ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • g20 ସଂ ୧ ପୃଷ୍ଠା ୮-୧୩
  • ଚିନ୍ତାକୁ କମ୍‌ କିପରି କରିବା ?

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଚିନ୍ତାକୁ କମ୍‌ କିପରି କରିବା ?
  • ସଜାଗ ହୁଅ !—୨୦୨୦
  • ଉପଶୀର୍ଷକ
  • ପ୍ରାୟ ସମାନ ଲେଖା
  • ଅତ୍ୟଧିକ ଆଶା କରନ୍ତୁ ନାହିଁ
  • ଆପଣଙ୍କର ଚିନ୍ତାର କାରଣ ଚିହ୍ନନ୍ତୁ
  • ବ୍ୟବସ୍ଥିତ ଭାବେ କରନ୍ତୁ
  • କାମ କରିବା ସହିତ ଆରାମ ବି କରନ୍ତୁ
  • ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ
  • ଜରୁରୀ କାମଗୁଡ଼ିକୁ ମହତ୍ତ୍ୱ ଦିଅନ୍ତୁ
  • ସାହାଯ୍ୟ ନିଅନ୍ତୁ
  • ଈଶ୍ୱରଙ୍କୁ ଜାଣନ୍ତୁ ଏବଂ ତାହାଙ୍କର ମାର୍ଗଦର୍ଶନ ନିଅନ୍ତୁ
  • ଚିନ୍ତା କାହାକୁ କୁହାଯାଏ ?
    ସଜାଗ ହୁଅ !—୨୦୨୦
  • କʼଣ ଆପଣ ଚିନ୍ତାରେ ଅଛନ୍ତି ?
    ସଜାଗ ହୁଅ !—୨୦୨୦
ସଜାଗ ହୁଅ !—୨୦୨୦
g20 ସଂ ୧ ପୃଷ୍ଠା ୮-୧୩

ଚିନ୍ତାର ସାମନା କିପରି କରିବା ?

ଚିନ୍ତାକୁ କମ୍‌ କିପରି କରିବା ?

ଚିନ୍ତାଗୁଡ଼ିକର ସାମନା କରିବା ପାଇଁ ସର୍ବପ୍ରଥମେ ଏହା ଭାବିବା ଜରୁରୀ ଯେ ଏହାର କେଉଁ କଥାଗୁଡ଼ିକ ଉପରେ ପ୍ରଭାବ ପଡ଼େ । ଯେପରି, ଏହାର ପ୍ରଭାବ ଆପଣଙ୍କ ସ୍ୱାସ୍ଥ୍ୟ, ଅନ୍ୟମାନଙ୍କ ସହ ଆପଣଙ୍କ ସମ୍ପର୍କ, ଆପଣଙ୍କ ଲକ୍ଷ୍ୟ ଏବଂ ଆପଣଙ୍କ ପାଇଁ ମହତ୍ତ୍ୱ ରଖୁଥିବା କଥାଗୁଡ଼ିକ ଉପରେ ପଡ଼ିଥାଏ । ଏହି ଲେଖାରେ କିଛି ପରାମର୍ଶ ଦିଆଯାଇଛି, ଯାହା ସାହାଯ୍ୟରେ ଆପଣ ନିଜର ଚିନ୍ତାର ସାମନା ଭଲଭାବରେ କରିପାରିବେ ଏବଂ କିଛି ମାତ୍ରାରେ ଏହାକୁ କମ୍‌ ବି କରିପାରିବେ ।

କାଲି କʼଣ ହେବ, ଏହା ଚିନ୍ତା କରନ୍ତୁ ନାହିଁ

“କାଲି ପାଇଁ ଚିନ୍ତିତ ହୁଅ ନାହିଁ, କାରଣ କାଲି ନିଜେ ନିଜ ପାଇଁ ଚିନ୍ତା କରିବ ।”—ମାଥିଉ ୬:୩୪.

ଅର୍ଥ: ଜୀବନରେ ପ୍ରତ୍ୟେକ ଦିନ ଚିନ୍ତା ତ ରହିବ । କିନ୍ତୁ କାଲି ବିଷୟରେ ଭାବି ଆଜିର ଚିନ୍ତାକୁ ବଢ଼ାନ୍ତୁ ନାହିଁ । ପ୍ରତ୍ୟେକ ଦିନର ଯେଉଁ ଚିନ୍ତା ରହିଛି ତାହାର ସାମନା କରିବା ପାଇଁ ଚେଷ୍ଟା କରନ୍ତୁ ।

  • କୌଣସି କଥାକୁ ନେଇ ଅତ୍ୟଧିକ ଭାବିଲେ ଜଣେ ବ୍ୟକ୍ତି ଗଭୀର ଚିନ୍ତାରେ ବୁଡ଼ିପାରେ । ଏଥିପାଇଁ ଏହା କରିକି ଦେଖନ୍ତୁ: ପ୍ରଥମ, ଏହା ସ୍ୱୀକାର କରନ୍ତୁ ଯେ ଆମେ କେବେ ବି ଆମର ଚିନ୍ତାରୁ ମୁକ୍ତ ହୋଇପାରିବା ନାହିଁ । ଯେଉଁ ପରିସ୍ଥିତିକୁ ଆମେ ବଦଳାଇପାରିବା ନାହିଁ, ସେହି ବିଷୟକୁ ଭାବି ଭାବି ଆମର ଚିନ୍ତା ଆହୁରି ବଢ଼ିଯାଇପାରେ । ଦ୍ୱିତୀୟ, ଯାହା ହୋଇ ନାହିଁ ସେବିଷୟରେ ଭାବି ଚିନ୍ତିତ ହୁଅନ୍ତୁ ନାହିଁ । କାରଣ ଅନେକ ଥର ଆମେ ଯେମିତି ଭାବୁ, ସେମିତି ହୋଇ ନ ଥାଏ ।

ଅତ୍ୟଧିକ ଆଶା କରନ୍ତୁ ନାହିଁ

‘ଉର୍ଦ୍ଧ୍ୱରୁ ଆଗତ ଜ୍ଞାନ ମୃଦୁଶୀଳ ହୋଇଥାଏ ।’—ଯାକୁବ ୩:୧୭.

ଅର୍ଥ: ଏହା ଆଶା କରନ୍ତୁ ନାହିଁ ଯେ ଆପଣଙ୍କ ଦ୍ୱାରା କେବେ ବି ଭୁଲ ହେବ ନାହିଁ । ନିଜଠାରୁ ଏବଂ ଅନ୍ୟମାନଙ୍କଠାରୁ ବି ଅତ୍ୟଧିକ ଆଶା କରନ୍ତୁ ନାହିଁ ।

  • ଅନ୍ୟମାନେ ଯେତିକି କରିପାରିବେ, ସେତିକି ହିଁ ଆଶା କରନ୍ତୁ । ଆଉ ନିଜର ଏବଂ ଅନ୍ୟମାନଙ୍କର ସୀମା ଚିହ୍ନନ୍ତୁ । ଏପରି କଲେ ଖୁସିଭରା ପରିବେଶ ରହିବ ଏବଂ ସମସ୍ତେ ଭଲରେ କାମ କରିପାରିବେ । ନିଜେ ହସନ୍ତୁ ଏବଂ ଅନ୍ୟମାନଙ୍କୁ ବି ହସାନ୍ତୁ । ଯେପରି, ଯଦି ଆପଣଙ୍କ ଦ୍ୱାରା କିଛି ଭୁଲ ହୋଇଯାଏ ତାହେଲେ ବି ହସନ୍ତୁ, ଏହାଦ୍ୱାରା ଆପଣଙ୍କର ଚିନ୍ତା କମ୍‌ ହୋଇଯିବ ଏବଂ ସମସ୍ତଙ୍କ ମନ ଭଲ ବି ରହିବ ।

ଆପଣଙ୍କର ଚିନ୍ତାର କାରଣ ଚିହ୍ନନ୍ତୁ

‘ଯେ ଶାନ୍ତ, ସେ ବୁଦ୍ଧିମାନ ।’—ହିତୋପଦେଶ ୧୭:୨୭.

ଅର୍ଥ: ଯଦି ଜଣେ ବ୍ୟକ୍ତି ଚିନ୍ତାରେ ରହେ, ଚିଡ଼ଚିଡ଼ା ହୁଏ ବା ରାଗିଯାଏ, ତାହେଲେ ସେ ଠିକ୍‌ରେ ଭାବିପାରେ ନାହିଁ । ତେଣୁ ଶାନ୍ତ ରହିବା ପାଇଁ ଚେଷ୍ଟା କରନ୍ତୁ ।

  • ଧ୍ୟାନ ଦିଅନ୍ତୁ ଯେ କେଉଁ କାରଣ ଯୋଗୁଁ ଆପଣଙ୍କୁ ଚିନ୍ତା ହୁଏ ଏବଂ ସେସମୟରେ ଆପଣ କିପରି ବ୍ୟବହାର କରନ୍ତି । ଯେପରି, ସେହି ସମୟରେ ଆପଣ କʼଣ ଭାବନ୍ତି, ଆପଣଙ୍କୁ କିପରି ଲାଗେ ଏବଂ ଆପଣ କିପରି ବ୍ୟବହାର କରନ୍ତି । ଏହା ଧ୍ୟାନ ଦେବା ପରେ ସେଗୁଡ଼ିକୁ ଲେଖିକି ରଖନ୍ତୁ । ଏହାଦ୍ୱାରା ଆପଣ ଚିନ୍ତାଗୁଡ଼ିକର ଭଲଭାବରେ ସାମନା କରିପାରିବେ । ତାʼସହିତ ଆପଣଙ୍କୁ ଯେଉଁ କଥାଗୁଡ଼ିକରୁ ଅଯଥା ଚିନ୍ତା ହୁଏ ସେଗୁଡ଼ିକର କିପରି ସାମନା କରିବେ, ତାହା ଭାବନ୍ତୁ । କିନ୍ତୁ ଏପରି ବି ହୋଇପାରେ ଯେ କୌଣସି ପରିସ୍ଥିତି ଆପଣଙ୍କ ହାତରେ ନ ଥିବ, ତାହେଲେ ନିଜର ଚିନ୍ତାକୁ କମ୍‌ କରିବା ପାଇଁ ଉପାୟ ଭାବନ୍ତୁ । ଗୋଟିଏ ଯୋଜନା କରନ୍ତୁ, ଯେଉଁଥିରୁ ଆପଣଙ୍କ କାମ ଭଲରେ ଓ ସମୟରେ ହୋଇପାରୁ ।

  • କୌଣସି ବିଷୟରେ ନିଜର ଦୃଷ୍ଟିକୋଣ ବଦଳାନ୍ତୁ । ଏପରି କରିବା କାହିଁକି ଜରୁରୀ ? କାରଣ ଯେଉଁ କଥାଗୁଡ଼ିକ ପାଇଁ ଆପଣଙ୍କୁ ଚିନ୍ତା ହୁଏ, ହୁଏତ ସେହି କଥାଗୁଡ଼ିକରୁ ଅନ୍ୟମାନଙ୍କୁ କୌଣସି ଫରକ ପଡ଼େ ନାହିଁ । ଏହା ଏଥିପାଇଁ ହୁଏ କାରଣ ସେହି ବିଷୟରେ ସେମାନଙ୍କ ଦୃଷ୍ଟିକୋଣ ଅଲଗା ହୋଇପାରେ । ଆପଣ ନିଜର ଦୃଷ୍ଟିକୋଣ କିପରି ବଦଳାଇପାରିବେ ? ତଳେ ଦିଆଯାଇଥିବା ପରାମର୍ଶଗୁଡ଼ିକୁ ଧ୍ୟାନ ଦିଅନ୍ତୁ ।

    1. ୧. ଅନ୍ୟମାନଙ୍କୁ ତୁରନ୍ତ ଭୁଲ ବୁଝନ୍ତୁ ନାହିଁ । ଭାବନ୍ତୁ, ଆପଣ ଧାଡ଼ିରେ ଛିଡ଼ା ହୋଇଛନ୍ତି ଏବଂ ହଠାତ୍‌ କେହି ଜଣେ ଆସି ଆପଣଙ୍କ ଆଗରେ ଛିଡ଼ା ହୋଇଯାʼନ୍ତି । ତେବେ ତାଙ୍କୁ ରାଗନ୍ତୁ ନାହିଁ, ବରଂ ଏହା ଭାବନ୍ତୁ ଯେ ହୁଏତ ସେ ଏହା ଜାଣିଶୁଣି କରି ନ ଥିବେ । ଆଉ ପ୍ରକୃତ କଥା ହୁଏତ ଏହା ହିଁ ଥିବ ।

    2. ୨. ପ୍ରତ୍ୟେକ ମାମଲାକୁ ଦୁଇଟି ପକ୍ଷରେ ଦେଖିବା ପାଇଁ ଚେଷ୍ଟା କରନ୍ତୁ । ଯଦି ଆମେ ଗୋଟିଏ ପକ୍ଷକୁ ଧ୍ୟାନ ଦେବା, ତାହେଲେ ଆମକୁ ଚିନ୍ତା ହୋଇପାରେ । ଯେପରି, ଯଦି ଆମେ ଡାକ୍ତରଙ୍କ ଅପେକ୍ଷା କରୁଛୁ କିମ୍ବା ରେଳ ଷ୍ଟେସନରେ ଟ୍ରେନ୍‌ର ଅପେକ୍ଷା କରୁଛୁ, ତାହେଲେ ହୁଏତ ଆମକୁ ଲାଗିପାରେ ଯେ ଆମର ବହୁତ ସମୟ ନଷ୍ଟ ହୋଇଯାଉଛି । କିନ୍ତୁ ସେହି ସମୟକୁ ଯଦି ଆମେ କିଛି ପଢ଼ିବା ପାଇଁ କିମ୍ବା ଅଫିସର କାମ କରିବା ପାଇଁ ବ୍ୟବହାର କରିବା, ତାହେଲେ ଆମର ଚିନ୍ତା କମ୍‌ ହୋଇପାରିବ ।

    3. ୩. ପରିସ୍ଥିତିକୁ ଭଲଭାବରେ ବୁଝିବା ପାଇଁ ଚେଷ୍ଟା କରନ୍ତୁ । ହୁଏତ ଆଜି ଆମକୁ କୌଣସି ସମସ୍ୟା ବହୁତ ବଡ଼ ଲାଗିପାରେ, କିନ୍ତୁ ପରେ ସେହି ସମସ୍ୟା ଆମକୁ ଏତେ ବଡ଼ ଲାଗି ନ ପାରେ । ତେଣୁ ଛୋଟ ଓ ବଡ଼ ସମସ୍ୟାଗୁଡ଼ିକ ମଧ୍ୟରେ ଫରକ କରିବା ଶିଖନ୍ତୁ ।

ବ୍ୟବସ୍ଥିତ ଭାବେ କରନ୍ତୁ

“ପ୍ରତ୍ୟେକ କାମ ଠିକ୍‌ ଭାବରେ ଓ କ୍ରମାନୁସାରେ କରିବା ଉଚିତ ।”—୧ କରିନ୍ଥୀୟ ୧୪:୩୯, ଇଜି-ଟୁ-ରିଡ ଭର୍ସନ ।

ଅର୍ଥ: ପ୍ରତ୍ୟେକ କାମ ବ୍ୟବସ୍ଥିତ ଭାବରେ କରନ୍ତୁ ।

  • ଆମେ ସମସ୍ତେ ବ୍ୟବସ୍ଥିତ ଭାବରେ କାମ କରିବା ପାଇଁ ଚେଷ୍ଟା କରୁ । କିନ୍ତୁ ଯଦି ଆମର ଏଡ଼ାଇବାର ଅଭ୍ୟାସ ଅଛି, ତାହେଲେ ଗଡ଼ବଡ଼ ହୋଇପାରେ ଏବଂ ଆମ ଚିନ୍ତା ବଢ଼ିଯାଇପାରେ । କେବଳ ଏତିକି ନୁହେଁ, ଆମ ସବୁ କାମ ଅଧାରେ ରହିଯିବ ଏବଂ ଆମ କାମ ବଢ଼ିଯିବ । ତେଣୁ ତଳେ ଦିଆଯାଇଥିବା ଏହି ଦୁଇଟି ପରାମର୍ଶକୁ ମାନନ୍ତୁ ।

    1. ୧. ଆପଣ କʼଣ କʼଣ କରିବେ, ତାହା ଲେଖି ନିଅନ୍ତୁ ଏବଂ ତାʼ ଅନୁସାରେ କାମ କରନ୍ତୁ ।

    2. ୨. ଏହା ଜାଣିବା ପାଇଁ ଚେଷ୍ଟା କରନ୍ତୁ ଯେ ଆପଣଙ୍କୁ ଏଡ଼ାଇବାର ଅଭ୍ୟାସ କାହିଁକି ଅଛି ଏବଂ ତାହାକୁ ସୁଧାର କରନ୍ତୁ ।

କାମ କରିବା ସହିତ ଆରାମ ବି କରନ୍ତୁ

“ଟିକେ ଆରାମ କରିବା, ଅତ୍ୟଧିକ କାମ କରିବା ଓ ପବନକୁ ଗୋଡ଼ାଇବା ଅପେକ୍ଷା ଭଲ ।”—ଉପଦେଶକ ୪:୬, NWT.

ଅର୍ଥ: ଯେଉଁମାନେ ଅତ୍ୟଧିକ କାମ କରିବାରେ ଲାଗି ରହନ୍ତି, ସେମାନଙ୍କୁ ଆରାମ କରିବାର ସମୟ ହିଁ ମିଳେନି । ତେଣୁ ସେମାନେ ଯାହା ପରିଶ୍ରମ କରନ୍ତି, ତାହାର ମଜା ନେଇପାରନ୍ତି ନାହିଁ ।

  • ଦିନରାତି କାମ କରିବାରେ ଲାଗି ରହନ୍ତୁ ନାହିଁ ଏବଂ ପଇସା ପଛରେ ଗୋଡ଼ାନ୍ତୁ ନାହିଁ । ଯଦି କାହା ପାଖରେ ଅଧିକ ପଇସା ଅଛି, ତାହେଲେ ଏପରି ଭାବନ୍ତୁ ନାହିଁ ଯେ ଏହାର ଅର୍ଥ ସେ ବହୁତ ଖୁସି ଅଛି କିମ୍ବା ତାକୁ କୌଣସି ଚିନ୍ତା ନାହିଁ । ଏହି କଥା ଉପଦେଶକ ୫:୧୨ ପଦରେ ଲେଖାଅଛି, “ଧନବାନର ପୂର୍ଣ୍ଣତା ତାହାକୁ ନିଦ୍ରା ଯିବାକୁ ଦେବ ନାହିଁ ।” ସେଥିପାଇଁ ଆପଣଙ୍କ ପାଖରେ ଯେତିକି ଅଛି, ଆପଣ ତାʼ ଅନୁସାରେ ହିଁ ଖର୍ଚ୍ଚ କରନ୍ତୁ ।

  • ଆରାମ କରିବା ପାଇଁ ସମୟ ବାହାର କରନ୍ତୁ । ଯେବେ ଆପଣ ଏପରି କୌଣସି ମନୋରଞ୍ଜନ କିମ୍ବା ଖେଳକୁଦ ଇତ୍ୟାଦି କରନ୍ତି ଯେଉଁଥିରେ ଆପଣଙ୍କୁ ମଜା ଲାଗେ, ତେବେ ଆପଣଙ୍କ ଚିନ୍ତା କମ୍‌ ହୋଇପାରେ । କିନ୍ତୁ କିଛି ମନୋରଞ୍ଜନରୁ ହୁଏତ ଆପଣଙ୍କ ଚିନ୍ତା ଦୂର ହୋଇପାରିବ ନାହିଁ, ଯେପରି ଟିଭି ଦେଖିବା ଯୋଗୁଁ । କାରଣ ଏପରି ମନୋରଞ୍ଜନ କଲେ ଆମ ଶରୀର ଓ ମସ୍ତିଷ୍କର କିଛି ପରିଶ୍ରମ ହୋଇ ନ ଥାଏ ।

  • ଟେକ୍ନୋଲୋଜିଗୁଡ଼ିକର ଅତ୍ୟଧିକ ବ୍ୟବହାର କରନ୍ତୁ ନାହିଁ । ବାରମ୍ବାର ଇ-ମେଲ୍‌ ଓ ମେସେଜ୍‌ ଦେଖି କିମ୍ବା ସୋସିଆଲ୍‌ ମିଡିଆର ବ୍ୟବହାର କରି ସମୟ ନଷ୍ଟ କରନ୍ତୁ ନାହିଁ । ଯଦି ସମ୍ଭବ ତାହେଲେ ଅଫିସ କାମ ପରେ, ତାʼସହ ଜଡ଼ିତ କୌଣସି କାମ କରନ୍ତୁ ନାହିଁ ।

ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ

‘ଶାରୀରିକ ବ୍ୟାୟାମ ଲାଭଜନକ ।’—୧ ତୀମଥି ୪:୮.

ଅର୍ଥ: ନିୟମିତ ଭାବେ ବ୍ୟାୟାମ କଲେ ଶରୀର ସୁସ୍ଥ ରହେ ।

  • ଭଲ ଅଭ୍ୟାସଗୁଡ଼ିକ ରଖନ୍ତୁ । ଉଦାହରଣ ସ୍ୱରୂପ, ବ୍ୟାୟାମ କଲେ ଆପଣଙ୍କ ମନ ଖୁସି ରହିବ ଏବଂ ଆପଣ ଚିନ୍ତାଗୁଡ଼ିକର ସାମନା କରିପାରିବେ । ପୁଷ୍ଟିକର ଖାଦ୍ୟ ଖାଆନ୍ତୁ ଏବଂ ଠିକ୍‌ ସମୟରେ ଖାଆନ୍ତୁ । ଯଥେଷ୍ଟ ମାତ୍ରାରେ ନିଦ ନିଅନ୍ତୁ ।

  • ଚିନ୍ତା ଦୂର କରିବା ପାଇଁ ସିଗାରେଟ୍‌, ଡ୍ରଗ୍ସ କିମ୍ବା ମଦ ଭଳି ନିଶାଦ୍ରବ୍ୟର ବ୍ୟବହାର କରନ୍ତୁ ନାହିଁ । ଆଗକୁ ଯାଇ ଏହି ଅଭ୍ୟାସଗୁଡ଼ିକ ଯୋଗୁଁ ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ ଏବଂ ଆପଣ କଠିନ ପରିଶ୍ରମ କରି ଯେଉଁ ରୋଜଗାର କରିଛନ୍ତି, ତାହା ଅଯଥାରେ ଖର୍ଚ୍ଚ ହୋଇପାରେ ।

  • ଯଦି ଆପଣ ଚିନ୍ତାଗୁଡ଼ିକର ସାମନା କରିପାରୁ ନାହାନ୍ତି, ତାହେଲେ ଡାକ୍ତରଙ୍କ ସାହାଯ୍ୟ ନିଅନ୍ତୁ । ଡାକ୍ତରଙ୍କୁ ଦେଖା କରିବାର ଅର୍ଥ ଏହା ନୁହେଁ ଯେ ଆପଣ ଦୁର୍ବଳ ଅଟନ୍ତି କିମ୍ବା ଆପଣ ହାର ମାନିଯାଇଛନ୍ତି ।

    ଦୟା ଦେଖାନ୍ତୁ ଓ ଚିନ୍ତାଗୁଡ଼ିକରୁ ମୁକ୍ତି ପାଆନ୍ତୁ

    “ଦୟାଳୁ ଲୋକ ଆପଣା ପ୍ରାଣର ହିତ କରେ; ମାତ୍ର ଯେ ନିର୍ଦ୍ଦୟ, ସେ ଆପଣା ଦେହକୁ ଦୁଃଖ ଦିଏ ।”—ହିତୋପଦେଶ ୧୧:୧୭.

    ଡାକ୍ତର ଟିମ୍‌ କୈନ୍ଟେଫରଙ୍କ ବହିର ଗୋଟିଏ ଅଧ୍ୟାୟର ଶୀର୍ଷକ ହେଉଛି, ‘ଦୟା ଦେଖାନ୍ତୁ ଓ ଚିନ୍ତାଗୁଡ଼ିକରୁ ମୁକ୍ତି ପାଆନ୍ତୁ ।’ ସେଥିରେ ସେ କହିଛନ୍ତି ଯେ ଯଦି ଆପଣ ଅନ୍ୟମାନଙ୍କୁ ଦୟା ଦେଖାନ୍ତି, ତାହେଲେ ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ ଓ ଆପଣ ଖୁସି ରହିବେ । କିନ୍ତୁ ଅନ୍ୟ ପକ୍ଷରେ, ଯେଉଁ ବ୍ୟକ୍ତି ଅନ୍ୟମାନଙ୍କ ସହିତ ଭଲ ବ୍ୟବହାର କରେନି, ତାକୁ ଲୋକମାନେ ପସନ୍ଦ କରନ୍ତି ନାହିଁ ଓ ତାʼଠାରୁ ଦୂରେଇ ରହନ୍ତି । ତେଣୁ ସେହି ବ୍ୟକ୍ତି ଖୁସି ରହେ ନାହିଁ ।

    ଅନ୍ୟମାନଙ୍କୁ ଦୟା ଦେଖାଇବା ସହିତ ନିଜକୁ ବି ଦୟା ଦେଖାନ୍ତୁ । ଏପରି କଲେ ଆମ ଚିନ୍ତା କମ୍‌ ହୋଇପାରେ । ଯୀଶୁ କହିଥିଲେ, “ଆପଣା ପ୍ରତିବାସୀକି ଆତ୍ମତୁଲ୍ୟ ପ୍ରେମ କର ।” (ମାର୍କ ୧୨:୩୧) ଯୀଶୁଙ୍କ ଏହି କଥା ମାନିବା ପାଇଁ ଆମକୁ ପ୍ରଥମେ ନିଜକୁ ପ୍ରେମ କରିବା ଜରୁରୀ । ଏହାର ଅର୍ଥ ଆମେ ନିଜଠାରୁ ଅତ୍ୟଧିକ ଆଶା କରିବା ନାହିଁ, ନିଜ ସହ କଠୋର ବ୍ୟବହାର କରିବା ନାହିଁ ଓ ନିଜକୁ ଅଯୋଗ୍ୟ ବୋଲି ମନେ କରିବା ନାହିଁ ।

ଜରୁରୀ କାମଗୁଡ଼ିକୁ ମହତ୍ତ୍ୱ ଦିଅନ୍ତୁ

‘ଅଧିକ ମହତ୍ତ୍ୱ ରଖୁଥିବା କଥାଗୁଡ଼ିକୁ ଚିହ୍ନନ୍ତୁ ।’—ଫିଲିପ୍‌ପୀୟ ୧:୧୦, NWT.

ଅର୍ଥ: ଭାବନ୍ତୁ ଯେ କେଉଁ କାମଗୁଡ଼ିକୁ ଅଧିକ ମହତ୍ତ୍ୱ ଦେବା ଉଚିତ୍‌ ।

  • ନିଜ ଲିଷ୍ଟ୍‌ରେ ଜରୁରୀ କାମଗୁଡ଼ିକୁ ପ୍ରଥମେ ରଖନ୍ତୁ । ହେଲେ ଆପଣ ସେଗୁଡ଼ିକୁ ଠିକ୍‌ ସମୟରେ ପୂରା କରିପାରିବେ । ଆପଣ ଏହା ବି ଦେଖିପାରିବେ ଯେ କେଉଁ କାମଗୁଡ଼ିକୁ ପରେ କରାଯାଇପାରିବ, କେଉଁ କାମଗୁଡ଼ିକୁ ଅନ୍ୟମାନଙ୍କୁ ଦିଆଯାଇପାରିବ ଏବଂ କେଉଁ କାମଗୁଡ଼ିକୁ ଲିଷ୍ଟ୍‌ରୁ ହଟାଯାଇପାରିବ ।

  • ଧ୍ୟାନ ଦିଅନ୍ତୁ ଯେ ଆପଣ ପୂରା ସପ୍ତାହରେ କେଉଁ କାମ ପାଇଁ କେତେ ସମୟ ବିତାଇଲେ ଏବଂ ଏହା ଲେଖି ରଖନ୍ତୁ । ତାʼପରେ ଭାବନ୍ତୁ ଯେ ଆପଣ କିପରି ସମୟର ସଠିକ୍‌ ବ୍ୟବହାର କରିପାରିବେ । ଏପରି କଲେ ଆପଣଙ୍କୁ ଏହି ଚିନ୍ତା ହେବନି ଯେ ଆପଣଙ୍କ କାମ ଠିକ୍‌ ସମୟରେ ପୂରା ହୋଇପାରିଲା ନାହିଁ ।

  • ଆରାମ କରିବା ପାଇଁ ସମୟ ବାହାର କରନ୍ତୁ । ହୁଏତ ଆପଣଙ୍କ ପାଖରେ ଅଧିକ ସମୟ ନ ଥିବ । ତଥାପି ଯଦି ଆପଣ କିଛି ସମୟ ପାଇଁ ଆରାମ କରନ୍ତି, ତାହେଲେ ଆପଣଙ୍କୁ ଭଲ ଲାଗିବ ଏବଂ ଆପଣଙ୍କ ଚିନ୍ତା କମ୍‌ ହୋଇଯିବ ।

ସାହାଯ୍ୟ ନିଅନ୍ତୁ

“ମନୁଷ୍ୟର ମନୋବ୍ୟଥା ମନକୁ ନତ କରେ; ମାତ୍ର ମଙ୍ଗଳର ବାକ୍ୟ ତାହାର ହରଷ ଜନ୍ମାଏ ।”—ହିତୋପଦେଶ ୧୨:୨୫.

ଅର୍ଥ: କୋମଳତା ଓ ପ୍ରେମର ସହିତ କୁହାଯାଇଥିବା କଥା ଆପଣଙ୍କର ସାହସ ବଢ଼ାଇପାରେ ।

  • ଏପରି ସାଙ୍ଗ ସହିତ କଥା ହୁଅନ୍ତୁ ଯିଏ ଆପଣଙ୍କ ଭାବନାକୁ ବୁଝେ । ସେ ଆପଣଙ୍କ ମାମଲାକୁ ସଠିକ୍‌ ଦୃଷ୍ଟିକୋଣରେ ଦେଖିବା ପାଇଁ ଏବଂ ତାହାର ସମାଧାନ ଖୋଜିବା ପାଇଁ ଆପଣଙ୍କୁ ସାହାଯ୍ୟ କରିପାରିବ । ଯେବେ ଆପଣ ଜଣେ ଭରସାଯୋଗ୍ୟ ସାଙ୍ଗ ସହିତ କଥା ହେବେ, ତେବେ ଆପଣଙ୍କୁ ବହୁତ ଭଲ ଲାଗିବ ।

  • ଅନ୍ୟମାନଙ୍କୁ ସାହାଯ୍ୟ ମାଗନ୍ତୁ । ହୁଏତ କିଛି କାମ ଅନ୍ୟମାନଙ୍କୁ ବି ଦିଅନ୍ତୁ କିମ୍ବା ମିଶିକି କରନ୍ତୁ ।

  • ଆପଣ ଯାହା ସହିତ କାମ କରନ୍ତି, ଯଦି ତାଙ୍କ ଯୋଗୁଁ ଆପଣଙ୍କ ଚିନ୍ତା ବଢ଼ିଯାଉଛି, ତାହେଲେ ଭାବନ୍ତୁ ଯେ ଆପଣ କିପରି ତାହାକୁ ଠିକ୍‌ କରିପାରିବେ । (ହିତୋପଦେଶ ୧୭:୨୭) ତାଙ୍କୁ ପ୍ରେମର ସହ କହନ୍ତୁ ଯେ ଆପଣ କିପରି ଅନୁଭବ କରୁଛନ୍ତି । ସବୁକିଛି କଲାପରେ ବି ଯଦି ପରିସ୍ଥିତି ଠିକ୍‌ ହେଉନି, ତାହେଲେ ତାଙ୍କ ସହିତ ମିଳାମିଶା କମ୍‌ କରିଦେବା ଭଲ ରହିବ ।

ଈଶ୍ୱରଙ୍କୁ ଜାଣନ୍ତୁ ଏବଂ ତାହାଙ୍କର ମାର୍ଗଦର୍ଶନ ନିଅନ୍ତୁ

“ଯେଉଁମାନଙ୍କୁ ଈଶ୍ୱରଙ୍କଠାରୁ ମାର୍ଗଦର୍ଶନ ନେବାର ଭୋକ ଥାଏ, ସେମାନେ ସୁଖୀ ।”—ମାଥିଉ ୫:୩, NWT.

ଅର୍ଥ: ଏହା ସତ ଯେ ଆମକୁ ଖାଦ୍ୟ, ପୋଷାକ ଏବଂ ରହିବା ପାଇଁ ଘର ଦରକାର ପଡ଼ିଥାଏ । କିନ୍ତୁ ଏଥିରୁ ଆମକୁ ପ୍ରକୃତ ଖୁସି ମିଳି ନ ଥାଏ । ପ୍ରକୃତ ଖୁସି ପାଇବା ପାଇଁ ଆମକୁ ଈଶ୍ୱରଙ୍କୁ ଜାଣିବାକୁ ହେବ ଏବଂ ତାହାଙ୍କର ମାର୍ଗଦର୍ଶନ ନେବାକୁ ପଡ଼ିବ ।

  • ଈଶ୍ୱରଙ୍କୁ ପ୍ରାର୍ଥନା କରିବା ଦ୍ୱାରା ଆମକୁ ବହୁତ ସାହାଯ୍ୟ ମିଳିଥାଏ । ପବିତ୍ର ଶାସ୍ତ୍ରରେ ଲେଖାଅଛି, “ତୁମ୍ଭମାନଙ୍କ ସମସ୍ତ ଚିନ୍ତାର ଭାର ତାହାଙ୍କ ଉପରେ ପକାଅ, କାରଣ ସେ ତୁମ୍ଭମାନଙ୍କ ନିମନ୍ତେ ଚିନ୍ତା କରନ୍ତି ।” (୧ ପିତର ୫:୭) ପ୍ରାର୍ଥନା କଲେ ଏବଂ ଭଲ କଥାଗୁଡ଼ିକ ଉପରେ ଗଭୀର ଭାବରେ ଚିନ୍ତନ କଲେ ଆପଣଙ୍କୁ ମନର ଶାନ୍ତି ମିଳିବ ।—ଫିଲିପ୍‌ପୀୟ ୪:୬, ୭.

  • କିଛି ଏପରି ଜିନିଷ ପଢ଼ନ୍ତୁ ଯେଉଁଥିରୁ ଆପଣ ଈଶ୍ୱରଙ୍କ ନିକଟତର ହୋଇପାରିବେ । ଏହି ପତ୍ରିକାରେ ଶାସ୍ତ୍ରର ଯେଉଁ କଥାଗୁଡ଼ିକ ଲେଖାଯାଇଛି, ସେଗୁଡ଼ିକ ପ୍ରକୃତରେ ବାଇବଲର କିଛି ସିଦ୍ଧାନ୍ତ ଅଟେ । ଈଶ୍ୱର ଏଥିପାଇଁ ବାଇବଲ ଲେଖାଇଛନ୍ତି ଯାହାଫଳରେ ଆମେ ତାହାଙ୍କଠାରୁ ମାର୍ଗଦର୍ଶନ ପାଇପାରୁ । ଏହା ସହିତ ଆମକୁ ‘ଜ୍ଞାନ’ ମଧ୍ୟ ମିଳିପାରିବ ଏବଂ ଆମେ ‘ପରିଣାମଦର୍ଶିତା [“ବୁଝିବିଚାରି କାମ କରିବାର ଶକ୍ତି,” NWT ]’ ବଢ଼ାଇପାରିବା । (ହିତୋପଦେଶ ୩:୨୧) ଆମେ ପ୍ରୋତ୍ସାହନ ଦେଉ ଯେ ଆପଣ ବାଇବଲ ପଢ଼ିବାର ଲକ୍ଷ୍ୟ ରଖନ୍ତୁ । ଆପଣ ଚାହିଁଲେ ହିତୋପଦେଶ ବହିରୁ ପଢ଼ିବା ଆରମ୍ଭ କରିପାରିବେ ।

କ୍ଷମା କରନ୍ତୁ, ଖୁସିରେ ରହନ୍ତୁ

“ମନୁଷ୍ୟର ସୁବୁଦ୍ଧି ତାହାକୁ କ୍ରୋଧ କରିବାକୁ ଧୀର କରେ; ପୁଣି, ଦୋଷ ଛାଡ଼ିଦେବାର ତାହାର ଭୂଷଣ ।”—ହିତୋପଦେଶ ୧୯:୧୧.

ଜର୍ନଲ ଅଫ୍‌ ହେଲ୍‌ଥ ସାଇକଲଜି ପତ୍ରିକାରେ ଡାକ୍ତର ଲୋରେନ୍ସ୍‌ ଟୁସେଣ୍ଟ୍‌ କହିଛନ୍ତି, ‘ଚିନ୍ତା କଲେ ସ୍ୱାସ୍ଥ୍ୟ ଖରାପ ହୁଏ, କିନ୍ତୁ କ୍ଷମା କଲେ ସ୍ୱାସ୍ଥ୍ୟ ଭଲ ରହେ । ଅନ୍ୟମାନଙ୍କୁ କ୍ଷମା କରିବା ଦ୍ୱାରା ଆମ ମନରେ ତାଙ୍କ ପାଇଁ ରାଗ ରହିବ ନାହିଁ ବରଂ ଆମେ ଖୁସି ରହିବା ଏବଂ ସେମାନଙ୍କ ସହିତ ଆମେ ପ୍ରେମର ସହ ବ୍ୟବହାର କରିବା । ଯଦି ଆମେ କ୍ଷମା କରିବା ପାଇଁ ପ୍ରସ୍ତୁତ ରହିବା, ତାହେଲେ ଆମେ ଚିନ୍ତା ଜଡ଼ିତ ରୋଗଗୁଡ଼ିକରୁ କିଛି ମାତ୍ରାରେ ରକ୍ଷା ପାଇପାରିବା ।’

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ