ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • lvs ଅଧ୍ୟା ୧୭ ପୃଷ୍ଠା ୨୨୬-୨୩୭
  • ଈଶ୍ୱରଙ୍କ ପ୍ରେମରେ ସ୍ଥିର ହୋଇ ରହନ୍ତୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଈଶ୍ୱରଙ୍କ ପ୍ରେମରେ ସ୍ଥିର ହୋଇ ରହନ୍ତୁ
  • ଈଶ୍ୱରଙ୍କ ପ୍ରେମରେ ସ୍ଥିର ହୋଇ ରହନ୍ତୁ
  • ଉପଶୀର୍ଷକ
  • ପ୍ରାୟ ସମାନ ଲେଖା
  • ନିଜ ବିଶ୍ୱାସକୁ ଲଗାତାର ମଜବୁତ୍‌ କରନ୍ତୁ
  • ‘ପ୍ରୌଢ଼ତା ଲାଭ କରିବା ପାଇଁ ଅଗ୍ରସର ହୁଅନ୍ତୁ’
  • ନିଜ ଆଶା ଉପରେ ଧ୍ୟାନ କେନ୍ଦ୍ରିତ କରନ୍ତୁ
  • ନିଜ ଆଶା ଲଗାତାର ଦୃଢ଼ କରନ୍ତୁ !
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୨
  • ଯିହୋବାଙ୍କ ସହିତ ଘନିଷ୍ଠ ସମ୍ପର୍କ ବଜାୟ ରଖନ୍ତୁ
    ବାଇବଲ ଆମକୁ କʼଣ ଶିଖାଏ?
  • ‘ପ୍ରୌଢ଼ତା ଲାଭ କରିବା ନିମନ୍ତେ ଅଗ୍ରସର ହୁଅନ୍ତୁ’
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୪
  • ଈଶ୍ୱରଙ୍କ ପ୍ରେମ କଦାପି ଶେଷ ହୁଏ ନାହିଁ
    ଈଶ୍ୱରଙ୍କ ପ୍ରେମରେ ସ୍ଥିର ହୋଇ ରହନ୍ତୁ
ଈଶ୍ୱରଙ୍କ ପ୍ରେମରେ ସ୍ଥିର ହୋଇ ରହନ୍ତୁ
lvs ଅଧ୍ୟା ୧୭ ପୃଷ୍ଠା ୨୨୬-୨୩୭
ପାରଦୀଶରେ ଭି ଭି ପରିବାରର ଲୋକ

ଅଧ୍ୟାୟ ୧୭

ଈଶ୍ୱରଙ୍କ ପ୍ରେମରେ ସ୍ଥିର ହୋଇ ରହନ୍ତୁ

‘ତୁମ୍ଭେମାନେ ଆପଣାମାନଙ୍କ ଅତି ପବିତ୍ର ବିଶ୍ୱାସ ଉପରେ ଆପଣାମାନଙ୍କର ଧର୍ମ ଜୀବନରୂପ ଗୃହ ନିର୍ମାଣ କର ଏବଂ ଈଶ୍ୱରଙ୍କ ପ୍ରେମରେ ଆପଣାମାନଙ୍କୁ ସ୍ଥିର କରି ରଖ ।’—ଯିହୂଦା ୨୦, ୨୧.

୧, ୨. ଆମେ ଯିହୋବାଙ୍କ ପ୍ରେମରେ ସ୍ଥିର ହୋଇ କିପରି ରହିପାରିବା ?

ଆମେ ସମସ୍ତେ ସୁସ୍ଥ ସବଳ ରହିବାକୁ ଚାହୁଁ । ତେଣୁ ଆମେ ଭଲ ଖାଦ୍ୟ ଖାଉ, ବ୍ୟାୟାମ କରୁ ଏବଂ ନିଜ ଶରୀରର ଯତ୍ନ ନେଉ । ନିୟମିତ ଭାବେ ଏପରି କରିବା ସହଜ ହୋଇ ନ ଥାଏ, ତଥାପି ଆମେ ଏସବୁ କରିବା ପାଇଁ ପରିଶ୍ରମ କରିଥାଉ । କାରଣ ଏହାଦ୍ୱାରା ଆମ ସ୍ୱାସ୍ଥ୍ୟ ଭଲ ରହେ । ଠିକ୍‌ ସେହିପରି, ଯିହୋବାଙ୍କ ସହ ନିଜ ସମ୍ପର୍କକୁ ମଜବୁତ୍‌ କରିବା ପାଇଁ ମଧ୍ୟ ଆମେ ଲଗାତାର ପରିଶ୍ରମ କରିବା ଉଚିତ୍‌ ।

୨ ଏପର୍ଯ୍ୟନ୍ତ ଆପଣ ଯିହୋବାଙ୍କୁ ଜାଣିବା ପାଇଁ ବହୁତ ପରିଶ୍ରମ କରିଛନ୍ତି । କିନ୍ତୁ ତାହାଙ୍କ ସହ ନିଜ ସମ୍ପର୍କକୁ ଦିନକୁ ଦିନ ଆହୁରି ମଜବୁତ୍‌ କରିବା ଜରୁରୀ । ଏପରି କରିବା ପାଇଁ ଆପଣଙ୍କୁ ନିଜ ବିଶ୍ୱାସ ମଜବୁତ୍‌ କରିବା ଉଚିତ୍‌ । ଯିହୂଦା ଖ୍ରୀଷ୍ଟିୟାନମାନଙ୍କୁ ପ୍ରୋତ୍ସାହନ ଦେଲେ ଯେ ସେମାନେ “ଈଶ୍ୱରଙ୍କ ପ୍ରେମରେ ଆପଣାମାନଙ୍କୁ ସ୍ଥିର କରି” ରଖନ୍ତୁ । ସେମାନେ ଏହା କିପରି କରିପାରିଥାʼନ୍ତେ ? ସେ ସେମାନଙ୍କୁ କହନ୍ତି, “ଆପଣାମାନଙ୍କ ଅତି ପବିତ୍ର ବିଶ୍ୱାସ ଉପରେ ଆପଣାମାନଙ୍କର ଧର୍ମ ଜୀବନରୂପ ଗୃହ ନିର୍ମାଣ କର ।” (ଯିହୂଦା ୨୦, ୨୧) ଆପଣ ନିଜ ବିଶ୍ୱାସକୁ ମଜବୁତ୍‌ କିପରି କରିପାରିବେ ?

ନିଜ ବିଶ୍ୱାସକୁ ଲଗାତାର ମଜବୁତ୍‌ କରନ୍ତୁ

୩-୫. (କ) ଯିହୋବାଙ୍କ ମାନଦଣ୍ଡଗୁଡ଼ିକ ବିଷୟରେ ଶୟତାନ ଆପଣଙ୍କୁ କʼଣ ବିଶ୍ୱାସ କରାଇବା ପାଇଁ ଚାହେଁ ? (ଖ) ଯିହୋବାଙ୍କ ନିୟମ ଓ ସିଦ୍ଧାନ୍ତଗୁଡ଼ିକ ବିଷୟରେ ଆପଣ କିପରି ଅନୁଭବ କରନ୍ତି ?

୩ ଆପଣ ନିଜେ ପୂରା ଭରସା କରିବା ଉଚିତ୍‌ ଯେ ଯିହୋବାଙ୍କ ମାନଦଣ୍ଡ ଅନୁସାରେ ଚାଲିଲେ ହିଁ ଆପଣଙ୍କ ମଙ୍ଗଳ ହେବ । କାରଣ ଶୟତାନ ଚାହେଁ ଆପଣ ବିଶ୍ୱାସ କରନ୍ତୁ ଯେ ଯିହୋବାଙ୍କ ଆଜ୍ଞା ପାଳନ କରିବା ବହୁତ କଷ୍ଟକର ଏବଂ ଯିହୋବାଙ୍କ ମାନଦଣ୍ଡ ଅନୁସାରେ ଚାଲିଲେ, ଆପଣ କେବେ ବି ଖୁସିରେ ରହିପାରିବେ ନାହିଁ । ଆଉ ସେ ଏହା ମଧ୍ୟ ଚାହେଁ ଯେ ଆପଣଙ୍କୁ ଯାହା ଠିକ୍‌ ଲାଗେ ତାହା କରନ୍ତୁ, ତେବେଯାଇ ଆପଣ ଖୁସିରେ ରହିପାରିବେ । ସେ ଆଦମ ଓ ହବା ସମୟରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ଲୋକମାନଙ୍କୁ ଏକଥା ଉପରେ ବିଶ୍ୱାସ କରାଇବା ପାଇଁ ଚେଷ୍ଟା କରି ଆସିଛି । (ଆଦି ପୁସ୍ତକ ୩:୧-୬) ଆଜି ମଧ୍ୟ ସେ ଲୋକମାନଙ୍କୁ ପଥଭ୍ରଷ୍ଟ କରିବା ପାଇଁ ଆହୁରି ବେଶୀ ଚେଷ୍ଟା କରିଚାଲିଛି ।

୪ କʼଣ ଶୟତାନର କଥା ସତ ? କʼଣ ଈଶ୍ୱରଙ୍କ ମାନଦଣ୍ଡ ଅନୁସାରେ ଚାଲିଲେ ଆମ ସ୍ୱାଧୀନତା ଚାଲିଯାଏ ? ନା । ଉଦାହରଣ ପାଇଁ, କଳ୍ପନା କରନ୍ତୁ ଯେ ଆପଣ ଗୋଟିଏ ସୁନ୍ଦର ପାର୍କରେ ବୁଲୁଛନ୍ତି । ଚାଲୁ ଚାଲୁ ଆପଣ ହଠାତ୍‌ ଅଟକି ଯାʼନ୍ତି । କାରଣ ଆପଣଙ୍କ ସାମନାରେ ଏକ ଉଚ୍ଚ ବାଡ଼ ଅଛି । ହୁଏତ ଆପଣ ଭାବିପାରନ୍ତି, ‘ମୋ ରାସ୍ତାରେ କାହିଁକି ବାଡ଼ ତିଆରି କରାଯାଇଛି ?’ ଠିକ୍‌ ସେତିକି ବେଳେ ଆପଣଙ୍କୁ ବାଡ଼ର ଆରପାଖରୁ ଗୋଟିଏ ସିଂହର ଗର୍ଜନ ଶୁଣାଯାଏ । ଏବେ ଆପଣ ସେ ବାଡ଼ ବିଷୟରେ କʼଣ କହିବେ ? କʼଣ ଆପଣ ଏବେ ମଧ୍ୟ ଏହା ଭାବିବେ ଯେ ବାଡ଼ଟି କାହିଁକି ମୋ ରାସ୍ତାରେ ଅଛି ନା ଆପଣ ଖୁସି ହେବେ ଯେ ଭଲ ହେଲା ଏ ବାଡ଼ ଏଠାରେ ଅଛି, ନହେଲେ ମୁଁ ଏବେ ସିଂହର ଶିକାର ହୋଇଯାଇଥାʼନ୍ତି । ଯିହୋବାଙ୍କ ମାନଦଣ୍ଡ ମଧ୍ୟ ଠିକ୍‌ ସେହି ବାଡ଼ ଭଳି ଏବଂ ଶୟତାନ ସେହି ସିଂହ ଭଳି ଅଟେ । ତେଣୁ ଈଶ୍ୱରଙ୍କ ବାକ୍ୟ ଆମକୁ ସତର୍କ କରାଏ, “ସଚେତନ ହୋଇ ଜାଗ୍ରତ ରୁହ । ତୁମ୍ଭମାନଙ୍କ ବିପକ୍ଷ ଶୟତାନ ସିଂହପ୍ରାୟ ଗର୍ଜନ କରି କାହାକୁ ଗ୍ରାସିବ, ଏହା ଖୋଜି ବୁଲୁଅଛି ।”—୧ ପିତର ୫:୮.

୫ ଯିହୋବା ଚାହାନ୍ତି ଯେ ଆମେ ଏକ ଭଲ ଜୀବନ ଜୀଉଁ ଏବଂ ଶୟତାନର ଫାନ୍ଦରେ ନ ପଡ଼ୁ । ତେଣୁ ସେ ଆମକୁ ଏପରି ନିୟମ ଓ ସିଦ୍ଧାନ୍ତଗୁଡ଼ିକ ଦେଇଛନ୍ତି, ଯେଉଁଗୁଡ଼ିକୁ ପାଳନ କଲେ ଆମେ ଖୁସିରେ ରହିପାରିବା ଏବଂ ଶୟତାନରୁ ନିଜକୁ ରକ୍ଷା କରିପାରିବା । (ଏଫିସୀୟ ୬:୧୧) ଯାକୁବ ଲେଖିଲେ, ‘ଯେ ସିଦ୍ଧ, ଅର୍ଥାତ୍‌, ସ୍ୱାଧୀନତାର ବ୍ୟବସ୍ଥା ପ୍ରତି ନିରୀକ୍ଷଣ କରି ସେଥିରେ ନିବିଷ୍ଟ ଥାଏ, ସେ ଆପଣା କାର୍ଯ୍ୟରେ ଧନ୍ୟ ।’—ଯାକୁବ ୧:୨୫.

୬. ଆମେ କିପରି ଭରସା କରିପାରିବା ଯେ ଯିହୋବାଙ୍କ ନିର୍ଦ୍ଦେଶଗୁଡ଼ିକୁ ପାଳନ କଲେ, ଆମର ମଙ୍ଗଳ ହେବ ?

୬ ଯିହୋବାଙ୍କ ନିର୍ଦ୍ଦେଶଗୁଡ଼ିକୁ ପାଳନ କରିବା ଯୋଗୁଁ ଆମେ ଖୁସିରେ ରହୁ ଏବଂ ତାହାଙ୍କ ସହ ଆମ ମିତ୍ରତା ଆହୁରି ଘନିଷ୍ଠ ହୋଇଯାଏ । ଯେପରି, ଯିହୋବା ବାରମ୍ବାର ପ୍ରାର୍ଥନା କରିବା ପାଇଁ ପରାମର୍ଶ ଦିଅନ୍ତି । ଏହାକୁ ପାଳନ କଲେ ସେ ଆମକୁ ସାହାଯ୍ୟ କରନ୍ତି । (ମାଥିଉ ୬:୫-୮; ୧ ଥେସଲନୀକୀୟ ୫:୧୭) ଠିକ୍‌ ସେହିପରି, ଯେତେବେଳେ ଆମେ ତାହାଙ୍କ ନିର୍ଦ୍ଦେଶ ପାଳନ କରି ସଭାରେ ଯାଉ ଏବଂ ପରସ୍ପରର ସାହସ ବଢ଼ାଉ, ପ୍ରଚାର କରୁ ଏବଂ ଲୋକମାନଙ୍କୁ ଶିଖାଉ, ସେତେବେଳେ ଆମକୁ ବହୁତ ଖୁସି ମିଳେ । (ମାଥିଉ ୨୮:୧୯, ୨୦; ଗାଲାତୀୟ ୬:୨; ଏବ୍ରୀ ୧୦:୨୪, ୨୫) ଯଦି ଆମେ ଚିନ୍ତନ କରିବା ଯେ ଏଗୁଡ଼ିକୁ ପାଳନ କରିବା ଦ୍ୱାରା ଆମକୁ କେତେ ଲାଭ ହୋଇଛି, ତେବେ ଆମର ବିଶ୍ୱାସ ମଜବୁତ୍‌ ହେବ ଏବଂ ଆମକୁ ଭରସା ହୋଇଯିବ ଯେ ଯିହୋବାଙ୍କ ନିୟମଗୁଡ଼ିକ ଆମ ମଙ୍ଗଳ ପାଇଁ ଅଟେ ।

୭, ୮. କେଉଁ କଥାକୁ ମନରେ ରଖିଲେ ଆମେ ଭବିଷ୍ୟତରେ ଆସିବାକୁ ଥିବା ପରୀକ୍ଷାଗୁଡ଼ିକର ଚିନ୍ତା କରିବା ନାହିଁ ?

୭ ହୁଏତ ଆମେ ବେଳେ ବେଳେ ଚିନ୍ତା କରିପାରୁ ଯେ ଯେତେବେଳେ ଭବିଷ୍ୟତରେ ଆମ ବିଶ୍ୱାସର ପରୀକ୍ଷା ହେବ, ସେତେବେଳେ କʼଣ ଆମେ ସେଗୁଡ଼ିକୁ ସହିପାରିବା ? ଏପରି ସମୟରେ ଯିହୋବାଙ୍କ କଥାକୁ ମନେ ରଖନ୍ତୁ, “ଆମ୍ଭେ ସଦାପ୍ରଭୁ, ତୁମ୍ଭ ପରମେଶ୍ୱର, ତୁମ୍ଭକୁ ଉପକାରଜନକ ଶିକ୍ଷା ଦେଉ, ତୁମ୍ଭର ଗନ୍ତବ୍ୟ ପଥରେ ତୁମ୍ଭକୁ ଗମନ କରାଉ । ଆଃ, ତୁମ୍ଭେ ଯେବେ ଆମ୍ଭ ଆଜ୍ଞାରେ ମନୋଯୋଗ କରିଥାʼନ୍ତ  ! ତେବେ ତୁମ୍ଭର ଶାନ୍ତି ନଦୀ ତୁଲ୍ୟ ଓ ତୁମ୍ଭର ଧାର୍ମିକତା ସମୁଦ୍ରର ତରଙ୍ଗ ତୁଲ୍ୟ ହୋଇଥାʼନ୍ତା ।”—ଯିଶାଇୟ ୪୮:୧୭, ୧୮.

ସମୁଦର ତରଙ୍ଗ

୮ ଯେତେବେଳେ ଆମେ ଯିହୋବାଙ୍କ ଆଜ୍ଞା ପାଳନ କରୁ, ସେତେବେଳେ ଆମ ଶାନ୍ତି ଏପରି ଏକ ନଦୀ ଭଳି ହେବ, ଯାହା କେବେ ଶୁଖେ ନାହିଁ । ଆମର ଧାର୍ମିକତା ସମୁଦ୍ରର ତରଙ୍ଗ ଭଳି ହେବ । ଯେପରି ସମୁଦ୍ରରେ ଲଗାତାର ତରଙ୍ଗ ଉଠୁଥାଏ, ଠିକ୍‌ ସେହିପରି ଆମେ ମଧ୍ୟ ଧାର୍ମିକତାର କାମ ଲଗାତାର କରୁଥିବା । ଆମକୁ ଯେକୌଣସି ପରୀକ୍ଷାର ସାମନା କରିବାକୁ ପଡ଼ୁ ନା କାହିଁକି, ଆମେ ଯିହୋବାଙ୍କ ବିଶ୍ୱସ୍ତ ରହିବା । ବାଇବଲ ପ୍ରତିଜ୍ଞା କରେ ଯେ “ତୁମ୍ଭେ ସଦାପ୍ରଭୁଙ୍କ ଉପରେ ଆପଣା ଭାର ପକାଅ, ତହିଁରେ ସେ ତୁମ୍ଭକୁ ସମ୍ଭାଳିବେ; ସେ ଧାର୍ମିକକୁ କଦାପି ବିଚଳିତ ହେବାକୁ ଦେବେ ନାହିଁ ।”—ଗୀତସଂହିତା ୫୫:୨୨.

‘ପ୍ରୌଢ଼ତା ଲାଭ କରିବା ପାଇଁ ଅଗ୍ରସର ହୁଅନ୍ତୁ’

୯, ୧୦. ପ୍ରୌଢ଼ ହେବାର ଅର୍ଥ କʼଣ ?

୯ ଯେତେବେଳେ ଆପଣ ଯିହୋବାଙ୍କ ସହିତ ନିଜ ସମ୍ପର୍କକୁ ଲଗାତାର ମଜବୁତ୍‌ କରୁଥିବେ, ସେତେବେଳେ ଆପଣ ‘ସିଦ୍ଧି [“ପ୍ରୌଢ଼ତା,” NW ] ଲାଭ କରିବା ନିମନ୍ତେ ଅଗ୍ରସର ହେଉଥିବେ ।’ (ଏବ୍ରୀ ୬:୧, ୨) ପ୍ରୌଢ଼ ହେବାର ଅର୍ଥ କʼଣ ?

୧୦ କେବଳ ବୟସ ବଢ଼ିଲେ ଜଣେ ଖ୍ରୀଷ୍ଟିୟାନ ପ୍ରୌଢ଼ ହୁଏ ନାହିଁ । ପ୍ରୌଢ଼ ହେବା ପାଇଁ ଆମେ ଯିହୋବାଙ୍କୁ ନିଜ ସବୁଠାରୁ ଭଲ ମିତ୍ର କରିବା ଉଚିତ୍‌ ଏବଂ ପ୍ରତ୍ୟେକ ମାମଲାକୁ ତାହାଙ୍କ ଦୃଷ୍ଟିରୁ ଦେଖିବା ଉଚିତ୍‌ । (ଯୋହନ ୪:୨୩) ପାଉଲ ଲେଖିଲେ, “ଯେଉଁମାନେ ଶାରୀରିକମନା, ସେମାନେ ଶାରୀରିକ ବିଷୟରେ ମନୋଯୋଗ କରନ୍ତି, କିନ୍ତୁ ଯେଉଁମାନେ ଆତ୍ମିକମନା, ସେମାନେ ଆତ୍ମିକ ବିଷୟରେ ମନୋଯୋଗ କରନ୍ତି ।” (ରୋମୀୟ ୮:୫) ଜଣେ ପ୍ରୌଢ଼ ଖ୍ରୀଷ୍ଟିୟାନ ସୁଖ ସୁବିଧାର ଜିନିଷ ହାସଲ କରିବାରେ କିମ୍ବା ମଉଜମଜଲିସ କରିବାରେ ଲାଗି ରହେ ନାହିଁ, ବରଂ ଯିହୋବାଙ୍କ ସେବାରେ ଲାଗି ରହେ ଏବଂ ସଠିକ୍‌ ନିଷ୍ପତ୍ତି ନିଏ । (ହିତୋପଦେଶ ୨୭:୧୧; ଯାକୁବ ୧:୨, ୩ ପଢ଼ନ୍ତୁ ।) ସେ ଅନ୍ୟମାନଙ୍କ କଥାରେ ଆସି ଭୁଲ କାମ କରେ ନାହିଁ । ଜଣେ ପ୍ରୌଢ଼ ଖ୍ରୀଷ୍ଟିୟାନ ଜାଣେ ଯେ ଠିକ୍‌ କʼଣ ଏବଂ ସେ ପ୍ରତ୍ୟେକ ପରିସ୍ଥିତିରେ ତାହା କରିଥାଏ ।

୧୧, ୧୨. (କ) ପାଉଲ “ଜ୍ଞାନେନ୍ଦ୍ରିୟଗୁଡ଼ିକ” ବିଷୟରେ କʼଣ ପରାମର୍ଶ ଦେଲେ ? (ଖ) ଜଣେ ଭଲ ଖେଳାଳି ହେବା ଏବଂ ଜଣେ ପ୍ରୌଢ଼ ଖ୍ରୀଷ୍ଟିୟାନ ହେବା ମଧ୍ୟରେ କʼଣ ସମାନତା ରହିଛି ?

୧୧ ପ୍ରୌଢ଼ ହେବା ପାଇଁ ବହୁତ ପରିଶ୍ରମ କରିବାକୁ ପଡ଼େ । ପ୍ରେରିତ ପାଉଲ କହିଲେ, “ବୟଃପ୍ରାପ୍ତ ଲୋକେ, ଅର୍ଥାତ୍‌, ଯେଉଁମାନେ ଜ୍ଞାନେନ୍ଦ୍ରିୟଗୁଡ଼ିକର ଅଭ୍ୟାସ ଦ୍ୱାରା ଭଲ ମନ୍ଦ ନିରୂପଣ କରିବାକୁ ସକ୍ଷମ, ସେମାନଙ୍କ ନିମନ୍ତେ ଗୁରୁପାକ ଖାଦ୍ୟ ପ୍ରୟୋଜନ ।” (ଏବ୍ରୀ ୫:୧୪) ଯେପରି ଜଣେ ବ୍ୟକ୍ତିକୁ ଖେଳାଳି ହେବା ପାଇଁ ବହୁତ “ଅଭ୍ୟାସ” କରିବାକୁ ପଡ଼େ କିମ୍ବା ନିଜକୁ ପ୍ରଶିକ୍ଷଣ ଦେବାକୁ ପଡ଼େ, ଠିକ୍‌ ସେହିପରି ଆମେ ମଧ୍ୟ ପ୍ରୌଢ଼ ହେବା ପାଇଁ ନିଜକୁ ପ୍ରଶିକ୍ଷଣ ଦେବା ଉଚିତ୍‌ ।

୧୨ ଜଣେ ବ୍ୟକ୍ତି ଗୋଟିଏ ରାତିରେ ଖେଳାଳି ହୋଇଯାଏ ନାହିଁ । ତାକୁ ନିଜକୁ ବହୁତ ପ୍ରଶିକ୍ଷଣ ଦେବାକୁ ପଡ଼େ ଏବଂ ଏଥିରେ ବହୁତ ସମୟ ମଧ୍ୟ ଲାଗେ । ସେ ଜନ୍ମରୁ ଜଣେ ଖେଳାଳି ନ ଥାଏ । ଯେତେବେଳେ ସେ ଶିଶୁ ଥାଏ, ସେତେବେଳେ ତାକୁ ଜଣା ନ ଥାଏ ଯେ ସେ ନିଜ ହାତଗୋଡ଼କୁ କିପରି ବ୍ୟବହାର କରିବ । କିନ୍ତୁ ଧୀରେ ଧୀରେ ଯେତେବେଳେ ସେ ବଡ଼ ହୁଏ, ସେତେବେଳେ ସେ ଜିନିଷଗୁଡ଼ିକୁ ଧରିବା ଓ ଚାଲିବା ଶିଖେ । ବଡ଼ ହେଲା ପରେ ସେ ନିଜକୁ ପ୍ରଶିକ୍ଷଣ ଦିଏ ଏବଂ ଜଣେ ଖେଳାଳି ହୁଏ । ଠିକ୍‌ ସେହିପରି, ଜଣେ ଖ୍ରୀଷ୍ଟିୟାନକୁ ମଧ୍ୟ ପ୍ରୌଢ଼ ହେବା ପାଇଁ ସମୟ ଲାଗେ ଏବଂ ନିଜକୁ ପ୍ରଶିକ୍ଷଣ ଦେବାକୁ ପଡ଼େ ।

୧୩. ଯିହୋବାଙ୍କ ଚିନ୍ତାଧାରା ଆପଣାଇବା ପାଇଁ ଆମେ କʼଣ କରିବା ଉଚିତ୍‌ ?

୧୩ ଏ ବହିରେ ଆମେ ଦେଖିଲୁ ଯେ ଆମେ କିପରି ଯିହୋବାଙ୍କ ଚିନ୍ତାଧାରାକୁ ଆପଣାଇପାରିବା ଏବଂ ପ୍ରତ୍ୟେକ ମାମଲାକୁ ତାହାଙ୍କ ଦୃଷ୍ଟିରୁ ଦେଖିପାରିବା । ଯେତେବେଳେ ଆମେ ଯିହୋବାଙ୍କ ମାନଦଣ୍ଡଗୁଡ଼ିକ ବିଷୟରେ ଶିଖିଲୁ, ସେତେବେଳେ ଆମେ ଜାଣିପାରିଲୁ ଯେ ସେଗୁଡ଼ିକ ଆମ ପାଇଁ କେତେ ଲାଭଦାୟକ । ଆଉ ଏହି କଥା ଆମ ହୃଦୟକୁ ଛୁଇଁଗଲା । କୌଣସି ନିଷ୍ପତ୍ତି ନେବା ସମୟରେ ଆମେ ନିଜକୁ ପଚାରିବା ଉଚିତ୍‌, ‘ଏ ମାମଲାରେ ବାଇବଲରେ କେଉଁ ନିୟମ ବା ସିଦ୍ଧାନ୍ତ ଦିଆଯାଇଛି? ମୁଁ ସେଗୁଡ଼ିକୁ କିପରି ଲାଗୁ କରିପାରିବି ? ମୁଁ କʼଣ କରେ ବୋଲି ଯିହୋବା ଚାହାନ୍ତି ?’—ହିତୋପଦେଶ ୩:୫, ୬; ଯାକୁବ ୧:୫ ପଢ଼ନ୍ତୁ ।

୧୪. ଆମେ ନିଜ ବିଶ୍ୱାସକୁ ବଢ଼ାଇବା ପାଇଁ କʼଣ କରିବା ଉଚିତ୍‌ ?

୧୪ ଆମେ ଯିହୋବାଙ୍କ ଉପରେ ନିଜ ବିଶ୍ୱାସ ଲଗାତାର ବଢ଼ାଇବା ଉଚିତ୍‌ । ଆମେ କେବେ ମଧ୍ୟ ଏହା କହିପାରିବା ନାହିଁ ଯେ ଆମକୁ ଆଉ ବିଶ୍ୱାସ ବଢ଼ାଇବାର ଆବଶ୍ୟକତା ନାହିଁ । ଯେପରି ଆମକୁ ସୁସ୍ଥ ରହିବା ପାଇଁ ପୁଷ୍ଟିକର ଖାଦ୍ୟ ଖାଇବା ଜରୁରୀ, ଠିକ୍‌ ସେହିପରି ଆମେ ନିଜ ବିଶ୍ୱାସକୁ ମଜବୁତ୍‌ କରିବା ପାଇଁ ଯିହୋବାଙ୍କ ବିଷୟରେ ଲଗାତାର ଶିଖିବା ଜରୁରୀ । ଯେତେବେଳେ ଆମେ ବାଇବଲ ଅଧ୍ୟୟନ କରିବା ଆରମ୍ଭ କରିଥିଲୁ, ସେତେବେଳେ ଆମେ ଯିହୋବା ଏବଂ ତାହାଙ୍କ ମାନଦଣ୍ଡଗୁଡ଼ିକ ବିଷୟରେ କେବଳ ମୌଳିକ ଶିକ୍ଷାଗୁଡ଼ିକୁ ଶିଖିଥିଲୁ । କିନ୍ତୁ ଏବେ ଆମେ ଗଭୀର ବିଷୟଗୁଡ଼ିକ ଜାଣିବା ଉଚିତ୍‌ । ଏକଥାକୁ ବୁଝିବା ପାଇଁ ପାଉଲ କହିଲେ, ‘ବୟଃପ୍ରାପ୍ତ ଲୋକମାନଙ୍କ ନିମନ୍ତେ ଗୁରୁପାକ ଖାଦ୍ୟ ପ୍ରୟୋଜନ ।’ ଶିଖିଥିବା କଥାକୁ ଲାଗୁ କଲେ ବୁଦ୍ଧି ହାସଲ ହୁଏ । ବାଇବଲ କହେ, “ଜ୍ଞାନ ସର୍ବଶ୍ରେଷ୍ଠ ବିଷୟ ।”—ହିତୋପଦେଶ ୪:୫-୭; ୧ ପିତର ୨:୩.

୧୫. ଆମେ ଯିହୋବା ଓ ଭାଇଭଉଣୀଙ୍କ ପ୍ରତି ପ୍ରେମ କାହିଁକି ବଢ଼ାଇବା ଉଚିତ୍‌ ?

୧୫ ଜଣେ ସୁସ୍ଥ ମଣିଷ ସବୁବେଳେ ସୁସ୍ଥ ରହିବା ପାଇଁ ନିଜର ଯତ୍ନ ନିଏ । ଠିକ୍‌ ସେହିପରି, ଜଣେ ପ୍ରୌଢ଼ ଖ୍ରୀଷ୍ଟିୟାନକୁ ଯିହୋବାଙ୍କ ସହ ନିଜ ସମ୍ପର୍କ ମଜବୁତ୍‌ ରଖିବା ପାଇଁ ଲଗାତାର ପରିଶ୍ରମ କରିବାକୁ ପଡ଼ିବ । ପାଉଲ କହିଲେ, “ତୁମ୍ଭେମାନେ ବିଶ୍ୱାସରେ ଅଛ କି ନାହିଁ, ସେ ବିଷୟରେ ଆପଣା ଆପଣାକୁ ପରୀକ୍ଷା କର, ଆପଣା ଆପଣାର ବିଚାର କର ।” (୨ କରିନ୍ଥୀୟ ୧୩:୫) କିନ୍ତୁ କେବଳ ବିଶ୍ୱାସକୁ ମଜବୁତ୍‌ କରିବା ଯଥେଷ୍ଟ ନୁହେଁ । ଆମେ ଯିହୋବା ଓ ନିଜ ଭାଇଭଉଣୀଙ୍କ ପ୍ରତି ନିଜ ପ୍ରେମକୁ ମଧ୍ୟ ବଢ଼ାଇବା ଉଚିତ୍‌ । ପାଉଲ କହିଲେ, ‘ଯଦି ମୁଁ ଜ୍ଞାନରେ ପାରଦର୍ଶୀ ହୋଇଥାଏ, ପୁଣି ପର୍ବତକୁ ସ୍ଥାନାନ୍ତର କରିବା ନିମନ୍ତେ ମୋହର ସମ୍ପୂର୍ଣ୍ଣ ବିଶ୍ୱାସ ଥାଏ, କିନ୍ତୁ ମୋହର ପ୍ରେମ ନ ଥାଏ, ତେବେ ମୁଁ କିଛି ନୁହେଁ ।’—୧ କରିନ୍ଥୀୟ ୧୩:୧-୩.

ନିଜ ଆଶା ଉପରେ ଧ୍ୟାନ କେନ୍ଦ୍ରିତ କରନ୍ତୁ

୧୬. ଶୟତାନ କʼଣ ଚାହେଁ ?

୧୬ ଶୟତାନ ଚାହେଁ ଆମେ ବିଶ୍ୱାସ କରୁ ଯେ ଆମେ କେବେ ବି ଯିହୋବାଙ୍କୁ ଖୁସି କରିପାରିବା ନାହିଁ । ସେ ଚାହେଁ ଯେ ସମସ୍ୟା ଆସିଲେ ଆମେ ନିରାଶ ହୋଇଯାଉ ଏବଂ ଭାବୁ ଯେ ଆମ ସମସ୍ୟାର କେବେ ବି ସମାଧାନ ହେବ ନାହିଁ । ସେ ଚାହେଁ ନାହିଁ ଯେ ଆମେ ନିଜ ଖ୍ରୀଷ୍ଟିୟାନ ଭାଇଭଉଣୀଙ୍କ ଉପରେ ଭରସା କରୁ ଏବଂ ଖୁସିରେ ରହୁ । (ଏଫିସୀୟ ୨:୨) ଶୟତାନ ଜାଣେ ଯେ ଆମ ମନରେ ନକରାତ୍ମକ ଚିନ୍ତା ଆସିଲେ ଆମର କ୍ଷତି ହୋଇଥାଏ ଏବଂ ଯିହୋବାଙ୍କ ସହ ଆମ ସମ୍ପର୍କ ଦୁର୍ବଳ ହୋଇଯାଏ । କିନ୍ତୁ ଆମେ ଏପରି ଚିନ୍ତାଗୁଡ଼ିକୁ ନିଜ ମନରୁ ବାହାର କରିପାରିବା । ଯିହୋବା ଆମକୁ ଏପରି କିଛି ଦେଇଛନ୍ତି, ଯାହାଦ୍ୱାରା ଆମକୁ ସାହାଯ୍ୟ ମିଳିପାରେ । ତାହା ହେଉଛି, ଆଶା ।

୧୭. ଆଶା ଆମ ମନକୁ କିପରି ରକ୍ଷା କରେ ?

୧୭ ପ୍ରଥମ ଥେସଲନୀକୀୟ ୫:୮ ପଦରେ କୁହାଯାଇଛି ଯେ ଆଶା ଜଣେ ସୈନିକର ଶିରସ୍ତ୍ରାଣ ବା ଟୋପି ଭଳି ଅଟେ, ଯାହା ତାʼ ମୁଣ୍ଡକୁ ରକ୍ଷା କରେ । ଏହି ଟୋପିକୁ “ପରିତ୍ରାଣର ଭରସା [“ଆଶା,” NW ] ବୋଲି କୁହାଯାଇଛି । ଏହି ଆଶା ଯୋଗୁଁ ଆମେ ନିଜ ମନରେ ନକରାତ୍ମକ ଚିନ୍ତାଧାରା ଆସିବାକୁ ଦେଇ ନ ଥାଉ ଓ ନିଜ ମନକୁ ରକ୍ଷା କରିଥାଉ ।

୧୮, ୧୯. ଆଶା ଯୋଗୁଁ ଯୀଶୁ କିପରି କଠିନ ପରିସ୍ଥିତିରେ ମଧ୍ୟ ଧୈର୍ଯ୍ୟ ଧରିପାରିଲେ ?

୧୮ ଯୀଶୁ ମଧ୍ୟ ନିଜ ଆଶା ଯୋଗୁଁ ସବୁ ସମସ୍ୟାର ସାମନା କରିପାରିଲେ । ସେ ପୃଥିବୀରେ ନିଜ ଜୀବନର ଶେଷ ରାତିରେ କଠିନରୁ କଠିନ ପରିସ୍ଥିତିର ସାମନା କଲେ । ସର୍ବପ୍ରଥମେ ତାଙ୍କ ଜଣେ ଘନିଷ୍ଠ ସାଙ୍ଗ ତାଙ୍କୁ ଧୋକା ଦେଲେ, ତାʼପରେ ଆଉ ଜଣେ ସାଙ୍ଗ ତାଙ୍କୁ ଚିହ୍ନିବାରୁ ମନା କରିଦେଲେ । ଅନ୍ୟ ସାଙ୍ଗମାନେ ତାଙ୍କୁ ଛାଡ଼ି ପଳାଇଗଲେ । ତାଙ୍କ ନିଜ ଲୋକ ତାଙ୍କ ବିରୁଦ୍ଧରେ ହୋଇଗଲେ ଏବଂ ତାଙ୍କୁ ଯାତନା ଖୁଣ୍ଟରେ ମୃତ୍ୟୁ ଦଣ୍ଡ ଦିଆଯାଉ ବୋଲି ଦାବି କଲେ । ଯୀଶୁ ଏସବୁ କିପରି ସହିପାରିଲେ ? ବାଇବଲ କହେ, “ସେ ଆପଣା ସମ୍ମୁଖସ୍ଥ ଆନନ୍ଦ ନିମନ୍ତେ ଅପମାନ ତୁଚ୍ଛଜ୍ଞାନ କରି ଧୈର୍ଯ୍ୟ ସହ କ୍ରୁଶୀୟ [“ଯାତନା ଖୁଣ୍ଟରେ,” NW ] ମୃତ୍ୟୁ ଭୋଗ କଲେ, ପୁଣି ଈଶ୍ୱରଙ୍କ ସିଂହାସନର ଦକ୍ଷିଣ ପାର୍ଶ୍ୱରେ ଉପବିଷ୍ଟ ହୋଇଅଛନ୍ତି ।”—ଏବ୍ରୀ ୧୨:୨.

୧୯ ଯୀଶୁ ଜାଣିଥିଲେ ଯେ ସେ ବିଶ୍ୱସ୍ତ ରହିଲେ ତାଙ୍କ ପିତାଙ୍କ ମହିମା ହେବ ଏବଂ ଶୟତାନ ମିଥ୍ୟା ବୋଲି ସାବ୍ୟସ୍ତ ହେବ । ଏହି ଆଶା ଯୋଗୁଁ ଯୀଶୁଙ୍କୁ ବହୁତ ଖୁସି ମିଳିଲା । ଯୀଶୁ ଜାଣିଥିଲେ ଯେ ସେ ଖୁବ୍‌ ଶୀଘ୍ର ସ୍ୱର୍ଗରେ ନିଜ ପିତାଙ୍କ ସହ ରହିବେ । ଏହି ଆଶା ଯୋଗୁଁ ସେ ଧୈର୍ଯ୍ୟ ଧରିପାରିଲେ । ଯୀଶୁଙ୍କ ପରି ଆମେ ମଧ୍ୟ ନିଜ ଆଶା ଉପରେ ଧ୍ୟାନ କେନ୍ଦ୍ରିତ କରିବା ଉଚିତ୍‌ । ଏପରି କଲେ ଆମେ କଠିନ ପରିସ୍ଥିତିରେ ମଧ୍ୟ ଧୈର୍ଯ୍ୟ ଧରିପାରିବା ।

୨୦. ଠିକ୍‌ ଚିନ୍ତାଧାରା ରଖିବା ପାଇଁ ଆପଣ କʼଣ କରିପାରିବେ ?

୨୦ ଆପଣଙ୍କଠାରେ କେତେ ବିଶ୍ୱାସ ଅଛି ଏବଂ ଆପଣ କିପରି ଧୈର୍ଯ୍ୟ ଧରନ୍ତି, ତାହା ଯିହୋବା ଧ୍ୟାନ ଦିଅନ୍ତି । (ଯିଶାଇୟ ୩୦:୧୮; ମଲାଖି ୩:୧୦ ପଢ଼ନ୍ତୁ ।) ଯିହୋବା ପ୍ରତିଜ୍ଞା କରିଛନ୍ତି ଯେ ସେ ଆପଣଙ୍କ “ମନୋବାଞ୍ଛା ପୂର୍ଣ୍ଣ କରିବେ ।” (ଗୀତସଂହିତା ୩୭:୪) ତେଣୁ ନିଜ ଆଶା ଉପରେ ଧ୍ୟାନ କେନ୍ଦ୍ରିତ କରନ୍ତୁ । ଶୟତାନ ଚାହେଁ ଯେ ଆପଣ କୌଣସି ଆଶା ରଖନ୍ତୁ ନାହିଁ ଏବଂ ଏହା ଭାବନ୍ତୁ ଯେ ଯିହୋବାଙ୍କ ପ୍ରତିଜ୍ଞା କେବେ ମଧ୍ୟ ପୂରଣ ହେବ ନାହିଁ । ଏପରି ନିରାଶ କରୁଥିବା କଥାଗୁଡ଼ିକ ବିଷୟରେ ଭାବନ୍ତୁ ନାହିଁ । ଯଦି ଆପଣଙ୍କ ମନରେ ଏହି ଆଶାକୁ ନେଇ ସନ୍ଦେହ ସୃଷ୍ଟି ହୁଏ ଯେ ଏହା ପୂରଣ ହେବ ନା ନାହିଁ, ତେବେ ଠିକ୍‌ ଚିନ୍ତାଧାରା ରଖିବା ପାଇଁ ଯିହୋବାଙ୍କୁ ପ୍ରାର୍ଥନା କରନ୍ତୁ । ଫିଲିପ୍‌ପୀୟ ୪:୬, ୭ ପଦରେ ଦିଆଯାଇଥିବା କଥାକୁ ମନେ ରଖନ୍ତୁ, “କୌଣସି ବିଷୟରେ ଚିନ୍ତିତ ହୁଅ ନାହିଁ, କିନ୍ତୁ ସମସ୍ତ ବିଷୟରେ ପ୍ରାର୍ଥନା ଓ ବିନତି ଦ୍ୱାରା ଧନ୍ୟବାଦ ସହ ତୁମ୍ଭମାନଙ୍କର ନିବେଦନସବୁ ଈଶ୍ୱରଙ୍କ ନିକଟରେ ଜଣାଅ । ସେଥିରେ ସମସ୍ତ ବୋଧର ଅଗମ୍ୟ ଯେ ଈଶ୍ୱରଙ୍କ ଶାନ୍ତି, ତାହା ତୁମ୍ଭମାନଙ୍କର ହୃଦୟ ଓ ମନକୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ସୁରକ୍ଷା କରି ରଖିବ ।”

୨୧, ୨୨. (କ) ପୃଥିବୀ ପାଇଁ ଯିହୋବାଙ୍କ ଉଦ୍ଦେଶ୍ୟ କʼଣ ? (ଖ) ଆପଣ କʼଣ କରିବା ପାଇଁ ଦୃଢ଼ ସଂକଳ୍ପ କରିଛନ୍ତି ?

୨୧ ଭବିଷ୍ୟତରେ ଆସିବାକୁ ଥିବା ରୋମାଞ୍ଚକର ସମୟ ବିଷୟରେ ଚିନ୍ତନ କରନ୍ତୁ । ଖୁବ୍‌ ଶୀଘ୍ର ଏ ଜଗତର ପ୍ରତ୍ୟେକ ମଣିଷ ଯିହୋବାଙ୍କର ଉପାସନା କରିବେ । (ପ୍ରକାଶିତ ବାକ୍ୟ ୭:୯, ୧୪) ଟିକେ ଭାବି ଦେଖନ୍ତୁ, ନୂତନ ଜଗତରେ ଜୀବନ ଏତେ ଭଲ ଥିବ, ଯାହା ଆମେ କେବେ ମଧ୍ୟ କଳ୍ପନା କରିପାରିବା ନାହିଁ । ଶୟତାନ ଓ ଦୁଷ୍ଟ ସ୍ୱର୍ଗଦୂତମାନେ ରହିବେ ନାହିଁ, ଦୁଷ୍ଟତା ମଧ୍ୟ ରହିବ ନାହିଁ । ଆପଣ ରୋଗରେ ପୀଡ଼ିତ ହେବେ ନାହିଁ । ଏପରିକି ଆପଣଙ୍କ ମୃତ୍ୟୁ ମଧ୍ୟ ହେବ ନାହିଁ । ଆପଣ ପ୍ରତ୍ୟେକ ଦିନ ଏକ ନୂଆ ଉତ୍ସାହର ସହ ଉଠିବେ । ପୃଥିବୀକୁ ଏକ ସୁନ୍ଦର ବଗିଚା ଭାବେ ତିଆରି କରିବା ପାଇଁ ସମସ୍ତେ ମିଳିମିଶି କାମ କରିବେ । ସମସ୍ତଙ୍କ ପାଇଁ ପୁଷ୍ଟିକର ଖାଦ୍ୟ ଥିବ, ରହିବା ପାଇଁ ଭଲ ଘର ମଧ୍ୟ ଥିବ । କାହାରି ସହ ଖରାପ ବ୍ୟବହାର କରାଯିବ ନାହିଁ । ଏପରିକି ଅତ୍ୟାଚାର ମଧ୍ୟ ହେବ ନାହିଁ । ଶେଷରେ ସେ ସମୟ ଆସିବ ଯେତେବେଳେ ଜଗତର ସମସ୍ତ ମଣିଷ “ଈଶ୍ୱରଙ୍କ ସନ୍ତାନମାନଙ୍କ ଗୌରବମୟ ଅବସ୍ଥା ସମ୍ବନ୍ଧୀୟ ସ୍ୱାଧୀନତା” ପାଇବେ ।—ରୋମୀୟ ୮:୨୧.

ପାରଦୀଶରେ ଭି ଭି ପରିବାରର ଲୋକ

୨୨ ଯିହୋବା ଚାହାନ୍ତି ଯେ ଆପଣ ତାହାଙ୍କୁ ନିଜର ସବୁଠାରୁ ଭଲ ମିତ୍ର କରନ୍ତୁ । ତେଣୁ ସବୁବେଳେ ଯିହୋବାଙ୍କ ଆଜ୍ଞା ପାଳନ କରନ୍ତୁ ଓ ଦିନକୁ ଦିନ ତାହାଙ୍କ ନିକଟବର୍ତ୍ତୀ ହେବାକୁ ଚେଷ୍ଟା କରନ୍ତୁ । ଆସନ୍ତୁ ଆମେ ସମସ୍ତେ ସର୍ବଦା ଈଶ୍ୱରଙ୍କ ପ୍ରେମରେ ସ୍ଥିର ହୋଇ ରହିବା ।—ଯିହୂଦା ୨୧.

ବାଇବଲର ସିଦ୍ଧାନ୍ତ

୧ ନିଜ ବିଶ୍ୱାସକୁ ଲଗାତାର ମଜବୁତ୍‌ କରନ୍ତୁ

“ତୁମ୍ଭେମାନେ ଆପଣାମାନଙ୍କ ଅତି ପବିତ୍ର ବିଶ୍ୱାସ ଉପରେ ଆପଣାମାନଙ୍କର ଧର୍ମ ଜୀବନରୂପ ଗୃହ ନିର୍ମାଣ କର ।”—ଯିହୂଦା ୨୦

ଆମେ କିପରି ନିଜ ବିଶ୍ୱାସକୁ ମଜବୁତ୍‌ କରିପାରିବା ?

  • ଏଫିସୀୟ ୬:୧୧; ଯାକୁବ ୧:୨୫; ୧ ପିତର ୫:୮

    ଯିହୋବାଙ୍କ ଆଜ୍ଞା ପାଳନ କଲେ କିପରି ଆମର ରକ୍ଷା ହୁଏ ଓ ଆମେ କିପରି ଖୁସିରେ ରହୁ, ସେବିଷୟରେ ଚିନ୍ତନ କରନ୍ତୁ ।

  • ମାଥିଉ ୨୮:୧୯, ୨୦; ୧ ଥେସଲନୀକୀୟ ୫:୧୭; ଏବ୍ରୀ ୧୦:୨୪, ୨୫

    ନିଜ ବିଶ୍ୱାସ ମଜବୁତ୍‌ କରିବା ପାଇଁ ଆମେ ନିୟମିତ ପ୍ରାର୍ଥନା କରିବା, ଅନ୍ୟମାନଙ୍କୁ ଯିହୋବାଙ୍କ ବିଷୟରେ କହିବା ଏବଂ ଖ୍ରୀଷ୍ଟିୟାନ ଭାଇଭଉଣୀଙ୍କ ସହ ମିଳାମିଶା କରିବା ଉଚିତ୍‌ ।

  • ଗୀତସଂହିତା ୫୫:୨୨; ଯିଶାଇୟ ୪୮:୧୭, ୧୮

    ଯିହୋବା ଆମକୁ କେବେ ମଧ୍ୟ ଛାଡ଼ିବେ ନାହିଁ । ତାହାଙ୍କ ମାର୍ଗଦର୍ଶନ ଅନୁସାରେ ଚାଲିଲେ, ଆମେ ଜୀବନରେ ଶାନ୍ତି ପାଇପାରିବା ।

୨ ଆମେ ପ୍ରୌଢ଼ ହେବା ପାଇଁ ଚେଷ୍ଟା କରିବା ଉଚିତ୍‌

‘ଆସ, ଆମ୍ଭେମାନେ ସିଦ୍ଧି [“ପ୍ରୌଢ଼,” NW ] ଲାଭ କରିବା ନିମନ୍ତେ ଅଗ୍ରସର ହେଉ ।’—ଏବ୍ରୀ ୬:୧, ୨

ପ୍ରୌଢ଼ ଖ୍ରୀଷ୍ଟିୟାନ ହେବାର ଅର୍ଥ କʼଣ ?

  • ରୋମୀୟ ୮:୫; ଏବ୍ରୀ ୫:୧୪

    ପ୍ରୌଢ଼ ହେବା ପାଇଁ ସମୟ ଓ ପରିଶ୍ରମର ଆବଶ୍ୟକ ହୁଏ । ଜଣେ ପ୍ରୌଢ଼ ଖ୍ରୀଷ୍ଟିୟାନ ପ୍ରତ୍ୟେକ କଥାକୁ ଯିହୋବାଙ୍କ ଦୃଷ୍ଟିରୁ ଦେଖେ ଓ ସଠିକ୍‌ ନିଷ୍ପତ୍ତି ନିଏ ।

  • ହିତୋପଦେଶ ୨୭:୧୧; ଯାକୁବ ୧:୨, ୩

    ସମସ୍ୟା ଆସିବା ସମୟରେ, ଆମକୁ ନିଜ ବିଶ୍ୱାସ ମଜବୁତ୍‌ କରିବା ପାଇଁ ଏବଂ ଯିହୋବାଙ୍କ ପ୍ରତି ନିଜ ପ୍ରେମକୁ ପ୍ରମାଣିତ କରିବା ପାଇଁ ସୁଯୋଗ ମିଳେ ।

  • ହିତୋପଦେଶ ୩:୫, ୬; ଯାକୁବ ୧:୫

    କୌଣସି ଜରୁରୀ ନିଷ୍ପତ୍ତି ନେବା ପୂର୍ବରୁ ସେବିଷୟରେ ଯିହୋବା ଆପଣଙ୍କଠାରୁ କʼଣ ଚାହାନ୍ତି, ତାହା ଭାବନ୍ତୁ ଏବଂ ସଠିକ୍‌ ନିଷ୍ପତ୍ତି ନେବା ପାଇଁ ତାହାଙ୍କୁ ସାହାଯ୍ୟ ମାଗନ୍ତୁ ।

  • ୨ କରିନ୍ଥୀୟ ୧୩:୫

    ଯିହୋବାଙ୍କ ବିଷୟରେ ଶିଖିବା ଓ ତାହାଙ୍କ ସହ ଆପଣଙ୍କ ସମ୍ପର୍କକୁ ମଜବୁତ୍‌ କରିବା କେବେ ମଧ୍ୟ ଛାଡ଼ନ୍ତୁ ନାହିଁ ।

୩ ନିଜ ଆଶା ଉପରେ ଧ୍ୟାନ କେନ୍ଦ୍ରିତ କରନ୍ତୁ

‘ପରିତ୍ରାଣର ଭରସା [“ଆଶା,” NW ] ରୂପ ଶିରସ୍ତ୍ରାଣ ମସ୍ତକରେ ଦିଅ ।’—୧ ଥେସଲନୀକୀୟ ୫:୮

ଆଶା ଆମର କିପରି ରକ୍ଷା କରିଥାଏ ?

  • ଏବ୍ରୀ ୧୨:୨

    ଏହା ଆପଣଙ୍କୁ ସମସ୍ୟାର ସାମନା କରିବା ପାଇଁ ଶକ୍ତି ଦେଇପାରେ । ଚିନ୍ତନ କରନ୍ତୁ ଯେ ଯୀଶୁଙ୍କ ସାମନାରେ ଯେଉଁ ଆଶା ଥିଲା, ତାʼ ଯୋଗୁଁ ସେ ସମସ୍ୟାଗୁଡ଼ିକୁ କିପରି ସାମନା କରିପାରିଲେ ।

  • ଫିଲିପ୍‌ପୀୟ ୪:୬, ୭

    ଯଦି ଆପଣଙ୍କ ମନରେ ସନ୍ଦେହ ଆସେ ଯେ ଏହି ଆଶା ପୂରଣ ହେବ ନା ନାହିଁ, ତେବେ ପ୍ରାର୍ଥନା କରନ୍ତୁ । ନକରାତ୍ମକ ଚିନ୍ତାଧାରା ଆମ ସାହସ ଭାଙ୍ଗିପାରେ । କିନ୍ତୁ ଯିହୋବା ଆପଣଙ୍କୁ ସାହସ ଓ ମନର ଶାନ୍ତି ଦେବେ ।

  • ମଲାଖି ୩:୧୦; ରୋମୀୟ ୮:୨୧

    ନୂତନ ଜଗତର ଆଶା ଉପରେ ଲଗାତାର ଚିନ୍ତନ କରନ୍ତୁ । ସେହି ଜଗତ କେତେ ବଢ଼ିଆ ହେବ, ତାହା ଆଜି ଆମେ କଳ୍ପନା ମଧ୍ୟ କରିପାରିବା ନାହିଁ ।

  • ଗୀତସଂହିତା ୩୭:୪; ଯିହୂଦା ୨୧

    ଯିହୋବା ଚାହାନ୍ତି ଆପଣ ତାହାଙ୍କୁ ଭଲଭାବେ ଜାଣନ୍ତୁ ଏବଂ ତାହାଙ୍କୁ ନିଜ ଭଲ ମିତ୍ର କରନ୍ତୁ । ତାହାଙ୍କ ଆଜ୍ଞା ପାଳନ କରିବା ପାଇଁ ସବୁବେଳେ ଚେଷ୍ଟା କରନ୍ତୁ ଏବଂ ଦିନକୁ ଦିନ ତାହାଙ୍କ ନିକଟବର୍ତ୍ତୀ ହୁଅନ୍ତୁ ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ