ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • kl ଅଧ୍ୟା ୧୩ ପୃଷ୍ଠା ୧୧୮-୧୨୯
  • ଧର୍ମ-ପରାୟଣ ଜୀବନ ଯାପନ ସୁଖକର ହୋଇଥାଏ କାହିଁକି

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଧର୍ମ-ପରାୟଣ ଜୀବନ ଯାପନ ସୁଖକର ହୋଇଥାଏ କାହିଁକି
  • ଜ୍ଞାନ ଯାହା ଅନନ୍ତ ଜୀବନଆଡ଼କୁ ପରିଚାଳିତ କରେ
  • ଉପଶୀର୍ଷକ
  • ପ୍ରାୟ ସମାନ ଲେଖା
  • ସାଧୁତାର ଫଳ ଆନନ୍ଦ
  • ଉଦାରତା ଖୁସୀ ଆଣିଥାଏ
  • ଆନନ୍ଦ ବୃଦ୍ଧି କରୁଥିବା ଅନ୍ୟାନ୍ୟ ବିଷୟଗୁଡ଼ିକ
  • ବିବାହିତ ଜୀବନରେ ଆନନ୍ଦ
  • “ଜଗତର ଅଂଶ ନୁହନ୍ତି”
  • ବାର୍ଷିକ ଉତ୍ସବଗୁଡ଼ିକୁ କଳ୍ପନା କରନ୍ତୁ
  • କର୍ମସଂସ୍ଥାନ ଓ ମନୋରଞ୍ଜନ
  • ଜୀବନ ଓ ରକ୍ତ ପ୍ରତି ସମ୍ମାନ
  • ଈଶ୍ୱରଙ୍କ ପରି ଜୀବନକୁ ବହୁମୂଲ୍ୟ ମନେ କରନ୍ତୁ
    ଈଶ୍ୱରଙ୍କ ପ୍ରେମରେ ସ୍ଥିର ହୋଇ ରହନ୍ତୁ
ଜ୍ଞାନ ଯାହା ଅନନ୍ତ ଜୀବନଆଡ଼କୁ ପରିଚାଳିତ କରେ
kl ଅଧ୍ୟା ୧୩ ପୃଷ୍ଠା ୧୧୮-୧୨୯

ଅଧ୍ୟାୟ ୧୩

ଧର୍ମ-ପରାୟଣ ଜୀବନ ଯାପନ ସୁଖକର ହୋଇଥାଏ କାହିଁକି

୧. ଯିହୋବାଙ୍କ ପଥ ଆନନ୍ଦ ଆଣିଥାଏ, ଏହା ଆମେ କାହିଁକି କହି ପାରିବା ?

ଯିହୋବା ହେଉଛନ୍ତି “ସୁଖୀ ପରମେଶ୍ୱର” ଓ ସେ ଚାହାନ୍ତି ଆପଣ ଜୀବନ ଉପଭୋଗ କରନ୍ତୁ । (୧ ତୀମଥି ୧:୧୧, NW) ତାଙ୍କ ପଥରେ ଚାଲିଲେ ଆପଣ ଉପକୃତ ହୋଇ ପାରିବେ ଓ ଚିର-ପ୍ରବାହିତ ନଦୀତୁଲ୍ୟ ଗଭୀର ଓ ସ୍ଥାୟୀ ପ୍ରଶାନ୍ତି ଅନୁଭବ କରି ପାରିବେ । ପରମେଶ୍ୱରଙ୍କ ପଥରେ ଚାଲିବା ଜଣେ ବ୍ୟକ୍ତିକୁ “ସମୁଦ୍ରର ତରଙ୍ଗ ତୁଲ୍ୟ” ନିରନ୍ତର ଧାର୍ମିକତାର କାର୍ଯ୍ୟ କରିବା ପାଇଁ ମଧ୍ୟ ପ୍ରେରଣା ଦେଇଥାଏ । ଏହା ପ୍ରକୃତ ଆନନ୍ଦ ଆଣିଥାଏ ।—ଯିଶାଇୟ ୪୮:୧୭, ୧୮.

୨. ଯଦିଓ ଖ୍ରୀଷ୍ଟିୟାନମାନଙ୍କୁ ବେଳେ ବେଳେ ଅତ୍ୟାଚାର କରାଯାଏ, ସେମାନେ କିପରି ଖୁସୀ ହୋଇ ପାରିବେ ?

୨ ଅନେକେ ହୁଏତ ଆପତ୍ତି କରିବେ, ‘ବେଳେ ବେଳେ ମନୁଷ୍ୟ ଠିକ୍‌ କାମ କରିବା ହେତୁ ଦୁଃଖଭୋଗ କରିଥାଏ ।’ ଏହା ସତ ଓ ଠିକ୍‌ ଏହିଭଳି ଯୀଶୁଙ୍କ ପ୍ରେରିତମାନଙ୍କ ପ୍ରତି ଘଟିଥିଲା । କିନ୍ତୁ ସେମାନେ ନିର୍ଯାତିତ ହେବା ସତ୍ୱେ ଆନନ୍ଦିତ ହୋଇ “ଯୀଶୁଖ୍ରୀଷ୍ଟଙ୍କ ସୁସମାଚାର ଘୋଷଣା କରିବାରେ ଲାଗିଥିଲେ ।” (ପ୍ରେରିତ ୫:୪୦-୪୨) ଏଥିରୁ ଆମେ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ଲାଭ କରି ପାରିବା । ଗୋଟିଏ ହେଉଛି, ଆମର ଧର୍ମ-ପରାୟଣ ଜୀବନ ଯାପନ ଏ କଥାର ନିଶ୍ଚୟତା ଦିଏ ନାହିଁ ଯେ ଆମ୍ଭମାନଙ୍କ ସହିତ ସର୍ବଦା ଭଲ ବ୍ୟବହାର କରାଯିବ । “ପ୍ରକୃତରେ” ପ୍ରେରିତ ପାଉଲ ଲେଖିଥିଲେ, “ଯେଉଁମାନେ ଖ୍ରୀଷ୍ଟଯୀଶୁଙ୍କ ସହଭାଗିତାରେ ଧାର୍ମିକ ଜୀବନ ଯାପନ କରିବାକୁ ଇଚ୍ଛା କରନ୍ତି, ସେମାନେ ତାଡ଼ନା ଭୋଗ କରିବେ ।” (୨ ତୀମଥି ୩:୧୨) ଏହାର କାରଣ ଯେଉଁମାନେ ଧାର୍ମିକତାର ପଥରେ ଜୀବନ ଯାପନ କରନ୍ତି ସେମାନଙ୍କ ବିରୁଦ୍ଧରେ ଶୟତାନ ଓ ତାʼର ଜଗତ ଲାଗିଥାଏ । (ଯୋହନ ୧୫:୧୮, ୧୯; ୧ ପିତର ୫:୮) କିନ୍ତୁ ପ୍ରକୃତ ସୁଖ ଭୌତିକ ବସ୍ତୁଗୁଡ଼ିକ ଉପରେ ନିର୍ଭର କରେ ନାହିଁ । ବରଂ, ଏହା ସେଇ ଦୃଢ଼ ବିଶ୍ୱାସରୁ ଆସିଥାଏ ଯେ ଆମେ ଠିକ୍‌ କାମ କରୁଅଛୁ ଓ ଏଥିପାଇଁ ଆମ ପ୍ରତି ପରମେଶ୍ୱରଙ୍କ ଅନୁମୋଦନ ଅଛି ।—ମାଥିଉ ୫:୧୦-୧୨; ଯାକୁବ ୧:୨, ୩; ୧ ପିତର ୪:୧୩, ୧୪.

୩. ଯିହୋବାଙ୍କ ଉପାସନାରେ ଜଣେ ବ୍ୟକ୍ତିର ଜୀବନ କିଭଳି ପ୍ରଭାବିତ ହେବା ଉଚିତ ?

୩ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ମନେ କରନ୍ତି ଯେ ସାମୟିକଭାବେ ଧାର୍ମିକତାର କାର୍ଯ୍ୟସବୁ କରିବା ଦ୍ୱାରା ସେମାନେ ପରମେଶ୍ୱରଙ୍କ ଅନୁଗ୍ରହ ଲାଭ କରିପାରିବେ କିନ୍ତୁ ଅନ୍ୟାନ୍ୟ ସମୟରେ ତାଙ୍କୁ ଭୁଲି ଯାଇପାରନ୍ତି । ଯିହୋବା ପରମେଶ୍ୱରଙ୍କ ସତ୍ୟ ଉପାସନା ସେଭଳି ନୁହେଁ । ଏହା ଜଣେ ବ୍ୟକ୍ତିର ଆଚରଣକୁ ସବୁ ସମୟରେ, ଦିନ ପରେ ଦିନ, ବର୍ଷ ପରେ ବର୍ଷ ପ୍ରଭାବିତ କରିଥାଏ । ଏହି କାରଣରୁ ଏହାକୁ “ପଥ” ମଧ୍ୟ କୁହାଯାଇଛି । (ପ୍ରେରିତ ୧୯:୯; ଯିଶାଇୟ ୩୦:୨୧) ଧର୍ମ-ପରାୟଣ ଜୀବନ-ଶୈଳୀ ଆମମାନଙ୍କୁ ପରମେଶ୍ୱରଙ୍କ ବାକ୍ୟ ଅନୁସାରେ କଥା କହିବା ଓ କାର୍ଯ୍ୟ କରିବା ପାଇଁ ପ୍ରବୃତ କରେ ।

୪. ଯିହୋବାଙ୍କ ପଥ ଅନୁସାରେ ଜୀବନ ଯାପନ କରିବା ଲାଭଜନକ କାହିଁକି ?

୪ ଯେତେବେଳେ ନୂଆ ବାଇବଲ ବିଦ୍ୟାର୍ଥୀ ଦେଖନ୍ତି ଯେ ଯିହୋବାଙ୍କୁ ସନ୍ତୁଷ୍ଟ କରିବା ପାଇଁ ସେମାନଙ୍କ ଜୀବନରେ କିଛି ପରିବର୍ତ୍ତନ ଆଣିବାର ଆବଶ୍ୟକ ଅଛି, ସେତେବେଳେ ସେମାନେ ବୋଧେ ଭାବିବେ, ‘ଧର୍ମ-ପରାୟଣ ଜୀବନ ଯାପନ କʼଣ ପ୍ରକୃତରେ ସାର୍ଥକ ଅଟେ ?’ ଆପଣ ନିଶ୍ଚିତ ହୋଇପାରନ୍ତି ଯେ ଏଭଳି ହୁଏ କାହିଁକି ? କାରଣ “ଈଶ୍ୱର ପ୍ରେମ ଅଟନ୍ତି” ଓ ସେଥିପାଇଁ ତାଙ୍କ ପଥସବୁ ଆମର ଉପକାର ପାଇଁ ଅଭିପ୍ରେତ । (୧ ଯୋହନ ୪:୮) ପରମେଶ୍ୱର ପ୍ରଜ୍ଞାବାନ ମଧ୍ୟ ଅଟନ୍ତି ଓ ସେ ଜାଣନ୍ତି ଆମ ପାଇଁ କʼଣ ସର୍ବୋତ୍ତମ । ଯେହେତୁ ଯିହୋବା ପରମେଶ୍ୱର ସର୍ବଶକ୍ତିମାନ ଅଟନ୍ତି, ସବୁ ମନ୍ଦ ଅଭ୍ୟାସ ତ୍ୟାଗ କରି ତାଙ୍କୁ ସନ୍ତୁଷ୍ଟ କରିବାରେ ଆମର ଇଚ୍ଛା ପୂର୍ଣ୍ଣ କରିବାକୁ ଶକ୍ତି ଦେବା ପାଇଁ ସେ ସକ୍ଷମ । (ଫିଲିପ୍‌ପୀୟ ୪:୧୩) ଆସନ୍ତୁ ଧାର୍ମିକ ଜୀବନ ଯାପନ ସହିତ ଜଡ଼ିତ କେତେକ ନୀତିକୁ ଆମେ ବିବେଚନା କରିବା ଓ ଦେଖିବା ସେଗୁଡ଼ିକର ପ୍ରୟୋଗ କିଭଳି ଆନନ୍ଦ ନେଇଆସେ ।

ସାଧୁତାର ଫଳ ଆନନ୍ଦ

୫. ମିଛ କହିବା ଓ ଚୋରୀ କରିବା ବିଷୟରେ ବାଇବଲ କʼଣ କହେ ?

୫ ଯିହୋବା ହେଉଛନ୍ତି “ସତ୍ୟମୟ ପରମେଶ୍ୱର ।” (ଗୀତସଂହିତା ୩୧:୫) ନିସନ୍ଦେହରେ ଆପଣ ତାଙ୍କ ଆଦର୍ଶ ଅନୁସରଣ କରି ଜଣେ ସତ୍ୟବାଦୀ ବ୍ୟକ୍ତି ବୋଲି ପରିଚିତ ହେବାକୁ ଚାହାନ୍ତି । ସାଧୁତାରୁ ଆତ୍ମ-ସମ୍ମାନ ଓ ସନ୍ତୁଷ୍ଟିର ଭାବନା ମିଳିଥାଏ । କାରଣ ଏଇ ପାପପୂର୍ଣ୍ଣ ସଂସାରରେ ଅସାଧୁତା ଅତି ସାଧାରଣ, ସେଥିପାଇଁ ଖ୍ରୀଷ୍ଟିୟାନମାନଙ୍କର ଏହା ମନେ ରଖିବା ଆବଶ୍ୟକ: “ପ୍ରତ୍ୟେକେ ଆପଣା ଆପଣା ପ୍ରତିବାସୀ ସହିତ ସତ୍ୟ ଆଳାପ କରୁ . . . ଚୋର ଆଉ ଚୋରି ନ କରୁ, ବରଞ୍ଚ ଅଭାବଗ୍ରସ୍ତ ଲୋକକୁ ଦାନ କରିବା ନିମନ୍ତେ ଯେପରି ତାହା ପାଖରେ କିଛି ଥାଇ ପାରେ, ଏଥିନିମନ୍ତେ ନିଜ ହାତରେ ଉତ୍ତମ କାର୍ଯ୍ୟ କରି ପରିଶ୍ରମ କରୁ ।” (ଏଫିସୀୟ ୪:୨୫, ୨୮) ଖ୍ରୀଷ୍ଟିୟାନ କର୍ମିମାନେ ସାରା ଦିନର କାମ ସାଧୁତାର ସହିତ କରନ୍ତି । ଯେପର୍ଯ୍ୟନ୍ତ ସେମାନଙ୍କ କର୍ମକର୍ତ୍ତା ଅନୁମତି ନ ଦିଅନ୍ତି ସେମାନେ କର୍ମକର୍ତ୍ତାଙ୍କ କୌଣସି ଜିନିଷ ନିଅନ୍ତି ନାହିଁ । କର୍ମକ୍ଷେତ୍ରରେ, ବିଦ୍ୟାଳୟରେ କିମ୍ବା ଘରେ ଯେଉଁଠାରେ ହେଉ ଯିହୋବାଙ୍କ ଜଣେ ଉପାସକ ଅବଶ୍ୟ ‘ସମସ୍ତ ବିଷୟରେ ସଦାଚରଣ କରିବୋ’ (ଏବ୍ରୀ ୧୩:୧୮) ଯିଏ ଚୋରି କିମ୍ବା ମିଥ୍ୟା ଅଭ୍ୟାସ କରେ ସେ ପରମେଶ୍ୱରଙ୍କ ଅନୁଗ୍ରହ ପାଇ ପାରିବ ନାହିଁ ।—ଦ୍ୱିତୀୟ ବିବରଣ ୫:୧୯; ପ୍ରକାଶିତ ବାକ୍ୟ ୨୧:୮.

୬. ଜଣେ ଧର୍ମ-ପରାୟଣ ବ୍ୟକ୍ତିର ସାଧୁତା କିପରି ଯିହୋବାଙ୍କ ପ୍ରତି ମହିମା ଆଣେ ?

୬ ସଚ୍ଚୋଟ ହେଲେ ଅନେକ ଆଶୀର୍ବାଦ ମିଳିଥାଏ । ସେଲିନା ଜଣେ ଅଭାବଗ୍ରସ୍ତ ଆଫ୍ରିକୀୟ ବିଧବା, ଯିଏ ଯିହୋବା ପରମେଶ୍ୱର ଓ ତାହାଙ୍କ ଧାର୍ମିକ ସିଦ୍ଧାନ୍ତକୁ ଭଲ ପାଆନ୍ତି । ଦିନେ ସେ ଗୋଟିଏ ବ୍ୟାଗ୍‌ ପାଇଲେ ଯେଉଁଥିରେ ଗୋଟିଏ ବ୍ୟାଙ୍କବହି ଓ ବହୁତ ଟଙ୍କା ଥିଲା । ଟେଲିଫୋନ୍‌-ପୁସ୍ତିକା ବ୍ୟବହାର କରି ସେ ସେହି ମାଲିକକୁ ପାଇଲେ—ସେ ଜଣେ ଭଣ୍ଡାର ରକ୍ଷକ ଯାହାଙ୍କଠାରୁ ଲୁଣ୍ଠନ କରାଯାଇଥିଲା । ଯେତେବେଳେ ସେଲିନା ନିଜର ଅସୁସ୍ଥତା ସତ୍ୱେ ତାଙ୍କୁ ଭେଟି ବ୍ୟାଗ୍‌ରେ ଥିବା ସମସ୍ତ ଜିନିଷ ଫେରସ୍ତ ଦେଲେ, ସେହି ବ୍ୟକ୍ତି ଜଣକ ନିଜ ଚକ୍ଷୁକୁ ବିଶ୍ୱାସ କରି ପାରିଲେ ନାହିଁ । ସେ କହିଲେ, “ଏଭଳି ସାଧୁତାର ପ୍ରତିଫଳ ନିଶ୍ଚୟ ମିଳିବା ଉଚିତ” ଏବଂ ସେ ତାଙ୍କୁ କିଛି ଟଙ୍କା ଦେଲେ । ତାହାଠାରୁ ମହତ୍ୱପୂର୍ଣ୍ଣ ହେଉଛି, ଏହି ପୁରୁଷ ଜଣକ ସେଲିନାର ଧର୍ମକୁ ପ୍ରଶଂସା କଲେ । ହଁ, ସାଧୁକର୍ମସବୁ ବାଇବଲ ଶିକ୍ଷାର ମର୍ଯ୍ୟାଦା ଓ ଯିହୋବା ପରମେଶ୍ୱରଙ୍କ ମହିମା ବଢ଼ାଏ ଏବଂ ତାହାଙ୍କ ବିଶ୍ୱସ୍ତ ଉପାସକମାନଙ୍କ ପାଇଁ ଖୁସୀ ଆଣିଥାଏ ।—ତିତସ ୨:୧୦; ୧ ପିତର ୨:୧୨.

ଉଦାରତା ଖୁସୀ ଆଣିଥାଏ

୭. ଜୁଆ ଖେଳିବାରେ କିଭଳି ଅନ୍ୟାୟ ରହିଛି ?

୭ ଉଦାର ହେବାରେ ଆନନ୍ଦ ଅଛି କିନ୍ତୁ ଲୋଭୀ ବ୍ୟକ୍ତି “ପରମେଶ୍ୱରଙ୍କ ରାଜ୍ୟର ଅଧିକାରୀ” ହେବେ ନାହିଁ । (୧ କରିନ୍ଥୀୟ ୬:୧୦) ଲୋଭର ଏକ ସାଧାରଣ ଉଦାହରଣ ହେଉଛି ଜୁଆଖେଳ, ଯାହା ଅନ୍ୟମାନଙ୍କର କ୍ଷତି କରାଇ ଅର୍ଥ ଉପାର୍ଜନ କରିବା ପାଇଁ ଚେଷ୍ଟା କରେ । ଯେଉଁମାନେ “ଅସାଧୁ ଲାଭ ପାଇଁ ଆକାଂକ୍ଷିତ,” ଯିହୋବା ସେମାନଙ୍କୁ ଅନୁମୋଦନ ଦିଅନ୍ତି ନାହିଁ । (୧ ତୀମଥି ୩:୮, NW) ଏପରିକି ଯେଉଁଠି ଜୁଆଖେଳ ଆଇନଗତ ଓ ଜଣେ କୌତୁହଳ ପାଇଁ ଜୁଆ ଖେଳେ, ସେ ସେଥିରେ ଆସକ୍ତ ହୋଇ ଅଭ୍ୟାସକୁ ପ୍ରୋତ୍ସାହିତ କରେ ଯାହା ବହୁ ଜୀବନ ନଷ୍ଟ କରି ଦେଇଛି । ଜୁଆଖେଳ ଜୁଆରୀ ପରିବାରରେ ପ୍ରାୟ ଦରିଦ୍ରତା ଆଣିଥାଏ, ଖାଦ୍ୟ ଓ ବସ୍ତ୍ର ଭଳି ଆବଶ୍ୟକୀୟ ଜିନିଷ କିଣିବା ପାଇଁ ଅତି କମ୍‌ ଟଙ୍କା ଛାଡ଼ି ପାରେ ।—୧ ତୀମଥି ୬:୧୦.

୮. ଯୀଶୁ କିଭଳି ଉଦାରତାର ଉତ୍ତମ ଉଦାହରଣ ପ୍ରଦର୍ଶନ କରିଥିଲେ ଓ ଆମେ କିଭଳି ଉଦାର ହୋଇପାରିବା ?

୮ ପ୍ରେମପୂର୍ଣ୍ଣ ଉଦାରଗୁଣ ଯୋଗୁଁ ଖ୍ରୀଷ୍ଟିୟାନମାନେ ଅନ୍ୟମାନଙ୍କୁ ସାହାଯ୍ୟ କରିବାରେ ଆନନ୍ଦ ପାଆନ୍ତି, ବିଶେଷତଃ ଅଭାବଯୁକ୍ତ ସଙ୍ଗୀ ବିଶ୍ୱାସୀମାନଙ୍କୁ । (ଯାକୁବ ୨:୧୫, ୧୬) ପୃଥିବୀକୁ ଆସିବା ପୂର୍ବେ ଯୀଶୁ ମାନବଜାତି ପ୍ରତି ପରମେଶ୍ୱରଙ୍କ ଉଦାରତା ଯତ୍ନସହକାରେ ଅବଲୋକନ କରିଥିଲେ । (ପ୍ରେରିତ ୧୪:୧୬, ୧୭) ଯୀଶୁ ସ୍ୱୟଂ ମାନବଜାତି ପାଇଁ ସମୟ, ପ୍ରତିଭା ଓ ଏପରିକି ନିଜ ଜୀବନ ଦାନ କରିଥିଲେ । ସେଥିପାଇଁ ଏହା କହିବାରେ ସେ ପ୍ରକୃତ ଯୋଗ୍ୟ ଥିଲେ: “ଗ୍ରହଣ କରିବା ଅପେକ୍ଷା ଦାନ କରିବାରେ ଅଧିକ ଆନନ୍ଦ ଆଛି ।” (ପ୍ରେରିତ ୨୦:୩୫, NW) ଯୀଶୁ ଜଣେ ଦରିଦ୍ର ବିଧବାଙ୍କ ବିଷୟରେ ମଧ୍ୟ କହିଛନ୍ତି, ଯିଏ କି ଉଦାରତା ସହିତ ଦୁଇଟି କ୍ଷୁଦ୍ର ମୁଦ୍ରା ମନ୍ଦିରର ଭଣ୍ଡାରରେ ପକାଇ “ତାଙ୍କର ସମସ୍ତ ଜୀବିକା” ଦେଇଥିଲେ । (ମାର୍କ ୧୨:୪୧-୪୪) ମଣ୍ଡଳୀ ଓ ରାଜ୍ୟ କାର୍ଯ୍ୟକୁ ଭୌତିକ ସମର୍ଥନ ଦେବାରେ ପ୍ରାଚୀନ ଇଶ୍ରାୟେଲୀୟ ଓ ପ୍ରଥମ ଶତାବ୍ଦୀର ଖ୍ରୀଷ୍ଟିୟାନମାନେ ଆନନ୍ଦପୂର୍ଣ୍ଣ ଉଦାରତାର ଉଦାହରଣ ଦେଖାଇଛନ୍ତି । (୧ ବଂଶାବଳୀ ୨୯:୯; ୨ କରିନ୍ଥୀୟ ୯:୧୧-୧୪) ଏହି ଉଦ୍ଦେଶ୍ୟସକଳ ପାଇଁ ଭୌତିକ ଦାନ ବ୍ୟତୀତ, ବର୍ତ୍ତମାନ ସମୟର ଖ୍ରୀଷ୍ଟିୟାନମାନେ ଖୁସୀମନରେ ପରମେଶ୍ୱରଙ୍କୁ ପ୍ରଶଂସା କରୁଛନ୍ତି ଓ ନିଜ ଜୀବନକୁ ତାଙ୍କ ସେବାରେ ନିୟୋଜିତ କରୁଛନ୍ତି । (ରୋମୀୟ ୧୨:୧; ଏବ୍ରୀ ୧୩:୧୫) ସେମାନେ ସତ୍ୟ ଉପାସନାର ସମର୍ଥନ କରି ବିଶ୍ୱବ୍ୟାପୀ ରାଜ୍ୟ ସୁସମାଚାର ପ୍ରଚାର କାର୍ଯ୍ୟର ଅଗ୍ରଗତି କରିବା ପାଇଁ ତାଙ୍କର ସଞ୍ଚିତ ଅର୍ଥ ସହିତ ସମୟ, ଶକ୍ତି ଓ ଅନ୍ୟାନ୍ୟ କୌଶଳ ବ୍ୟବହାର କରୁଛନ୍ତି, ଏଇଥିପାଇଁ ଯିହୋବା ସେମାନଙ୍କୁ ଆଶୀର୍ବାଦ ଦିଅନ୍ତି ।—ହିତୋପଦେଶ ୩:୯, ୧୦.

ଆନନ୍ଦ ବୃଦ୍ଧି କରୁଥିବା ଅନ୍ୟାନ୍ୟ ବିଷୟଗୁଡ଼ିକ

୯. ଅତ୍ୟଧିକ ମଦ୍ୟପାନ କରିବାରେ କʼଣ ଅନ୍ୟାୟ ରହିଛି ?

୯ ସୁଖୀ ହେବାକୁ ହେଲେ, ଖ୍ରୀଷ୍ଟିୟାନମାନଙ୍କୁ ଅବଶ୍ୟ ‘ସେମାନଙ୍କ ବିବେକ ସୁରକ୍ଷିତ’ କରିବାକୁ ହେବ । (ହିତୋପଦେଶ ୫:୧, ୨, NW) ଏଥିପାଇଁ ସେମାନେ ପରମେଶ୍ୱରଙ୍କ ବାକ୍ୟ ଉପରେ ଧ୍ୟାନ ଦେବେ ଓ ସମସ୍ତ ବାଇବଲ ସାହିତ୍ୟ ପଢ଼ିବେ । କିନ୍ତୁ କିଛି ବିଷୟ ଏଡ଼ାଇବାକୁ ହେବ । ଉଦାହରଣସ୍ୱରୂପ, ଅତ୍ୟଧିକ ମଦ୍ୟପାନ ଜଣେ ବ୍ୟକ୍ତିଙ୍କ ଚିନ୍ତାଶକ୍ତିର ନିୟନ୍ତ୍ରଣକୁ ନଷ୍ଟ କରିପାରେ । ଏଭଳି ଅବସ୍ଥାରେ ଅନେକ ବ୍ୟକ୍ତି ଅନୈତିକ ଆଚରଣରେ ଲିପ୍ତ ହୋଇପଡ଼ନ୍ତି, ହିଂସ୍ରତାର କାର୍ଯ୍ୟ କରନ୍ତି ଓ ଏହା ମାରାତ୍ମକ ଦୁର୍ଘଟଣାର କାରଣ ମଧ୍ୟ ହୋଇଥାଏ । ଏଥିରେ ଆଶ୍ଚର୍ଯ୍ୟ ହେବାର ନାହିଁ, ବାଇବଲ କହେ ମଦ୍ୟପମାନେ ପରମେଶ୍ୱରଙ୍କ ରାଜ୍ୟର ଅଧିକାରୀ ହେବେ ନାହିଁ ! (୧ କରିନ୍ଥୀୟ ୬:୧୦) ସୁବୁଦ୍ଧିସମ୍ପନ ହେବା ପାଇଁ ପ୍ରକୃତ ଖ୍ରୀଷ୍ଟିୟାନମାନେ ମାତାଲପଣିଆ ପରିହାର କରିଥାଆନ୍ତି ଓ ଏହା ସେମାନଙ୍କ ମଧ୍ୟରେ ଆନନ୍ଦ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ ।—ତିତସ ୨:୨-୬.

୧୦. (କ) ଖ୍ରୀଷ୍ଟିୟାନମାନେ କାହିଁକି ତମାଖୁ ବ୍ୟବହାର କରନ୍ତି ନାହିଁ ? (ଖ) ନିଶାଖୋର୍‌ ଅଭ୍ୟାସ ତ୍ୟାଗ କଲେ କି ଉପକାର ହୁଏ ?

୧୦ ଏକ ନିର୍ମଳ ଶରୀର ଆନନ୍ଦ ପ୍ରଦାନ କରିଥାଏ । ତଥାପି, ଅନେକେ କ୍ଷତିକାରକ ଦ୍ରବ୍ୟ ପ୍ରତି ଆସକ୍ତ ହୋଇପଡ଼ନ୍ତି । ଉଦାହରଣ ସ୍ୱରୂପ, ତମାଖୁର ବ୍ୟବହାର ଉପରେ ବିଚାର କରନ୍ତୁ । ବିଶ୍ୱ ସ୍ୱାସ୍ଥ୍ୟ ସଂସ୍ଥା ବିବରଣୀ ଦିଏ ଧୂମପାନ “ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କୁ ହତ୍ୟାକରି ଥାଏ ।” ତମାଖୁ ଅଭ୍ୟାସ ପରିତ୍ୟାଗ କଠିନ ହୋଇପାରେ କାରଣ ତାର ତାତ୍‌କାଳିକ ଅସ୍ଥାୟୀ ଲକ୍ଷଣଗୁଡ଼ିକ ଅସହ୍ୟ ହୋଇଥାଏ । ଅନ୍ୟ ପକ୍ଷରେ ଏମିତି ପୂର୍ବେ ଧୂମପନ କରୁଥିବା ବହୁ ଲୋକଙ୍କର ଉତ୍ତମ ସ୍ୱାସ୍ଥ୍ୟ ଅଛି ଓ ଘରୋଇ ପ୍ରୟୋଜନ ପାଇଁ ଅଧିକ ଟଙ୍କା ମଧ୍ୟ ଅଛି । ପ୍ରକୃତରେ, ତମାଖୁ ଅଭ୍ୟାସ କିମ୍ବା ଅନ୍ୟାନ୍ୟ ହାନୀକାରକ ଜିନିଷର ଆସକ୍ତି ଛାଡ଼ିବା ଦ୍ୱାରା ସ୍ୱଚ୍ଛ ଶରୀର, ଶୁଦ୍ଧ ବିବେକ ଓ ପ୍ରକୃତ ଆନନ୍ଦ ମିଳିପାରିବ ।—୨ କରିନ୍ଥୀୟ ୭:୧.

ବିବାହିତ ଜୀବନରେ ଆନନ୍ଦ

୧୧. ଏକ ବିଧିମୂଳକ ଓ ସ୍ଥାୟୀ ଆଦରଣୀୟ ବିବାହ ପାଇଁ କʼଣ ପ୍ରୟୋଜନ ?

୧୧ ଯେଉଁମାନେ ପତିପତ୍ନୀ ଭାବେ ଏକତ୍ର ରହୁଛନ୍ତି, ସେମାନଙ୍କୁ ଏହା ନିଶ୍ଚିତ କରିବାକୁ ହେବ ଯେ ସେମାନଙ୍କ ବିବାହ ଯଥାଯଥ ଆଇନଗତ ଭାବେ ପଞ୍ଜିକୃତ କରାହୋଇଛି କି ନାହିଁ । (ମାର୍କ ୧୨:୧୭) ସେମାନେ ବୈବାହିକ ବନ୍ଧନକୁ ଏକ ଗୁରୁତ୍ୱପୂର୍ଣ୍ଣ ଦାୟୀତ୍ୱ ରୂପେ ଦେଖିବା ଆବଶ୍ୟକ । ବାସ୍ତବରେ ଇଚ୍ଛାକୃତ ଅସହଯୋଗ ଚରମ ନିର୍ଯ୍ୟାତନା କିମ୍ବା ଆଧ୍ୟାତ୍ମିକ ବିପନ୍ନ କ୍ଷେତ୍ରରେ ବିବାହ ବିଛେଦ ପ୍ରୟୋଜନ ହୋଇପଡ଼େ । (୧ ତୀମଥି ୫:୮; ଗାଲାତୀୟ ୫:୧୯-୨୧) କିନ୍ତୁ ପ୍ରେରିତ ପାଉଲଙ୍କ ବାକ୍ୟ ୧ କରିନ୍ଥୀୟ ୭:୧୦-୧୭ ପଦ ବିବାହ ସାଥୀଙ୍କୁ ଏକତ୍ର ରହିବାକୁ ଉତ୍ସାହିତ କରିଥାଏ । ପ୍ରକୃତ ଆନନ୍ଦ ପାଇଁ ଅବଶ୍ୟ ସେମାନେ ପରସ୍ପର ପ୍ରତି ବିଶ୍ୱସ୍ତ ରହିବା ଆବଶ୍ୟକ । ପାଉଲ ଲେଖିଛନ୍ତି: “ବିବାହ ସମସ୍ତଙ୍କ ମଧ୍ୟରେ ଆଦରଣୀୟ ହେଉ ଓ ତାହାର ଶଯ୍ୟା ଶୁଚି ଥାଉ, କାରଣ ଈଶ୍ୱର ପାରଦାରିକ ଓ ବ୍ୟଭିଚାରୀମାନଙ୍କ ବିଚାର କରିବେ ।” (ଏବ୍ରୀ ୧୩:୪) “ବିବାହ ଶଯ୍ୟା” ପଦଟିର ଅର୍ଥ ହେଉଛି, ଆଇନଗତ ଭାବେ ବିବାହିତ ପୁରୁଷ ଓ ନାରୀ ମଧ୍ୟରେ ଯୌନସମ୍ପର୍କ । ଅନ୍ୟ କୌଣସି ଯୌନସମ୍ବନ୍ଧ, ଏପରିକି ଏକାଧିକ ପତ୍ନି ଗ୍ରହଣକୁ ମର୍ଯାଦାପୂର୍ଣ କୁହାଯାଇ ପାରିବ ନାହିଁ । ଏହା ବ୍ୟତୀତ, ବାଇବଲ ବିବାହପୂର୍ବ ଯୌନସମ୍ପର୍କ ଓ ସମଲିଙ୍ଗକାମୁକତାକୁ ନିନ୍ଦା କରେ ।—ରୋମୀୟ ୧:୨୬, ୨୭; ୧ କରିନ୍ଥୀୟ ୬:୧୮.

୧୨. ବ୍ୟଭିଚାରର କେତେକ କୁଫଳ କʼଣ ?

୧୨ ବ୍ୟଭିଚାର ଅଳ୍ପ ମୁହୂର୍ତ୍ତ ପାଇଁ ଶାରୀରିକ ଆନନ୍ଦ ଦେଇଥାଏ, କିନ୍ତୁ ଏଥିରୁ ପ୍ରକୃତ ଆନନ୍ଦ ମିଳି ନ ଥାଏ । ଏହା ଯିହୋବାଙ୍କୁ ଅସନ୍ତୁଷ୍ଟ କରେ ଏବଂ ସମ୍ପୃକ୍ତ ବ୍ୟକ୍ତିର ବିବେକକୁ କଳଙ୍କିତ କରିଥାଏ । (୧ ଥେସଲନୀକୀୟ ୪:୩-୫) ଅନୈତିକ ଯୌନସମ୍ପର୍କର ଦୁଃଖଜନକ ଫଳ ଏଡ୍‌ସ ଓ ଅନ୍ୟାନ୍ୟ ଯୌନଗତ ସଂକ୍ରାମକ ରୋଗ । ଏକ ଚିକିତ୍ସା ବିବରଣୀ କହେ: “ହିସାବ କରାଯାଇଛି ଯେ ପ୍ରତି ବର୍ଷ, ସାରା ପୃଥିବୀରେ ୨୫ କୋଟି ଲୋକ ଗୋନେରିୟା ଓ ୫ କୋଟି ଉପଦଂଶ ରୋଗରେ ଆକ୍ରାନ୍ତ ହୁଅନ୍ତି ।” ଅନିଚ୍ଛାକୃତ ଗର୍ଭାବସ୍ଥା ସମସ୍ୟା ମଧ୍ୟ ରହିଛି । ଅନ୍ତରାଷ୍ଟ୍ରିୟ ଯୋଜନାବଦ୍ଧ ଜନକତା ସଙ୍ଘ ବିବରଣୀ ଦିଏ ଯେ ସାରା ପୃଥିବୀରେ ପ୍ରତି ବର୍ଷ ୧.୫ କୋଟି, ୧୫ ରୁ ୧୯ ବର୍ଷ ମଧ୍ୟରେ ବାଳିକାମାନେ ଗର୍ଭବତୀ ହେଉଛନ୍ତି ଓ ସେମାନଙ୍କ ମଧ୍ୟରୁ ଏକ ତୃତୀୟାଂଶ ଗର୍ଭପାତ କରୁଛନ୍ତି । ଏକ ଅନୁଧ୍ୟାନ ଜଣାଇଥାଏ ଯେ ଏକ ଆଫ୍ରିକୀୟ ଦେଶରେ କିଶୋରୀ ବାଳିକାମାନଙ୍କ ମଧ୍ୟରେ ହୋଇଥିବା ମୃତ୍ୟୁର ଶତକଡ଼ା ୭୨ ଭାଗ ଗର୍ଭପାତ ଜନିତ ଜଟିଳତାର ଫଳସ୍ୱରୂପ ହୋଇଥାଏ । କେତେକ ବ୍ୟଭିଚାରୀ ରୋଗ ଓ ଗର୍ଭଧାରଣରୁ ରକ୍ଷା ପାଇପାରନ୍ତି, କିନ୍ତୁ ମାନସିକ ହାନୀରୁ ବଞ୍ଚି ପାରିବେ ନାହିଁ । ଅନେକେ ସେମାନଙ୍କର ଆତ୍ମ-ସମ୍ମାନ ହରେଇ ବସନ୍ତି ଓ ଏପରିକି ନିଜେ ନିଜକୁ ଘୃଣା କରନ୍ତି ।

୧୩. ପରସ୍ତ୍ରୀଗମନ ଯୋଗୁଁ ଅତିରିକ୍ତ କʼଣ ସମସ୍ୟା ଉତ୍ପନ୍ନ ହୁଏ ଏବଂ ଯେଉଁମାନେ କ୍ରମାଗତ ପରସ୍ତ୍ରୀଗମନ ଓ ବ୍ୟାଭିଚାର କର୍ମରେ ଲିପ୍ତ, ସେମାନଙ୍କ ପାଇଁ ଭବିଷ୍ୟତରେ କʼଣ ଅଛି ?

୧୩ ଯଦିଓ ପରସ୍ତ୍ରୀଗମନକୁ କ୍ଷମା ଦିଆଯାଇପାରେ, ନିର୍ଦ୍ଦୋଷ ସାଥୀ ପକ୍ଷରେ ବିବାହ ବିଚ୍ଛେଦ କରିବା ଯୁକ୍ତିପୂର୍ଣ୍ଣ ଶାସ୍ତ୍ରୀୟ ଆଧାର । (ମାଥିଉ ୫:୩୨. ହୋଶେୟ ୩:୧-୫ ତୁଳନା କରନ୍ତୁ ।) ଏଭଳି ଅନୈତିକତାର ଫଳସ୍ୱରୂପ ବିବାହ ବିଚ୍ଛେଦ ହୋଇଯାଏ, କିନ୍ତୁ ତାହା ନିର୍ଦ୍ଦୋଷ ସାଥୀ ଓ ସନ୍ତାନମାନଙ୍କ ଉପରେ ଗଭୀର ମାନସିକ କ୍ଷତି କରିପାରେ । ପରମେଶ୍ୱରଙ୍କ ବାକ୍ୟ ନିର୍ଦ୍ଦେଶ କରେ ଯେ ମାନବ ପରିବାରର ଉପକାର ପାଇଁ ଅନୁତପ୍ତହୀନ ପରସ୍ତ୍ରୀଗାମୀ ଓ ବ୍ୟଭିଚାରୀଙ୍କ ଉପରେ ତାଙ୍କର ପ୍ରତିକୂଳ ନ୍ୟାୟ ଆସିବ । ଏହା ବ୍ୟତୀତ ଏହା ସ୍ପଷ୍ଟଭାବେ ଦେଖାଏ ଯେ ଯେଉଁମାନେ ଯୌନ ଅନୈତିକତାରେ ବୁଡ଼ିରହନ୍ତି, ସେମାନେ “ଈଶ୍ୱରଙ୍କ ରାଜ୍ୟର ଅଧିକାରୀ ହେବେ ନାହିଁ ।”—ଗାଲାତୀୟ ୫:୧୯, ୨୧.

“ଜଗତର ଅଂଶ ନୁହନ୍ତି”

୧୪. (କ) ଜଣେ ଧର୍ମ-ପରାୟଣ ବ୍ୟକ୍ତି ପରିହାର କରୁଥିବା ମୂର୍ତ୍ତିପୂଜାର କେତେଗୁଡ଼ିଏ ରୂପ କʼଣ ? (ଖ) ଯୋହନ ୧୭:୧୪ ଓ ଯିଶାଇୟ ୨:୪ ପଦରେ କି ପରାମର୍ଶ ଦିଆଯାଇଛି ?

୧୪ ଯେଉଁମାନେ ଯିହୋବାଙ୍କୁ ସନ୍ତୁଷ୍ଟ କରିବାକୁ ଓ ରାଜ୍ୟର ଆଶିଷ ଉପଭୋଗ କରିବାକୁ ଚାହାନ୍ତି, ସେମାନଙ୍କୁ ସର୍ବପ୍ରକାର ପ୍ରତିମାପୂଜା ପରିହାର କରିବାକୁ ପଡ଼ିବ । ବାଇବଲ ଦେଖାଏ ଯେ ମୂର୍ତ୍ତି ତିଆରି କରି ସେଗୁଡ଼ିକୁ ଉପାସନା କରିବା ଭୁଲ୍‌ ଅଟେ, ଏପରିକି ଖ୍ରୀଷ୍ଟ କିମ୍ବା ଯୀଶୁଙ୍କ ମାତା ମରିୟମଙ୍କ ପ୍ରତିମା ମଧ୍ୟ ନୁହେଁ । (ଯାତ୍ରା ପୁସ୍ତକ ୨୦:୪, ୫; ୧ ଯୋହନ ୫:୨୧) ତେଣୁ ପ୍ରକୃତ ଖ୍ରୀଷ୍ଟିୟାନମାନେ ପ୍ରତିମା, କ୍ରୁଶ ଓ ମୁର୍ତ୍ତିଗୁଡ଼ିକୁ ଭକ୍ତି କରନ୍ତି ନାହିଁ । ସେମାନେ ପ୍ରତିମାପୂଜାର ବିଭିନ୍ନ କୌଶଳକୁ ମଧ୍ୟ ପରିହାର କରନ୍ତି, ଏପରିକି ଜାତୀୟ ପତାକା ଓ କେତେକ ସଂଗୀତ ଠାରୁ ଦୂରେଇ ରହନ୍ତି ଯାହା ରାଷ୍ଟ୍ରଗୁଡ଼ିକୁ ମହିମାନ୍ୱିତ କରେ । ଏଭଳି କାର୍ଯ୍ୟସବୁରେ ଚାପ ଆସିଲେ ସେମାନେ ଶୟତାନ ପ୍ରତି ଯୀଶୁଙ୍କ ବାକ୍ୟ ସ୍ମରଣ କରନ୍ତି: “ତୁମ୍ଭେ ସଦାପ୍ରଭୁ [ଯିହୋବା] ଈଶ୍ୱରଙ୍କୁ ପ୍ରଣାମ କରିବ, ପୁଣି କେବଳ ତାହାଙ୍କର ଉପାସନା କରିବ ।” (ମାଥିଉ ୪:୮-୧୦) ଯୀଶୁ କହିଥିଲେ ଯେ ତାଙ୍କ ଅନୁଗାମୀମାନେ “ଜଗତର ଅଂଶ ନୁହନ୍ତି ।” (ଯୋହନ ୧୭:୧୪, NW) ଏହାର ଅର୍ଥ ହେଉଛି ରାଜନୀତି ବିଷୟଗୁଡ଼ିକରେ ନିରପେକ୍ଷ ରହିବା ଏବଂ ଯିଶାଇୟ ୨:୪ ପଦ ଅନୁସାରେ ଶାନ୍ତିପୂର୍ଣ୍ଣ ଭାବରେ ବାସ କରିବା ବିଧେୟ । ଏଥିରେ ଉଲ୍ଲେଖ ଅଛି: “ସେ [ଯିହୋବା ପରମେଶ୍ୱର] ଦେଶୀୟମାନଙ୍କ ମଧ୍ୟରେ ବିଚାର କରିବେ ଓ ଅନେକ ଗୋଷ୍ଠି ସମ୍ବନ୍ଧରେ ନିଷ୍ପତ୍ତି କରିବେ; ତହିଁରେ ସେମାନେ ଆପଣା ଖଡ୍ଗ ଭାଙ୍ଗି ନଙ୍ଗଳର ଫାଳ କରିବେ ଓ ଆପଣା ଆପଣା ବର୍ଚ୍ଛା ଭାଙ୍ଗି ଦା ନିର୍ମାଣ କରିବେ; ଏକ ଦେଶୀୟ ଲୋକେ ଅନ୍ୟ ଦେଶୀୟ ଲୋକଙ୍କ ବିରୁଦ୍ଧରେ ଖଡ୍ଗ ଉଠାଇବେ ନାହିଁ, କିଅବା ସେମାନେ ଆଉ ଯୁଦ୍ଧ ଶିଖିବେ ନାହିଁ ।”

୧୫. ମହାନଗରୀ ବାବିଲୋନ କʼଣ ଓ ସେଥିରୁ ବାହାରି ଆସିବା ପାଇଁ ନୂତନ ବାଇବଲ ବିଦ୍ୟାର୍ଥୀମାନେ କʼଣ କରନ୍ତି ?

୧୫ “ଜଗତର ଅଂଶ ନୁହନ୍ତି” ଏହାର ଅର୍ଥ “ମହାନଗରୀ ବାବିଲୋନ” ଅର୍ଥାତ୍‌ ମିଥ୍ୟା ଧର୍ମର ବିଶ୍ୱ ସାମ୍ରାଜ୍ୟ ସହିତ ସମସ୍ତ ସମ୍ପର୍କ ଛିନ୍ନ କରିବା । ସମଗ୍ର ପୃଥିବୀର ମନୁଷ୍ୟ ସମାଜ ଉପରେ ହାନୀକାରକ ଆଧ୍ୟାତ୍ମିକ ଆଧିପତ୍ୟ ବିସ୍ତାର ନ କରିବା ପର୍ଯ୍ୟନ୍ତ ପ୍ରାଚୀନ ବାବିଲୋନରୁ ଅଶୁଦ୍ଧ ଉପାସନା ଚତୁର୍ଦ୍ଦିଗରେ ବିସ୍ତୃତ ହେବାରେ ଲାଗିଥିଲା । ଯେଉଁ ଧର୍ମର ସିଦ୍ଧାନ୍ତ ଓ ଅଭ୍ୟାସଗୁଡ଼ିକ ପରମେଶ୍ୱରଙ୍କ ଜ୍ଞାନ ସହିତ ସାମଞ୍ଜସ୍ୟ ରକ୍ଷା କରେନାହିଁ, ଉକ୍ତ ଧର୍ମକୁ “ମହାନଗରୀ ବାବିଲୋନ” ଆପଣାର କରେ । (ପ୍ରକାଶିତ ବାକ୍ୟ ୧୭:୧, ୫, ୧୫, NW) ଯିହୋବାଙ୍କ କୌଣସି ବିଶ୍ୱାସୀ ଉପାସକ ବିଭିନ୍ନ ଧର୍ମର ଉପାସନାରେ ଅଂଶଗ୍ରହଣ କରି କିମ୍ବା ମହାନଗରୀ ବାବିଲୋନର କୌଣସି ଅଂଶ ସହିତ ଆଧ୍ୟାତ୍ମିକ ସଙ୍ଗତି ରକ୍ଷାକରି ମିଶ୍ରବିଶ୍ୱାସ କାର୍ଯ୍ୟପନ୍ଥାରେ ନିୟୋଜିତ ହେବେନାହଁ । (ଗଣନା ପୁସ୍ତକ ୨୫:୧-୯; ୨ କରିନ୍ଥୀୟ ୬:୧୪) ପରିଣାମ ସ୍ୱରୂପ ଅନେକ ନୂତନ ବାଇବଲ ବିଦ୍ୟାର୍ଥୀ ନିଜର ଧାର୍ମିକ ସଂଗଠନରୁ ତ୍ୟାଗପତ୍ର ଦେଲେ । ଏହା ସେମାନଙ୍କୁ ସତ୍ୟ ପରମେଶ୍ୱରଙ୍କ ନିକଟବର୍ତ୍ତୀ କରିପାରିଲା, ଯେପରି ସେ ପ୍ରତିଜ୍ଞା କରିଥିଲେ: “‘ପ୍ରଭୁ [ଯିହୋବା] ଏହା କହନ୍ତି, ତୁମ୍ଭେମାନେ ସେମାନଙ୍କ ମଧ୍ୟରୁ ବାହାରି ଆସ, ଆଉ ପୃଥକ ହୁଅ, ଆଉ ଅଶୁଚି ପଦାର୍ଥ ସ୍ପର୍ଶ କର ନାହିଁ; ପୁଣି ଆମ୍ଭେ ତୁମ୍ଭମାନଙ୍କୁ ଗ୍ରହଣ କରିବା ।’” (୨ କରିନ୍ଥୀୟ ୬:୧୭; ପ୍ରକାଶିତ ବାକ୍ୟ ୧୮:୪, ୫) ଆମର ସ୍ୱର୍ଗସ୍ଥ ପିତାଙ୍କ ଦ୍ୱାରା ଏଭଳି ସ୍ୱୀକୃତିରେ କʼଣ ଆପଣ ଗଭୀର ଇଚ୍ଛା ପ୍ରକାଶ କରିବେ ନାହିଁ ?

ବାର୍ଷିକ ଉତ୍ସବଗୁଡ଼ିକୁ କଳ୍ପନା କରନ୍ତୁ

୧୬. ପ୍ରକୃତ ଖ୍ରୀଷ୍ଟିୟାନମାନେ କାହିଁକି ବଡ଼ ଦିନ ପାଳନ କରନ୍ତି ନାହିଁ ?

୧୬ ଏକ ଧର୍ମ-ପରାୟଣ ଜୀବନ ପ୍ରାୟତଃ ସାଂସାରିକ ଛୁଟି ପାଳନ ଭାରରୁ ଆମକୁ ମୁକ୍ତ କରିଥାଏ । ଉଦାହରଣସ୍ୱରୂପ ବାଇବଲ ଯୀଶୁଙ୍କର ସଠିକ୍‌ ଜନ୍ମ ଦିନ ପ୍ରକାଶ କରେ ନାହିଁ । କେହି କେହି ହୁଏତ ବିସ୍ମୟର ସହିତ କହିପାରନ୍ତି, କି କଥା, ‘ମୁଁ ଭାବେ ଯୀଶୁ ପରା ଡିସେମ୍ବର ୨୫ ତାରିଖରେ ଜନ୍ମ ହୋଇଥିଲେ !’ ଏହା ସମ୍ଭବ ନୁହେଁ କାରଣ ସେ ୩୩ ୧/୨ ବର୍ଷ ବୟସରେ ସା.ଯୁ. ୩୩ର ବସନ୍ତଋତୁରେ ମୃତ୍ୟୁବରଣ କରିଥିଲେ । ଏହା ବ୍ୟତୀତ, ତାଙ୍କ ଜନ୍ମ ସମୟରେ ମେଷପାଳକମାନେ “ପଦାରେ ରହି ରାତ୍ରିରେ ସେମାନଙ୍କ ପଲ ଜଗୁଥିଲେ ।” (ଲୂକ ୨:୮) ଇଶ୍ରାୟେଲ ଦେଶରେ ଡିସେମ୍ବର ମାସ ଶେଷରେ ବହୁତ ଥଣ୍ଡା ଓ ବର୍ଷା ଋତୁ ଯୋଗୁଁ ସେହି ସମୟରେ ମେଷଗୁଡ଼ିକୁ ଶୀତ ଦାଉରୁ ରକ୍ଷା କରିବା ପାଇଁ ରାତ୍ରି ସମୟରେ ମେଷଶାଳାରେ ରଖାଯାଏ । ବାସ୍ତବରେ, ରୋମୀୟମାନେ ଡିସେମ୍ବର ୨୫ ତାରଖକୁ ସୂର୍ଯ୍ୟ ଦେବତାଙ୍କ ଜନ୍ମଦିନ ପାଇଁ ସ୍ଥିର କରିଥିଲେ । ଯୀଶୁ ପୃଥିବୀରେ ରହିବାର ବହୁଶତାବ୍ଦୀ ପରେ ଧର୍ମତ୍ୟାଗୀ ଖ୍ରୀଷ୍ଟିୟାନମାନେ ଏହି ଦିନଟିକୁ ଖ୍ରୀଷ୍ଟୋତ୍ସବ ରୂପେ ବାଛି ନେଲେ । ଫଳସ୍ୱରୂପେ ପ୍ରକୃତ ଖ୍ରୀଷ୍ଟିୟାନମାନେ ବଡ଼ ଦିନ କିମ୍ବା ମିଥ୍ୟା ଧାର୍ମିକ ବିଶ୍ୱାସ ଉପରେ ଆଧାରିତ ଅନ୍ୟ କୌଣସି ଉତ୍ସବ ପାଳନ କରନ୍ତି ନାହିଁ । କାରଣ ସେମାନେ ଯିହୋବାଙ୍କୁ ବିଶେଷ ଭକ୍ତି କରନ୍ତି, ତେଣୁ ସେମାନେ ଏଭଳି କୌଣସି ଉତ୍ସବ ମଧ୍ୟ ପାଳନ କରନ୍ତି ନାହିଁ ଯେଉଁଥିରେ ପାପମୟ ମନୁଷ୍ୟ କିମ୍ବା ରାଷ୍ଟ୍ରଗୁଡ଼ିକୁ ପ୍ରମୂର୍ତ୍ତ କରାଯାଏ ।

୧୭. ଧର୍ମ-ପରାୟଣ ଲୋକେ ଜନ୍ମଦିବସ କାହିଁକି ପାଳନ କରନ୍ତି ନାହିଁ ଓ ଖ୍ରୀଷ୍ଟିୟାନ ପିଲାମାନେ ତା ସତ୍ୱେ ଖୁସୀ କାହିଁକି ?

୧୭ ବାଇବଲ ବିଶେଷଭାବେ କେବଳ ଦୁଇଟି ଜନ୍ମୋତ୍ସବର ଉଲ୍ଲେଖ କରେ, ଏ ଉଭୟେ ଏପରି ମନୁଷ୍ୟ ଯେଉଁମାନେ ଯିହୋବାଙ୍କୁ ସେବା କରୁନଥିଲେ । (ଆଦି ପୁସ୍ତକ ୪୦:୨୦-୨୨; ମାଥିଉ ୧୪:୬-୧୧) ଯେହେତୁ ଶାସ୍ତ୍ର ସିଦ୍ଧମାନବ ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ ତିଥି ପ୍ରକାଶ କରେ ନାହିଁ, ତାହେଲେ ଅସିଦ୍ଧ ମନୁଷ୍ୟଙ୍କ ଜନ୍ମ ତିଥି ପ୍ରତି ଆମେ ବିଶେଷ ମନୋଯୋଗ ଦେବା କାହିଁକି ? (ଉପଦେଶକ ୭:୧) କେବେହେଁ ଧର୍ମ-ପରାୟଣ ପିତା-ମାତା ସେମାନଙ୍କ ସନ୍ତାନମାନଙ୍କୁ ସ୍ନେହ ଦେଖେଇବା ପାଇଁ ବିଶେଷ ଦିନର ଅପେକ୍ଷା କରନ୍ତି ନାହିଁ । ଜଣେ ୧୩-ବର୍ଷିୟା ଖ୍ରୀଷ୍ଟିଆନ୍‌ ବାଳିକା କହିଲେ: “ମୋ ପରିବାର ଓ ମୁଁ ଖୁବ୍‌ ମଜା କରୁ । . . . ପିତାମାତାଙ୍କ ସହିତ ମୋର ଖୁବ୍‌ ନିବିଡ଼ ସମ୍ପର୍କ, ଯେତେବେଳେ ଅନ୍ୟ ପିଲାମାନେ ପଚାରନ୍ତି ଯେ ମୁଁ କାହିଁକି ଉତ୍ସବ ପାଳନ କରେ ନାହିଁ, ମୁଁ ସେମାନଙ୍କୁ କହେ ଯେ ପ୍ରତ୍ୟେକ ଦିନକୁ ଆମେ ପାଳନକରୁ ।” ୧୭-ବର୍ଷର ଜଣେ ଖ୍ରୀଷ୍ଟିୟାନ ଯୁବକ କହିଥିଲେ: “ଆମ ଘରେ, ସାରା ବର୍ଷ ଧରି ଉପହାର ଦିଆଯାଏ ।” ଯେତେବେଳେ ଉପହାର ସ୍ୱଚ୍ଛନ୍ଦଭାବେ ଦିଆଯାଏ ତାହାର ଫଳ ଅତ୍ୟଧିକ ଆନନ୍ଦ ଦାୟକ ।

୧୮. ଯୀଶୁ ନିଜ ଅନୁଗାମୀମାନଙ୍କୁ କେଉଁ ବାର୍ଷିକ ଉତ୍ସବ ପାଳନ କରିବା ପାଇଁ ଆଦେଶ ଦେଇଥିଲେ ଓ ଏହା ଆମକୁ କେଉଁ କଥା ସ୍ମରଣ କରାଇଥାଏ ?

୧୮ ଯେଉଁମାନେ ଧାର୍ମିକ ଜୀବନ ପଥରେ ଚାଲନ୍ତି, ସେମାନଙ୍କ ପାଇଁ ପ୍ରତି ବର୍ଷରେ ଗୋଟିଏ ଦିନ ରହିଛି ଯାହା ବିଶେଷଭାବେ ପାଳନୀୟ । ଏହା ହେଉଛି ପ୍ରଭୁଙ୍କର ସାନ୍ଧ୍ୟ ଭୋଜ, ଏହାକୁ ଖ୍ରୀଷ୍ଟଙ୍କ ମୃତ୍ୟୁର ସ୍ମରଣ ଦିବସ କୁହାଯାଏ । ଏହାକୁ ଭିତ୍ତିକରି, ଯୀଶୁ ତାଙ୍କ ଅନୁଗାମୀମାନଙ୍କୁ ଆଦେଶ ଦେଇଥିଲେ: “ମୋତେ ସ୍ମରଣ କରିବା ନିମନ୍ତେ ଏହା କର ।” (ଲୂକ ୨୨:୧୯, ୨୦; ୧ କରିନ୍ଥୀୟ ୧୧:୨୩-୨୫) ଯେତେବେଳେ ଯୀଶୁ ସା.ଯୁ. ୩୩ ରେ ନିଶାନ ମାସର ୧୪ ତାରିଖ ରାତ୍ରିରେ ଏହି ଭୋଜ ସ୍ଥାପିତ କରିଥିଲେ, ସେ ତାଡ଼ିଶୂନ୍ୟ ରୋଟୀ ଓ ଲାଲ ଦ୍ରାକ୍ଷାରସ ବ୍ୟବହାର କରିଥିଲେ, ଯାହା ତାଙ୍କ ପାପଶୁନ୍ୟ ମାନବ ଶରୀରକୁ ଓ ସିଦ୍ଧ ରକ୍ତକୁ ଚିତ୍ରିତ କରେ । (ମାଥିଉ ୨୬:୨୬-୨୯) ଏହି ପ୍ରତୀକରେ ପରମେଶ୍ୱରଙ୍କ ପବିତ୍ର ଆତ୍ମା ଦ୍ୱାରା ଅଭିଷିକ୍ତ ଖ୍ରୀଷ୍ଟିୟାନମାନେ ଅଂଶ ଗ୍ରହଣ କରନ୍ତି । ସେମାନଙ୍କୁ ନୂତନ ଚୁକ୍ତି ଓ ରାଜ୍ୟ ଚୁକ୍ତି ମଧ୍ୟକୁ ନିଆଯାଇଛି, ସେମାନଙ୍କ ସ୍ୱର୍ଗୀୟ ଆଶା ଅଛି । (ଲୂକ ୧୨:୩୨; ୨୨:୨୦, ୨୮-୩୦; ରୋମୀୟ ୮:୧୬, ୧୭; ପ୍ରକାଶିତ ବାକ୍ୟ ୧୪:୧-୫) ଅପରନ୍ତୁ, ପ୍ରାଚୀନ ଯିହୂଦୀ କ୍ୟାଲେଣ୍ଡର ନିଶାନ ୧୪ ସହିତ ଯେଉଁଦିନ ମେଳ ଥାଏ ସେହି ସନ୍ଧ୍ୟାରେ ଉପସ୍ଥିତ ସମସ୍ତ ଲୋକେ ଉପକୃତ ହୋଇଥାନ୍ତି । ସେମାନଙ୍କ ପାପର କ୍ଷତିପୁରଣ କରୁଥିବା ମୁକ୍ତି-ମୂଲ୍ୟର ବଳିଦାନରେ ଯିହୋବା ପରମେଶ୍ୱର ଓ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ପ୍ରଦର୍ଶିତ ହୋଇଥିବା ପ୍ରେମକୁ ସ୍ମରଣ କରାଇଥାଏ, ଯେଉଁମାନଙ୍କ ଉପରେ ଈଶ୍ୱରୀୟ ଅନୁଗ୍ରହ ଅଛି ସେମାନଙ୍କ ପାଇଁ ଅନନ୍ତ ଜୀବନର ସମ୍ଭାବନା ଆଣିଦିଏ ।—ମାଥିଉ ୨୦:୨୮; ଯୋହନ ୩:୧୬.

କର୍ମସଂସ୍ଥାନ ଓ ମନୋରଞ୍ଜନ

୧୯. ଖ୍ରୀଷ୍ଟିୟାନମାନଙ୍କୁ ଜୀବିକା ଅର୍ଜନ ପାଇଁ କେଉଁ ସମସ୍ୟାର ସମ୍ମୁଖୀନ ହେବାକୁ ହୁଏ ?

୧୯ ନିଜର ଆବଶ୍ୟକତା ପୂରଣ କରିବା ପାଇଁ ପ୍ରକୃତ ଖ୍ରୀଷ୍ଟିୟାନମାନେ କଠିନ ପରିଶ୍ରମ କରିବା ପାଇଁ ବାଧ୍ୟ । ଏସବୁ ପୂରଣ କରି ପରିବାରର ମୁଖ୍ୟ ତୃପ୍ତ ହୁଅନ୍ତି । (୧ ଥେସଲନୀକୀୟ ୪:୧୧, ୧୨) ଅବଶ୍ୟ ଜଣେ ଖ୍ରୀଷ୍ଟିୟାନଙ୍କ ବୃତ୍ତି ବାଇବଲ ବିରୁଦ୍ଧରେ ଗଲେ, ତାଙ୍କୁ ଖୁସୀରୁ ବଞ୍ଚିତ କରେ । ତଥାପି ବେଳେ ବେଳେ ଜଣେ ଖ୍ରୀଷ୍ଟିୟାନଙ୍କୁ ବାଇବଲ ମାନଗୁଡ଼ିକ ସହିତ ସମତା ରଖୁଥିବା ରୋଜଗାରପନ୍ଥା ପାଇବାରେ ଅସୁବିଧା ହୋଇଥାଏ । ଉଦାହରଣସ୍ୱରୂପ, କେତେକ କର୍ମଚାରୀଙ୍କୁ ଗ୍ରାହକଙ୍କୁ ଠକିବାକୁ ବାଧ୍ୟ କରାଯାଏ । ଅନ୍ୟ ଦିଗରେ ଅନେକ ମାଲିକ ଜଣେ ସଚ୍ଚୋଟ କାର୍ମଚାରୀର ବିବେକର ଦାବିକୁ ମାନି ନିଅନ୍ତି, ଯେପରିକି ଜଣେ ବିଶ୍ୱସ୍ତ କର୍ମଚାରୀକୁ ହରେଇବାକୁ ନ ହୁଏ । କିନ୍ତୁ ଯେ କୌଣସି ପରିସ୍ଥିତି ହେଉ ନା କାହିଁକି ଆପଣ ନିଶ୍ଚିତ ରହିପାରନ୍ତି ଯେ ପରମେଶ୍ୱର ଆପଣଙ୍କ ପ୍ରଚେଷ୍ଟାକୁ ଆଶୀର୍ବାଦ କରିବେ ଯେପରିକି ଆପଣଙ୍କୁ ଏକ ନିର୍ମଳ ବିବେକ ରକ୍ଷା କରିବାଭଳି କର୍ମସଂସ୍ଥାନ ମିଳିବ ।—୨ କରିନ୍ଥୀୟ ୪:୨.

୨୦. ମନୋରଞ୍ଜନ ବିଷୟ ଆମକୁ ବାଛିନେବା ଉଚିତ କାହିଁକି ?

୨୦ ଯେହେତୁ ପରମେଶ୍ୱର ଚାହାନ୍ତି ତାଙ୍କ ସେବକମାନେ ଖୁସୀ ରହନ୍ତୁ, ତେଣୁ ଆମେ କଠିନ ପରିଶ୍ରମ, ମନୋରଂଜନ ଓ ବିଶ୍ରାମର ସ୍ଫୁର୍ତ୍ତିଦାୟକ ସମୟ ମଧ୍ୟରେ ଭାରସାମ୍ୟ ରଖିବା ଆବଶ୍ୟକ । (ମାର୍କ ୬:୩୧; ଉପଦେଶକ ୩:୧୨, ୧୩) ଶୟତାନର ଜଗତ ଅଧାର୍ମିକ ମନୋରଞ୍ଜନକୁ ପ୍ରଶ୍ରୟ ଦିଏ । କିନ୍ତୁ ପରମେଶ୍ୱରଙ୍କୁ ଆନନ୍ଦିତ କରିବା ପାଇଁ ଆମେ ପଢ଼ିବା ପୁସ୍ତକ, ଆମେ ଶୁଣୁଥିବା ରେଡ଼ିଓ କାର୍ଯ୍ୟକ୍ରମ ଓ ସଂଗୀତ, ଆମେ ଦେଖୁଥିବା ସଂଗୀତ ସମାରୋହ, ଚଳଚିତ୍ର, ନାଟକ, ଦୂରଦର୍ଶନ କାର୍ଯ୍ୟକ୍ରମ ଓ ଭିଡିଓ ଇତ୍ୟାଦି ବିଷୟ ବାଛିନେବା ଉଚିତ । ଅତୀତରେ ଆମେ ଯେଉଁ ମନୋରଞ୍ଜନ ବାଛୁଥିଲୁ ଯଦି ତାହା ଦ୍ୱିତୀୟ ବିବରଣ ୧୮:୧୦-୧୨, ଗୀତସଂହିତା ୧୧:୫ ଓ ଏଫିସୀୟ ୫:୩-୫, ଭଳି ଶାସ୍ତ୍ରପଦଗୁଡ଼ିକରେ ଦିଆଯାଇଥିବା ଚେତାବନୀର ବିରୁଦ୍ଧରେ ଅଛି, ତେବେ ଆମେ ଯିହୋବାଙ୍କୁ ଆନନ୍ଦିତ କରିବା ଓ ଅଧିକ ଖୁସୀ ପାଇବା ଯଦି ଆମେ ଯଥୋପଯୁକ୍ତତା କରୁ ।

ଜୀବନ ଓ ରକ୍ତ ପ୍ରତି ସମ୍ମାନ

୨୧. ଜୀବନ ପ୍ରତି ସମ୍ମାନ, ଗର୍ଭପାତ ଉପରେ ଆମର ଦୃଷ୍ଟିଭଙ୍ଗି ଏବଂ ଆମର ଅଭ୍ୟାସ ଓ ଆଚରଣ ଉପରେ କିଭଳି ପ୍ରଭାବ ପଡ଼ିବା ଉଚିତ ?

୨୧ ପ୍ରକୃତ ଆନନ୍ଦ ପାଇବାକୁ ହେଲେ ଆମେ ମାନବଜୀବନକୁ ପବିତ୍ରରୂପେ ଦେଖିବା ଆବଶ୍ୟକ, ଯେପରି ଯିହୋବା ଦେଖନ୍ତି । ତାଙ୍କ ବାକ୍ୟ ଆମକୁ ହତ୍ୟା କରିବା ପାଇଁ ମନା କରେ । (ମାଥିଉ ୧୯:୧୬-୧୮) ପ୍ରକୃତରେ, ଇଶ୍ରାୟେଲୀୟମାନଙ୍କୁ ଦେଇଥିବା ପରମେଶ୍ୱରଙ୍କ ନିୟମ ପ୍ରଦର୍ଶିତ କରେ ଯେ ଅଜାତ ଶିଶୁମାନଙ୍କ ଜୀବନ ମୂଲ୍ୟବାନ ଭାବିବା ଉଚିତ—ଏପରି ଜିନିଷ ନଷ୍ଟ କରାବା ଉଚିତ ନୁହେଁ । (ଯାତ୍ରା ପୁସ୍ତକ ୨୧:୨୨, ୨୩) ଏହି କାରଣ ଯୋଗୁଁ ଆମେ ତମାଖୁ ବ୍ୟବହାର, ନିଶାଦ୍ରବ୍ୟ କିମ୍ବା ମଦ ଦ୍ୱାରା ନିଜ ଶରୀରକୁ ଅପବ୍ୟବହାର କିମ୍ବା ଆନାବଶ୍ୟକ ବିପଦକୁ ଲମ୍ଫ ଦେଇ ଜୀବନ ଶସ୍ତା ଭାବିବା ଉଚିତ ନୁହେଁ । ଆମେ କୌଣସି ଜୀବନ-ବିପନ୍ନକାରୀ କାର୍ଯ୍ୟରେ ଲିପ୍ତ ଅଥବା ସୁରକ୍ଷା ବ୍ୟବସ୍ଥା ନେବାରେ ଅଗ୍ରାହ୍ୟ କରିବା ଉଚିତ ନୁହେଁ, ଯାହାର ପରିଣାମ ହୁଏତ ଆମକୁ ରକ୍ତପାତର ଅପରାଧ ପାଇଁ ଦାୟୀ କରିପାରେ ।—ଦ୍ୱିତୀୟ ବିବରଣ ୨୨:୮.

୨୨. (କ) ରକ୍ତ ଓ ତାହାର ବ୍ୟବହାର ବିଷୟରେ ଧାର୍ମିକ ଦୃଷ୍ଟିକୋଣ କʼଣ ? (ଖ) କେବଳ କାହାର ରକ୍ତ ବାସ୍ତବରେ ଜୀବନ-ରକ୍ଷକ ଅଟେ ?

୨୨ ଯିହୋବା ନୋହ ଓ ତାଙ୍କ ପରିବାରକୁ କହିଥିଲେ ଯେ ରକ୍ତ, ପ୍ରାଣ କିମ୍ବା ଜୀବନର ପ୍ରତୀକ ସ୍ୱରୂପ । ସେଥିପାଇଁ, ପରମେଶ୍ୱର ସେମାନଙ୍କୁ କୌଣସି ପ୍ରକାର ରକ୍ତ ଭୋଜନ କରିବାକୁ ନିଷେଧ କରିଥିଲେ । (ଆଦି ପୁସ୍ତକ ୯:୩, ୪) ଯେହେତୁ ଆମେ ସେମାନଙ୍କ ବଂଶଧର, ତେଣୁ ଆମେ ସମସ୍ତେ ସେଇ ନିୟମରେ ବନ୍ଧା ହୋଇଛୁ । ଯିହୋବା ଇଶ୍ରାୟେଲୀୟମାନଙ୍କୁ କହିଥିଲେ ରକ୍ତ ଭୂମିରେ ଢ଼ାଳି ଦେବକୁ ହେବ କିନ୍ତୁ ତାହା ମନୁଷ୍ୟର ନିଜ ଉଦ୍ଦେଶ୍ୟ ପାଇଁ ବ୍ୟବହାର କରିପିରିବ ନାହିଁ । (ଦ୍ୱିତୀୟ ବିବରଣ ୧୨:୧୫, ୧୬) ଯେତେବେଳେ ପ୍ରଥମ-ଶତାବ୍ଦୀର ଖ୍ରୀଷ୍ଟିୟାନମାନଙ୍କୁ ଆଦେଶ ଦିଆଗଲା: “ରକ୍ତଠାରୁ . . . ପୃଥକ ରୁହ ।” ସେତେବେଳେ ରକ୍ତ ପ୍ରତି ପରମେଶ୍ୱରଙ୍କ ନିୟମର ପୁନରାବୃତ୍ତି ହୋଇଥିଲା । (ପ୍ରେରିତ ୧୫:୨୮, ୨୯) ଜୀବନର ପବିତ୍ରତା ପ୍ରତି ଆଦର ଯୋଗୁଁ ଧାର୍ମିକ ବ୍ୟକ୍ତିମାନେ ରକ୍ତ ସ୍ଥାନାନ୍ତରଣ କରନ୍ତି ନାହିଁ, ଏପରିକି ଅନ୍ୟମାନେ ଯଦିଓ ଜିଦ୍‌ କରନ୍ତି ଯେ ଏଭଳି ଏକ ପ୍ରକ୍ରିୟା ଜୀବନ-ରକ୍ଷାକାରୀ ହୋଇପାରେ । ଯିହୋବାଙ୍କ ସାକ୍ଷୀମାନଙ୍କଠାରେ ଗ୍ରହଣଯୋଗ୍ୟ ବହୁ ବିକଳ୍ପ ଚିକିତ୍ସା ପଦ୍ଧତି ଅତୀବ କାର୍ଯ୍ୟକାରୀ ପ୍ରମାଣିତ ହୋଇଛି ଓ ତାହା ଜଣେ ବ୍ୟକ୍ତିକୁ ରକ୍ତ ସ୍ଥାନାନ୍ତରଣ ବିପଦର ସମ୍ମୁଖୀନ କରେ ନାହିଁ । ଖ୍ରୀଷ୍ଟିୟାନମାନେ ଜାଣନ୍ତି ଯେ ଏକମାତ୍ର ଯୀଶୁଙ୍କ ପାତିତ ରକ୍ତ ପ୍ରକୃତରେ ଜୀବନ-ରକ୍ଷାକାରୀ । ଏଥିରେ ବିଶ୍ୱାସ ରଖିଲେ କ୍ଷମା ଓ ଅନନ୍ତ ଜୀବନ ପାଇଁ ସମ୍ଭାବନା ଆସିଥାଏ ।—ଏଫିସୀୟ ୧:୭.

୨୩. ଧର୍ମ-ପରାୟଣ ଜୀବନ-ଶୈଳୀର କେତେକ ପ୍ରତିଫଳ କʼଣ ?

୨୩ ସ୍ପଷ୍ଟତଃ, ଧର୍ମ-ପରାୟଣ ଜୀବନ ଯାପନ ପାଇଁ ପ୍ରଚେଷ୍ଟା ଆବଶ୍ୟକ । ପରିବାରର ସଦସ୍ୟମାନେ କିମ୍ବା ପରିଚିତ ବ୍ୟକ୍ତିମାନେ ଏହା ଫଳରେ ଉପହାସ କରିପାରନ୍ତି । (ମାଥିଉ ୧୦:୩୨-୩୯; ୧ ପିତର ୪:୪) କିନ୍ତୁ ଏଭଳି ଜୀବନ ବିତାଇବାର ପ୍ରତିଫଳ କୌଣସି ପରୀକ୍ଷା ଠାରୁ ଆପେକ୍ଷାକୃତ ଅଧିକ ଫଳପ୍ରଦ । ଏହା ଏକ ସ୍ୱଚ୍ଛ ବିବେକ ଓ ଯିହୋବାଙ୍କ ଉପାସକମାନଙ୍କ ସହିତ ଅନ୍ତରଙ୍ଗ ସମ୍ପର୍କ ଦାନ କରେ । (ମାଥିଉ ୧୯:୨୭, ୨୯) ଏହାପରେ ପରମେଶ୍ୱରଙ୍କ ଧାର୍ମିକ ନୂତନ ଜଗତରେ ଚିରକାଳ ବଞ୍ଚି ରହିବା ପାଇଁ ମଧ୍ୟ କଳ୍ପନା କରନ୍ତୁ । (ଯିଶାଇୟ ୬୫:୧୭, ୧୮) ବାଇବଲ ପରାମର୍ଶ ପାଳନ କରିବା ଓ ଏହି ଭାବେ ଯିହୋବାଙ୍କ ହୃଦୟ ଆନନ୍ଦିତ କରିବା ମଧ୍ୟରେ କି ଆନନ୍ଦ ରହିଛି ! (ହିତୋପଦେଶ ୨୭:୧୧) ଏଥିରେ ଆଶ୍ଚର୍ଯ୍ୟ ହେବାର ନାହିଁ, ଏକ ଧର୍ମ-ପରାୟଣ ଜୀବନ ଯାପନ ଆନନ୍ଦ ଆଣିଥାଏ !—ଗୀତସଂହିତା ୧୨୮:୧, ୨.

ଆପଣଙ୍କ ଜ୍ଞାନ ପରୀକ୍ଷା କରନ୍ତୁ

ଏକ ଧାର୍ମିକ ଜୀବନ ଯାପନ କାହିଁକି ଆନନ୍ଦ ଆଣେ, ତାହାର କେତେକ କାରଣ କʼଣ ?

ଧାର୍ମିକ ଜୀବନ ଯାପନ ପାଇଁ କି ପରିବର୍ତ୍ତନ ପ୍ରୟୋଜନ ହୋଇଥାଏ ?

ଆପଣ କାହିଁକି ଏକ ଧାର୍ମିକ ଜୀବନ ଯାପନ ବିତାଇବାକୁ ଚାହାନ୍ତି ?

[୧୨୪, ୧୨୫ ପୃଷ୍ଠାରେ ଚିତ୍ର]

ଯେଉଁମାନେ ଧାର୍ମିକ ଜୀବନ ଯାପନ କରନ୍ତି, ଅବସର ବିନୋଦନ ସମୟ ସହିତ ସମତୁଲ୍ୟ ଆଧ୍ୟାତ୍ମିକ କାର୍ଯ୍ୟାବଳୀ ସେମାନଙ୍କ ଆନନ୍ଦ ବୃଦ୍ଧି କରେ

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ