ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • lvs ଅଧ୍ୟା ୪ ପୃଷ୍ଠା ୪୫-୫୯
  • ଅଧିକାର ଥିବା ବ୍ୟକ୍ତିଙ୍କର ଆଦର

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଅଧିକାର ଥିବା ବ୍ୟକ୍ତିଙ୍କର ଆଦର
  • ଈଶ୍ୱରଙ୍କ ପ୍ରେମରେ ସ୍ଥିର ହୋଇ ରହନ୍ତୁ
  • ଉପଶୀର୍ଷକ
  • ପ୍ରାୟ ସମାନ ଲେଖା
  • ଏହା କାହିଁକି କଷ୍ଟକର ଲାଗିପାରେ ?
  • ଆମେ ଯିହୋବାଙ୍କ ଅଧିକାରକୁ କାହିଁକି ଆଦର କରୁ ?
  • ପରିବାରରେ ଅଧିକାର ଥିବା ବ୍ୟକ୍ତିଙ୍କର ଆଦର
  • ମଣ୍ଡଳୀରେ ଅଧିକାର ଥିବା ବ୍ୟକ୍ତିଙ୍କର ଆଦର
  • ସରକାରୀ ଅଧିକାରୀମାନଙ୍କୁ ଆଦର
  • ଅନ୍ୟମାନଙ୍କର ଆଦର କରନ୍ତୁ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୫
  • ଆଦର ସମ୍ମାନ ଆଗ ଭଳି କାହିଁକି ନାହିଁ ?
    ସଜାଗ ହୁଅ !—୨୦୨୪
  • ଆପଣଙ୍କ ପରିବାର ସୁଖୀ ହୋଇପାରିବ
    ବାଇବଲ ଆମକୁ କʼଣ ଶିଖାଏ?
  • ଆପଣ କାହାର କର୍ତ୍ତୃତ୍ୱ ସ୍ୱୀକାର କରିବା ଉଚିତ ?
    ଜ୍ଞାନ ଯାହା ଅନନ୍ତ ଜୀବନଆଡ଼କୁ ପରିଚାଳିତ କରେ
ଈଶ୍ୱରଙ୍କ ପ୍ରେମରେ ସ୍ଥିର ହୋଇ ରହନ୍ତୁ
lvs ଅଧ୍ୟା ୪ ପୃଷ୍ଠା ୪୫-୫୯
ଜଣେ ପିତା ମର ସହ ନିଜ ପିଲାମାନଙ୍କୁ ବୁଝାଉଛନ୍ତି

ଅଧ୍ୟାୟ ୪

ଅଧିକାର ଥିବା ବ୍ୟକ୍ତିଙ୍କର ଆଦର

“ସମସ୍ତଙ୍କୁ ସମାଦର [ଆଦର] କର, ଭାଇମାନଙ୍କୁ ପ୍ରେମ କର, ଈଶ୍ୱରଙ୍କୁ ଭୟ କର, ରାଜାଙ୍କୁ ସମାଦର କର ।”—୧ ପିତର ୨:୧୭.

୧, ୨. (କ) ଆମେ କାହାର ମାର୍ଗଦର୍ଶନ ଅନୁସାରେ ଚାଲିବା ଉଚିତ୍‌ ? (ଖ) ଏହି ଅଧ୍ୟାୟରେ ଆମେ କେଉଁ ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରିବା ?

ହୁଏତ ଛୋଟ ବେଳେ ଏପରି ଅନେକ ଥର ହୋଇଥିବ ଯେତେବେଳେ ଆପଣଙ୍କ ପିତାମାତା ଆପଣଙ୍କୁ କିଛି କାମ କରିବା ପାଇଁ କହିଥିବେ, କିନ୍ତୁ ସେହି କାମ କରିବାକୁ ଆପଣଙ୍କ ମନ ହେଉ ନ ଥିବ । ଆପଣ ନିଜ ପିତାମାତାଙ୍କୁ ପ୍ରେମ କରୁଥିଲେ ଏବଂ ଜାଣୁଥିଲେ ଯେ ତାଙ୍କ କଥା ଶୁଣିବା ଉଚିତ୍‌ । ତଥାପି ବେଳେ ବେଳେ ଆପଣଙ୍କୁ ତାଙ୍କ କଥା ଶୁଣିବାକୁ ଇଚ୍ଛା ହେଉ ନ ଥିଲା ।

୨ ଆମ ପିତା ଯିହୋବା ଆମକୁ ପ୍ରେମ କରନ୍ତି । ସେ ଆମକୁ ସେସବୁ ଦେଇଛନ୍ତି ଯାହାଫଳରେ ଆମେ ଜୀବନର ଆନନ୍ଦ ନେଇପାରିବା । ଆମେ ଏକ ଭଲ ଜୀବନ ଜୀଇଁବା ପାଇଁ ସେ ଆମକୁ ମାର୍ଗଦର୍ଶନ ମଧ୍ୟ ଦିଅନ୍ତି । ସେ ଅନେକ ଥର ଲୋକମାନଙ୍କ ଜରିଆରେ ଆମକୁ ମାର୍ଗଦର୍ଶନ ଦିଅନ୍ତି । ତେଣୁ ଆମେ ଅଧିକାର ଥିବା ବ୍ୟକ୍ତିଙ୍କର ଆଦର କରିବା ଉଚିତ୍‌ । ଆମ ଉପରେ ଅଧିକାର ଦେଇଛନ୍ତି ସେମାନଙ୍କୁ ଆମେ ଆଦର କରିବା ଉଚିତ୍‌ । (ହିତୋପଦେଶ ୨୪:୨୧) କିନ୍ତୁ ବେଳେ ବେଳେ ଆମକୁ ତାଙ୍କ ପରାମର୍ଶ ପାଳନ କରିବା କଷ୍ଟକର ଲାଗିପାରେ । ଏପରି କାହିଁକି ? ଯିହୋବା କାହିଁକି ଚାହାନ୍ତି ଯେ ଆମେ ତାହାଙ୍କ ମାର୍ଗଦର୍ଶନ ଅନୁସାରେ ଚାଲିବା ? ଆମେ ଯିହୋବାଙ୍କ ଅଧିକାରର ଆଦର କିପରି କରିପାରିବା ?—ଅଧିକ ବିବରଣୀ-୯ ଦେଖନ୍ତୁ ।

ଏହା କାହିଁକି କଷ୍ଟକର ଲାଗିପାରେ ?

୩, ୪. (କ) ଲୋକମାନେ କିପରି ଅପରିପୂର୍ଣ୍ଣ ହୋଇଗଲେ ? (ଖ) ମାର୍ଗଦର୍ଶନଗୁଡ଼ିକୁ ପାଳନ କରିବା କାହିଁକି କଷ୍ଟକର ଲାଗିପାରେ ?

୩ ଲୋକମାନଙ୍କୁ କାହାରି ଅଧିକାରରେ ରହିବା ଭଲ ଲାଗେ ନାହିଁ । ତେଣୁ ସେମାନଙ୍କୁ ଅନ୍ୟମାନଙ୍କର କଥା ଶୁଣିବା କଷ୍ଟକର ଲାଗିପାରେ । ପ୍ରଥମ ମଣିଷ ଆଦମ ଓ ହବାଙ୍କ ସମୟରୁ ହିଁ ଏପରି ହୋଇ ଆସୁଛି । ଯଦିଓ ସେମାନଙ୍କୁ ପରିପୂର୍ଣ୍ଣ ଭାବେ ସୃଷ୍ଟି କରାଯାଇଥିଲା, ତଥାପି ସେମାନେ ଯିହୋବାଙ୍କ ଅଧିକାର ବିରୋଧରେ କାମ କଲେ ଏବଂ ଅପରିପୂର୍ଣ୍ଣ ହୋଇଗଲେ । ତାʼପରେ ଯେତେ ଲୋକ ଜନ୍ମ ହେଲେ ସମସ୍ତେ ଅପରିପୂର୍ଣ୍ଣ ହେଲେ । ଏହି ଅପରିପୂର୍ଣ୍ଣତା ଯୋଗୁଁ ହିଁ ଆମକୁ ଯିହୋବା ଓ ଲୋକମାନଙ୍କଠାରୁ ମିଳୁଥିବା ମାର୍ଗଦର୍ଶନ ଅନୁସାରେ ଚାଲିବା କଷ୍ଟକର ଲାଗିପାରେ । ଏହାଛଡ଼ା, ଆଉ ଗୋଟିଏ କାରଣ ହେଉଛି ଯିହୋବା ଯେଉଁ ଲୋକମାନଙ୍କୁ ଆମ ଉପରେ ଅଧିକାର ଦେଇଛନ୍ତି, ସେମାନେ ମଧ୍ୟ ଅପରିପୂର୍ଣ୍ଣ ।—ଆଦି ପୁସ୍ତକ ୨:୧୫-୧୭; ୩:୧-୭; ଗୀତସଂହିତା ୫୧:୫; ରୋମୀୟ ୫:୧୨.

୪ ଅପରିପୂର୍ଣ୍ଣ ହୋଇଥିବା ଯୋଗୁଁ ଅତି ସହଜରେ ଆମ ଭିତରେ ଅହଂକାରର ଭାବନା ଆସେ ଏବଂ ମାର୍ଗଦର୍ଶନକୁ ପାଳନ କରିବା ଆମକୁ କଷ୍ଟକର ଲାଗେ । ପ୍ରାଚୀନ ଇସ୍ରାଏଲରେ କୋରହ ନାମକ ବ୍ୟକ୍ତିଙ୍କ ସହ ମଧ୍ୟ ଏପରି ହିଁ ହୋଇଥିଲା । ସେ ଅନେକ ବର୍ଷରୁ ଯିହୋବାଙ୍କ ସେବା କରୁଥିଲେ, କିନ୍ତୁ ପରେ ସେ ଅହଂକାରୀ ହୋଇଗଲେ । ସେ ମୋଶାଙ୍କ ବହୁତ ଅପମାନ କଲେ । ଯିହୋବା ମୋଶାଙ୍କୁ ଇସ୍ରାଏଲ ରାଷ୍ଟ୍ରର ମାର୍ଗଦର୍ଶନ କରିବା ପାଇଁ ବାଛିଥିଲେ । ଏହା ସତ୍ତ୍ୱେ ସେ ଟିକେ ବି ଅହଂକାରୀ ନ ଥିଲେ । ତାଙ୍କ ବିଷୟରେ ବାଇବଲରେ ଲେଖାଅଛି ଯେ ସେ ସେସମୟର ସବୁଠାରୁ ନମ୍ର ଲୋକ ଥିଲେ । ତଥାପି କୋରହ ମୋଶାଙ୍କର ନିର୍ଦ୍ଦେଶଗୁଡ଼ିକୁ ମାନିବାକୁ ଚାହୁଁ ନ ଥିଲେ । ସେ ଅନେକ ଲୋକଙ୍କୁ ନିଜ ଆଡ଼କୁ କରିନେଲେ ଏବଂ ସେମାନେ ସମସ୍ତେ ମିଶି ମୋଶାଙ୍କ ବିରୋଧୀ ହୋଇଗଲେ । କିନ୍ତୁ ସେମାନଙ୍କୁ ଏହାର ବହୁତ ଖରାପ ପରିଣାମ ଭୋଗିବାକୁ ପଡ଼ିଲା । ସେମାନଙ୍କୁ ମାରି ଦିଆଗଲା । (ଗଣନା ପୁସ୍ତକ ୧୨:୩; ୧୬:୧-୩, ୩୧-୩୫) ବାଇବଲରେ କୋରହଙ୍କ ପରି ଅନେକ ଲୋକମାନଙ୍କ ବିଷୟରେ କୁହାଯାଇଛି, ଯେଉଁମାନଙ୍କଠାରୁ ଆମେ ଶିଖୁ ଯେ ଅହଂକାରର ପରିଣାମ ବହୁତ ଭୟଙ୍କର ହୋଇଥାଏ ।—୨ ବଂଶାବଳୀ ୨୬:୧୬-୨୧; ଅଧିକ ବିବରଣୀ-୧୦ ଦେଖନ୍ତୁ ।

୫. କିଛି ଲୋକମାନେ ନିଜ ଅଧିକାରର ଭୁଲ ବ୍ୟବହାର କିପରି କଲେ ?

୫ ସାଧାରଣତଃ ଦେଖାଯାଇଛି ଯେ ଅଧିକାର ପାଇବା ପରେ ଲୋକମାନେ ଭ୍ରଷ୍ଟ ହୋଇଯାʼନ୍ତି । ଯଦି ଆମେ ଇତିହାସରେ ଦେଖିବା, ତାହେଲେ ମଧ୍ୟ ଆମେ ଜାଣିପାରିବା ଯେ ଅଧିକାଂଶ ରାଜାମାନେ ନିଜ ଶକ୍ତିର ଭୁଲ ବ୍ୟବହାର କରିଥିଲେ । (ଉପଦେଶକ ୮:୯ ପଢ଼ନ୍ତୁ ।) ଏହାର ଗୋଟିଏ ଉଦାହରଣ ହେଉଛନ୍ତି, ଶାଉଲ । ଯେତେବେଳେ ଯିହୋବା ତାଙ୍କୁ ଇସ୍ରାଏଲ ଦେଶର ରାଜା ଭାବେ ବାଛିଥିଲେ, ସେତେବେଳେ ସେ ଜଣେ ନମ୍ର ଓ ଭଲ ମଣିଷ ଥିଲେ । କିନ୍ତୁ ପରେ ସେ ଅହଂକାରୀ ହୋଇଗଲେ । ସେ ଦାଉଦଙ୍କୁ ଈର୍ଷା କରିବାକୁ ଲାଗିଲେ ଏବଂ ବିନା କୌଣସି କାରଣରେ ତାଙ୍କୁ ଅତ୍ୟାଚାର କରିବାକୁ ଲାଗିଲେ । (୧ ଶାମୁୟେଲ ୯:୨୦, ୨୧; ୧୦:୨୦-୨୨; ୧୮:୭-୧୧) ଶାଉଲଙ୍କ ପରେ ଦାଉଦ ରାଜା ହେଲେ । ସେ ଜଣେ ଭଲ ରାଜା ଥିଲେ । କିନ୍ତୁ ପରେ ସେ ମଧ୍ୟ ନିଜ ଅଧିକାରର ଭୁଲ ବ୍ୟବହାର କଲେ । ସେ ବତ୍‌ଶେବାଙ୍କ ସହ ଅନୈତିକ ଯୌନ ସମ୍ପର୍କ ରଖିଲେ, ଯିଏ ତାଙ୍କ ଏକ ସୈନିକ ଊରୀୟଙ୍କ ପତ୍ନୀ ଥିଲେ । ପରେ ସେ ନିଜ ପାପ ଲୁଚାଇବା ପାଇଁ ଊରୀୟଙ୍କୁ ଯୁଦ୍ଧରେ ପଠାଇ ହତ୍ୟା କରାଇଦେଲେ ।—୨ ଶାମୁୟେଲ ୧୧:୧-୧୭.

ଆମେ ଯିହୋବାଙ୍କ ଅଧିକାରକୁ କାହିଁକି ଆଦର କରୁ ?

୬, ୭. (କ) ଯିହୋବାଙ୍କ ପ୍ରତି ପ୍ରେମ ଥିବା ଯୋଗୁଁ ଆମେ କʼଣ କରୁ ? (ଖ) କେଉଁ ବିଷୟ ପ୍ରତି ଧ୍ୟାନ ରଖିଲେ, ଆମେ ସେତେବେଳେ ମଧ୍ୟ ଯିହୋବାଙ୍କ ଆଜ୍ଞା ପାଳନ କରିପାରିବା, ଯେତେବେଳେ ତାହା କରିବା ସହଜ ହୋଇ ନ ଥାଏ ?

୬ ଆମେ କୌଣସି ଲୋକଙ୍କଠାରୁ ଅଧିକ ଯିହୋବାଙ୍କୁ ପ୍ରେମ କରୁ, ତେଣୁ ତାହାଙ୍କ ଅଧିକାରକୁ ଆଦର କରୁ ଏବଂ ତାହାଙ୍କୁ ଖୁସି କରିବା ପାଇଁ ଚାହୁଁ । (ହିତୋପଦେଶ ୨୭:୧୧; ମାର୍କ ୧୨:୨୯, ୩୦ ପଢ଼ନ୍ତୁ ।) ପ୍ରଥମ ମଣିଷ ଆଦମ ଓ ହବାଙ୍କ ସମୟରୁ ହିଁ ଶୟତାନ ଏହା ଚେଷ୍ଟା କରିଆସିଛି ଯେ ମଣିଷମାନେ ଯିହୋବାଙ୍କ ଅଧିକାର ଉପରେ ପ୍ରଶ୍ନ କରନ୍ତୁ । ଶୟତାନ ଆମ ମନରେ ସନ୍ଦେହ ସୃଷ୍ଟି କରେ ଯେ ଆମକୁ କʼଣ କରିବା ଉଚିତ୍‌ ଏହା ଜଣାଇବାର ଅଧିକାର ଯିହୋବାଙ୍କ ପାଖରେ ନାହିଁ । କିନ୍ତୁ ଆମେ ଜାଣୁ ଯେ ଏହା ମିଛ ଅଟେ । ଯିହୋବାଙ୍କୁ ଆମ ଉପରେ ସମ୍ପୂର୍ଣ୍ଣ ଅଧିକାର ଅଛି । ବାଇବଲ କହେ, “ହେ ଆମ୍ଭମାନଙ୍କର ପ୍ରଭୁ ଓ ଈଶ୍ୱର, ତୁମ୍ଭେ ଗୌରବ, ସମ୍ଭ୍ରମ ଓ ପରାକ୍ରମ ପାଇବାକୁ ସୁଭାଜନ ଅଟ, ତୁମ୍ଭେ ସମସ୍ତ ସୃଷ୍ଟି କରିଅଛ ।”—ପ୍ରକାଶିତ ବାକ୍ୟ ୪:୧୧.

୭ ହୁଏତ ଆପଣଙ୍କୁ ଛୋଟବେଳୁ ହିଁ ଏହା ଶିଖାଯାଇଛି ଯେ ଆପଣ ସବୁବେଳେ ନିଜ ପିତାମାତାଙ୍କର ଆଜ୍ଞା ପାଳନ କରିବା ଉଚିତ୍‌, ଏପରିକି ଇଚ୍ଛା ନ ଥିଲେ ମଧ୍ୟ । ଠିକ୍‌ ସେହିପରି, ଯିହୋବାଙ୍କ ଆଜ୍ଞା ପାଳନ କରିବା ମଧ୍ୟ ବେଳେ ବେଳେ ଆମକୁ କଷ୍ଟକର ଲାଗିପାରେ । କିନ୍ତୁ ଆମେ ଯିହୋବାଙ୍କୁ ପ୍ରେମ କରୁ ଏବଂ ତାହାଙ୍କୁ ଆଦର କରୁ, ତେଣୁ ଆମେ ତାହାଙ୍କ ଆଜ୍ଞା ପାଳନ କରିବା ପାଇଁ ପୂରା ଚେଷ୍ଟା କରୁ । ଏ କ୍ଷେତ୍ରରେ ଯୀଶୁ ଖ୍ରୀଷ୍ଟ ଆମ ପାଇଁ ଏକ ବଢ଼ିଆ ଉଦାହରଣ ଅଟନ୍ତି । ସେ ଯିହୋବାଙ୍କ ଆଜ୍ଞା ସବୁବେଳେ ପାଳନ କଲେ, ଏପରିକି ଯେତେବେଳେ ତାହା କରିବା ତାଙ୍କ ପାଇଁ ସହଜ ନ ଥିଲା । ଏହା ଯୋଗୁଁ ସେ ନିଜ ପିତାଙ୍କୁ କହିଲେ, “ମୋହର ଇଚ୍ଛା ନୁହେଁ, ମାତ୍ର ତୁମ୍ଭର ଇଚ୍ଛା ସଫଳ ହେଉ ।”—ଲୂକ ୨୨:୪୨; ଅଧିକ ବିବରଣୀ-୧୧ ଦେଖନ୍ତୁ ।

୮. ଯିହୋବା ଆମକୁ କିପରି ମାର୍ଗଦର୍ଶନ ଦିଅନ୍ତି ? (“ପରାମର୍ଶ ପାଳନ କରନ୍ତୁ” ନାମକ ବକ୍ସ ଦେଖନ୍ତୁ ।)

୮ ଆଜି ଯିହୋବା ଆମକୁ ବିଭିନ୍ନ ଉପାୟରେ ମାର୍ଗଦର୍ଶନ ଦିଅନ୍ତି । ଯେପରି— ସେ ଆମକୁ ବାଇବଲ ଦେଇଛନ୍ତି ଏବଂ ମଣ୍ଡଳୀରେ ପ୍ରାଚୀନମାନଙ୍କୁ ନିଯୁକ୍ତ କରିଛନ୍ତି । ଆମେ ପ୍ରାଚୀନମାନଙ୍କ ଆଦର କରିବା ଉଚିତ୍‌ । ଏପରି କରିବା ଦ୍ୱାରା ଆମେ ଯିହୋବାଙ୍କ ଅଧିକାରର ଆଦର କରିଥାଉ । ଯଦି ଆମେ ପ୍ରାଚୀନମାନଙ୍କ ଆଜ୍ଞା ପାଳନ କରିବା ନାହିଁ, ତେବେ ଆମେ ଦେଖାଇବା ଯେ ଆମେ ଯିହୋବାଙ୍କ ଆଜ୍ଞା ମଧ୍ୟ ପାଳନ କରୁ ନାହୁଁ । ଯେତେବେଳେ ଇସ୍ରାଏଲୀୟମାନେ ମୋଶାଙ୍କ କଥା ଶୁଣିଲେ ନାହିଁ, ସେତେବେଳେ ଯିହୋବାଙ୍କୁ ଏହା ଭଲ ଲାଗିଲା ନାହିଁ । ଯିହୋବାଙ୍କ ଦୃଷ୍ଟିରେ ଏହା ଏପରି ଥିଲା, ଯେପରି ସେମାନେ ତାହାଙ୍କ କଥା ଶୁଣୁ ନାହାନ୍ତି ।—ଗଣନା ପୁସ୍ତକ ୧୪:୨୬, ୨୭; ଅଧିକ ବିବରଣୀ-୧୨ ଦେଖନ୍ତୁ ।

ପରାମର୍ଶ ପାଳନ କରନ୍ତୁ

ବେଳେ ବେଳେ ହୁଏତ କେହି ଆମକୁ ବାଇବଲର ସିଦ୍ଧାନ୍ତଗୁଡ଼ିକର ଆଧାରରେ ପରାମର୍ଶ ଦେଇପାରନ୍ତି । କିନ୍ତୁ ଆମ ପାଇଁ ତାହା ପାଳନ କରିବା ସହଜ ହୋଇ ନ ଥାଏ । ଏହାର ତିନୋଟି କାରଣ ତଳେ ଦିଆଯାଇଛି ।—ହିତୋପଦେଶ ୧୯:୨୦.

  • ଆମକୁ ଲାଗିପାରେ ଯେ ଏହି ପରାମର୍ଶ ଆମକୁ ଦିଆଯିବା ଉଚିତ୍‌ ନୁହେଁ । ହୁଏତ ଆମକୁ ଲାଗିପାରେ ଯେ ଯିଏ ଆମକୁ ପରାମର୍ଶ ଦେଉଛନ୍ତି, ସେ ଆମ ପରିସ୍ଥିତି ଭଲଭାବେ ଜାଣି ନାହାନ୍ତି । (ଏବ୍ରୀ ୧୨:୫) କିନ୍ତୁ ଆମେ ଭାବିବା ଉଚିତ୍‌ ଯେ ସେ ଯାହା କହିଲେ ତାʼ ପଛରେ କୌଣସି ଠୋସ୍‌ କାରଣ ଅଛି ନା ନାହିଁ । (ହିତୋପଦେଶ ୧୯:୩) ଯଦି ଆମେ ତାʼ ପଛରେ ଥିବା କାରଣକୁ ବୁଝିବା, ତାହେଲେ ପରାମର୍ଶକୁ ପାଳନ କରିବା ଆମ ପାଇଁ ସହଜ ହୋଇଯିବ ।—ହିତୋପଦେଶ ୪:୧୩ ପଢ଼ନ୍ତୁ ।

  • ଯେପରି ଭାବେ ପରାମର୍ଶ ଦିଆଗଲା, ତାହା ଆମକୁ ଭଲ ଲାଗିଲା ନାହିଁ । ଜଣେ ପରିପୂର୍ଣ୍ଣ ବ୍ୟକ୍ତି ହିଁ ସଠିକ୍‌ ଭାବରେ ଏପରି ପରାମର୍ଶ ଦେଇପାରିବ ଯାହା ଠିକ୍‌ ଥିବ । (ରୋମୀୟ ୩:୨୩; ଯାକୁବ ୩:୨) ଯେତେବେଳେ କେହି ଆପଣଙ୍କୁ କୌଣସି ପରାମର୍ଶ ଦେଉଛନ୍ତି, ସେତେବେଳେ ଏହା ଦେଖନ୍ତୁ ନାହିଁ ଯେ ସେ କିପରି ଭାବରେ ପରାମର୍ଶ ଦେଉଛନ୍ତି ବରଂ ଏହା ଧ୍ୟାନ ଦିଅନ୍ତୁ ଯେ ସେ ଆପଣଙ୍କୁ କʼଣ କହୁଛନ୍ତି ଏବଂ ଆପଣ ତାହା କିପରି ପାଳନ କରିପାରିବେ ।

  • ହୁଏତ ଆମକୁ ନିଜ ବୟସ କିମ୍ବା ଅନୁଭୂତି ଯୋଗୁଁ ଲାଗିପାରେ ଯେ ଆମକୁ ପରାମର୍ଶର ଆବଶ୍ୟକତା ନାହିଁ । ପ୍ରାଚୀନ ଇସ୍ରାଏଲରେ ରାଜାମାନଙ୍କୁ ମଧ୍ୟ ଭବିଷ୍ୟଦ୍‌ବକ୍ତା, ଯାଜକ ଓ ସେମାନଙ୍କ ରାଜ୍ୟର ଅନ୍ୟ ଲୋକମାନଙ୍କଠାରୁ ପରାମର୍ଶ ମିଳୁଥିଲା । (୨ ଶାମୁୟେଲ ୧୨:୧-୧୩; ୨ ବଂଶାବଳୀ ୨୬:୧୬-୨୦) ଯଦି ଆମେ ବାଇବଲରେ ଥିବା ପରାମର୍ଶଗୁଡ଼ିକୁ ନମ୍ରତାର ସହ ପାଳନ କରିବା, ତେବେ ଯିହୋବାଙ୍କ ସହିତ ଆମ ସମ୍ପର୍କ ଆହୁରି ମଜବୁତ୍‌ ହେବ ।—ତୀତସ ୩:୨.

ମନେ ରଖନ୍ତୁ, ବାଇବଲରେ ଦିଆଯାଇଥିବା ପରାମର୍ଶ ପ୍ରକୃତରେ ଯିହୋବାଙ୍କ ତରଫରୁ ଅଟେ । ସେ ଆମକୁ ପ୍ରେମ କରନ୍ତି ଓ ଆମର ମଙ୍ଗଳ ଚାହାନ୍ତି । ତେଣୁ ପରାମର୍ଶକୁ ଗ୍ରହଣ କରନ୍ତୁ ଓ ତାହାକୁ ନିଜ ଜୀବନରେ ଲାଗୁ କରନ୍ତୁ ।—ଏବ୍ରୀ ୧୨:୬-୧୧.

୯. ପ୍ରେମ ଆମକୁ ଅଧିକାର ରଖୁଥିବା ବ୍ୟକ୍ତିମାନଙ୍କର ଆଦର କରିବା ପାଇଁ କିପରି ପ୍ରେରଣା ଦିଏ ?

୯ ଯେତେବେଳେ ଆମେ ମଣ୍ଡଳୀରେ ଅଧିକାର ରଖୁଥିବା ବ୍ୟକ୍ତିମାନଙ୍କ ଆଦର କରୁ, ସେତେବେଳେ ଆମେ ଦେଖାଉ ଯେ ଆମେ ଭାଇଭଉଣୀମାନଙ୍କୁ ମଧ୍ୟ ପ୍ରେମ କରୁ । ତାହା କିପରି ? ଏହା ବୁଝିବା ପାଇଁ ଗୋଟିଏ ଉଦାହରଣ ପ୍ରତି ଧ୍ୟାନ ଦିଅନ୍ତୁ । ଯେତେବେଳେ ପ୍ରାକୃତିକ ବିପର୍ଯ୍ୟୟ ଆସେ, ସେତେବେଳେ ରିଲିଫ ଦଳର ଲୋକେ ଅଧିକରୁ ଅଧିକ ଲୋକମାନଙ୍କର ଜୀବନ ରକ୍ଷା କରିବା ପାଇଁ ମିଳିମିଶି କାମ କରନ୍ତି । ସେହି ଦଳର ପ୍ରତ୍ୟେକ ସଦସ୍ୟ ଯେତେବେଳେ ନିର୍ଦ୍ଦେଶ ଦେଉଥିବା ବ୍ୟକ୍ତିଙ୍କ କଥା ଶୁଣିବେ, ସେତେବେଳେ ଭଲଭାବେ କାମ କରିପାରିବେ । ଯଦି ସେହି ଦଳର ଜଣେ ବ୍ୟକ୍ତି ନିର୍ଦ୍ଦେଶ ନ ମାନି ତାକୁ ଯାହା ଠିକ୍‌ ଲାଗେ ସେପରି କରେ, ତେବେ କʼଣ ହେବ ? ତାʼର ଉଦ୍ଦେଶ୍ୟ ଯେତେ ଭଲ ହୋଇଥାଉ ନା କାହିଁକି ତାʼର ଏହି କାମ ଯୋଗୁଁ ଦଳର ଅନ୍ୟ ସଦସ୍ୟମାନଙ୍କ ଉପରେ ସମସ୍ୟା ଆସିପାରେ । ଏପରିକି କାହାରିକୁ ଆଘାତ ମଧ୍ୟ ଲାଗିପାରେ । ଠିକ୍‌ ସେହିପରି, ଯେତେବେଳେ ଆମେ ଯିହୋବାଙ୍କ ମାର୍ଗଦର୍ଶନ ଅନୁସାରେ ଚାଲିବା ନାହିଁ ଏବଂ ଅଧିକାର ଥିବା ବ୍ୟକ୍ତିଙ୍କର କଥା ଶୁଣିବା ନାହିଁ, ସେତେବେଳେ ଆମ ଭାଇଭଉଣୀଙ୍କୁ ମଧ୍ୟ ସମସ୍ୟାର ସାମନା କରିବାକୁ ପଡ଼ିପାରେ । କିନ୍ତୁ ଯେତେବେଳେ ଆମେ ଯିହୋବାଙ୍କ ଆଜ୍ଞା ପାଳନ କରୁ, ସେତେବେଳେ ଆମେ ଦେଖାଉ ଯେ ଆମେ ଭାଇଭଉଣୀମାନଙ୍କୁ ପ୍ରେମ କରୁ ଏବଂ ଯିହୋବାଙ୍କ ବ୍ୟବସ୍ଥାକୁ ସହଯୋଗ କରୁ ।—୧ କରିନ୍ଥୀୟ ୧୨:୧୪, ୨୫, ୨୬.

୧୦, ୧୧. ବର୍ତ୍ତମାନ ଆମେ କେଉଁ ବିଷୟଗୁଡ଼ିକ ଉପରେ ଆଲୋଚନା କରିବା ?

୧୦ ଯିହୋବା ଆମକୁ ଯାହା ବି କରିବା ପାଇଁ କହନ୍ତି, ତାହା ଆମ ଭଲ ପାଇଁ କହନ୍ତି । ଯେତେବେଳେ ଆମେ ପରିବାରରେ, ମଣ୍ଡଳୀରେ ଅଧିକାର ରଖୁଥିବା ବ୍ୟକ୍ତିମାନଙ୍କର ଏବଂ ସରକାରୀ ଅଧିକାରୀମାନଙ୍କର ଆଦର କରୁ, ସେତେବେଳେ ସମସ୍ତଙ୍କର ମଙ୍ଗଳ ହୋଇଥାଏ ।—ଦ୍ୱିତୀୟ ବିବରଣ ୫:୧୬; ରୋମୀୟ ୧୩:୪; ଏଫିସୀୟ ୬:୨, ୩; ଏବ୍ରୀ ୧୩:୧୭.

୧୧ ଯଦି ଆମେ ଧ୍ୟାନ ଦେବା ଯେ ଯିହୋବା ଆମକୁ ଅନ୍ୟମାନଙ୍କ ଆଦର କରିବା ପାଇଁ କାହିଁକି କହନ୍ତି, ତେବେ ଆମ ପାଇଁ ସେମାନଙ୍କୁ ଆଦର କରିବା ସହଜ ହୋଇଯିବ । ଆସନ୍ତୁ ଦେଖିବା ଜୀବନର ତିନୋଟି କ୍ଷେତ୍ରରେ ଆମେ କିପରି ଅନ୍ୟମାନଙ୍କ ଆଦର କରିପାରିବା ।

ପରିବାରରେ ଅଧିକାର ଥିବା ବ୍ୟକ୍ତିଙ୍କର ଆଦର

୧୨. ଜଣେ ପତି ଯିହୋବାଙ୍କ ଆଦର କିପରି କରିପାରିବ ?

୧୨ ପରିବାରର ବ୍ୟବସ୍ଥା ଯିହୋବା କରିଛନ୍ତି । ପରିବାରର ପ୍ରତ୍ୟେକ ସଦସ୍ୟଙ୍କ ନିଜ ନିଜ ଭୂମିକା ରହିଛି । ଯେତେବେଳେ ପରିବାରର ପ୍ରତ୍ୟେକ ସଦସ୍ୟ ନିଜ ଭୂମିକା ଭଲଭାବେ ବୁଝନ୍ତି ଓ ତୁଲାନ୍ତି, ସେତେବେଳେ ପରିବାର ଭଲଭାବେ ଚାଲେ ଏବଂ ସମସ୍ତେ ଖୁସିରେ ରହନ୍ତି । (୧ କରିନ୍ଥୀୟ ୧୪:୩୩) ଯିହୋବା ପରିବାରରେ ପତିଙ୍କୁ ମୁଖିଆ ଭାବେ ନିଯୁକ୍ତ କରିଛନ୍ତି । ଏହାର ଅର୍ଥ, ଯିହୋବା ପତିମାନଙ୍କଠାରୁ ଆଶା କରନ୍ତି ଯେ ସେମାନେ ନିଜ ପତ୍ନୀ ଓ ପିଲାମାନଙ୍କର ଯତ୍ନ ନିଅନ୍ତୁ ଏବଂ ସେମାନଙ୍କୁ ସଠିକ୍‌ ବାଟ ଦେଖାନ୍ତୁ । ଜଣେ ପତି ନିଜ ପରିବାରର ଯେପରି ଯତ୍ନ ନିଅନ୍ତି, ତାʼ ପାଇଁ ସେ ଯିହୋବାଙ୍କ ନିକଟରେ ଉତ୍ତର ଦେବା ପାଇଁ ଦାୟୀ । ଜଣେ ଖ୍ରୀଷ୍ଟିୟାନ ପତିକୁ ନିଜ ପତ୍ନୀ ଓ ପିଲାମାନଙ୍କ ସହ ପ୍ରେମର ସହିତ ବ୍ୟବହାର କରିବା ଉଚିତ୍‌, ଠିକ୍‌ ଯେପରି ଯୀଶୁ ମଣ୍ଡଳୀ ସହିତ ବ୍ୟବହାର କରନ୍ତି । ଯଦି ଜଣେ ପତି ଏପରି କରେ, ତେବେ ସେ ଦେଖାଏ ଯେ ସେ ଯିହୋବାଙ୍କୁ ଆଦର କରୁଛି ।—ଏଫିସୀୟ ୫:୨୩; ଅଧିକ ବିବରଣୀ-୧୩ ଦେଖନ୍ତୁ ।

ଜଣେ ପିତା ନିଜ ପିଲାମାନଙ୍କୁ ମହାନ ଶିକ୍ଷକଙ୍କଠାରୁ ଶିଖ ବହିରୁ କିଛି ପ ଶୁଣାଉଛନ୍ତି

ଜଣେ ପିତା ନିଜ ପରିବାରର ଯତ୍ନ ନେଇ ଦେଖାଉଛନ୍ତି ଯେ ସେ ଖ୍ରୀଷ୍ଟଙ୍କୁ ଅନୁକରଣ କରୁଛନ୍ତି

୧୩. ଜଣେ ପତ୍ନୀ ନିଜ ପତିଙ୍କ ଆଦର କିପରି କରିପାରିବ ?

୧୩ ପତ୍ନୀଙ୍କ ଭୂମିକା ମଧ୍ୟ ବହୁତ ମହତ୍ତ୍ୱ ରଖେ । ଈଶ୍ୱର ତାଙ୍କୁ ମଧ୍ୟ ସମ୍ମାନ ଦିଅନ୍ତି । ଯେତେବେଳେ ସେ ନିଜ ପତିଙ୍କୁ ପୂରାପୂରି ସହଯୋଗ କରନ୍ତି, ସେତେବେଳେ ପତି ମୁଖିଆ ଭାବରେ ଥିବା ନିଜ ଦାୟିତ୍ୱକୁ ଭଲଭାବେ ତୁଲାଇପାରନ୍ତି । ପତିଙ୍କ ସହ ତାଙ୍କୁ ମଧ୍ୟ ପିଲାମାନଙ୍କୁ ଶିଖାଇବାର ଦାୟିତ୍ୱ ଦିଆଯାଇଛି । ଏପରି କରିବାର ଗୋଟିଏ ଉପାୟ ହେଉଛି, ସେ ନିଜେ ପତିଙ୍କୁ ଆଦର କରି ପିଲାମାନଙ୍କୁ ଆଦର କରିବା ଶିଖାଇପାରିବେ । (ହିତୋପଦେଶ ୧:୮) ସେ ନିଜ ପତିଙ୍କ ନିଷ୍ପତ୍ତିକୁ ଆଦର କରନ୍ତି ଓ ସହଯୋଗ କରନ୍ତି । ଯଦି କୌଣସି ନିଷ୍ପତ୍ତିକୁ ନେଇ ସେ ନିଜ ପତିଙ୍କ ସହ ସହମତ ହୁଅନ୍ତି ନାହିଁ, ତେବେ ମଧ୍ୟ ସେ ନିଜ କଥା ତାଙ୍କୁ ଆଦରର ସହ କହନ୍ତି । ଯଦି ଜଣେ ଭଉଣୀଙ୍କ ପତି ସାକ୍ଷୀ ନୁହନ୍ତି, ତେବେ ତାଙ୍କୁ ଅନ୍ୟ ଏକ ସମସ୍ୟାର ସାମନା ମଧ୍ୟ କରିବାକୁ ପଡ଼ିପାରେ । ଏପରି ସମୟରେ ଯଦି ସେ ନିଜ ପତିଙ୍କୁ ପ୍ରେମ କରିବେ ଏବଂ ତାଙ୍କ ଆଦର କରିବେ, ତେବେ ହୋଇପାରେ ଦିନେ ତାଙ୍କ ପତି ମଧ୍ୟ ଯିହୋବାଙ୍କୁ ଜାଣିବା ପାଇଁ ଏବଂ ତାହାଙ୍କ ଉପାସନା କରିବା ପାଇଁ ପଦକ୍ଷେପ ନେବେ ।—୧ ପିତର ୩:୧, ୨ ପଢ଼ନ୍ତୁ ।

୧୪. ପିଲାମାନେ ନିଜ ପିତାମାତାଙ୍କର ଆଦର କିପରି କରିପାରିବେ ?

୧୪ ପିଲାମାନେ ଯିହୋବାଙ୍କ ଦୃଷ୍ଟିରେ ବହୁମୂଲ୍ୟ ଅଟନ୍ତି । ସେ ଚାହାନ୍ତି ଯେ ପିତାମାତା ସେମାନଙ୍କ ଯତ୍ନ ନିଅନ୍ତୁ ଏବଂ ସେମାନଙ୍କୁ ଠିକ୍‌ ବାଟ ଦେଖାନ୍ତୁ । ଯେତେବେଳେ ପିଲାମାନେ ପିତାମାତାଙ୍କ କଥା ଶୁଣନ୍ତି, ସେତେବେଳେ ସେମାନେ ନିଜ ପିତାମାତାଙ୍କୁ ଖୁସି କରନ୍ତି । ସେମାନେ ଯିହୋବାଙ୍କୁ ଆଦର କରନ୍ତି ଏବଂ ତାହାଙ୍କୁ ଖୁସି ମଧ୍ୟ କରନ୍ତି । (ହିତୋପଦେଶ ୧୦:୧) ଅନେକ ପରିବାରଗୁଡ଼ିକରେ କେବଳ ମାଆ କିମ୍ବା ବାପା ଥାʼନ୍ତି । ସେମାନଙ୍କୁ ଏକୁଟିଆ ହିଁ ନିଜ ପିଲାମାନଙ୍କ ଯତ୍ନ ନେବାକୁ ପଡ଼ିଥାଏ । ଏପରି ସମୟରେ ମାଆ କିମ୍ବା ବାପାଙ୍କ ସହିତ ପିଲାମାନଙ୍କୁ ମଧ୍ୟ ଅନେକ ସମସ୍ୟାର ସାମନା କରିବାକୁ ପଡ଼ିଥାଏ । କିନ୍ତୁ ଯଦି ପିଲାମାନେ ମାଆ କିମ୍ବା ବାପାଙ୍କ କଥା ଶୁଣିବେ ଏବଂ ତାଙ୍କୁ ସହଯୋଗ କରିବେ, ତେବେ ସମସ୍ୟା କମ୍‌ ହୋଇପାରିବ । ପରିବାରରେ ପିତାମାତା ଦୁହେଁ ଥାʼନ୍ତୁ କିମ୍ବା କେବଳ ମାଆ କିମ୍ବା ବାପା ଥାʼନ୍ତୁ, ଏପରି କୌଣସି ପରିବାର ନାହିଁ ଯେଉଁଠି ସମସ୍ୟା ନାହିଁ । ଏହା ସତ୍ତ୍ୱେ, ଯଦି ପରିବାରର ପ୍ରତ୍ୟେକ ସଦସ୍ୟ ଯିହୋବାଙ୍କ ମାର୍ଗଦର୍ଶନକୁ ମାନିବେ, ତାହେଲେ ପରିବାର ସୁଖୀ ହୋଇପାରିବ । ଏହାଦ୍ୱାରା ଯିହୋବାଙ୍କ ମହିମା ହେବ, ଯିଏ ପରିବାରର ବ୍ୟବସ୍ଥା କରିଛନ୍ତି ।—ଏଫିସୀୟ ୩:୧୪, ୧୫.

ମଣ୍ଡଳୀରେ ଅଧିକାର ଥିବା ବ୍ୟକ୍ତିଙ୍କର ଆଦର

୧୫. ମଣ୍ଡଳୀରେ ଆମେ ଯିହୋବାଙ୍କ ଆଦର କିପରି କରିପାରିବା ?

୧୫ ଯିହୋବା ଖ୍ରୀଷ୍ଟୀୟ ମଣ୍ଡଳୀ ଜରିଆରେ ଆମକୁ ମାର୍ଗଦର୍ଶନ ଦିଅନ୍ତି । ସେ ଯୀଶୁଙ୍କୁ ମଣ୍ଡଳୀ ଉପରେ ପୂରା ଅଧିକାର ଦେଇଛନ୍ତି । (କଲସୀୟ ୧:୧୮) ପୃଥିବୀରେ ଯୀଶୁ ନିଜ ଲୋକମାନଙ୍କ ଯତ୍ନ ନେବାର ଦାୟିତ୍ୱ ‘ବିଶ୍ୱସ୍ତ ଓ ବୁଦ୍ଧିମାନ ଦାସକୁ’ ଦେଇଛନ୍ତି । (ମାଥିଉ ୨୪:୪୫-୪୭) ସେହି “ବିଶ୍ୱସ୍ତ ଓ ବୁଦ୍ଧିମାନ ଦାସ” ପ୍ରଶାସନ ଦଳ ଅଟେ । ଆମ ବିଶ୍ୱାସ ମଜବୁତ୍‌ ରହିବା ପାଇଁ ଆମକୁ ଯାହା ଦରକାର, ପ୍ରଶାସନ ଦଳ ସଠିକ୍‌ ସମୟରେ ସେସବୁ ଆମକୁ ଦେଇଥାଏ । ପ୍ରଶାସନ ଦଳ ପ୍ରାଚୀନ, ସହାୟକ ସେବକ ଓ ସର୍କିଟ ଅଧ୍ୟକ୍ଷମାନଙ୍କୁ ମାର୍ଗଦର୍ଶନ ଦିଏ, ଯେଉଁମାନେ ସାରା ଦୁନିଆରେ ଥିବା ମଣ୍ଡଳୀଗୁଡ଼ିକର ଯତ୍ନ ନିଅନ୍ତି । ଏହି ସମସ୍ତ ଭାଇମାନଙ୍କୁ ଆମର ଯତ୍ନ ନେବାର ଦାୟିତ୍ୱ ଦିଆଯାଇଛି । ସେମାନେ ନିଜ ଦାୟିତ୍ୱ ଯେପରି ଭାବରେ ତୁଲାନ୍ତି, ତାʼ ପାଇଁ ସେମାନେ ଯିହୋବାଙ୍କ ନିକଟରେ ଉତ୍ତର ଦେବା ପାଇଁ ଦାୟୀ । ଯେତେବେଳେ ଆମେ ସେମାନଙ୍କୁ ଆଦର କରୁ, ସେତେବେଳେ ଆମେ ଯିହୋବାଙ୍କୁ ଆଦର କରିଥାଉ ।—୧ ଥେସଲନୀକୀୟ ୫:୧୨; ଏବ୍ରୀ ୧୩:୧୭ ପଢ଼ନ୍ତୁ; ଅଧିକ ବିବରଣୀ-୧୪ ଦେଖନ୍ତୁ ।

୧୬. ଆମେ କାହିଁକି କହିପାରିବା ଯେ ପ୍ରାଚୀନ ଓ ସହାୟକ ସେବକମାନଙ୍କୁ ପବିତ୍ର ଶକ୍ତି ଜରିଆରେ ନିଯୁକ୍ତ କରାଯାଏ ?

୧୬ ପ୍ରାଚୀନ ଓ ସହାୟକ ସେବକମାନେ ମଣ୍ଡଳୀର ଭାଇଭଉଣୀମାନଙ୍କୁ ସାହାଯ୍ୟ କରନ୍ତି, ଯାହାଫଳରେ ସେମାନଙ୍କ ବିଶ୍ୱାସ ମଜବୁତ୍‌ ହୁଏ ଏବଂ ସେମାନଙ୍କ ମଧ୍ୟରେ ଏକତା ରହେ । ସେମାନେ ମଧ୍ୟ ଆମ ପରି ଅପରିପୂର୍ଣ୍ଣ ମଣିଷ ଅଟନ୍ତି, ତଥାପି ସେମାନଙ୍କୁ ଏହି ଦାୟିତ୍ୱ ପାଇଁ ପବିତ୍ର ଶକ୍ତି ଦ୍ୱାରା ନିଯୁକ୍ତ କରାଯାଏ । ଆମେ ଏହା କାହିଁକି କହିପାରିବା ? ଏହି ଦାୟିତ୍ୱ ପାଇଁ ଏପରି ଭାଇମାନଙ୍କୁ ବଛାଯାଏ, ଯେଉଁମାନେ ବାଇବଲରେ ଦିଆଯାଇଥିବା ଯୋଗ୍ୟତାଗୁଡ଼ିକୁ ପୂରଣ କରିଥାʼନ୍ତି । (୧ ତୀମଥି ୩:୧-୭, ୧୨; ତୀତସ ୧:୫-୯) ଏହି ଯୋଗ୍ୟତା ପବିତ୍ର ଶକ୍ତି ଜରିଆରେ ଲେଖାଯାଇଛି । ତାʼ ସହ ମଣ୍ଡଳୀର ପ୍ରାଚୀନମାନେ କୌଣସି ଭାଇକୁ ପ୍ରାଚୀନ କିମ୍ବା ସହାୟକ ସେବକ ଭାବେ ନିଯୁକ୍ତ କରିବା ସମୟରେ ପବିତ୍ର ଶକ୍ତି ପାଇଁ ଯିହୋବାଙ୍କୁ ପ୍ରାର୍ଥନା କରିଥାʼନ୍ତି । ଏଥିରୁ ସ୍ପଷ୍ଟ ଜଣାପଡ଼େ ଯେ ମଣ୍ଡଳୀର ମାର୍ଗଦର୍ଶନ ଯିହୋବା ଓ ଯୀଶୁ ହିଁ କରୁଛନ୍ତି । (ପ୍ରେରିତ ୨୦:୨୮) ଯେଉଁ ଭାଇମାନଙ୍କୁ ଆମର ଯତ୍ନ ନେବା ଏବଂ ଆମକୁ ସାହାଯ୍ୟ କରିବାର ଦାୟିତ୍ୱ ଦିଆଯାଇଛି, ସେମାନେ ଈଶ୍ୱରଙ୍କ ତରଫରୁ ଏକ ଉପହାର ଅଟନ୍ତି ।—ଏଫିସୀୟ ୪:୮, ୧୧.

୧୭. ଜଣେ ଭଉଣୀ କିପରି ଦେଖାଇପାରିବେ ଯେ ସେ ଯିହୋବାଙ୍କ ବ୍ୟବସ୍ଥାକୁ ଆଦର କରନ୍ତି ?

୧୭ ବେଳେ ବେଳେ ହୁଏତ ମଣ୍ଡଳୀର ଦାୟିତ୍ୱ ତୁଲାଇବା ପାଇଁ କୌଣସି ପ୍ରାଚୀନ କିମ୍ବା ସହାୟକ ସେବକ ନ ଥାଇପାରନ୍ତି । ଏପରି ସମୟରେ ବାପ୍ତିସ୍ମପ୍ରାପ୍ତ ଅନ୍ୟ ଭାଇମାନେ ଏହି କାମ କରିପାରିବେ । ଯଦି ଏପରି କୌଣସି ଭାଇ ନ ଥିଲେ, ଜଣେ ଭଉଣୀ ଏହି କାମ କରିପାରେ । କିନ୍ତୁ ତାଙ୍କୁ ଏହି ଦାୟିତ୍ୱ ତୁଲାଇବା ସମୟରେ ନିଜ ମୁଣ୍ଡରେ ଓଢ଼ଣୀ ଦେବା ଉଚିତ୍‌ । (୧ କରିନ୍ଥୀୟ ୧୧:୩-୧୦) ମଣ୍ଡଳୀରେ କିମ୍ବା ପରିବାରରେ ଏପରି ଦାୟିତ୍ୱ ତୁଲାଇବା ସମୟରେ ସେ ମୁଣ୍ଡରେ ଓଢ଼ଣୀ ଦେଇ ଦେଖାନ୍ତି ଯେ ସେ ଯିହୋବାଙ୍କ ବ୍ୟବସ୍ଥାକୁ ଆଦର କରୁଛନ୍ତି ।—ଅଧିକ ବିବରଣୀ-୧୫ ଦେଖନ୍ତୁ ।

ସରକାରୀ ଅଧିକାରୀମାନଙ୍କୁ ଆଦର

୧୮, ୧୯. (କ) ରୋମୀୟ ୧୩:୧-୭ ପଦରୁ ଆମେ କʼଣ ଶିଖୁ ? (ଖ) ଆମେ ଅଧିକାରୀମାନଙ୍କୁ ଆଦର କିପରି କରିପାରିବା ?

୧୮ ଯିହୋବା ସରକାରକୁ କିଛି ଅଧିକାର ଦେଇଛନ୍ତି । ତେଣୁ ଆମେ ସରକାରୀ ଅଧିକାରୀମାନଙ୍କୁ ଆଦର କରିବା ଉଚିତ୍‌ । ସେମାନେ ଦେଶ ଓ ସମାଜ ପାଇଁ ଭଲ ବ୍ୟବସ୍ଥା କରନ୍ତି । ଫଳରେ ସାଧାରଣ ଜନତା ହଇରାଣ ହୁଏ ନାହିଁ ଏବଂ ସେମାନଙ୍କୁ ଆବଶ୍ୟକ ହେଉଥିବା ସେବା ମିଳେ । ରୋମୀୟ ୧୩:୧-୭ (ପଢ଼ନ୍ତୁ ।) ପଦରେ ଖ୍ରୀଷ୍ଟିୟାନମାନଙ୍କୁ ଦିଆଯାଇଥିବା ପରାମର୍ଶଗୁଡ଼ିକୁ ଆମେ ପାଳନ କରୁ । ଆମେ ନିଜ ଦେଶ ଓ ଅଞ୍ଚଳର “ଅଧିକାର ପ୍ରାପ୍ତ ଶାସନକର୍ତ୍ତାଙ୍କ” ଆଦର କରିବା ଉଚିତ୍‌ ଏବଂ ସେମାନଙ୍କ ନିୟମଗୁଡ଼ିକୁ ପାଳନ କରିବା ଉଚିତ୍‌ । ଏ ନିୟମଗୁଡ଼ିକ ଆମ ପରିବାର, ବ୍ୟାପାର, ଚାକିରି କିମ୍ବା ଆମ ଜମିବାଡ଼ି ବିଷୟରେ ହୋଇପାରେ । ଯେପରି— ସରକାରକୁ କର ଦେବା କିମ୍ବା ଏପରି ତଥ୍ୟ ଦେବା ଯାହା ସେ ଆମଠାରୁ ଚାହାନ୍ତି । କିନ୍ତୁ ଯଦି ସରକାର ଆମକୁ ଈଶ୍ୱରଙ୍କ ନିୟମ ବିରୁଦ୍ଧରେ କୌଣସି କାମ କରିବାକୁ କହେ, ତାହେଲେ ଆମେ କʼଣ କରିବା ଉଚିତ୍‌ ? ଏବିଷୟରେ ପ୍ରେରିତ ପିତର କହିଥିଲେ, “ମନୁଷ୍ୟମାନଙ୍କ ଆଜ୍ଞା ଅପେକ୍ଷା ବରଂ ଈଶ୍ୱରଙ୍କ ଆଜ୍ଞା ପାଳନ କରିବା କର୍ତ୍ତବ୍ୟ ।”—ପ୍ରେରିତ ୫:୨୮, ୨୯.

୧୯ ଯେତେବେଳେ ଆମେ କୌଣସି କାମ ଯୋଗୁଁ ସରକାରୀ ଅଧିକାରୀମାନଙ୍କ ପାଖକୁ ଯାଉ, ଯେପରି ନ୍ୟାୟଧୀଶ କିମ୍ବା ପୋଲିସ ଅଧିକାରୀମାନଙ୍କ ପାଖରେ, ସେତେବେଳେ ଆମେ ତାଙ୍କ ସହିତ ଆଦରର ସହ ବ୍ୟବହାର କରିବା ଉଚିତ୍‌ । ସ୍କୁଲ ଯାଉଥିବା ପିଲାମାନଙ୍କୁ ନିଜ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅନ୍ୟ କର୍ମଚାରୀମାନଙ୍କୁ ଆଦର କରିବା ଉଚିତ୍‌ । ଯଦିଓ ଆମେ କାମ କରୁଥିବା ଜାଗାରେ ଅନ୍ୟ କର୍ମଚାରୀମାନେ ମାଲିକଙ୍କୁ ଆଦର କରନ୍ତି ନାହିଁ, ତଥାପି ଆମେ ତାଙ୍କୁ ଆଦର କରିବା ଉଚିତ୍‌ । ଯେତେବେଳେ ଆମେ ଏପରି କରୁ, ସେତେବେଳେ ଆମେ ପ୍ରେରିତ ପାଉଲଙ୍କୁ ଅନୁକରଣ କରିଥାଉ । ଯଦିଓ ଅଧିକାରୀମାନଙ୍କୁ ଆଦର କରିବା ତାଙ୍କ ପାଇଁ କଠିନ ଥିଲା, ତଥାପି ସେ ସେମାନଙ୍କୁ ଆଦର କରୁଥିଲେ । (ପ୍ରେରିତ ୨୬:୨, ୨୫) ଯେତେବେଳେ କେହି ଆମ ସହ ଖରାପ ବ୍ୟବହାର କରନ୍ତି, ସେତେବେଳେ ମଧ୍ୟ ଆମେ ତାଙ୍କୁ ଆଦର କରିବା ଉଚିତ୍‌ ।—ରୋମୀୟ ୧୨:୧୭, ୧୮ ପଢ଼ନ୍ତୁ; ୧ ପିତର ୩:୧୫.

୨୦, ୨୧. ଅନ୍ୟମାନଙ୍କ ଆଦର କରିବା ଦ୍ୱାରା ଆମର କʼଣ ଲାଭ ହୋଇପାରେ ?

୨୦ ଆଜି ଦୁନିଆରେ ବହୁତ କମ୍‌ ଲୋକ ଅନ୍ୟମାନଙ୍କୁ ଆଦର କରନ୍ତି । କିନ୍ତୁ ଯିହୋବାଙ୍କ ଲୋକମାନେ ସେପରି ନୁହନ୍ତି । ସେମାନେ ସମସ୍ତଙ୍କୁ ଆଦର କରନ୍ତି । ସେମାନେ ପ୍ରେରିତ ପିତରଙ୍କ ଏହି ପରାମର୍ଶ ମାନନ୍ତି, “ସମସ୍ତଙ୍କୁ ସମାଦର [ଆଦର] କର ।” (୧ ପିତର ୨:୧୭) ଯେତେବେଳେ ଆମେ ଲୋକମାନଙ୍କୁ ଆଦର କରୁ, ସେତେବେଳେ ସେମାନେ ଆମ ପ୍ରତି ଧ୍ୟାନ ଦିଅନ୍ତି । ତେଣୁ ଯୀଶୁ ଆମକୁ କହିଲେ, “ତୁମ୍ଭମାନଙ୍କର ଆଲୋକ ଲୋକଙ୍କ ସାକ୍ଷାତରେ ପ୍ରକାଶ ପାଉ, ଯେପରି ସେମାନେ ତୁମ୍ଭମାନଙ୍କ ସତ୍କର୍ମ ଦେଖି ତୁମ୍ଭମାନଙ୍କ ସ୍ୱର୍ଗସ୍ଥ ପିତାଙ୍କର ମହିମା କୀର୍ତ୍ତନ କରିବେ ।”—ମାଥିଉ ୫:୧୬.

୨୧ ଯେତେବେଳେ ଆମେ ପରିବାରର ଓ ମଣ୍ଡଳୀର ଲୋକମାନଙ୍କୁ ଆଦର କରୁ ଏବଂ ଅନ୍ୟ ଲୋକମାନଙ୍କୁ ଭଲ ବ୍ୟବହାର ଦେଖାଉ, ସେତେବେଳେ ଆମ ଚାଲିଚଳନ ଦେଖି ହୁଏତ ଲୋକେ ଯିହୋବାଙ୍କ ବିଷୟରେ ଜାଣିବା ପାଇଁ ଇଚ୍ଛା ପ୍ରକାଶ କରିବେ । ଯେତେବେଳେ ଆମେ ଲୋକମାନଙ୍କ ଆଦର କରିଥାଉ, ସେତେବେଳେ ପ୍ରକୃତରେ ଆମେ ଯିହୋବାଙ୍କ ଆଦର କରୁ । ଏହାଦ୍ୱାରା ଯିହୋବା ଖୁସି ହୁଅନ୍ତି ଏବଂ ଆମେ ଦେଖାଉ ଯେ ଆମେ ତାହାଙ୍କୁ ପ୍ରେମ କରୁ ।

ବାଇବଲର ସିଦ୍ଧାନ୍ତ

୧ ଯିହୋବା ମଣିଷମାନଙ୍କ ଜରିଆରେ ଆମକୁ ମାର୍ଗଦର୍ଶନ ଦିଅନ୍ତି

“ସମସ୍ତଙ୍କୁ ସମାଦର [ଆଦର] କର, . . . ଈଶ୍ୱରଙ୍କୁ ଭୟ କର ।”—୧ ପିତର ୨:୧୭

ମାର୍ଗଦର୍ଶନକୁ ମାନିବା କାହିଁକି କଷ୍ଟକର ଲାଗିପାରେ ?

  • ଗଣନା ପୁସ୍ତକ ୧୬:୧-୩; ଉପଦେଶକ ୮:୯; ରୋମୀୟ ୫:୧୨

    ଯିହୋବା ଯେଉଁମାନଙ୍କ ଜରିଆରେ ଆମକୁ ମାର୍ଗଦର୍ଶନ ଦିଅନ୍ତି, ସେମାନେ ମଧ୍ୟ ଆମ ଭଳି ଅପରିପୂର୍ଣ୍ଣ ମଣିଷ ଅଟନ୍ତି ।

  • ଲୂକ ୨୨:୪୨

    ଆଜ୍ଞା ପାଳନ କରିବା ମାମଲାରେ ଯୀଶୁ ସବୁଠୁ ବଢ଼ିଆ ଉଦାହରଣ । ସେ ସବୁବେଳେ ଯିହୋବାଙ୍କ ଆଜ୍ଞା ପାଳନ କଲେ ।

  • ହିତୋପଦେଶ ୨୭:୧୧; ମାର୍କ ୧୨:୨୯, ୩୦

    ଆମେ ଯିହୋବାଙ୍କୁ ପ୍ରେମ କରୁ, ତେଣୁ ସେ ଯେଉଁମାନଙ୍କୁ ଆମ ଉପରେ ଅଧିକାର ଦେଇଛନ୍ତି ତାଙ୍କୁ ଆଦର କରିବା ଉଚିତ୍‌ । ଯେପରି— ପିତାମାତା, ସ୍କୁଲରେ ଶିକ୍ଷକ ଶିକ୍ଷୟିତ୍ରୀ ଓ ମଣ୍ଡଳୀରେ ପ୍ରାଚୀନମାନଙ୍କର ।

୨ ପରିବାରର ବ୍ୟବସ୍ଥା ଯିହୋବା କରିଛନ୍ତି

“ଏନିମନ୍ତେ ଯେଉଁ ପିତାଙ୍କଠାରୁ ସ୍ୱର୍ଗ ଓ ପୃଥିବୀସ୍ଥ ପ୍ରତ୍ୟେକ ପିତୃକୁଳ ନାମ ପ୍ରାପ୍ତ ହୁଏ, ତାହାଙ୍କ ଛାମୁରେ ମୁଁ ଜାନୁ ପାତି ପ୍ରାର୍ଥନା କରୁଅଛି ।”—ଏଫିସୀୟ ୩:୧୪, ୧୫

ଯିହୋବା କାହିଁକି ଚାହାନ୍ତି ଯେ ଆମେ ପରିବାରରେ ଥିବା ଅଧିକାରପ୍ରାପ୍ତ ବ୍ୟକ୍ତିଙ୍କ ଆଦର କରୁ ?

  • ହିତୋପଦେଶ ୧୦:୧

    ଯିହୋବା ଚାହାନ୍ତି ଯେ ପିଲାମାନଙ୍କ ଲାଳନପାଳନ ଏପରି ପରିବେଶରେ ହେଉ ଯେଉଁଠାରେ ସୁରକ୍ଷା ଥିବ ଏବଂ ସମସ୍ତଙ୍କ ମଧ୍ୟରେ ପ୍ରେମ ଥିବ । ତେଣୁ ସେ ପରିବାରର ବ୍ୟବସ୍ଥା କରିଛନ୍ତି ।

  • ହିତୋପଦେଶ ୧:୮; ୧ କରିନ୍ଥୀୟ ୧୧:୩; ଏଫିସୀୟ ୬:୧-୩; ୧ ପିତର ୩:୧, ୨

    ଯେତେବେଳେ ପରିବାରର ପ୍ରତ୍ୟେକ ସଦସ୍ୟ ନିଜ ନିଜ ଭୂମିକା ଭଲଭାବେ ତୁଲାନ୍ତି, ସେତେବେଳେ ପୂରା ପରିବାର ସୁଖୀରେ ରହେ ।

୩ ଯିହୋବା ଯୀଶୁଙ୍କୁ ମଣ୍ଡଳୀ ଉପରେ ଅଧିକାର ଦେଇଛନ୍ତି

‘ଖ୍ରୀଷ୍ଟ ମଣ୍ଡଳୀର ମସ୍ତକସ୍ୱରୂପ ।’—ଏଫିସୀୟ ୫:୨୩

ଆମେ ମଣ୍ଡଳୀରେ ଅଧିକାର ଥିବା ବ୍ୟକ୍ତିଙ୍କୁ କାହିଁକି ସହଯୋଗ କରିବା ଉଚିତ୍‌ ?

  • ମାଥିଉ ୨୪:୪୫-୪୭

    ଯୀଶୁ “ବିଶ୍ୱସ୍ତ ଓ ବୁଦ୍ଧିମାନ ଦାସ” ଜରିଆରେ ଈଶ୍ୱରଙ୍କ ଲୋକମାନଙ୍କ ଯତ୍ନ ନିଅନ୍ତି ।

  • ୧ ଥେସଲନୀକୀୟ ୫:୧୨; ଏବ୍ରୀ ୧୩:୧୭

    ପ୍ରାଚୀନ ଓ ସହାୟକ ସେବକମାନେ ମଣ୍ଡଳୀର ଭାଇଭଉଣୀମାନଙ୍କ ବିଶ୍ୱାସ ମଜବୁତ୍‌ କରିବା ପାଇଁ ବହୁତ ପରିଶ୍ରମ କରନ୍ତି । ଯେତେବେଳେ ଆମେ ଏହି ଭାଇମାନଙ୍କୁ ସହଯୋଗ କରୁ, ସେତେବେଳେ ଆମେ ଯିହୋବାଙ୍କ ଅଧିକାରକୁ ଆଦର କରିଥାଉ ।

  • ପ୍ରେରିତ ୨୦:୨୮

    ଯେତେବେଳେ ଆମେ ମଣ୍ଡଳୀରେ ଅଧିକାର ରଖୁଥିବା ବ୍ୟକ୍ତିଙ୍କୁ ଆଦର କରୁ, ସେତେବେଳେ ସମସ୍ତ ଭାଇଭଉଣୀଙ୍କ ଲାଭ ହୋଇଥାଏ । ମଣ୍ଡଳୀର ବ୍ୟବସ୍ଥା ଯିହୋବା କରିଛନ୍ତି, ଯାହାଫଳରେ ଆମେ ତାହାଙ୍କ ଉପାସନା କରିପାରୁ ।

୪ ଯିହୋବା ସରକାରଗୁଡ଼ିକୁ କିଛି ଅଧିକାର ଦେଇଛନ୍ତି

“ଯେସମସ୍ତ ଅଧିକାରପ୍ରାପ୍ତ ଶାସନକର୍ତ୍ତା ଅଛନ୍ତି; ସେମାନେ ଈଶ୍ୱରଙ୍କ ଦ୍ୱାରା ନିଯୁକ୍ତ ।”—ରୋମୀୟ ୧୩:୧

ଆମେ ସରକାରୀ ଅଧିକାରୀମାନଙ୍କ କିପରି ଆଦର କରିପାରିବା ?

  • ମାଥିଉ ୫:୧୬; ୧ ପିତର ୩:୧୫

    ସେମାନଙ୍କ ସହିତ ଆଦର ସହ କଥା ହୋଇ ଏବଂ ସେମାନଙ୍କ ନିୟମଗୁଡ଼ିକୁ ପାଳନ କରି ଆମେ ସେମାନଙ୍କର ଆଦର କରିପାରିବା । ଏହାଦ୍ୱାରା ଯିହୋବାଙ୍କ ମହିମା ହୁଏ ।

  • ପ୍ରେରିତ ୨୬:୨, ୨୫; ରୋମୀୟ ୧୨:୧୭, ୧୮

    ଖ୍ରୀଷ୍ଟିୟାନମାନେ ନିଜ ଦେଶର ନିୟମଗୁଡ଼ିକୁ ପାଳନ କରନ୍ତି । ଅଧିକାରୀମାନେ ତାଙ୍କ ସହ ଖରାପ ବ୍ୟବହାର କଲେ ମଧ୍ୟ ସେମାନେ ତାଙ୍କ ସହିତ ଆଦର ସହ ବ୍ୟବହାର କରନ୍ତି ।

  • ରୋମୀୟ ୧୩:୧-୪

    ବାଇବଲର ସିଦ୍ଧାନ୍ତଗୁଡ଼ିକୁ ଧ୍ୟାନରେ ରଖିଲେ, ଅଧିକାର ରଖୁଥିବା ବ୍ୟକ୍ତିଙ୍କ କଥା ଶୁଣିବା ସହଜ ହେବ ।

  • ମାଥିଉ ୨୨:୩୭-୩୯; ୨୬:୫୨; ଯୋହନ ୧୮:୩୬; ପ୍ରେରିତ ୫:୨୭-୨୯; ଏବ୍ରୀ ୧୦:୨୪, ୨୫

    ଯଦି ସରକାର ଆପଣଙ୍କୁ କୌଣସି ଏପରି କାମ କରିବା ପାଇଁ କହନ୍ତି, ଯାହା ଯିହୋବାଙ୍କ ନିୟମଗୁଡ଼ିକର ବିରୁଦ୍ଧରେ ଅଟେ, ତାହେଲେ ଆପଣଙ୍କୁ ନିଷ୍ପତ୍ତି ନେବାକୁ ପଡ଼ିବ ଯେ ଆପଣ କାହାର ଆଜ୍ଞା ପାଳନ କରିବେ ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ