ଭାଗ ୨୩
ସୁସମାଚାର ପ୍ରସାରିତ ହେଲା
ପ୍ରଚାର ନିମନ୍ତେ ପାଉଲଙ୍କ ସ୍ଥଳ ଓ ଜଳଭାଗରେ ଯାତ୍ରା
ଧର୍ମ ପରିବର୍ତ୍ତନ କଲା ପରେ ପାଉଲ ଅତି ଆଗ୍ରହର ସହିତ ଈଶ୍ୱରଙ୍କ ରାଜ୍ୟର ସୁସମାଚାର ପ୍ରଚାର କରିବାକୁ ଲାଗିଲେ । କିନ୍ତୁ ଗୋଟିଏ ବଡ଼ ସମସ୍ୟା ହେଲା, ଯିଏ ଦିନେ ଏହାର କଠୋର ବିରୋଧୀ ଥିଲେ ତାହାଙ୍କୁ ଆଜି ଅନେକ ବିରୋଧ ସାମନା କରିବାକୁ ପଡ଼ିବ । ଏହି ଅକ୍ଳାନ୍ତ ପ୍ରେରିତ ଈଶ୍ୱରଙ୍କ ରାଜ୍ୟର ସୁସମାଚାର ପ୍ରଚାର କରିବା ପାଇଁ ଅନେକ ଦୂର ଦୂରାନ୍ତ ଜାଗାଗୁଡ଼ିକୁ ନିଜର ଯାତ୍ରା ଆରମ୍ଭ କରନ୍ତି ଯାହା ସମସ୍ତମାନବ ଜାତିଙ୍କ ନିମନ୍ତେ ଈଶ୍ୱରଙ୍କ ଆଦି ଇଚ୍ଛାକୁ ପୂରଣ କରେ ।
ପାଉଲ ନିଜ ପ୍ରଚାର କାମର ପ୍ରଥମ ଯାତ୍ରା ଲୁସ୍ତ୍ରାରେ ଜଣେ ଜନ୍ମଗତ ଛୋଟାଙ୍କୁ ସୁସ୍ଥ କଲେ । ଉପସ୍ଥିତ ଜନତା, ପାଉଲ ଓ ତାʼଙ୍କ ସହଯାତ୍ରୀ ବର୍ଣ୍ଣବ୍ବାଙ୍କ ବିଷୟରେ ଉଚ୍ଚ ସ୍ୱରରେ ଏ ଦୁହେଁ ଦେବତା ବୋଲି କହିବାକୁ ଲାଗିଲେ । ସେ ଦୁହେଁ ସେମାନଙ୍କୁ କୌଣସି ପ୍ରକାରେ ତାହାଙ୍କ ପାଖରେ ବଳି ଉତ୍ସର୍ଗ ନ କରିବା ପାଇଁ ବାରଣ କରି ପାରୁ ନଥିଲେ । ଅଥଚ ଶେଷରେ ସେହି ଲୋକମାନେ ଶତ୍ରୁଙ୍କ ପ୍ରରୋଚନାରେ ପଡ଼ି ପାଉଲଙ୍କୁ ପଥର ଫୋପାଡ଼ିମାରି ଦରମରା କରି ରାସ୍ତାକଡ଼େ ପକେଇ ଚାଲିଗଲେ । ଏହି ଆକ୍ରମଣ ସତ୍ତ୍ୱେ ପାଉଲ ବଞ୍ଚିଗଲେ ଏବଂ ପୁଣି ଥରେ ଶିଷ୍ୟମାନଙ୍କୁ ପ୍ରୋତ୍ସାହନ କରିବାପାଇଁ ସେହି ନଗରକୁ ଗଲେ ।
କିଛି ଯିହୂଦୀ ଖ୍ରୀଷ୍ଟିୟାନମାନେ ଦାବି କରିବାକୁ ଲାଗିଲେ ଯେ ଅଣଯିହୂଦୀମାନଙ୍କୁ କିଛି ମୋଶାଙ୍କ ନିୟମ ପାଳନ କରିବାକୁ ପଡ଼ିବ । ପାଉଲ ଏହି ପ୍ରଶ୍ନଟିକୁ ପ୍ରେରିତ ଓ ଯିରୁଶାଲମର ପ୍ରାଚୀନମାନଙ୍କ ନିକଟରେ ଉପସ୍ଥାପନ କଲେ । ତତ୍ପରେ, ସେମାନେ ଈଶ୍ୱରଙ୍କ ପବିତ୍ର ଆତ୍ମାର ସାହାଯ୍ୟରେ ଶାସ୍ତ୍ରକୁ ଭଲଭାବେ ଅନୁଧ୍ୟାନ କଲା ପରେ ଖ୍ରୀଷ୍ଟିୟମଣ୍ଡଳୀ ନିମନ୍ତେ ଚିଠି ଲେଖିଲେ, ଯେ ସମସ୍ତେ ମୂର୍ତ୍ତିପୂଜା, ରକ୍ତ ଓ ଶ୍ୱାସରୋଧରେ ମରିଥିବା ପ୍ରାଣୀର ମାଂସରୁ ଏବଂ ବ୍ୟଭିଚାରରୁ ନିଜକୁ ଦୂରେ ରଖିବା ଉଚିତ୍ । ଏହି ଆଦେଶ ଥିଲା ଅତି “ଆବଶ୍ୟକୀୟ ବିଷୟ” କିନ୍ତୁ ଏହା ପାଳନ କରିବା ପାଇଁ ମୋଶାଙ୍କ ନିୟମ ପାଳନ କରିବା ଅନାବଶ୍ୟକ ।—ପ୍ରେରିତ ୧୫:୨୮, ୨୯.
ନିଜ ପ୍ରଚାରର ଦ୍ୱିତୀୟ ଯାତ୍ରାରେ ପାଉଲ ବେରୟାକୁ ଗଲେ ଯାହାକୁ ଆଜି ଆଧୁନିକ ଗ୍ରୀକ୍ କୁହାଯାଏ । ସେଠାକାର ଯିହୂଦୀ ଲୋକମାନେ ପାଉଲଙ୍କ କଥାକୁ ଅତି ଆଗ୍ରହର ସହିତ ଗ୍ରହଣ କଲେ ଏବଂ ପ୍ରତି ଦିନ ସେମାନେ ଶାସ୍ତ୍ରରୁ ସେସବୁ ପରୀକ୍ଷା କରି ଦେଖିଲେ ଯେ ତାହା ଶାସ୍ତ୍ର ଆଧାରିତ କି ନୁହେଁ । ପୁଣି ଥରେ ପାଉଲଙ୍କର ବିରୋଧ କରାଗଲା ତେଣୁ ସେ ଏଥର ବାଧ୍ୟ ହୋଇ ଆଥେନସ୍ ସହରକୁ ଗଲେ । ପାଉଲ ଆଥେନସ୍ ସହରର କିଛି ଶିକ୍ଷିତ ଲୋକଙ୍କ ଆଗରେ ଏକ ପ୍ରଭାବଶାଳୀ ଭାଷଣ ଦେଇଥିଲେ ଯାହା ଆଜି ପର୍ଯ୍ୟନ୍ତ ଚତୁରତା, ବିଚକ୍ଷଣତା ଓ ବାକ୍ପଟୁତାର ଏକ ଉଦାହରଣ ହୋଇ ରହିଛି ।
ତାହାଙ୍କ ତୃତୀୟ ପ୍ରଚାର ଯାତ୍ରା ପରେ ପାଉଲ ଯିରୁଶାଲମକୁ ଗଲେ । ସେ ଯେତେବେଳେ ମନ୍ଦିରକୁ ବୁଲିଗଲେ ନିର୍ଦ୍ଧିଷ୍ଟ କେତେକ ଯିହୂଦୀମାନେ ଦଙ୍ଗା ଆରମ୍ଭ କଲେ ଏବଂ ପାଉଲଙ୍କୁ ହତ୍ୟା କରିବାକୁ ବାହାରିଲେ । ଏଥିରେ ରୋମୀୟ ସୈନ୍ୟମାନେ ହସ୍ତକ୍ଷେପ କଲେ ଏବଂ ତାହାଙ୍କୁ ପଚରା ପଚରି କରିବାକୁ ଲାଗିଲେ । ତାʼପରେ ସେ ରୋମୀୟ ନାଗରିକ ହିସାବରେ, ରୋମୀୟ ରାଜ୍ୟପାଳ ଫେଲିକ୍ସ୍ଙ୍କ ପାଖେ ନିଜ ସପକ୍ଷରେ ଯୁକ୍ତି ରଖିଲେ । ପାଉଲଙ୍କ ବିରୋଧରେ ଅଭିଯୋଗର କୌଣସି ପ୍ରମାଣ ଯିହୂଦୀମାନେ ଦେଇପାରିଲେ ନାହିଁ । ଅନ୍ୟ ଏକ ରୋମୀୟ ରାଜ୍ୟପାଳ ଫେଷ୍ଟସ୍ ଯେପରି ପୁଣିଥରେ ତାହାଙ୍କୁ ଯିହୂଦୀମାନଙ୍କ ହସ୍ତରେ ନ ଦିଅନ୍ତି ସେଥିପାଇଁ ପାଉଲ କହିଲେ: ‘ମୁଁ କାଇସରଙ୍କ ଛାମୁରେ . . . ପ୍ରାର୍ଥନା କରିବି !’ ଫେଷ୍ଟସ୍ କହିଲେ: “ତୁମ୍ଭେ କାଇସରଙ୍କ ନିକଟକୁ ଯିବ ।”—ପ୍ରେରିତ ୨୫:୧୧, ୧୨.
ପାଉଲଙ୍କୁ ବିଚାର ନିମନ୍ତେ ଜାହାଜରେ ଇଟାଲିକୁ ନିଆଗଲା । ଜାହାଜ ବୁଡ଼ି ଯିବା ଯୋଗୁଁ ପାଉଲଙ୍କୁ ମାଲ୍ଟା ଦ୍ୱୀପରେ ପୁରା ଶୀତକାଳରେ ରହିବାକୁ ପଡ଼ିଲା । ଶେଷରେ ଯେତେବେଳେ ସେ ରୋମ ପହଞ୍ଚିଲେ ସେଠାରେ ଦୁଇବର୍ଷକାଳ ଗୋଟିଏ ଭଡ଼ାଘରେ ରହିଲେ । ସୈନ୍ୟମାନଙ୍କର ନଜରବନ୍ଦୀରେ ରହି ସୁଧା ଏହି ଉଜ୍ଜଗି ପ୍ରଚାରକ ତାହାଙ୍କ ସଙ୍ଗେ ଯେଉଁମାନେ ଦେଖା କରିବାକୁ ଅସୁଥିଲେ ସେସମସ୍ତଙ୍କୁ ଈଶ୍ୱରଙ୍କ ରାଜ୍ୟ ବିଷୟରେ କହୁଥିଲେ ।
—ଏହା ପ୍ରେରିତ ୧୧:୨୨-୨୮:୩୧ ପଦ ଉପରେ ଅଧାରିତ ।