କʼଣ ଏବେ ମୋତେ ଗାଡ଼ି ଚଳାଇବା ବନ୍ଦ କରିଦେବା ଉଚିତ୍ ?
ଆପଣ ବହୁତ ବର୍ଷରୁ ଗାଡ଼ି ଚଳାଉଛନ୍ତି ଏବଂ ଆପଣଙ୍କୁ ଏହି କଥାରୁ ବହୁତ ଖୁସି ଲାଗୁଥିବ ଯେ ଆପଣଙ୍କର ନିଜର ଗୋଟିଏ ଗାଡ଼ି ଅଛି । ତେଣୁ ଆପଣ ଯେଉଁଠି ବି ଯାଇପାରନ୍ତି ଏବଂ ନିଜର କାମ ନିଜେ କରିପାରନ୍ତି । କିନ୍ତୁ ଏବେ ଆପଣଙ୍କର ବୟସ ହୋଇଯାଉଛି, ତେଣୁ ଆପଣଙ୍କର ପରିବାର ଲୋକ ଏବଂ ସାଙ୍ଗମାନେ ଆପଣଙ୍କର ବହୁତ ଚିନ୍ତା କରନ୍ତି । ସେମାନେ ଚାହାନ୍ତି ଯେ ଆପଣ ଏବିଷୟରେ ଭାବନ୍ତୁ ଯେ ଏବେ ଆପଣଙ୍କ ପାଇଁ ଗାଡ଼ି ଚଳାଇବା ଉଚିତ୍ ନା ନୁହଁ । କିନ୍ତୁ ଆପଣ ବୁଝିପାରୁ ନ ଥିବେ ଯେ ସେମାନେ କାହିଁକି ଆପଣଙ୍କର ଏତେ ଚିନ୍ତା କରୁଛନ୍ତି ।
କʼଣ ଆପଣଙ୍କର ପରିସ୍ଥିତି ବି ଏପରି ହିଁ ଅଛି ? ଯଦି ହଁ, ତାହେଲେ କେଉଁ କଥାରୁ ଆପଣଙ୍କୁ ଏହା ନିଷ୍ପତ୍ତି ନେବା ପାଇଁ ସାହାଯ୍ୟ ମିଳିବ ଯେ ଏବେ ଆପଣଙ୍କୁ ଗାଡ଼ି ଚଳାଇବା ଉଚିତ୍ ନା ନୁହଁ ?
କିଛି ଦେଶଗୁଡ଼ିକରେ ଏପରି ନିୟମ ରହିଛି ଯେ ଯଦି ଜଣେ ବ୍ୟକ୍ତି କୌଣସି ନିର୍ଦ୍ଦିଷ୍ଟ ବୟସ ପରେ ନିଜର ଡ୍ରାଇଭିଙ୍ଗ ଲାଇସେନ୍ସ ରିନ୍ୟୁ କରାଇବା ପାଇଁ ଚାହେଁ, ତାହେଲେ ତାକୁ ଡାକ୍ତରଙ୍କଠାରୁ ଗୋଟିଏ ସାର୍ଟିଫିକେଟ୍ ବନାଇ ଦେବାକୁ ପଡ଼େ । ଯେଉଁ ଖ୍ରୀଷ୍ଟିୟାନମାନେ ଏପରି ଦେଶଗୁଡ଼ିକରେ ରହନ୍ତି, ସେମାନେ ସେଠାକାର ସରକାରର ନିୟମଗୁଡ଼ିକୁ ମାନନ୍ତି । (ରୋମୀ. ୧୩:୧) କିନ୍ତୁ ଯଦି ଆପଣଙ୍କ ଦେଶରେ ଏପରି ନିୟମ ନାହିଁ, ତାହେଲେ ବି ଏପରି ଅନେକ ଉପାୟ ରହିଛି, ଯେଉଁଥିରୁ ଆପଣ ନିଷ୍ପତ୍ତି ନେଇପାରିବେ ଯେ ଏବେ ଆପଣ ସୁରକ୍ଷିତ ଭାବେ ଗାଡ଼ି ଚଳାଇପାରିବେ ନା ନୁହଁ ।
ଭାବନ୍ତୁ ଯେ ଆପଣଙ୍କ ପାଇଁ ଗାଡ଼ି ଚଳାଇବା ସୁରକ୍ଷିତ ହେବ ନା ନୁହଁ
ଆମେରିକାର ନେସନାଲ ଇନ୍ଷ୍ଟିଚ୍ୟୁଟ ଅନ୍ ଏଜିଙ୍ଗ୍ ନାମକ ଗୋଟିଏ ୱେବସାଇଟ୍ରେ ଏବିଷୟରେ କିଛି ପରାମର୍ଶ ଦିଆଯାଇଛି । ଆପଣ ତାହା ଅନୁସାରେ ନିଜକୁ କିଛି ପ୍ରଶ୍ନ ପଚାରିପାରିବେ:
କʼଣ ଗାଡ଼ି ଚଳାଇବା ସମୟରେ ମୋତେ ରାସ୍ତାରେ ଥିବା ସାଇନ୍ ବୋର୍ଡ ପଢ଼ିବାରେ କିମ୍ବା ରାତିରେ ଦେଖିବାରେ ଅସୁବିଧା ହୁଏ ?
କʼଣ ମୋତେ ନିଜ ମୁଣ୍ଡ ବୁଲାଇ ଦର୍ପଣକୁ ଦେଖିବାରେ ଏବଂ ସେହି ଜିନିଷ ବା ସେହି ଗାଡ଼ିଗୁଡ଼ିକୁ ଦେଖିବାରେ ଅସୁବିଧା ହୁଏ, ଯାହା ସହଜରେ ଦେଖାଯାଏ ନାହିଁ ?
ଯଦି ମୋତେ ତୁରନ୍ତ କିଛି କରିବାକୁ ପଡ଼େ, ତାହେଲେ କʼଣ ଏପରି କରିବାରେ ମୋତେ ଅସୁବିଧା ହୁଏ ? ଯେପରି, ଯଦି ହଠାତ୍ ମୋତେ ବ୍ରେକ୍ ଲଗାଇବାକୁ ପଡ଼େ ତାହେଲେ କʼଣ ମୁଁ ଏପରି କରିପାରେ ?
କʼଣ ମୁଁ ଏତେ ଧିରେ ଗାଡ଼ି ଚଳାଏ ଯେ ମୋ ଯୋଗୁଁ ଅନ୍ୟ ଡ୍ରାଇଭର ହଇରାଣ ହୋଇଯାʼନ୍ତି ?
କʼଣ ଏବେ କିଛି ସମୟ ପୂର୍ବରୁ ମୁଁ ଅନେକ ଥର ଆକ୍ସିଡେଣ୍ଟ ହେଉ ହେଉ ବଞ୍ଚିଛି ? କିମ୍ବା କୌଣସି ଜାଗାରେ ବାଜିବା ଯୋଗୁଁ ଗାଡ଼ିରେ ଅନେକ ସ୍କ୍ରାଚ୍ ଲାଗିଛି ଏବଂ ଗାଡ଼ି ଚେପା ହୋଇଯାଇଛି ?
କʼଣ ମୁଁ ଯେପରି ଭାବରେ ଗାଡ଼ି ଚଳାଏ ତାʼଯୋଗୁଁ ପୋଲିସମାନେ ମୋତେ ଅଟକାଇଛନ୍ତି ?
କʼଣ କେବେ ଗାଡ଼ି ଚଳାଇବା ବେଳେ ମୋ ଆଖି ଲାଗିଯାଇଛି ?
କʼଣ ମୁଁ ଏପରି ଔଷଧ ନିଏ, ଯାହାଯୋଗୁଁ ମୋତେ ଗାଡ଼ି ଚଳାଇବାରେ ଅସୁବିଧା ହୋଇପାରେ ?
କʼଣ ମୋର ପରିବାର ଲୋକ କିମ୍ବା ସାଙ୍ଗମାନେ ମୋତେ କହନ୍ତି ଯେ ଯେବେ ମୁଁ ଗାଡ଼ି ଚଳାଏ, ତେବେ ସେମାନଙ୍କୁ ମୋର ଚିନ୍ତା ଲାଗି ରହେ ?
ଯଦି ଉପରେ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ମଧ୍ୟରୁ ଗୋଟିଏ କିମ୍ବା ଦୁଇଟି ପ୍ରଶ୍ନର ଉତ୍ତର ହଁ ରହିଛି, ତାହେଲେ ଆପଣ ଗାଡ଼ି ଚଳାଇବା ମାମଲାରେ କିଛି ପରିବର୍ତ୍ତନ କରିପାରିବେ । ଯେପରି, ଆପଣ ହୁଏତ ଭାବିବେ ଯେ ଆପଣଙ୍କ ପାଇଁ ଏବେ ପୂର୍ବ ଭଳି ଗାଡ଼ି ଚଳାଇବା ଠିକ୍ ରହିବ ନାହିଁ, ବିଶେଷ କରି ରାତି ସମୟରେ । ତାʼସହିତ ମଝି ମଝିରେ ଏହା ଜାଣିବା ପାଇଁ ଚେଷ୍ଟା କରନ୍ତୁ ଯେ ଆପଣ ଠିକ୍ରେ ଗାଡ଼ି ଚଳାଇ ପାରୁଛନ୍ତି ନା ନୁହଁ । ଆପଣ ଏବିଷୟରେ ନିଜ ପରିବାର ଲୋକଙ୍କୁ କିମ୍ବା ସାଙ୍ଗମାନଙ୍କୁ ପଚାରିପାରିବେ । ଆପଣ ଚାହିଁଲେ ଆହୁରି ସୁରକ୍ଷିତ ଭାବେ ଗାଡ଼ି ଚଳାଇବା ପାଇଁ ଡ୍ରାଇଭିଙ୍ଗ କୋର୍ସ ବି କରିପାରିବେ । କିନ୍ତୁ ଯଦି ଉପରେ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ମଧ୍ୟରୁ ଅନେକ ପ୍ରଶ୍ନର ଉତ୍ତର ହଁ ରହିଛି, ତାହେଲେ ଆପଣଙ୍କ ପାଇଁ ଗାଡ଼ି ଚଳାଇବା ବନ୍ଦ କରିଦେବା ଭଲ ରହିବ ।a
ବାଇବଲ ସିଦ୍ଧାନ୍ତଗୁଡ଼ିକ ଅନୁସାରେ ନିଷ୍ପତ୍ତି ନିଅନ୍ତୁ
ହୁଏତ ଆମକୁ ଅନୁଭବ ହେଉ ନ ଥିବ ଯେ ଆମେ ପୂର୍ବ ଭଳି ଆଉ ଗାଡ଼ି ଚଳାଇପାରୁ ନାହୁଁ । ତାʼସହିତ ଆମକୁ କେବେ ଗାଡ଼ି ଚଳାଇବା ବନ୍ଦ କରିଦେବା ଉଚିତ୍, ଏହି ନିଷ୍ପତ୍ତି ନେବା ବି କଠିନ ଲାଗୁଥିବ । ଏପରି ପରିସ୍ଥିତିରେ ବାଇବଲର କେଉଁ ସିଦ୍ଧାନ୍ତ ଆମକୁ ସାହାଯ୍ୟ କରିପାରିବ, ଯାହାଦ୍ୱାରା ଆମେ ସଠିକ୍ ନିଷ୍ପତ୍ତି ନେଇପାରିବା ? ଏବିଷୟରେ ଦୁଇଟି ସିଦ୍ଧାନ୍ତ ଉପରେ ଧ୍ୟାନ ଦିଅନ୍ତୁ ।
ମର୍ଯ୍ୟାଦାରେ ରହନ୍ତୁ ବା ନିଜ ସୀମା ବୁଝନ୍ତୁ । (ହିତୋ. ୧୧:୨) ଯେବେ ଆମର ବୟସ ହୋଇଯାଏ, ତେବେ ଆମ ଦୃଷ୍ଟିଶକ୍ତି ଓ ଆମ ମାଂସପେଶୀ ଦୁର୍ବଳ ହୋଇଯାଏ, ଆମେ ଠିକ୍ରେ ଶୁଣି ପାରି ନ ଥାଉ ଏବଂ ଆମେ ପୂର୍ବ ଭଳି ଆଉ କାମ କରିପାରି ନ ଥାଉ । ସେଥିପାଇଁ କିଛି ଲୋକ ଗୋଟିଏ ନିର୍ଦ୍ଦିଷ୍ଟ ବୟସ ପରେ କିଛି ଖେଳ ଖେଳିବା ବନ୍ଦ କରିଦିଅନ୍ତି । କାରଣ ସେମାନେ ବୁଝନ୍ତି ଯେ ଏବେ ସେହି ଖେଳରେ ସେମାନଙ୍କୁ ସହଜରେ ଆଘାତ ଲାଗିପାରେ । ଏହି ସିଦ୍ଧାନ୍ତ ଗାଡ଼ି ଚଳାଇବା ମାମଲାରେ ବି ଲାଗୁ ହୋଇପାରେ । ଯେଉଁ ବ୍ୟକ୍ତି ନିଜ ସୀମା ବୁଝେ, ସେ ହୁଏତ ଗୋଟିଏ ନିର୍ଦ୍ଦିଷ୍ଟ ବୟସ ପରେ ଗାଡ଼ି ଚଳାଇବା ବନ୍ଦ କରିଦେବ । କାରଣ ସେ ଜାଣେ ଯେ ଏପରି କରିବା ତାʼପାଇଁ ସୁରକ୍ଷିତ ନୁହେଁ । (ହିତୋ. ୨୨:୩) ଆଉ ଯେଉଁମାନେ ତାʼ ବିଷୟରେ ଚିନ୍ତା କରନ୍ତି, ସେ ସେମାନଙ୍କର କଥା ଶୁଣେ ଏବଂ ତାହାକୁ ମାନେ ।—୨ ଶାମୁୟେଲ ୨୧:୧୫-୧୭ ପଦ ସହ ତୁଳନା କରନ୍ତୁ ।
ରକ୍ତର ଦୋଷୀ ହେବାରୁ ବଞ୍ଚନ୍ତୁ । (ଦ୍ୱିବି. ୨୨:୮) ଯଦି କେହି ଗାଡ଼ି ଠିକ୍ରେ ଚଳାନ୍ତି ନାହିଁ, ତାହେଲେ ଏହା ଦ୍ୱାରା କାହାରି ଜୀବନ ଯାଇପାରେ । ଯଦି ଜଣେ ବ୍ୟକ୍ତି ପାଇଁ ଗାଡ଼ି ଚଳାଇବା ଅସୁରକ୍ଷିତ ହେବା ସତ୍ତ୍ୱେ ସେ ଗାଡ଼ି ଚଳାଏ, ତାହେଲେ ଏଥିରୁ ସେ ନିଜର ଏବଂ ଅନ୍ୟମାନଙ୍କର ଜୀବନ ବିପଦରେ ପକାଏ । ଯଦି ଗାଡ଼ି ଚଳାଇବା ସମୟରେ ଆକ୍ସିଡେଣ୍ଟ ହୋଇଯାଏ କିମ୍ବା କାହାରି ଜୀବନ ଚାଲିଯାଏ, ତାହେଲେ ସେ ରକ୍ତର ଦୋଷୀ ହୋଇପାରେ ।
ହୁଏତ ବୃଦ୍ଧାବସ୍ଥା ଯୋଗୁଁ ଆପଣଙ୍କୁ ଏହା ନିଷ୍ପତ୍ତି ନେବାକୁ ପଡ଼ିବ ଯେ ଏବେ ଆପଣ ଗାଡ଼ି ଚଳାଇବେ ନା ନାହିଁ । ଏପରି ସମୟରେ ଆପଣ ଏହା ଭାବନ୍ତୁ ନାହିଁ ଯେ ଯଦି ଆପଣ ଗାଡ଼ି ଚଳାଇବା ବନ୍ଦ କରିଦେବେ, ତାହେଲେ ଲୋକମାନେ ଆପଣଙ୍କ ଆଦର କରିବେ ନାହିଁ । ଯିହୋବା ଆପଣଙ୍କର ଭଲ ଗୁଣଗୁଡ଼ିକ ପାଇଁ ଆପଣଙ୍କୁ ପ୍ରେମ କରନ୍ତି । ଯେପରି ଆପଣଙ୍କ ମର୍ଯ୍ୟାଦା, ନମ୍ରତା ଓ ଲୋକମାନଙ୍କ ପାଇଁ ଆପଣଙ୍କର ଚିନ୍ତା । ସେ ପ୍ରତିଜ୍ଞା କରିଛନ୍ତି ଯେ ସେ ଆପଣଙ୍କୁ ସମ୍ଭାଳିବେ ଏବଂ ସାନ୍ତ୍ୱନା ଦେବେ । (ଯିଶା. ୪୬:୪) ସେ କେବେ ବି ଆପଣଙ୍କୁ ଏକୁଟିଆ ଛାଡ଼ିବେ ନାହିଁ । ତେଣୁ ତାଙ୍କଠାରେ ବୁଦ୍ଧି ପାଇଁ ପ୍ରାର୍ଥନା କରନ୍ତୁ ଏବଂ ଏହା ବି କହନ୍ତୁ ଯେ ସେ ଆପଣଙ୍କୁ ବାଇବଲ ସିଦ୍ଧାନ୍ତଗୁଡ଼ିକୁ ବୁଝିବା ପାଇଁ ସାହାଯ୍ୟ କରିବେ । ଏପରି କରିବା ଦ୍ୱାରା ଆପଣ ଗାଡ଼ି ଚଳାଇବା ମାମଲାରେ ସଠିକ୍ ନିଷ୍ପତ୍ତି ନେଇପାରିବେ ।
a ଏବିଷୟରେ ଆହୁରି ଜାଣିବା ପାଇଁ ୮ ଅକ୍ଟୋବର, ୨୦୦୨ ମସିହାର ସଜାଗ ହୁଅ ! ପତ୍ରିକାରେ ଦିଆଯାଇଥିବା ଲେଖା, “ମୋଟର୍ ଗାଡ଼ି କି ଦୁର୍ଘଟନା ସେ କ୍ୟା ଆପ୍ ବଚ ସକତେ ହୈ ?” ଦେଖନ୍ତୁ ।