ ଦୁଇଗୁଣ ଭାଗ ମିଳୁଥିଲା । (ଦ୍ୱିବି ୨୧:୧୭) ତେଣୁ ଏହି ଦୃଷ୍ଟାନ୍ତରେ କୁହାଯାଇଥିବା ଜ୍ୟେଷ୍ଠ ପୁତ୍ର ଯଦି ପ୍ରଥମଜାତ ଥିଲା, ତେବେ ତାକୁ ଯେତେ ଭାଗ ମିଳନ୍ତା ତାʼର ଅଧା ଭାଗ ସାନ ପୁଅକୁ ମିଳନ୍ତା ।
କଦାଚାରରେ: କିମ୍ବା “ଅଯଥା ଖର୍ଚ୍ଚରେ (ବେଖାତିର କିମ୍ବା ବେଲଗାମ ଜୀବନ ଜୀଇଁବାରେ) ।” ଏହା ସମ୍ବବନ୍ଧୀୟ ଗ୍ରୀକ୍ ଶବ୍ଦ ଏଫି ୫:୧୮; ତୀତ ୧:୬; ୧ପିତ ୪:୪ ପଦରେ ବ୍ୟବହୃତ ହୋଇଛି, ଯାହାର ଅର୍ଥ ମଧ୍ୟ ଏଇୟା ଅଟେ । “କଦାଚାରରେ” ପାଇଁ ଗ୍ରୀକ୍ ଶବ୍ଦର ଅର୍ଥରେ ଅଯଥା ଖର୍ଚ୍ଚ କରିବା ମଧ୍ୟ ସାମିଲ୍ ରହିଛି, ତେଣୁ ବାଇବଲର କିଛି ଅନୁବାଦଗୁଡ଼ିକରେ “ଅପବ୍ୟୟରେ” ବୋଲି ଲେଖା ହୋଇଛି ।
ଉଡ଼ାଇଦେଲା: ଏଠାରେ ବ୍ୟବହୃତ ହୋଇଥିବା ଗ୍ରୀକ୍ ଶବ୍ଦର ଶାବ୍ଦିକ ଅର୍ଥ ହେଉଛି, “ଛିନ୍ନଭିନ୍ନ କରିବା (ଚାରିଆଡ଼େ) ।” (ଲୂକ ୧:୫୧; ପ୍ରେରି ୫:୩୭) ମାଥି ୨୫:୨୪, ୨୬ ପଦରେ ଏହି କ୍ରିୟାକୁ ‘ଶସ୍ୟ ଉଡ଼ାଇବା’ ବୋଲି ଅନୁବାଦ କରାଯାଇଛି । କିନ୍ତୁ ଏଠାରେ ଏହାର ଅର୍ଥ ହେଉଛି, ଅଯଥା ଖର୍ଚ୍ଚ କରିବା କିମ୍ବା ସମ୍ପତ୍ତି ନଷ୍ଟ କରିବା ।
ଘୁଷୁରି ଚରାଇବା: ବ୍ୟବସ୍ଥା ଅନୁସାରେ ଏହି ପଶୁ ଅଶୁଚି ଥିଲା । ତେଣୁ ଯିହୁଦୀମାନେ ଏହି କାମକୁ ଅତି ନୀଚ ବା ଘୃଣାଜନକ ବୋଲି ମନେ କରୁଥିଲେ ।—ଲେବୀ ୧୧:୭, ୮.
ଶିମ: ଏହି ଫଳଗୁଡ଼ିକ ବାଇଗଣୀ-ମାଟିଆ ରଙ୍ଗର ହୋଇଥାଏ ଏବଂ ଏହାର ଚୋପା ଚମଡ଼ା ଭଳି ହୋଇଥାଏ ଓ ଚକ୍ଚକ୍ କରୁଥାଏ । ଏହି ଫଳଗୁଡ଼ିକ ଶିଙ୍ଗ ଭଳି ବଙ୍କା ହୋଇଥାଏ । ଏକଥା ଏହାର ଗ୍ରୀକ୍ ନାମ (କୀରାଟିୟୋନ୍)ର ଶାବ୍ଦିକ ଅର୍ଥ (“ଛୋଟ ଶିଙ୍ଗ”) ସହିତ ମେଳ ଖାଏ । ଏହି ଫଳଗୁଡ଼ିକ ଆଜି ମଧ୍ୟ ଘୋଡ଼ା, ଗାଈଗୋରୁ ଓ ଘୁଷୁରିମାନଙ୍କୁ ଖାଇବାକୁ ଦିଆଯାଇଥାଏ । ଏହି ଯୁବକ ଜଣକ ଘୁଷୁରିମାନଙ୍କ ଖାଦ୍ୟ ଖାଇବା ପାଇଁ ମଧ୍ୟ ପ୍ରସ୍ତୁତ ଥିଲା । ଏଥିରୁ ଜଣାପଡ଼େ ଯେ ତାʼର ପରିସ୍ଥିତି କେତେ ଶୋଚନୀୟ ହୋଇଯାଇଥିଲା ।—ଲୂକ ୧୫:୧୫ ପଦର ଅଧ୍ୟୟନ ତଥ୍ୟ ଦେଖନ୍ତୁ ।
ଅଧ୍ୟୟନ ବାଇବଲ—ଲୂକ ୧୫:୧୭-୨୪ ଅଧ୍ୟୟନ ତଥ୍ୟ
ତୁମ୍ଭ ଦୃଷ୍ଟିରେ: କିମ୍ବା “ତୁମ୍ଭ ବିରୁଦ୍ଧରେ ।” ଗ୍ରୀକ୍ ସମ୍ବନ୍ଧସୂଚକ ଅବ୍ୟୟ ଇନୋପିଓନ୍ର ଶାବ୍ଦିକ ଅର୍ଥ ହେଉଛି, “ସମ୍ମୁଖରେ; ଦୃଷ୍ଟିରେ ।” ସେପ୍ଟୁଆଜେଣ୍ଟ୍ରେ ଏହି ଶବ୍ଦକୁ ୧ଶାମୁ ୨୦:୧ ପଦରେ ସମାନ ଅର୍ଥ ଦେବା ପାଇଁ ବ୍ୟବହାର କରାଯାଇଛି । ଏହି ପଦରେ ଦାଉଦ ଯୋନାଥନଙ୍କୁ କହିଲେ: “ତୁମ୍ଭ ପିତାଙ୍କ ଛାମୁରେ ମୋହର ପାପ କଅଣ?”
ମୂଲିଆ: ଯେତେବେଳେ ସାନ ପୁଅ ଘରକୁ ଫେରିବାର ନିଷ୍ପତ୍ତି ନେଲା, ସେ ଭାବିଲା ଯେ ସେ ନିଜ ପିତାଙ୍କୁ ଗୋଟିଏ ଅନୁରୋଧ କରିବ । ସେ କହିବ ଯେ ତାʼ ପିତା ତାକୁ ପୁତ୍ର ରୂପେ ଗ୍ରହଣ ନ କରି ମୂଲିଆ ରୂପେ ରଖନ୍ତୁ । ମୂଲିଆ ଓ ଦାସମାନଙ୍କ ମଧ୍ୟରେ ତଫାତ୍ ଥିଲା । ଦାସମାନେ ମାଲିକର ସମ୍ପତ୍ତିର ଭାଗ ଥିଲେ ଏବଂ ଘରେ ହିଁ ରହୁଥିଲେ । କିନ୍ତୁ ମୂଲିଆମାନେ ବାହାର ଲୋକ ଥିଲେ ଏବଂ ସେମାନଙ୍କୁ ସାଧାରଣତଃ କେବଳ ଗୋଟିଏ ଦିନ ପାଇଁ କାମରେ ରଖାଯାଉଥିଲା ।—ମାଥି ୨୦:୧, ୨, ୮.
ଅତି ସ୍ନେହରେ ଚୁମ୍ବନ ଦେଲେ: ଯେଉଁ ଗ୍ରୀକ୍ କ୍ରିୟାର ଅନୁବାଦ “ଅତି ସ୍ନେହରେ ଚୁମ୍ବନ ଦେଲେ” କରାଯାଇଛି, ତାକୁ ଫିଲିଓର ଆହୁରି ଗଭୀର ରୂପ ବୋଲି ବୁଝାଯାଏ । ବେଳେ ବେଳେ ଏହି କ୍ରିୟାର ଅନୁବାଦ ‘ଚୁମ୍ବନ କରିବା’ ବୋଲି କରାଯାଇଛି (ମାଥି ୨୬:୪୮; ମାର୍କ ୧୪:୪୪; ଲୂକ ୨୨:୪୭) । କିନ୍ତୁ ଅନେକ ସମୟରେ ଏହାର ଅନୁବାଦ ‘ସ୍ନେହ କରିବା’ ବୋଲି ମଧ୍ୟ କରାଯାଇଛି (ଯୋହ ୫:୨୦; ୧୧:୩; ୧୬:୨୭) । ଦୃଷ୍ଟାନ୍ତରେ କୁହାଯାଇଥିବା ପିତା ନିଜ ସାନ ପୁଅକୁ ଯେଭଳି ଭାବେ ପ୍ରେମର ସହିତ ସ୍ୱାଗତ କଲେ, ତାହା ଦେଖାଏ ଯେ ଅନୁତାପ କରୁଥିବା ପୁଅକୁ ପୁଣିଥରେ ଆପଣାଇବା ପାଇଁ ପିତା ପ୍ରସ୍ତୁତ ଥିଲେ ।
ତୁମ୍ଭ ପୁଅ ବୋଲି ଡକାଯିବାର: କିଛି ପାଣ୍ଡୁଲିପିରେ ଏହି ବାକ୍ୟ ମଧ୍ୟ ଲେଖାଅଛି: “ମୋତେ ତୁମ୍ଭର ଜଣେ ମୂଲିଆ ପରି ରଖ ।” କିନ୍ତୁ ଲୂକ ୧୫:୨୧ ପଦରେ ଏହି ବାକ୍ୟ ନାହିଁ, ଯାହାର ଆଧାର ସବୁଠାରୁ ପ୍ରାଚୀନ ଓ ବିଶ୍ୱାସଯୋଗ୍ୟ ପାଣ୍ଡୁଲିପିଗୁଡ଼ିକରେ ମିଳିଥାଏ । କିଛି ବିଦ୍ୱାନ୍ କହନ୍ତି ଯେ ଏହି ପଦ ଲୂକ ୧୫:୧୯ ପଦ ସହିତ ମେଳ ଖାଇବ ବୋଲି ଏ ବାକ୍ୟକୁ ଏଠାରେ ଯୋଡ଼ା ଯାଇଛି ।
ଲୁଗା . . . ମୁଦି . . . ପାଦୁକା: ଏହି ଲୁଗା କୌଣସି ସାମାନ୍ୟ ଲୁଗା ନ ଥିଲା, ବରଂ ଏହା ସବୁଠାରୁ ଭଲ ଲୁଗା ଥିଲା । ହୁଏତ ସେଥିରେ ସୁନ୍ଦର ଶିଳ୍ପାକାରର କାମ କରାଯାଇଥିଲା । ଏଭଳି ଲୁଗା ସାଧାରଣତଃ ବିଶେଷ ଅତିଥିମାନଙ୍କୁ ଦିଆଯାଉଥିଲା । ମୁଦି ପିନ୍ଧାଇବା ନା କେବଳ ପିତାଙ୍କ ପ୍ରେମ ଓ ମଞ୍ଜୁରିକୁ ସୂଚାଏ, ବରଂ ଏହା ମଧ୍ୟ ଦେଖାଏ ଯେ ସେ ତାକୁ ଆଗଭଳି ମାନ ସମ୍ମାନ ଓ ମର୍ଯ୍ୟାଦା ଦେବାକୁ ଚାହୁଁଥିଲେ । ସାଧାରଣତଃ ଦାସମାନେ ମୁଦି ଓ ପାଦୁକା ପିନ୍ଧୁ ନ ଥିଲେ । ତେଣୁ ନିଜ ପୁଅକୁ ମୁଦି ଓ ପାଦୁକା ପିନ୍ଧାଇ ପିତା ସ୍ପଷ୍ଟ କଲେ ଯେ ସେ ନିଜ ପୁଅକୁ ପୁଣିଥରେ ପରିବାରର ସଦସ୍ୟ ରୂପେ ଗ୍ରହଣ କରିଛନ୍ତି ।
ବହୁମୂଲ୍ୟ ରତ୍ନ ଖୋଜନ୍ତୁ
ଅଧ୍ୟୟନ ବାଇବଲ—ଲୂକ ୧୪:୨୬ ଅଧ୍ୟୟନ ତଥ୍ୟ
ଅପ୍ରିୟ ଜ୍ଞାନ କରିବା: ବାଇବଲରେ ‘ଅପ୍ରିୟ ଜ୍ଞାନ କରିବା’ ଶବ୍ଦସମୂହର ଅନେକ ଅର୍ଥ ରହିଛି । ଗୋଟିଏ ଅର୍ଥ ହେଉଛି: ଶତ୍ରୁତା, ଯାହା ଯୋଗୁଁ ଜଣେ ବ୍ୟକ୍ତି ଅନ୍ୟକୁ କ୍ଷତି ପହଞ୍ଚାଇବା ପାଇଁ ଚିନ୍ତା କରେ । ଆଉ ଏକ ଅର୍ଥ ହେଉଛି, କୌଣସି ବ୍ୟକ୍ତି କିମ୍ବା ଜିନିଷକୁ ଟିକେ ବି ପସନ୍ଦ ନ କରିବା କିମ୍ବା ଏତେ ଘୃଣା କରିବା ଯେ ତାʼଠାରୁ ସମ୍ପୂର୍ଣ୍ଣ ଦୂରେଇ ରହିବା । ଏହା ଛଡ଼ା, ‘ଅପ୍ରିୟ ଜ୍ଞାନ କରିବାର’ ଅର୍ଥ କାହାରିକୁ କମ୍ ଭଲ ପାଇବା ମଧ୍ୟ ହୋଇପାରେ । ଉଦାହରଣସ୍ୱରୂପ, ଯେବେ କୁହାଯାଏ ଯେ କୌଣସି ପୁରୁଷର ଦୁଇଟି ପତ୍ନୀ ଥାʼନ୍ତି, ଜଣେ ପ୍ରିୟା ଓ ଜଣେ ଅପ୍ରିୟା, ତାʼର ଅର୍ଥ ସେ ଜଣକୁ ଅନ୍ୟ ଅପେକ୍ଷା କମ୍ ପ୍ରେମ କରେ (ଦ୍ୱିବି ୨୧:୧୫) । ପ୍ରାଚୀନ ଯିହୁଦୀ ଲେଖାଗୁଡ଼ିକରେ ମଧ୍ୟ ଏହି ଅର୍ଥ ଦେବା ପାଇଁ ‘ଅପ୍ରିୟ ଜ୍ଞାନ କରିବା’ ଶବ୍ଦସମୂହ ବ୍ୟବହୃତ ହୋଇଛି । ତେଣୁ ଯୀଶୁଙ୍କ କହିବାର ଅର୍ଥ ଏହା ନ ଥିଲା ଯେ ତାହାଙ୍କ ଶିଷ୍ୟମାନେ ନିଜକୁ ଓ ନିଜ ପରିବାରର ସଦସ୍ୟମାନଙ୍କୁ ଘୃଣା କରିବା ଉଚିତ୍ । ଏଭଳି କରିବା ବାଇବଲର ଅନ୍ୟ ପଦଗୁଡ଼ିକରେ ଥିବା ସିଦ୍ଧାନ୍ତଗୁଡ଼ିକର ବିରୁଦ୍ଧରେ ହୋଇଥାʼନ୍ତା । (ମାର୍କ ୧୨:୨୯-୩୧; ଏଫି ୫:୨୮, ୨୯, ୩୩ ସହିତ ତୁଳନା କରନ୍ତୁ ।) ତେଣୁ ଏହି ସନ୍ଦର୍ଭରେ “ଅପ୍ରିୟ ଜ୍ଞାନ ନ କରେ” ଶବ୍ଦସମୂହର ଅନୁବାଦ “କମ୍ ପ୍ରେମ ନ କରେ” ମଧ୍ୟ କରାଯାଇପାରେ ।
ପ୍ର୧୭.୦୭-ହି ୮-୯ ¶୭-୮
ପ୍ରକୃତ ଧନ ଖୋଜିବା ଜାରି ରଖନ୍ତୁ
ଲୂକ ୧୬:୧୦-୧୩ ପଢ଼ନ୍ତୁ । ବେବର୍ତ୍ତା ଜଣକ ନିଜ ବ୍ୟକ୍ତିଗତ ଲାଭ ପାଇଁ ଲୋକଙ୍କ ସହିତ ମିତ୍ରତା କଲା । କିନ୍ତୁ ଯୀଶୁ ନିଜ ଶିଷ୍ୟମାନଙ୍କୁ ପ୍ରୋତ୍ସାହନ ଦେଲେ ଯେ ସେମାନେ କୌଣସି ସ୍ୱାର୍ଥ ନ ରଖି ସ୍ୱର୍ଗରେ ମିତ୍ରତା କରନ୍ତୁ । ସେ ବୁଝାଇବାକୁ ଚାହୁଁଥିଲେ ଯେ ଆମେ ଧନସମ୍ପତ୍ତିର ଯେଭଳି ବ୍ୟବହାର କରୁ, ସେଥିରୁ ପ୍ରମାଣିତ ହୁଏ ଯେ ଆମେ ଈଶ୍ୱରଙ୍କ ବିଶ୍ୱସ୍ତ ନା ନୋହୁଁ । ଆମେ ଧନସମ୍ପତ୍ତିର ସଠିକ୍ ବ୍ୟବହାର କିପରି କରିପାରିବା?
ଏହାର ଗୋଟିଏ ଉପାୟ ହେଉଛି, ପ୍ରଚାର କାମ ପାଇଁ ଦାନ ଦେବା । (ମାଥି. ୨୪:୧୪) ଭାରତରେ ରହୁଥିବା ଏକ ଛୋଟିଆ ଝିଅର ଉଦାହରଣ ପ୍ରତି ଧ୍ୟାନ ଦିଅନ୍ତୁ । ସେ ଗୋଟେ କୁମ୍ପିରେ ପଇସା ଜମା କରୁଥିଲା । ବହୁ ସମୟ ଧରି ସେ ନିଜ ପାଇଁ କୌଣସି ଖେଳନା ମଧ୍ୟ କିଣିଲା ନାହିଁ । ଯେତେବେଳେ କୁମ୍ପି ଭରିଗଲା, ସେ ସମସ୍ତ ପଇସା ଦାନ କରିଦେଲା । ଏହି ଦେଶରେ ରହୁଥିବା ଜଣେ ଭାଇ ନଡ଼ିଆ ଚାଷ କରନ୍ତି । ସେ ମାଲାୟଲମ୍ ଭାଷାର ରିମୋଟ୍ ଟ୍ରାନ୍ସଲେସନ୍ ଅଫିସ୍କୁ ବହୁତଗୁଡ଼ିଏ ନଡ଼ିଆ ଦାନ କଲେ । ସେଠାକାର ଭାଇମାନଙ୍କୁ ନଡ଼ିଆର ଆବଶ୍ୟକ ହୋଇଥାଏ । ଭାଇଙ୍କୁ ଲାଗିଲା ଯେ ପଇସା ଦେବା ବଦଳରେ ନଡ଼ିଆ ଦେବା ଦ୍ୱାରା ଅଧିକ ଭଲ ହେବ । ଭାଇ ଜଣକ ବୁଦ୍ଧିମତ୍ତାର କାମ କଲେ । ଗ୍ରୀସ୍ ଦେଶରେ ରହୁଥିବା ଭାଇମାନେ ମଧ୍ୟ ଏପରି ହିଁ କରନ୍ତି । ସେମାନେ ବୈଥେଲ ପରିବାରକୁ ଅଲିଭ୍ ତେଲ, ପନିର ଓ ଅନ୍ୟାନ୍ୟ ଖାଇବା ଜିନିଷ ଦାନ କରିଥାʼନ୍ତି ।
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ସଜା-ଇଂ ୧୨/୦୬ ୧୩-୧୫
ମୁଁ ଅପବ୍ୟୟୀ ପୁତ୍ର ଥିଲି
ମେରୋସ୍ ୱିଲିୟମ୍ ସଣ୍ଡେଙ୍କ ଅନୁଭୂତିରୁ
ମୋତେ ଛୋଟବେଳୁ ହିଁ ଈଶ୍ୱରଙ୍କୁ ପ୍ରେମ କରିବା ଶିଖା ଯାଇଥିଲା । କିନ୍ତୁ ମୁଁ ୧୮ ବର୍ଷ ବୟସରେ ମୋ ବାପାମାଆଙ୍କ ବିରୁଦ୍ଧରେ ଗଲି ଏବଂ ଘର ଛାଡ଼ି ଚାଲିଗଲି । ଯୀଶୁଙ୍କ ଦୃଷ୍ଟାନ୍ତର ଅପବ୍ୟୟୀ ପୁତ୍ର ଭଳି, ମୁଁ ୧୩ ବର୍ଷ ପର୍ଯ୍ୟନ୍ତ ବାହାରେ ବାଳୁଙ୍ଗା ଜୀବନ ବିତାଇଲି । (ଲୂକ ୧୫:୧୧-୨୪) ମୁଁ ଡ୍ରଗ୍ସର ଦଲାଲି କରିବାକୁ ଲାଗିଲି । ଚାଲନ୍ତୁ ମୁଁ କହିବି ଯେ କିପରି ମୁଁ ବିଗିଡ଼ି ଗଲି ଏବଂ ପୁଣିଥରେ ଠିକ୍ ବାଟକୁ ଫେରିଆସିଲି ।
ମୋର ଜନ୍ମ ୧୯୫୬ ମସିହାରେ ହୋଇଥିଲା । ଆମେ ନଅ ଭାଇଭଉଣୀ ଥିଲୁ ଏବଂ ମୁଁ ଦ୍ୱିତୀୟ ପୁଅ ଥିଲି । ବାପାମାʼ ଗୀର୍ଜାର ସଦସ୍ୟ ଥିଲେ । ଆମେ ନାଇଜେରିଆର ଉତ୍ତର-ପଶ୍ଚିମରେ ଥିବା ଇଲେଶା ସହରରେ ରହୁଥିଲୁ । ବାପା କ୍ୟାଥୋଲିକ୍ ଥିଲେ । ୧୯୪୫ ମସିହାରେ ବାପାଙ୍କ ଜଣେ ସମ୍ପର୍କୀୟ ତାଙ୍କୁ ଈଶ୍ୱରଙ୍କ ବୀଣା (ଇଂରାଜୀ) ନାମକ ଏକ ବହି ଦେଇଥିଲେ । ତାକୁ ପଢ଼ିବା ପରେ ବାପା ସାକ୍ଷୀମାନଙ୍କୁ ଖୋଜିବାକୁ ଲାଗିଲେ । ୧୯୪୬ ମସିହାରେ ତାଙ୍କ ବାଯ୍ତିସ୍ମ ହେଲା ଏବଂ କିଛି ସମୟ ପରେ ମାଆଙ୍କର ମଧ୍ୟ ହେଲା । ଆଜି ବି ମୋର ମନେ ଅଛି ଯେ ଛୋଟ ବେଳେ ଯିହୋବାଙ୍କ ସହିତ ମୋର କେତେ ଭଲ ସମ୍ପର୍କ ଥିଲା ଏବଂ ମୁଁ ବାପାମାଆଙ୍କ ସହିତ ଉତ୍ସାହର ସହିତ ପ୍ରଚାର କରୁଥିଲି । ବାପା ମତେ ବାଇବଲରୁ ଶିଖାଉଥିଲେ । କେବେ କେବେ ଆମର ସର୍କିଟ୍ ଅଧ୍ୟକ୍ଷଙ୍କ ପତ୍ନୀ ଏଲିସ୍ ଓବାରା ବି ମତେ ଶିଖାଉଥିଲେ । ବାପାମାʼ ଚାହୁଁଥିଲେ ଯେ ମୁଁ ପୂର୍ଣ୍ଣ ସମୟର ସେବକ ହେବି । କିନ୍ତୁ ମାʼ ପରେ ମତେ କହିଲେ ଯେ ପ୍ରଥମେ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷା ପୂରା କରିନେଲେ ଭଲ ହୁଅନ୍ତା ।
ଯେତେବେଳେ ମୁଁ ୧୬ ବର୍ଷ ବୟସର ହେଲି, ମୁଁ ମାଧ୍ୟମିକ ବିଦ୍ୟାଳୟ ଯିବା ଆରମ୍ଭ କଲି । ମୁଁ ଏପରି ପିଲାମାନଙ୍କ ସହିତ ସାଙ୍ଗ ହେବାକୁ ଲାଗିଲି, ଯେଉଁମାନେ ବାଇବଲର ସିଦ୍ଧାନ୍ତଗୁଡ଼ିକୁ ମାନୁ ନ ଥିଲେ । କେତେ ମୂର୍ଖାମିର କାମ କଲି ମୁଁ! କିଛି ସମୟ ଭିତରେ ମୁଁ ସିଗାରେଟ୍ ଟାଣିବା ଓ ଅନୈତିକ ଜୀବନ ଜୀଇଁବା ଆରମ୍ଭ କରିଦେଇଥିଲି । ମୁଁ ଜାଣୁଥିଲି ଯେ ଆମ ସଭାଗୁଡ଼ିକରେ ଯାହା ଶିଖାଯାଉଥିଲା, ତାʼ ଅନୁସାରେ ମୁଁ ବିଲକୁଲ୍ ଚାଲୁ ନ ଥିଲି । ସେଥିପାଇଁ ମୁଁ ସଭା ଓ ପ୍ରଚାରରେ ଯିବା ଛାଡ଼ିଦେଲି । ବାପାମାʼ ଏସବୁ ଦେଖି ବହୁତ ଦୁଃଖିତ ଥିଲେ । କିନ୍ତୁ ମୁଁ କାହାରି ଭାବନାକୁ ଖାତିର୍ କରୁ ନ ଥିଲି ।
ମୁଁ ଘର ଛାଡ଼ି ଚାଲିଗଲି ମାଧ୍ୟମିକ ବିଦ୍ୟାଳୟରେ ଦୁଇ ବର୍ଷ ପଢ଼ିବା ପରେ ମୁଁ ଘର ଛାଡ଼ି ଚାଲିଗଲି ଏବଂ ସେହି ଅଞ୍ଚଳରେ ହିଁ ସାଙ୍ଗମାନଙ୍କ ସହିତ ରହିବାକୁ ଲାଗିଲି । କେବେ କେବେ ମୁଁ ଲୁଚି ଲୁଚି ଘରକୁ ଯାଉଥିଲି ଏବଂ ଯଦି ଖାଇବା ଜିନିଷ କିଛି ଥାଏ, ତେବେ ତାକୁ ନେଇ ପଳାଇ ଯାଉଥିଲି । ବାପା ଏତେ ଚିନ୍ତାରେ ପଡ଼ିଗଲେ ଯେ ସେ ମୋ ସ୍କୁଲର ଫିସ୍ ଦେବା ବନ୍ଦ କରିଦେଲେ । ସେ ଭାବିଲେ ଯେ ମୁଁ ସୁଧୁରି ଯିବି । କିନ୍ତୁ ଠିକ୍ ଏସମୟରେ ମତେ ସ୍କୋଲାର୍ସିପ୍ ବା ବୃତ୍ତି ମିଳିଲା । ମୋର ସ୍ପନସର୍ ବା ପ୍ରାୟୋଜକ ମତେ ସ୍କୁଲ ଫିସ୍ ଏବଂ କେବେ କେବେ କିଛି ଉପହାର ଓ ପଇସା ମଧ୍ୟ ପଠାଉଥିଲେ । ଏହି ସମୟ ମଧ୍ୟରେ ମୋ ଦୁଇ ଭାଇ ବି ସାକ୍ଷୀମାନଙ୍କ ସହିତ ମିଳାମିଶା କରିବା ଛାଡ଼ିଦେଲେ । ବାପାମାʼ ଏସବୁ ଦେଖି ଆହୁରି ଦୁଃଖିତ ହେଲେ । ମାʼ ମତେ କେତେ ଥର ଏବିଷୟରେ କାନ୍ଦି କାନ୍ଦି ବୁଝାଇଲେ । ମତେ ବହୁତ ଖରାପ ଲାଗୁଥିଲା, ତଥାପି ମୁଁ ଜମା ବଦଳିଲି ନାହିଁ ।
ବଡ଼ ବଡ଼ ସହରକୁ ମୁଁ ଗଲି ୧୯୭୭ ମସିହାରେ ସ୍କୁଲ୍ ପାଠପଢ଼ା ସାରି, ମୁଁ ଲାଗୋସ ସହର ଗଲି ଏବଂ ସେଠାରେ ମତେ ଚାକିରି ମିଳିଗଲା । କିଛି ସମୟ ପରେ ମୁଁ ବେଆଇନ୍ ଭାବେ ପଇସା ଜମା କଲି ଏବଂ ଗୋଟିଏ ଟ୍ୟାକ୍ସି କିଣିଲି । ମୋ ପାଖରେ ବହୁତ ପଇସା ହୋଇଗଲା । ତେଣୁ ମୁଁ ଡ୍ରଗ୍ସ ନେବାକୁ ଲାଗିଲି ଏବଂ ଅଧିକାଂଶ ସମୟ ନାଇଟ୍ କ୍ଲବ୍ଗୁଡ଼ିକରେ ଓ ବେଶ୍ୟାମାନଙ୍କ ସହିତ ବିତାଇବାକୁ ଲାଗିଲି । କିନ୍ତୁ କିଛି ସମୟ ପରେ ହିଁ ଏଠାରେ ମତେ ମୋ ଜୀବନ ବିରକ୍ତ ଲାଗିଲା । ତେଣୁ ମୁଁ ୧୯୮୧ ମସିହାରେ ଲଣ୍ଡନ ଚାଲିଗଲି । ସେଠାରୁ ମୁଁ ବେଲଜିୟମ୍ ଗଲି, ଯେଉଁଠାରେ ମୁଁ ଫ୍ରେଞ୍ଚ ଭାଷା ଶିଖିଲି ଏବଂ ଏକ ରେଷ୍ଟୁରାଣ୍ଟରେ ପାର୍ଟ ଟାଇମ୍ ଚାକିରି କଲି । କିନ୍ତୁ ଅଧିକାଂଶ ସମୟରେ ମୁଁ ବେଲଜିୟମ୍ରୁ କାର୍ ଓ ଇଲେକ୍ଟ୍ରୋନିକ୍ ଜିନିଷଗୁଡ଼ିକୁ ନାଇଜେରିଆ ପଠାଇବାର କାମ କରୁଥିଲି ।
ବାପା ବେଲଜିୟମର ସାକ୍ଷୀମାନଙ୍କ ଶାଖା କାର୍ଯ୍ୟାଳୟକୁ ଚିଠି ଲେଖିଲେ ଯେ ସେମାନେ ମତେ ସାକ୍ଷାତ କରନ୍ତୁ ଏବଂ ମୋ ସହ ବାଇବଲ ଅଧ୍ୟୟନ କରନ୍ତୁ । କିନ୍ତୁ ଯେବେ ବି ସାକ୍ଷୀମାନେ ମୋ ଘରକୁ ଆସୁଥିଲେ, ମୁଁ ସେମାନଙ୍କୁ ମନା କରି ଦେଉଥିଲି । ମୁଁ ଗୋଟିଏ ଗୀର୍ଜା ଯିବାକୁ ଲାଗିଲି । ସେଠାରେ ଆମେ ସଭା ପରେ ଖାଉଥିଲୁ, ପିଉଥିଲୁ ଏବଂ ଭିନ୍ନ ଭିନ୍ନ ଖେଳ ଖେଳୁଥିଲୁ ।
ଡ୍ରଗ୍ସ କାରବାର ୧୯୮୨ ମସିହାରେ ମୁଁ ଏକ ଦାମୀ କାର୍ ନାଇଜେରିଆକୁ ପଠାଇଲି ଏବଂ ତାକୁ ନେବା ପାଇଁ ମୁଁ ନିଜେ ସେଠାକାର ବନ୍ଦରକୁ ଗଲି । ସେଠାରେ କଷ୍ଟମ୍ସ ବା ଶୁଳ୍କ ଅଧିକାରୀମାନେ ଦେଖିଲେ ଯେ ମୋ ପାଖରେ ଥିବା ଆମଦାନି-ରଯ୍ତାନିର କାଗଜପତ୍ର ନକଲି ଥିଲା । ତେଣୁ ସେମାନେ ମତେ ଗିରଫ କରି ୪୦ ଦିନ ପର୍ଯ୍ୟନ୍ତ ହାଜତରେ ରଖିଲେ । ବାପା ମତେ ଜାମିନ୍ରେ ଛଡ଼ାଇଲେ । ସେହି ମାମଲାକୁ ରଫାଦଫା କରିବା ପାଇଁ ଟଙ୍କା ଆବଶ୍ୟକ ଥିଲା, ତେଣୁ ମୁଁ କିଛି ମାଲ୍ ନେଇ ବେଲଜିୟମ୍କୁ ଫେରିଆସିଲି । ମୁଁ କିଛି କିଲୋ ଗଞ୍ଜେଇ ମଧ୍ୟ ସାଙ୍ଗରେ ନେଇଗଲି । ଯେତେବେଳେ ମୁଁ ନକଲି କାଗଜପତ୍ର ରଖିବାର ଆରୋପରୁ ମୁକ୍ତ ହେଲି, ମୁଁ ଡ୍ରଗ୍ସ ଧନ୍ଦାରେ ପୂରାପୂରି ଲାଗିଗଲି ।
ଥରେ ଡ୍ରଗ୍ସ କାରବାର କରୁଥିବା ସମୟରେ ମତେ ନେଦରଲ୍ୟାଣ୍ଡରେ ଗିରଫ କରାଗଲା । ଅପ୍ରବାସ ଅଧିକାରୀମାନେ ମତେ ସେଠାରୁ ନାଇଜେରିଆ ପଠାଇବା ପାଇଁ ଏକ ବିମାନରେ ଚଢ଼ାଇଦେଲେ । ଯାତ୍ରା କରିବା ସମୟରେ ଡ୍ରଗ୍ସ ଦଲାଲି କରୁଥିବା ଆଉ କିଛି ଲୋକଙ୍କ ସହିତ ମୋର ସାକ୍ଷାତ ହେଲା, ଆଉ ଆମେ ସମସ୍ତେ ମିଶି ଏହି କାରବାରରେ ପାର୍ଟନର ହୋଇଗଲୁ । ୧୯୮୪ ମସିହା ଜାନୁୟାରୀ ମାସରେ ମୁଁ ଆଫ୍ରିକାର ଆଉ ଏକ ଦେଶକୁ ଚାଲିଗଲି । ମତେ ସେଠାକାର ଭାଷା, ଫ୍ରେଞ୍ଚ ଆସୁଥିଲା । ତେଣୁ ଖୁବ୍ ଶୀଘ୍ର ସେଠାକାର ପୋଲିସ, ସୈନିକ ଓ ଅପ୍ରବାସ ଅଧିକାରୀମାନଙ୍କ ସହିତ ମୋ ଚିହ୍ନା ପରିଚୟ ବଢ଼ିଗଲା । ବର୍ତ୍ତମାନ ଆମେ ଅତି ସହଜରେ ହଜାର ହଜାର କିଲୋ ଗଞ୍ଜେଇ ସେଇ ଦେଶରେ ଆଣିବାକୁ ଲାଗିଲୁ ।
ଗିରଫ ଏବଂ ଜେଲ୍ରେ ମୁଁ ପୁଣିଥରେ ସମସ୍ୟାରେ ପଡ଼ିଗଲି । ମୁଁ ସେନାର ଜଣେ କଯ୍ତାନଙ୍କ ସହିତ କଥା ହୋଇଥିଲି ଯେ ସେ ମୋ ମାଲ୍ ସେହି ଦେଶର ବିମାନ ବନ୍ଦର ପର୍ଯ୍ୟନ୍ତ ପହଞ୍ଚାଇବାରେ ସାହାଯ୍ୟ କରନ୍ତୁ । କିନ୍ତୁ ତାଙ୍କ ଆସିବାରେ ଡେରି ହୋଇଗଲା ଏବଂ ମତେ ଗିରଫ କରାଗଲା । ପୋଲିସମାନେ ମତେ ଏତେ ମାଡ଼ ମାରିଲେ ଯେ ମୁଁ ବେହୋସ ହୋଇଗଲି । ସେମାନେ ମତେ ଗୋଟେ ଡାକ୍ତରଖାନାରେ ନେଇ ଛାଡ଼ିଦେଲେ । ସେମାନେ ଭାବିଲେ ଯେ ମୁଁ ମରିଯିବି । କିନ୍ତୁ ମୁଁ ବଞ୍ଚିଗଲି । ତାʼପରେ ମତେ ଦୋଷୀ ସାବ୍ୟସ୍ତ କରାଗଲା ଏବଂ ଜେଲ୍ରେ ଭରି ଦିଆଗଲା ।
ମୁଁ ଜଣେ ସାଙ୍ଗକୁ କହିଥିଲି ଯେ ସେ ମୋ ଘରର ଦେଖାରେଖା କରୁ । କିନ୍ତୁ ମୁଁ ଜେଲ୍ରୁ ବାହାରିବା ପୂର୍ବରୁ ସେ ମୋର ସବୁତକ ସମ୍ପତ୍ତି ବିକି ଫେରାର୍ ହୋଇଯାଇଥିଲା । ଗୁଜୁରାଣ ପାଇଁ ମୁଁ ପୁଣି ଗଞ୍ଜେଇ ବିକିବାକୁ ଲାଗିଲି । ଦଶ ଦିନ ଭିତରେ ମତେ ପୁଣି ଗିରଫ କରାଗଲା ଏବଂ ତିନି ମାସ ପାଇଁ ମତେ ପୁଣି ଜେଲ୍ରେ ଭରି ଦିଆଗଲା । ମୁଁ ଜେଲ୍ରୁ ମୁକ୍ତ ହେବା ବେଳକୁ ଏତେ ରୋଗରେ ପଡ଼ିଗଲି ଯେ ମୁଁ ମରିବା ଉପରେ ଥିଲି । ତାʼପରେ ମୁଁ ଯେକୌଣସି ପ୍ରକାରେ ଲାଗୋସକୁ ଫେରିଲି ।
ପୁଣିଥରେ ସେଇ କାରବାର ମୁଁ ଲାଗୋସରେ ମୋର କିଛି ପାର୍ଟନରମାନଙ୍କୁ ଭେଟିଲି ଏବଂ ଆମେ ଭାରତକୁ ଗଲୁ । ସେଠାରେ ଆମେ ପ୍ରାୟ ୬,୦୦,୦୦୦ ଡଲାର ମୂଲ୍ୟର ଡ୍ରଗ୍ସ କିଣିଲୁ । ତାʼପରେ ଆମେ ବମ୍ବେ (ଏବେ ମୁମ୍ବାଇ)ରୁ ସ୍ୱିଜରଲ୍ୟାଣ୍ଡ ଗଲୁ, ସେଠାରୁ ପର୍ତ୍ତୁଗାଲ୍ ଏବଂ ଶେଷରେ ସ୍ପେନ୍ । ଆମକୁ ବହୁତ ଲାଭ ହେଲା । ଆଉ ଆମେ ଭିନ୍ନ ଭିନ୍ନ ରାସ୍ତା ଦେଇ ଲାଗୋସକୁ ଫେରିଲୁ । ୧୯୮୪ ମସିହାର ଶେଷ ଆଡ଼କୁ ମୁଁ ପୁଣି ବହୁତ ଡ୍ରଗ୍ସ ବିକିଲି । ମୋର ସ୍ୱପ୍ନ ଥିଲା ଯେ ମୁଁ କୋଟିଏ ଡଲାର ଠୁଳ କରିବି ଏବଂ ଆମେରିକାରେ ଯାଇ ଘର କରିବି ।
୧୯୮୬ ମସିହାରେ ମୁଁ ନିଜ ସମସ୍ତ ପଇସା ଠୁଳ କରି ଲାଗୋସରେ କିଛି ଡ୍ରଗ୍ସ କିଣିଲି । ମୁଁ ସେସବୁ ଅନ୍ୟ ଦେଶକୁ ନେଇଗଲି । କିନ୍ତୁ ସେଠାରେ ମୋ ମାଲ୍ ଜଣେ ଲୋଭୀ ଦଲାଲର ହାତରେ ପଡ଼ିଗଲା । ସେ ତାʼ ବଦଳରେ ମତେ ପଇସାଟିଏ ବି ଦେଲା ନାହିଁ । ମତେ ମୋର ଜୀବନ ବଞ୍ଚାଇବାର ଚିନ୍ତା ଥିଲା । ତେଣୁ ମୁଁ କାହାରିକୁ କିଛି ନ କହି ଚୁପ୍ଚାପ୍ ଲାଗୋସ ଫେରିଗଲି । ମୁଁ ପୂରାପୂରି କାଙ୍ଗାଳ ହୋଇଯାଇଥିଲି । ନା ମୋ ପାଖରେ ପଇସାଟିଏ ଥିଲା, ନା ବଞ୍ଚିବାର କୌଣସି ଇଚ୍ଛା ଥିଲା । ତାʼପରେ, ଜୀବନରେ ପ୍ରଥମ ଥର ପାଇଁ ମୁଁ ଭାବିଲି ଯେ ପ୍ରକୃତରେ ଜୀବନର ଉଦ୍ଦେଶ୍ୟ କʼଣ । ମୁଁ ନିଜକୁ ପଚାରିଲି, ‘ଜୀବନରେ ମୁଁ କାହିଁକି ହାରିଯାଇଛି?’
ଈଶ୍ୱରଙ୍କ ପାଖକୁ ଫେରି ଆସିଲି କିଛି ସମୟ ପରେ ମୁଁ ଯିହୋବାଙ୍କୁ ସାହାଯ୍ୟ ପାଇଁ ପ୍ରାର୍ଥନା କଲି । ତାʼ ପର ଦିନ ସକାଳେ ଜଣେ ବୃଦ୍ଧ ବ୍ୟକ୍ତି ଓ ତାଙ୍କ ପତ୍ନୀ ମୋ କବାଟ ଠକ୍ ଠକ୍ କଲେ । ସେମାନେ ଯିହୋବାଙ୍କ ସାକ୍ଷୀ ଥିଲେ । ମୁଁ ସେମାନଙ୍କ ପୂରା କଥା ଶୁଣିଲି ଏବଂ ଗୋଟେ ପତ୍ରିକା ବି ନେଲି । ମୁଁ ସେମାନଙ୍କୁ କହିଲି, “ମୋ ବାପାମାʼ ଯିହୋବାଙ୍କ ସାକ୍ଷୀ । ଭଉଣୀ ଏଲିସ୍ ଓବାରା ମୋ ସହ ବାଇବଲ ଅଧ୍ୟୟନ କରୁଥିଲେ ।”
ସେହି ବୃଦ୍ଧ ଭାଇ, ଯାହାଙ୍କ ନାʼ ଥିଲା ପି. କେ. ଓଗ୍ବାନେଫ୍, କହିଲେ: “ଭାଇ ଓ ଭଉଣୀ ଓବାରାଙ୍କୁ ଆମେ ଭଲ ଭାବେ ଜାଣିଛୁ । ବର୍ତ୍ତମାନ ସେମାନେ ଲାଗୋସରେ ନାଇଜେରିଆର ଶାଖା କାର୍ଯ୍ୟାଳୟରେ ସେବା କରୁଛନ୍ତି ।” ସେମାନେ ମତେ ଅନେକ ଥର ଭାଇ ଓ ଭଉଣୀ ଓବାରାଙ୍କୁ ଭେଟିବା ପାଇଁ କହିଲେ । ଯେତେବେଳେ ମୁଁ ସେମାନଙ୍କୁ ଭେଟିଲି, ସେମାନେ ମୋର ସାହସ ବଢ଼ାଇଲେ । ତାʼପରେ ଭାଇ ଓଗ୍ବାନେଫ୍ ମୋ ସହ ବାଇବଲ ଅଧ୍ୟୟନ ଆରମ୍ଭ କଲେ । ମୁଁ ଖୁବ୍ ଶୀଘ୍ର ଅନୈତିକ ଜୀବନ ଜୀଇଁବା ଛାଡ଼ିଦେଲି । ଏପରି କରିବା ମୋ ପାଇଁ ଏତେ ସହଜ ନ ଥିଲା । କାରଣ ମୁଁ ବହୁ ବର୍ଷ ଧରି ଡ୍ରଗ୍ସ ସେବନ କରିଆସୁଥିଲି । ତଥାପି ମୁଁ ଦୃଢ଼ ସଙ୍କଳ୍ପ କଲି ଯେ ମୁଁ ସବୁ ବଦଭ୍ୟାସ ଛାଡ଼ିଦେବି । କିନ୍ତୁ ମତେ ବାରମ୍ବାର ଖରାପ କାମ କରିବା ପାଇଁ ପ୍ରଲୋଭନ ଦିଆଯାଉଥିଲା । ମୋର ସ୍ୱାର୍ଥପର ସାଙ୍ଗମାନେ ମୋ ଘରକୁ ଆସୁଥିଲେ ଏବଂ ଟଙ୍କା କମାଇବା ପାଇଁ ମତେ ପ୍ରଲୋଭନ ଦେଖାଉଥିଲେ । କିଛି ସମୟ ପାଇଁ ମୁଁ ପୁଣିଥରେ ସିଗାରେଟ୍ ଟାଣିବା ଏବଂ ଅନୈତିକ ଜୀବନ ଜୀଇଁବା ଆରମ୍ଭ କରିଦେଲି । କିନ୍ତୁ ତାʼପରେ ମୁଁ ହୃଦୟର ସହିତ ଈଶ୍ୱରଙ୍କୁ ପ୍ରାର୍ଥନା କଲି । ମୁଁ ଅନୁଭବ କଲି ଯେ ଏହି ସାଂସାରିକ ସାଙ୍ଗମାନଙ୍କ କଥାରେ ପଡ଼ି ହିଁ ମୁଁ ଭୁଲ୍ ବାଟରେ ଚାଲି ଯାଇଥିଲି । ତେବେ ଏମାନେ ମତେ ସୁଧାରିବା ପାଇଁ କେମିତି ସାହାଯ୍ୟ କରିପାରିବେ । ମତେ ଲାଗିଲା ଯେ ଈଶ୍ୱରଙ୍କ ସହିତ ଏକ ଭଲ ସମ୍ପର୍କ ଗଢ଼ିବା ପାଇଁ ମତେ ଲାଗୋସ ଛାଡ଼ିବାକୁ ହେବ । କିନ୍ତୁ ଇଲେଶାରେ ନିଜ ଘରକୁ ଯିବା ପାଇଁ ମତେ ଲଜ୍ଜା ଲାଗୁଥିଲା । ପରେ, ବାପା ଓ ବଡ଼ ଭାଇଙ୍କୁ ମୁଁ ଚିଠି ଲେଖି ପଚାରିଲି ଯେ କʼଣ ମୁଁ ଘରକୁ ଆସିପାରିବି ।
ବାପା ମତେ କହିଲେ ଯେ ତାଙ୍କ ଘରର କବାଟ ମୋ ପାଇଁ ଖୋଲା ଅଛି । ବଡ଼ ଭାଇ କହିଲେ ଯେ ସେ ମତେ ଆର୍ଥିକ ସାହାଯ୍ୟ କରିବେ । ଏହିପରି ଭାବେ, ଦଶ ବର୍ଷ ପର୍ଯ୍ୟନ୍ତ ଘରଠାରୁ ଦୂରେ ରହିବା ପରେ ମୁଁ ଘରକୁ ଫେରିଲି । ସମସ୍ତେ ମତେ ହୃଦୟର ସହିତ ସ୍ୱାଗତ କଲେ । ମାଆଙ୍କ ଖୁସି କହିଲେ ନ ସରେ! ସେ କହିଲେ, “ଯିହୋବା, ତୁମକୁ କୋଟି କୋଟି ଧନ୍ୟବାଦ!” ସନ୍ଧ୍ୟାରେ ଯେତେବେଳେ ବାପା ଘରକୁ ଫେରିଲେ, ସେ ମତେ କହିଲେ, “ଯିହୋବା ନିଶ୍ଚୟ ତତେ ସାହାଯ୍ୟ କରିବେ ।” ତାʼପରେ ସେ ପୂରା ପରିବାର ସହ ମିଶି ଯିହୋବାଙ୍କୁ ପ୍ରାର୍ଥନା କଲେ । ପ୍ରାର୍ଥନାରେ ସେ କହିଲେ ଯେ ତାହାଙ୍କ ଇଚ୍ଛା ପୂରଣ କରିବାରେ ସେ ମତେ ସାହାଯ୍ୟ କରନ୍ତୁ ।
ଯେଉଁ ସମୟ ହରାଇଥିଲି, ତାʼର କ୍ଷତିପୂରଣ କଲି ମୁଁ ପୁଣିଥରେ ବାଇବଲ ଅଧ୍ୟୟନ କରିବା ଆରମ୍ଭ କଲି ଏବଂ ଖୁବ୍ ଶୀଘ୍ର ଉନ୍ନତି କଲି । ୧୯୮୮ ମସିହା ଏପ୍ରିଲ୍ ୨୪ ତାରିଖରେ ମୋର ବାଯ୍ତିସ୍ମ ହେଲା । ମୁଁ ସାଙ୍ଗେ ସାଙ୍ଗେ ଉତ୍ସାହର ସହିତ ପ୍ରଚାର କରିବାକୁ ଲାଗିଲି । ୧୯୮୯ ମସିହା ନଭେମ୍ବର ୧ ତାରିଖରେ ମୁଁ ଅଗ୍ରଦୂତ ସେବା ଆରମ୍ଭ କଲି । ୧୯୯୫ ମସିହାରେ ମତେ ନାଇଜେରିଆରେ ମଣ୍ଡଳୀ ସେବକ ପ୍ରଶିକ୍ଷଣ ସ୍କୁଲର ଦଶମ କ୍ଲାସ ପାଇଁ ଡକାଗଲା । ପୁଣି ୧୯୯୮ ମସିହା ଜୁଲାଇ ମାସରେ ମତେ ସର୍କିଟ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଗଲା । ଗୋଟେ ବର୍ଷ ପରେ ମତେ ଆଉ ଏକ ଆଶିଷ ମିଳିଲା । ମୋର ବିବାହ ରୂତ ସହିତ ହେଲା, ଯିଏ ଏ କାମରେ ମତେ ସହଯୋଗ କଲେ ।
ମୋ ପରିବାରର ଅନ୍ୟ ସଦସ୍ୟମାନେ ମଧ୍ୟ ସତ୍ୟରେ ଉନ୍ନତି କଲେ । ମୋର ଯେଉଁ ଭାଇ ଯିହୋବାଙ୍କ ସେବା କରିବା ଛାଡ଼ି ଦେଇଥିଲା, ସେ ପୁଣି ସେବା କରିବାକୁ ଲାଗିଲା ଏବଂ ବାଯ୍ତିସ୍ମ ମଧ୍ୟ ନେଲା । ମୁଁ ବହୁତ ଖୁସି ଯେ ବାପାଙ୍କ ଥାଉ ଥାଉ ଆମେ ଦୁହେଁ ସତ୍ୟରେ ଫେରି ଆସିଲୁ । ୧୯୯୩ ମସିହାରେ, ୭୫ ବର୍ଷ ବୟସରେ ବାପାଙ୍କର ମୃତ୍ୟୁ ହେଲା । ସେ ନିଜ ମୃତ୍ୟୁ ପର୍ଯ୍ୟନ୍ତ ସହାୟକ ସେବକ ଭାବେ ମଣ୍ଡଳୀରେ ସେବା କରିଥିଲେ । ମାʼ ଆଜି ମଧ୍ୟ ଇଲେଶାରେ ଉତ୍ସାହର ସହିତ ସେବା କରୁଛନ୍ତି ।
ମୁଁ ଟଙ୍କା କମାଇବା ପାଇଁ ୟୁରୋପ, ଏସିଆ ଓ ଆଫ୍ରିକାର ୧୬ଟି ଦେଶରେ ବୁଲିଲି । କିନ୍ତୁ ଶେଷରେ ମୁଁ ନିଜ ହୃଦୟକୁ ଦୁଃଖକଷ୍ଟରେ ବିଦୀର୍ଣ୍ଣ କରିଦେଲି । (୧ ତୀମଥି ୬:୯, ୧୦) ଅତୀତର ସେସମୟକୁ ମନେ ପକାଇଲେ ମତେ ଭାରି ଦୁଃଖ ଲାଗେ । ମୁଁ ନିଜ ଯୌବନର ଅନେକ ବର୍ଷ ଅନୈତିକ ଜୀବନ ଜୀଇଁବାରେ ଏବଂ ଡ୍ରଗ୍ସ କାରବାର କରିବାରେ ବରବାଦ୍ କରିଦେଲି । ମୁଁ ଯିହୋବାଙ୍କ ଏବଂ ମୋ ପରିବାରର ସଦସ୍ୟମାନଙ୍କ ହୃଦୟକୁ ବହୁତ କଷ୍ଟ ଦେଇଥିବାରୁ ମୁଁ ଅନୁତାପ କରେ । ତଥାପି ମୁଁ ଅତି କୃତଜ୍ଞ, କାରଣ ଏତେ ଖରାପ କାମ କରିବା ସତ୍ତ୍ୱେ ମୋ ଜୀବନ ରକ୍ଷା ପାଇଲା ଏବଂ ମୋ ଆଖି ଖୋଲିଗଲା । ଏବେ ମୁଁ ଦୃଢ଼ ସଙ୍କଳ୍ପ କରିଛି ଯେ ଯିହୋବାଙ୍କୁ କେବେ ଆଉ ଛାଡ଼ିବି ନାହିଁ ଏବଂ ସର୍ବଦା ତାହାଙ୍କର ସେବା କରିବି ।