୬-୧୨ ଜୁଲାଇ, ୨୦୨୬
ଗୀତ ୯୮ ଈଶ୍ୱର ପ୍ରେରିତ ଶାସ୍ତ୍ର
ବାଇବଲର ସିଦ୍ଧାନ୍ତଗୁଡ଼ିକରୁ ଯିହୋବାଙ୍କର ଚିନ୍ତାଧାରାକୁ ଜାଣନ୍ତୁ
“ତୁମ୍ଭେମାନେ ଈଶ୍ୱରଙ୍କ ଇଚ୍ଛା କଅଣ, ଅର୍ଥାତ୍ ଉତ୍ତମ, ସୁଗ୍ରାହ୍ୟ ଓ ସିଦ୍ଧ ବିଷୟ କଅଣ, ଏହା ପରୀକ୍ଷା କରି ଜାଣି ପାର ।”—ରୋମୀ. ୧୨:୨.
କʼଣ ଶିଖିବା ?
ଆମେ ଶିଖିବା ଯେ ସିଦ୍ଧାନ୍ତ କʼଣ ଏବଂ ବାଇବଲ ପଢ଼ିବା ସମୟରେ ଆମେ ଏହି ସିଦ୍ଧାନ୍ତଗୁଡ଼ିକୁ କିପରି ଚିହ୍ନିପାରିବା ।
୧-୨. (କ) ବାଇବଲକୁ କେବେ ଲେଖା ଯାଇଥିଲା ? (ଖ) ବାଇବଲରେ ଲେଖାଥିବା କଥାଗୁଡ଼ିକ କାହିଁକି ଆଜି ବି ବ୍ୟବହାରିକ ଅଟେ ?
ବାଇବଲ ଅତି ପୁରୁଣା ବହି ଅଟେ । ଆଜିଠାରୁ ପ୍ରାୟ ୩,୫୦୦ ବର୍ଷ ପୂର୍ବେ ଏହାକୁ ଲେଖିବା ଆରମ୍ଭ କରାଯାଇଥିଲା ଏବଂ ପ୍ରାୟ ୨,୦୦୦ ବର୍ଷ ପୂର୍ବେ ଲେଖିବା ଶେଷ ହେଲା । କିନ୍ତୁ “ଈଶ୍ୱରଙ୍କ ବାକ୍ୟ” ଏବେ ବି ବ୍ୟବହାରିକ ଅଟେ । (ଏବ୍ରୀ ୪:୧୨; ୨ ତୀମ. ୩:୧୬, ୧୭) ଲକ୍ଷ ଲକ୍ଷ ଲୋକ କହିଛନ୍ତି ଯେ ବାଇବଲର ପରାମର୍ଶକୁ ମାନି ସେମାନଙ୍କୁ ଲାଭ ହୋଇଛି ଏବଂ ସେମାନେ ଭଲ ନିଷ୍ପତ୍ତି ମଧ୍ୟ ନେଇପାରିଛନ୍ତି ।
୨ କିନ୍ତୁ କʼଣ ଆଜି ଏତେ ପୁରୁଣା ବହିରୁ ଲାଭ ହୋଇପାରିବ ? ନିଶ୍ଚୟ, ଏହାର ଦୁଇଟି କାରଣ ରହିଛି । ପ୍ରଥମ, ବାଇବଲକୁ “ଜୀବିତ ଈଶ୍ୱର” ଅର୍ଥାତ୍ ଆମର ସୃଷ୍ଟିକର୍ତ୍ତା ଲେଖାଇଛନ୍ତି, ଯିଏ ସବୁଠାରୁ ବୁଦ୍ଧିମାନ ଅଟନ୍ତି । (୧ ତୀମ. ୪:୧୦; ରୋମୀ. ୧୬:୨୬, ୨୭) ଦ୍ୱିତୀୟ, ସମୟ ଗଡ଼ିବା ସହିତ ବାଇବଲର ସିଦ୍ଧାନ୍ତଗୁଡ଼ିକରେ ପରିବର୍ତ୍ତନ ହୁଏନି । ଏଥିରୁ ପ୍ରାଚୀନ ସମୟରେ ବି ଲୋକମାନଙ୍କୁ ଲାଭ ହୋଇଥିଲା ଏବଂ ଆଜି ବି ଲାଭ ହେଉଛି । ଜଣେ ବ୍ୟକ୍ତି କୌଣସି ବି ସମସ୍ୟାର ସାମନା କରୁ ନା କାହିଁକି, ସେ ବାଇବଲର ସିଦ୍ଧାନ୍ତଗୁଡ଼ିକୁ ମାନିଲେ ଭଲ ନିଷ୍ପତ୍ତି ନେଇପାରିବ ।
୩. ଏହି ଲେଖାରେ ଆମେ କେଉଁ ପ୍ରଶ୍ନଗୁଡ଼ିକ ଉପରେ ଚର୍ଚ୍ଚା କରିବା ?
୩ ଏହି ଲେଖାରେ ଆମେ ଏହି ପ୍ରଶ୍ନଗୁଡ଼ିକ ଉପରେ ଚର୍ଚ୍ଚା କରିବା: ବାଇବଲର ସିଦ୍ଧାନ୍ତ କʼଣ ? ସିଦ୍ଧାନ୍ତଗୁଡ଼ିକୁ ବୁଝିବା କାହିଁକି ବହୁତ ଜରୁରୀ ? ଏବଂ ବାଇବଲ ପଢ଼ିବା ସମୟରେ ଆମେ କିପରି ସିଦ୍ଧାନ୍ତଗୁଡ଼ିକୁ ଚିହ୍ନିପାରିବା ? ଆମେ ଏହା ବି ଜାଣିବା ଯେ ଯୀଶୁ ଯାହା ଶିଖାଇଥିଲେ, ସେଥିରୁ କିପରି ଜଣାପଡ଼େ ଯେ ସିଦ୍ଧାନ୍ତଗୁଡ଼ିକ ବହୁତ ମହତ୍ତ୍ୱ ରଖେ ।
ବାଇବଲର ସିଦ୍ଧାନ୍ତ କହିଲେ କʼଣ ?
୪. ବାଇବଲର ସିଦ୍ଧାନ୍ତ କହିଲେ କʼଣ ?
୪ ଈଶ୍ୱର ବାଇବଲରେ ଯେଉଁ ସତ୍ୟଗୁଡ଼ିକ ଲେଖାଇଛନ୍ତି, ସେଗୁଡ଼ିକୁ ସିଦ୍ଧାନ୍ତ ବୋଲି କୁହାଯାଏ । ତାଙ୍କର ନିୟମ ଏହି ସିଦ୍ଧାନ୍ତଗୁଡ଼ିକ ଉପରେ ଆଧାରିତ ହୋଇଥାଏ । ଆମେ ଏପରି ବି କହିପାରିବା ଯେ କୌଣସି ନିୟମ ତିଆରି କରିବା ପଛରେ ଯେଉଁ କାରଣ ଥାଏ, ତାହାକୁ ସିଦ୍ଧାନ୍ତ ବୋଲି କୁହାଯାଏ । ଯିହୋବାଙ୍କ ପ୍ରତ୍ୟେକ ନିୟମ ପଛରେ କୌଣସି ନା କୌଣସି ସିଦ୍ଧାନ୍ତ ନିଶ୍ଚୟ ଥାଏ । ବେଳେବେଳେ ନିୟମଗୁଡ଼ିକରୁ ସ୍ପଷ୍ଟ ଜଣାପଡ଼େ ଯେ ସେଗୁଡ଼ିକ କେଉଁ ସିଦ୍ଧାନ୍ତ ଉପରେ ଆଧାରିତ ଅଛି । (ମାଥି. ୨୨:୩୭) ନିୟମ ପ୍ରାୟ କୌଣସି ଗୋଟିଏ ପରିସ୍ଥିତି କିମ୍ବା ନିର୍ଦ୍ଦିଷ୍ଟ ସମୟରେ ହିଁ ଲାଗୁ ହୁଏ । କିନ୍ତୁ ସିଦ୍ଧାନ୍ତକୁ ଭିନ୍ନ ଭିନ୍ନ ପରିସ୍ଥିତି ଓ ସମୟରେ ଲାଗୁ କରାଯାଇପାରିବ । (ଗୀତ. ୧୧୯:୧୧୧) ଏହି ସିଦ୍ଧାନ୍ତଗୁଡ଼ିକରୁ ଆମେ କୌଣସି ବିଷୟରେ ଯିହୋବାଙ୍କ ଦୃଷ୍ଟିକୋଣ ଏବଂ ତାଙ୍କର ପସନ୍ଦ ନାପସନ୍ଦ ଜାଣିପାରୁ । ସେଥିପାଇଁ ଆମେ କହିପାରିବା ଯେ ନିୟମ ଅପେକ୍ଷା ସିଦ୍ଧାନ୍ତ ଅତି ଉତ୍ତମ । ନିୟମ ହୁଏତ ବଦଳିଯାଏ, କିନ୍ତୁ ସିଦ୍ଧାନ୍ତ କେବେ ବି ବଦଳେ ନାହିଁ ଓ କେବେ ବି ରଦ୍ଦ ହୁଏ ନାହିଁ ।—ଯିଶା. ୪୦:୮.
୫. ଉଦାହରଣ ଦେଇ ବୁଝାନ୍ତୁ ଯେ ନିୟମ ଓ ସିଦ୍ଧାନ୍ତ ମଧ୍ୟରେ କʼଣ ପାର୍ଥକ୍ୟ ରହିଛି । (ଚିତ୍ରଗୁଡ଼ିକ ମଧ୍ୟ ଦେଖନ୍ତୁ ।)
୫ ନିୟମ ଓ ସିଦ୍ଧାନ୍ତ ମଧ୍ୟରେ ପାର୍ଥକ୍ୟ ବୁଝିବା ପାଇଁ ଗୋଟିଏ ଉଦାହରଣ ଉପରେ ଧ୍ୟାନ ଦିଅନ୍ତୁ । ଜଣେ ମାଆ ହୁଏତ ନିଜ ପିଲାକୁ କହିବ, ‘ଚୁଲିକୁ ଛୁଇଁବୁ ନାହିଁ ।’ ଏହା ଗୋଟିଏ ନିୟମ । କିନ୍ତୁ ଏହି ନିୟମ ପଛରେ ସିଦ୍ଧାନ୍ତ ହେଉଛି: କୌଣସି ବି ଗରମ ଜିନିଷକୁ ଛୁଇଁଲେ ହାତ ଜଳିଯିବ । ଏହି ସିଦ୍ଧାନ୍ତ କେବଳ ଚୁଲି ପାଇଁ ଲାଗୁ ହୁଏନି, ବରଂ ଏହା ସେହି ଜିନିଷଗୁଡ଼ିକ ଉପରେ ବି ଲାଗୁ ହୁଏ, ଯାହାକୁ ବ୍ୟବହାର କରି ଆମକୁ ଆଘାତ ଲାଗିପାରେ । ଯେପରି, ଇସ୍ତ୍ରୀ, ହିଟର ଓ ଅନ୍ୟ ଗରମ ଜିନିଷଗୁଡ଼ିକ । ତାʼସହିତ ଏହି ସିଦ୍ଧାନ୍ତ କେବଳ ଘରେ ନୁହେଁ, ବରଂ ଅନ୍ୟ ଜାଗାଗୁଡ଼ିକରେ ବି ଲାଗୁ ହୁଏ । ଯେବେ ପିଲା ବଡ଼ ହୋଇଯିବ, ତେବେ ସେ ଚୁଲିରେ ରୋଷେଇ କରିବ ଓ ସେସମୟରେ ବି ତାକୁ ଏହି ସିଦ୍ଧାନ୍ତ ମାନିବାକୁ ପଡ଼ିବ । ଚୁଲିରେ ରୋଷେଇ କରିବା ସମୟରେ ତାକୁ ଧ୍ୟାନ ରଖିବାକୁ ପଡ଼ିବ ଯେ ସେ ଚୁଲିକୁ ଏପରି ଭାବେ ନ ଛୁଏଁ, ଯେଉଁଥିରୁ ସେ ଜଳି ଯାଇପାରେ । ଏଥିରୁ ସ୍ପଷ୍ଟ ଜଣାପଡ଼େ ଯେ ନିୟମ ବଦଳିଯାଏ, କିନ୍ତୁ ସିଦ୍ଧାନ୍ତ କେବେ ବି ବଦଳେ ନାହିଁ ।
କୌଣସି ନିୟମ ବଦଳି ଯାଇପାରେ, କିନ୍ତୁ ତାହା ପଛରେ ଥିବା ସିଦ୍ଧାନ୍ତ କେବେ ବଦଳେ ନାହିଁ (ପାରାଗ୍ରାଫ ୫)
ବାଇବଲର ସିଦ୍ଧାନ୍ତଗୁଡ଼ିକୁ ବୁଝିବା କାହିଁକି ଜରୁରୀ ?
୬. (କ) ଯିହୋବା ଆମକୁ ସାହାଯ୍ୟ କରିବା ପାଇଁ ନିଜ ବାକ୍ୟରେ କʼଣ ଲେଖାଇଛନ୍ତି ? (ଖ) ଯିହୋବା କିପରି ଦେଖାଇଲେ ଯେ ସେ ଆମ ଉପରେ ଭରସା କରନ୍ତି ?
୬ ଯିହୋବା ଆମକୁ ପ୍ରେମ କରନ୍ତି, ତେଣୁ ସେ ଆମର ଲାଭ ପାଇଁ ଆମକୁ ନିୟମ ଦେଇଛନ୍ତି । ସେଗୁଡ଼ିକୁ ମାନି ଆମେ ବିପଦଗୁଡ଼ିକରୁ ରକ୍ଷା ପାଇପାରୁ । (ଯାକୁ. ୨:୧୧) ତାʼସହିତ ସେ ଆମକୁ ନିୟମ ପଛରେ ଥିବା ସିଦ୍ଧାନ୍ତକୁ ବୁଝିବା ପାଇଁ ସାହାଯ୍ୟ କରନ୍ତି । ଯିହୋବା ଆମକୁ ପ୍ରତ୍ୟେକ କ୍ଷେତ୍ର ପାଇଁ ନିୟମ ଦେଇ ନାହାନ୍ତି, କିନ୍ତୁ ସେ ନିଜ ବାକ୍ୟରେ ଏପରି ପରାମର୍ଶ ଓ ସିଦ୍ଧାନ୍ତ ଦେଇଛନ୍ତି ଯାହା ସାହାଯ୍ୟରୁ ଆମେ ଭଲ ନିଷ୍ପତ୍ତି ନେଇପାରୁ । ଏଭଳି ସିଦ୍ଧାନ୍ତଗୁଡ଼ିକ ଦେଇ ଯିହୋବା ଦେଖାଇଛନ୍ତି ଯେ ସେ ଆମ ଉପରେ ଭରସା କରନ୍ତି ଏବଂ ଆମକୁ ଏହା ପ୍ରମାଣିତ କରିବା ପାଇଁ ସୁଯୋଗ ଦେଇଛନ୍ତି ଯେ ଆମେ ତାଙ୍କୁ ପ୍ରେମ କରୁ ଏବଂ ତାଙ୍କ ସ୍ତର ମାନିବା ପାଇଁ ଚାହୁଁ ।—ଗାଲା. ୫:୧୩.
୭. ଉଦାହରଣ ଦେଇ କହନ୍ତୁ ଯେ ବାଇବଲର ସିଦ୍ଧାନ୍ତଗୁଡ଼ିକୁ ଧ୍ୟାନରେ ରଖିଲେ କିପରି ଆମର ଲାଭ ହୁଏ । (ଚିତ୍ର ମଧ୍ୟ ଦେଖନ୍ତୁ ।)
୭ ବାଇବଲର ସିଦ୍ଧାନ୍ତଗୁଡ଼ିକୁ ଧ୍ୟାନରେ ରଖିଲେ କିପରି ଆମର ଲାଭ ହୋଇଥାଏ ? ଏହାକୁ ବୁଝିବା ପାଇଁ ଗୋଟିଏ ଉଦାହରଣ ଉପରେ ଧ୍ୟାନ ଦିଅନ୍ତୁ । କିଛି ଦେଶରେ ରାସ୍ତା କଡ଼ରେ ନିର୍ଦ୍ଦିଷ୍ଟ ବେଗରେ ଗାଡ଼ି ଚଲାଇବା କିମ୍ବା ଗାଡ଼ି ଅଟକାଇବାର ସାଇନ୍ ବୋର୍ଡ ଲଗାଯାଇଥାଏ । ଏହି ନିୟମଗୁଡ଼ିକୁ ନ ମାନିଲେ ଜରିମାନା ଦେବାକୁ ପଡ଼ିପାରେ । କିନ୍ତୁ ଏପରି ବି କିଛି ସାଇନ୍ ବୋର୍ଡ ଥାଏ, ଯେଉଁଥିରେ ଡ୍ରାଇଭରମାନଙ୍କୁ କେବଳ ବିପଦଗୁଡ଼ିକରୁ ସତର୍କ କରାଯାଇଥାଏ । ଯେପରି, କୌଣସି ଜାଗାରେ ପଥର ଭାଙ୍ଗି ପଡ଼ିବାର ସମ୍ଭାବନା ଥାଏ କିମ୍ବା ଅଙ୍କାବଙ୍କା ରାସ୍ତା ଥାଏ ତାହେଲେ ସେଠାରେ ସାଇନ୍ ବୋର୍ଡ ଲଗାଯାଇଥାଏ, ଯାହାଫଳରେ ଜଣେ ଭଲ ଡ୍ରାଇଭର ତାହାକୁ ଧ୍ୟାନରେ ରଖି ସତର୍କତାର ସହ ଗାଡ଼ି ଚଲାଇପାରିବ । କିନ୍ତୁ ଯଦି ହଠାତ୍ ବର୍ଷା ହୁଏ କିମ୍ବା ଝଡ଼ ତୋଫାନ ଆସେ ତେବେ ମଧ୍ୟ ଡ୍ରାଇଭରକୁ ଭାବିଚିନ୍ତି ଗାଡ଼ି ତଳାଇବାକୁ ପଡ଼ିବ, ଏହା ପାଇଁ କୌଣସି ସାଇନ୍ ବୋର୍ଡ ନ ଥାଏ । ଠିକ୍ ସେହିଭଳି, ଖ୍ରୀଷ୍ଟିୟାନମାନେ ସେହି କାମଗୁଡ଼ିକରୁ ଦୂରରେ ରହନ୍ତି ଯାହା ବିଷୟରେ ବାଇବଲରେ ସ୍ପଷ୍ଟ ଭାବେ ମନା କରାଯାଇଛି । କିନ୍ତୁ ସେମାନେ ଏପରି ଚିନ୍ତାଧାରା ଓ କାମଗୁଡ଼ିକରୁ ବି ଦୂରେଇ ରହନ୍ତି, ଯେଉଁଥିରୁ ହୁଏତ ଆଗକୁ ଯାଇ ସେମାନେ ଈଶ୍ୱରଙ୍କର କୌଣସି ନିୟମକୁ ଭାଙ୍ଗିପାରନ୍ତି । ସେଥିପାଇଁ ସେମାନଙ୍କୁ ବାଇବଲର ସିଦ୍ଧାନ୍ତଗୁଡ଼ିକୁ ଭଲଭାବେ ବୁଝିବାକୁ ପଡ଼ିବ ଏବଂ ସେହି ଅନୁସାରେ ନିଷ୍ପତ୍ତି ନେବାକୁ ପଡ଼ିବ ।
ବାଇବଲ ସିଦ୍ଧାନ୍ତଗୁଡ଼ିକ ରାସ୍ତା କଡ଼ରେ ଥିବା ସାଇନ୍ ବୋର୍ଡ ଭଳି ଆମକୁ ବିପଦଗୁଡ଼ିକରୁ ରକ୍ଷା କରିଥାଏ (ପାରାଗ୍ରାଫ ୭)
୮. ବାଇବଲରେ ସିଦ୍ଧାନ୍ତଗୁଡ଼ିକୁ ଖୋଜିଲେ ଆମେ କʼଣ ବୁଝିପାରୁ ? (ରୋମୀୟ ୧୨:୧, ୨)
୮ ବାଇବଲରେ ସିଦ୍ଧାନ୍ତଗୁଡ଼ିକୁ ଖୋଜିଲେ ଏବଂ ସେଗୁଡ଼ିକୁ ମାନିଲେ ଆମକୁ ଅନେକ ଲାଭ ହୋଇଥାଏ । ଯେପରି, ଆମେ ଏହା ବୁଝିପାରୁ ଯେ କୌଣସି ବିଷୟରେ ଯିହୋବାଙ୍କର ଦୃଷ୍ଟିକୋଣ କିପରି ରହିଛି । ବାଇବଲରୁ କୌଣସି ଘଟଣା ପଢ଼ିବା ସମୟରେ ଆମେ ଏହା ଭାବିଥାଉ ଯେ ସେଥିରୁ ଆମେ କେଉଁ କଥାଗୁଡ଼ିକ ଶିଖିଲୁ । ଆମେ ଏହା ବି ଭାବିଥାଉ ଯେ ଯିହୋବା ସେହି କଥାଗୁଡ଼ିକୁ କାହିଁକି ବାଇବଲରେ ଲେଖାଇଲେ ଏବଂ ସେଗୁଡ଼ିକୁ ମାନିଲେ ଆମକୁ କʼଣ ଲାଭ ହୋଇପାରିବ । ଏଭଳି ଭାବିବା ଦ୍ୱାରା ଆମେ ଜାଣିପାରୁ ଯେ “ଈଶ୍ୱରଙ୍କ ଇଚ୍ଛା କଅଣ, ଅର୍ଥାତ୍ ଉତ୍ତମ, ସୁଗ୍ରାହ୍ୟ ଓ ସିଦ୍ଧ ବିଷୟ କʼଣ” ଏବଂ ଆମେ ବୁଝିବିଚାରି କାମ କରିବାର ଶକ୍ତିକୁ ବ୍ୟବହାର କରି ଈଶ୍ୱରଙ୍କ ସେବା କରିପାରୁ ।—ରୋମୀୟ ୧୨:୧, ୨ ପଢ଼ନ୍ତୁ ।a
୯. ବାଇବଲର ସିଦ୍ଧାନ୍ତଗୁଡ଼ିକୁ ମାନିଲେ ଆମକୁ ଆଉ କʼଣ ଲାଭ ହୋଇଥାଏ ? (ଏବ୍ରୀ ୫:୧୩, ୧୪)
୯ ବାଇବଲର ସିଦ୍ଧାନ୍ତଗୁଡ଼ିକୁ ମାନିଲେ ଆମେ ପ୍ରୌଢ଼ ଖ୍ରୀଷ୍ଟିୟାନ ହୋଇପାରୁ । ଯେବେ ଆମେ ବାଇବଲର ସିଦ୍ଧାନ୍ତଗୁଡ଼ିକୁ ଧ୍ୟାନରେ ରଖି ନିଷ୍ପତ୍ତି ନେଉ, ତେବେ ଯିହୋବାଙ୍କ ସହିତ ଆମର ସମ୍ପର୍କ ଆହୁରି ନିବିଡ଼ ହୋଇଯାଏ । (ଏବ୍ରୀ ୫:୧୩, ୧୪ ପଢ଼ନ୍ତୁ ।) ଛୋଟ ପିଲାଙ୍କ ପାଇଁ ଅନେକ ନିୟମ ତିଆରି କରିବାକୁ ପଡ଼େ, ଯାହାଫଳରେ ସେମାନେ ଜାଣିପାରନ୍ତି ଯେ କୌଣସି ପରିସ୍ଥିତିରେ ସେମାନଙ୍କୁ କʼଣ କରିବା ଉଚିତ୍ ଓ କʼଣ ନୁହଁ । ଅନେକ ଥର ସେମାନେ ସେହି ନିୟମଗୁଡ଼ିକୁ କେବଳ ଏଥିପାଇଁ ମାନନ୍ତି, ଯାହାଫଳରେ ସେମାନଙ୍କୁ ଦଣ୍ଡ ନ ମିଳୁ । କିନ୍ତୁ ଯିହୋବା ଆମ ସହିତ ଛୋଟ ପିଲାମାନଙ୍କ ଭଳି ବ୍ୟବହାର କରନ୍ତି ନାହିଁ, ସେ ଆମକୁ ଅନେକ ମାତ୍ରାରେ ସ୍ୱାଧୀନତା ଦେଇଛନ୍ତି । ତାଙ୍କୁ ପୂରା ଭରସା ଅଛି ଯେ ଆମେ ତାଙ୍କ ଇଚ୍ଛା ଅନୁସାରେ ସଠିକ୍ ନିଷ୍ପତ୍ତି ନେବା ଏବଂ ଯେବେ ଆମେ ଏପରି କରୁ, ତେବେ ସେ ବହୁତ ଖୁସି ହୁଅନ୍ତି ।—ଗୀତ. ୧୪୭:୧୧; ହିତୋ. ୨୩:୧୫, ୨୬; ୨୭:୧୧.
ଆମେ ବାଇବଲର ସିଦ୍ଧାନ୍ତଗୁଡ଼ିକୁ କିପରି ଚିହ୍ନିପାରିବା ?
୧୦. ଆମେ କିପରି ବାଇବଲରେ ଥିବା ସିଦ୍ଧାନ୍ତଗୁଡ଼ିକୁ ଚିହ୍ନିପାରିବା ?
୧୦ ବାଇବଲ ପଢ଼ିବା ସମୟରେ ଯେବେ ଆମେ ଭାବୁ ଯେ ଆମେ ସେହି ପଦଗୁଡ଼ିକରୁ କʼଣ ଶିଖିଲୁ, ତେବେ ଆମେ ଏପରି ସିଦ୍ଧାନ୍ତ ଖୋଜିପାରୁ ଯେଉଁଥିରୁ ଆମେ କୌଣସି ବିଷୟରେ ଯିହୋବାଙ୍କ ଚିନ୍ତାଧାରା ଓ ତାଙ୍କ ପସନ୍ଦ ନାପସନ୍ଦ ଜାଣିପାରୁ । ଯେବେ ଆମେ ଏବିଷୟରେ ଭାବୁ ଯେ ଯିହୋବା କାହିଁକି କୌଣସି ନିୟମ ଦେଇଛନ୍ତି, ତେବେ ବି ଆମେ ସିଦ୍ଧାନ୍ତକୁ ଚିହ୍ନିପାରୁ । ଆମେ ଯେତେ ଅଧିକ ନିୟମଗୁଡ଼ିକ ପଛରେ ଥିବା କାରଣ ବୁଝିବାକୁ ଲାଗୁ, ସେତେ ଅଧିକ ଆମେ ଯିହୋବାଙ୍କୁ ଭଲଭାବେ ଜାଣିପାରୁ । କିନ୍ତୁ ଯିହୋବାଙ୍କ ଚିନ୍ତାଧାରା ଜାଣିବା ପାଇଁ ଆମକୁ ତାଙ୍କୁ ପ୍ରାର୍ଥନାରେ ସାହାଯ୍ୟ ମାଗିବାକୁ ପଡ଼ିବ ଏବଂ ଆମେ ଯାହା ପଢ଼ୁ ସେବିଷୟରେ ଗଭୀର ଭାବେ ଚିନ୍ତନ କରିବାକୁ ପଡ଼ିବ, ଅର୍ଥାତ୍ ନିଜର ବୁଝିବିଚାରି କାମ କରିବାର ଶକ୍ତିକୁ ବଢ଼ାଇବାକୁ ପଡ଼ିବ । (ହିତୋ. ୨:୧୦-୧୨) ଆମେ ନିଜକୁ ଏଭଳି ପ୍ରଶ୍ନ ପଚାରିପାରିବା: ‘ଯିହୋବା କାହିଁକି ଏହି ନିୟମ ଦେଇଛନ୍ତି ? ଯଦି ଯିହୋବାଙ୍କୁ ଏହି କାମ ପସନ୍ଦ ନାହିଁ, ତାହେଲେ ଏଭଳି ଅନ୍ୟ କାମଗୁଡ଼ିକ ବିଷୟରେ ସେ କିପରି ଅନୁଭବ କରିବେ ? ଏହି ଘଟଣାରୁ ମୁଁ କʼଣ ଶିଖିଲି ଏବଂ ମୁଁ ତାହାକୁ କିପରି ମାନିପାରିବି ?’ ଯେବେ ଆମେ ବାଇବଲର କୌଣସି ଘଟଣାରୁ ମିଳୁଥିବା ଶିକ୍ଷା ଓ ନିୟମ ପଛରେ ଥିବା କାରଣକୁ ବୁଝିବା ପାଇଁ ଚେଷ୍ଟା କରିବା, ତେବେ ଆମେ ଭଲ ନିଷ୍ପତ୍ତି ନେଇପାରିବା ଯାହା ଯିହୋବାଙ୍କ ଇଚ୍ଛା ଅନୁସାରେ ହୋଇଥିବ ।
୧୧. ଯୀଶୁ ପାର୍ବତ୍ୟ ଉପଦେଶରେ କିପରି ବାଇବଲର ସିଦ୍ଧାନ୍ତଗୁଡ଼ିକୁ ଚିହ୍ନିବା ଶିଖାଇଲେ ? (ଚିତ୍ର ମଧ୍ୟ ଦେଖନ୍ତୁ ।)
୧୧ ଯୀଶୁ ଯେଉଁଭଳି ଭାବରେ ପାର୍ବତ୍ୟ ଉପଦେଶରେ ଶିଖାଇଲେ, ସେଥିରୁ ଆମେ ବାଇବଲର ସିଦ୍ଧାନ୍ତଗୁଡ଼ିକୁ ଚିହ୍ନିବା ଶିଖିପାରିବା । ଆସନ୍ତୁ ତିନୋଟି ଉଦାହରଣ ଉପରେ ଧ୍ୟାନ ଦେବା । ଯୀଶୁ ପ୍ରତ୍ୟେକ ଉଦାହରଣର ଆରମ୍ଭରେ ନିୟମ କହିଲେ । ଏହାପରେ ସେ ସେହି ନିୟମ ପଛରେ ଥିବା କାରଣ ବା ସିଦ୍ଧାନ୍ତକୁ ବୁଝାଇଲେ । ଯୀଶୁଙ୍କ କଥାଗୁଡ଼ିକ ଉପରେ ଗଭୀର ଭାବେ ଚିନ୍ତନ କଲେ ଆମେ ଜାଣିପାରିବା ଯେ ଆଜି ଆମେ ସେହି ସିଦ୍ଧାନ୍ତଗୁଡ଼ିକୁ କିପରି ମାନିପାରିବା । ଆମେ ଏହା ବି ଜାଣିବା ଯେ ଏହି ସିଦ୍ଧାନ୍ତଗୁଡ଼ିକୁ ମାନିବା ଦ୍ୱାରା ଆମକୁ କʼଣ ଲାଭ ହୋଇପାରିବ ।
ଯୀଶୁ ଯେଉଁଭଳି ଭାବେ ନିଜ ପାର୍ବତ୍ୟ ଉପଦେଶରେ ଶିଖାଇଲେ, ସେଥିରୁ ଆମେ ବାଇବଲ ସିଦ୍ଧାନ୍ତଗୁଡ଼ିକୁ ଚିହ୍ନିବା ଶିଖିପାରିବା (ପାରାଗ୍ରାଫ ୧୧)
୧୨. ମାଥିଉ ୫:୨୧, ୨୨ ପଦରେ ଦିଆଯାଇଥିବା ନିୟମ ପଛରେ କେଉଁ ସିଦ୍ଧାନ୍ତ ରହିଛି ? (ଚିତ୍ର ମଧ୍ୟ ଦେଖନ୍ତୁ ।)
୧୨ ମାଥିଉ ୫:୨୧, ୨୨ ପଢ଼ନ୍ତୁ । ‘ହତ୍ୟା କର ନାହିଁ ।’ ଏହି ନିୟମ ପଛରେ କʼଣ ସିଦ୍ଧାନ୍ତ ରହିଛି ? ଯିହୋବା ଚାହାନ୍ତି ନାହିଁ ଯେ ଆମେ କାହାରିକୁ ବି ଘୃଣା କରୁ, ଏପରିକି ନିଜ କଥା, ନିଜ ବ୍ୟବହାର ଓ ନିଜ ମନରେ ବି ନୁହଁ । ଯୀଶୁଙ୍କ କଥାଗୁଡ଼ିକରୁ ଜଣାପଡ଼େ ଯେ ଯଦିଓ ଜଣେ ବ୍ୟକ୍ତି କାହାରି ହତ୍ୟା କରେ ନାହିଁ, କିନ୍ତୁ ନିଜ ଭାଇକୁ ଘୃଣା କରେ ତାହେଲେ ବି ସେ ଯିହୋବାଙ୍କ ଦୃଷ୍ଟିରେ ଦୋଷୀ । ସେ ଏହି ନିୟମ ପଛରେ ଥିବା ସିଦ୍ଧାନ୍ତକୁ ମାନୁ ନ ଥିବ । ଯଦି କେହି ନିଜ ମନରେ ବି “ଆପଣା ଭାଇ ଉପରେ କ୍ରୋଧ କରେ” କିମ୍ବା ତାʼ ବିଷୟରେ ଓଲଟା ସିଧା କଥା କହେ, ତାହେଲେ ଈଶ୍ୱର ଏଥିରୁ ଖୁସି ହେବେ ନାହିଁ ଏବଂ ସେହି ବ୍ୟକ୍ତି ଉତ୍ତରଦାୟୀ ହେବ । ଦେଖିବାକୁ ଗଲେ ଏଭଳି ଚିନ୍ତାଧାରା ଓ କାମ ଜଣେ ବ୍ୟକ୍ତିକୁ ହତ୍ୟା କରିବା ପାଇଁ ଉସକାଇଥାଏ ।—୧ ଯୋହ. ୩:୧୫.
୧୩. ଆମେ ମାଥିଉ ୫:୨୧, ୨୨ ପଦରେ ଦିଆଯାଇଥିବା ସିଦ୍ଧାନ୍ତକୁ କିପରି ମାନିପାରିବା ? (ଚିତ୍ର ମଧ୍ୟ ଦେଖନ୍ତୁ ।)
୧୩ ଆଜି ଆମେ ମାଥିଉ ୫:୨୧, ୨୨ ପଦରେ ଦିଆଯାଇଥିବା ସିଦ୍ଧାନ୍ତକୁ କିପରି ମାନିପାରିବା ? ଆମେ କାହାରି ଉପରେ ରାଗ ରଖିବା ନାହିଁ । (ଲେବୀ. ୧୯:୧୮; ଆୟୁ. ୩୬:୧୩) କାହିଁକି ? କାରଣ ଯଦି ଏହାଯୋଗୁଁ ଆମ ମନରେ ଘୃଣାର ଭାବ ଅଧିକ ବଢ଼ିଯିବ, ତାହେଲେ ହୁଏତ ଆମେ ଏପରି କିଛି କହିଦେବା ବା କରିଦେବା, ଯାହାଦ୍ୱାରା ତାଙ୍କ ମନକୁ ଆଘାତ ଲାଗିପାରେ । (ହିତୋ. ୧୦:୧୨) ଯେପରି ହୁଏତ ଆମେ ତାଙ୍କ ବିଷୟରେ ଓଲଟା ସିଧା କଥା କହିବାକୁ ଲାଗିପାରୁ କିମ୍ବା ତାଙ୍କ ବିଷୟରେ ମିଛ କଥା ପ୍ରସାରିତ କରିବାକୁ ଲାଗିପାରୁ, ଯେଉଁଥିରୁ ତାଙ୍କ ନାମ ବଦନାମ ହୋଇପାରେ । (ହିତୋ. ୨୦:୧୯; ୨୫:୨୩) ଯୀଶୁଙ୍କ ସମୟରେ ସୋସିଆଲ୍ ମିଡିଆ, ଇଣ୍ଟରନେଟ୍, ବ୍ଲଗ୍ ଓ ମେସେଜ୍ କରିବା ପାଇଁ ଅଲଗା ଅଲଗା ଆପ୍ ନ ଥିଲା । କିନ୍ତୁ ଯୀଶୁଙ୍କ ଏହି ସିଦ୍ଧାନ୍ତକୁ ମାନି ଆଜି ବି ପ୍ରୌଢ଼ ଖ୍ରୀଷ୍ଟିୟାନମାନେ ଏହି ଜିନିଷଗୁଡ଼ିକୁ ବ୍ୟବହାର କରିବା ସମୟରେ ସତର୍କ ରହିପାରିବେ ଏବଂ ଧ୍ୟାନ ରଖିପାରିବେ ଯେ ସେମାନେ କାହାରିକୁ ବଦନାମ ନ କରନ୍ତୁ । ଯେପରି, ଆମେ କେବେ ବି କାହାରି ହତ୍ୟା କରିବା ବିଷୟରେ ଭାବି ନ ଥାଉ । ଠିକ୍ ସେହିଭଳି, ଆମେ କାହାରି ବିଷୟରେ କେବେ ବି ଏପରି କଥା କହିବା ନାହିଁ କିମ୍ବା ଏପରି କିଛି ଲେଖିବା ନାହିଁ ଯେଉଁଥିରୁ ତାଙ୍କର ନାମ ବଦନାମ ହୋଇପାରେ ।
(ପାରାଗ୍ରାଫ ୧୨-୧୩)
୧୪. ମାଥିଉ ୫:୨୭, ୨୮ ପଦରେ ଦିଆଯାଇଥିବା ନିୟମ ପଛରେ କʼଣ ସିଦ୍ଧାନ୍ତ ରହିଛି ? (ଚିତ୍ର ମଧ୍ୟ ଦେଖନ୍ତୁ ।)
୧୪ ମାଥିଉ ୫:୨୭, ୨୮ ପଢ଼ନ୍ତୁ । “ବ୍ୟଭିଚାର କର ନାହିଁ ।” ଏହି ନିୟମ ପଛରେ କʼଣ ସିଦ୍ଧାନ୍ତ ରହିଛି ? ଯିହୋବା ଅନୈତିକ କାମଗୁଡ଼ିକୁ ଘୃଣା କରନ୍ତି ଏବଂ ସେ ଏପରି ଚିନ୍ତାଗୁଡ଼ିକୁ ବି ଘୃଣା କରନ୍ତି, ଯାହାଯୋଗୁଁ ଜଣେ ବ୍ୟକ୍ତି ଅନୈତିକ କାମ କରିପାରେ । ଯୀଶୁ କହିଲେ ଯେ ଯଦି ଜଣେ ବିବାହିତ ପୁରୁଷ କୌଣସି ଅନ୍ୟ ସ୍ତ୍ରୀକୁ ଏପରି ଦୃଷ୍ଟିରେ ଦେଖେ ଯେଉଁଥିରୁ ତାʼମନ ଭିତରେ ସେହି ସ୍ତ୍ରୀ ପ୍ରତି ଖରାପ ଇଚ୍ଛା ଆସିଥାଏ, ତେବେ ସେ ପାପ କରିସାରିଛି । ସେଥିପାଇଁ ଯଦି କାହାରି ମନରେ ଅନୈତିକ କାମ କରିବା ପାଇଁ ଇଚ୍ଛା ହୁଏ, ତାହେଲେ ସେହି ଇଚ୍ଛାଗୁଡ଼ିକୁ ତୁରନ୍ତ ମନ ଭିତରୁ କାଢ଼ି ଦେବା ଉଚିତ୍ । ଆଉ ଏପରି କରିବା ପାଇଁ ତାʼଦ୍ୱାରା ଯେତେ ହୋଇପାରିବ, ସେତେ ଚେଷ୍ଟା କରିବା ଉଚିତ୍ । (ମାଥି. ୫:୨୯, ୩୦) ଅବିବାହିତ ଖ୍ରୀଷ୍ଟିୟାନମାନଙ୍କୁ ବି ସବୁବେଳେ ଏହି ସିଦ୍ଧାନ୍ତକୁ ମନେ ରଖିବା ଉଚିତ୍ ।
୧୫. ଆମେ ମାଥିଉ ୫:୨୭, ୨୮ ପଦରେ ଦିଆଯାଇଥିବା ସିଦ୍ଧାନ୍ତକୁ କିପରି ମାନିପାରିବା ? (ଚିତ୍ର ମଧ୍ୟ ଦେଖନ୍ତୁ ।)
୧୫ ଆଜି ଆମେ ମାଥିଉ ୫:୨୭, ୨୮ ପଦରେ ଦିଆଯାଇଥିବା ସିଦ୍ଧାନ୍ତକୁ କିପରି ମାନିପାରିବା ? ଆମକୁ ଅନୈତିକ କଥାଗୁଡ଼ିକ ବିଷୟରେ ଭାବିବା ଉଚିତ୍ ନୁହଁ । (୨ ଶାମୁ. ୧୧:୨-୪; ଆୟୁ. ୩୧:୧-୩) ଏହାର ଅର୍ଥ ଜଣେ ପ୍ରୌଢ଼ ଖ୍ରୀଷ୍ଟିୟାନ ସବୁ ପ୍ରକାରର ପର୍ନୋଗ୍ରାଫି ଅର୍ଥାତ୍ ଖରାପ ଚିତ୍ର ଓ ଭିଡିଓଗୁଡ଼ିକୁ ଦେଖିବାରୁ ପୂରାପୂରି ଦୂରେଇ ରହିବ । ସେ ଏପରି ଭାବିବନି, ‘ମୁଁ ତ କେବଳ ଦେଖୁଛି, ମୁଁ କିଛି ଖରାପ କାମ ତ କରୁନି ।’ ଆଉ ସେ ଦୁନିଆର ଲୋକମାନଙ୍କ ଭଳି ଏପରି ବି ଭାବିବ ନାହିଁ ଯେ ସେ ଯେଉଁ ଅଶ୍ଳୀଳ ଚିତ୍ର ବା ଭିଡିଓ ଦେଖୁଛି, ତାହା ଏତେ ବି ଖରାପ ନୁହେଁ । ଯୀଶୁଙ୍କ ସମୟରେ ଫୋନ୍, କମ୍ପ୍ୟୁଟର, ଫିଲ୍ମ କିମ୍ବା ଚିତ୍ରଗୁଡ଼ିକ ନ ଥିଲା । ତଥାପି ଯୀଶୁ ଯେଉଁ ସିଦ୍ଧାନ୍ତ ଦେଲେ, ସେଥିରୁ ଆମେ ଜାଣିପାରୁ ଯେ ଖରାପ ଚିତ୍ର ଓ ଭିଡିଓଗୁଡ଼ିକ ବିଷୟରେ ଯିହୋବା କʼଣ ଭାବନ୍ତି । ଯଦି ଆମେ ଫୋନ୍ରେ କାହାରିକୁ ଅଶ୍ଳୀଳ ଚିତ୍ରଗୁଡ଼ିକ, ଭିଡିଓ କିମ୍ବା ମେସେଜ୍ ପଠାଉ କିମ୍ବା ଇଣ୍ଟରନେଟ୍ରେ କୌଣସି ପ୍ରକାରର ଅନୈତିକ କାମରେ ଯୋଗ ଦେଉ, ତାହେଲେ ଏଥିରୁ ଯିହୋବାଙ୍କୁ ବହୁତ ଖରାପ ଲାଗିବ । ସେ ଏପରି କାମଗୁଡ଼ିକୁ ଘୃଣା ଦୃଷ୍ଟିରେ ଦେଖନ୍ତି । ଯଦି ଜଣେ ବିବାହିତ ବ୍ୟକ୍ତି ଏହି ସିଦ୍ଧାନ୍ତକୁ ଧ୍ୟାନରେ ରଖେ, ତାହେଲେ ସେ କେବେ ବି ନିଜ ଜୀବନସାଥୀ ସହ ବିଶ୍ୱାସଘାତ କରିବ ନାହିଁ । (ମଲାଖି ୨:୧୫) ଏହି ସିଦ୍ଧାନ୍ତକୁ ମାନିବା ଦ୍ୱାରା ଜଣେ ବିବାହିତ ଦମ୍ପତି ଏବଂ ଅବିବାହିତ ଖ୍ରୀଷ୍ଟିୟାନ ଏପରି ପ୍ରତ୍ୟେକ ଜିନିଷରୁ ଦୂରେଇ ରହିପାରିବ, ଯେଉଁଥିରୁ ସେ ଅନୈତିକ କାମରେ ଫସି ଯାଇପାରେ ।—ହିତୋ. ୫:୩-୧୪.
(ପାରାଗ୍ରାଫ ୧୪-୧୫)
୧୬. ମାଥିଉ ୫:୪୩, ୪୪ ପଦରେ ଦିଆଯାଇଥିବା ନିୟମ ପଛରେ କʼଣ ସିଦ୍ଧାନ୍ତ ରହିଛି ? (ଚିତ୍ର ମଧ୍ୟ ଦେଖନ୍ତୁ ।)
୧୬ ମାଥିଉ ୫:୪୩, ୪୪ ପଢ଼ନ୍ତୁ । “ତୁମ୍ଭର ପ୍ରତିବାସୀକି ପ୍ରେମ କର ।” ଏହି ନିୟମ ପଛରେ କʼଣ ସିଦ୍ଧାନ୍ତ ରହିଛି ? ଯିହୋବା ଚାହାନ୍ତି ଯେ ଆମେ ପ୍ରତ୍ୟେକଙ୍କୁ ନିଜର ପ୍ରତିବାସୀ ବା ପଡ଼ୋଶୀ ବୋଲି ମନେ କରୁ ଏବଂ ତାଙ୍କୁ ପ୍ରେମ କରୁ । କିନ୍ତୁ ଦୁଃଖର କଥା, ଯୀଶୁଙ୍କ ସମୟରେ ଯିହୁଦୀମାନଙ୍କୁ ଲାଗୁଥିଲା ଯେ ସେମାନଙ୍କୁ କେବଳ ନିଜ ଜାତି ଭାଇଙ୍କୁ ହିଁ ପ୍ରେମ କରିବାର ଅଛି ଏବଂ ନିଜ ଶତ୍ରୁମାନଙ୍କୁ ଘୃଣା । କିନ୍ତୁ ଯୀଶୁ ଜାଣିଥିଲେ ଯେ ଏହି ନିୟମର ଅର୍ଥ ଏପରି ନୁହେଁ । ସେ ଏହା ବି ଜାଣିଥିଲେ ଯେ ସ୍ୱର୍ଗରେ ରହୁଥିବା ତାଙ୍କ ପିତା ଆମଠାରୁ ଆଶା କରନ୍ତି ଯେ ଆମେ ସମସ୍ତ ଦେଶ କିମ୍ବା ଜାତିର ଲୋକମାନଙ୍କୁ ପ୍ରେମ କରୁ ।—ମାଥି. ୫:୪୫-୪୮.
୧୭. ଆମେ ମାଥିଉ ୫:୪୩, ୪୪ ପଦରେ ଦିଆଯାଇଥିବା ସିଦ୍ଧାନ୍ତକୁ କିପରି ମାନିପାରିବା ? (ଚିତ୍ର ମଧ୍ୟ ଦେଖନ୍ତୁ ।)
୧୭ ଆଜି ଆମେ ମାଥିଉ ୫:୪୩, ୪୪ ପଦରେ ଦିଆଯାଇଥିବା ସିଦ୍ଧାନ୍ତକୁ କିପରି ମାନିପାରିବା ? ଯଦି ଆମେ ନିଜ ପଡ଼ୋଶୀମାନଙ୍କୁ ପ୍ରେମ କରୁ, ତାହେଲେ ଆମେ ଦୁନିଆରେ ହେଉଥିବା ଲଢ଼େଇ ଝଗଡ଼ା ଓ ଯୁଦ୍ଧଗୁଡ଼ିକରେ ସାମିଲ୍ ହେବା ନାହିଁ । (ଯିଶା. ୨:୪; ମୀଖା ୪:୩) ଆମେ ଅନ୍ୟ ଜାତି, ଦେଶ ଓ ଅନ୍ୟ ଧର୍ମର ଲୋକମାନଙ୍କ ସହ ବି ଭଲ ବ୍ୟବହାର କରିବା । (ପ୍ରେରି. ୧୦:୩୪, ୩୫) ଆଉ ଯେଉଁ ଲୋକମାନେ ଆମକୁ କିମ୍ବା ଆମ ନିଜ ଲୋକମାନଙ୍କୁ କଷ୍ଟ ଦେଇଛନ୍ତି, ସେମାନଙ୍କୁ ଆମେ କ୍ଷମା କରିପାରିବା ।—ମାଥି. ୧୮:୨୧, ୨୨; ମାର୍କ ୧୧:୨୫; ଲୂକ ୧୭:୩, ୪.
(ପାରାଗ୍ରାଫ ୧୬-୧୭)
ସବୁବେଳେ ବାଇବଲର ସିଦ୍ଧାନ୍ତକୁ ମାନନ୍ତୁ
୧୮. (କ) ଆମେ କʼଣ ଜାଣିବା ପାଇଁ ଲଗାତାର ଚେଷ୍ଟା କରିବା ଉଚିତ୍ ? (ଖ) ପରବର୍ତ୍ତୀ ଲେଖାରେ ଆମେ କେଉଁ ବିଷୟରେ ଜାଣିବା ?
୧୮ ଆମେ ଯିହୋବାଙ୍କର ବହୁତ କୃତଜ୍ଞ ଯେ ସେ ଆମ ସହିତ ଛୋଟ ପିଲାମାନଙ୍କ ଭଳି ବ୍ୟବହାର କରନ୍ତି ନାହିଁ । ସେ ଆମକୁ ଅନେକ ନିୟମ ଦେଇ ନାହାନ୍ତି । ଏହା ପରିବର୍ତ୍ତେ, ସେ ଚାହାନ୍ତି ଯେ ଆମେ ବାଇବଲ ସିଦ୍ଧାନ୍ତଗୁଡ଼ିକୁ ଧ୍ୟାନରେ ରଖି ପ୍ରତିଦିନ ଭଲ ନିଷ୍ପତ୍ତି ନେଉ । (୧ କରି. ୧୪:୨୦) ହେଲେ ଆସନ୍ତୁ କୌଣସି ବି ନିଷ୍ପତ୍ତି ନେବା ପୂର୍ବରୁ ଆମେ “ପ୍ରଭୁଙ୍କର ଇଚ୍ଛା କଅଣ,” ତାହା ବୁଝିବା ପାଇଁ ଲଗାତାର ଚେଷ୍ଟା କରିବା । (ଏଫି. ୫:୧୭) ଆମେ ଦଣ୍ଡ ପାଇବାର ଡର ଯୋଗୁଁ ନୁହେଁ, ବରଂ ଯିହୋବାଙ୍କୁ ପ୍ରେମ କରିବା ଯୋଗୁଁ ଏପରି ନିଷ୍ପତ୍ତି ନେବା ପାଇଁ ଚାହୁଁ, ଯାହା ତାଙ୍କ ଇଚ୍ଛା ଅନୁସାରେ ହୋଇଥାଏ । ସିଦ୍ଧାନ୍ତଗୁଡ଼ିକ ବ୍ୟତୀତ ଯିହୋବା ଆମକୁ ଭଲ ନିଷ୍ପତ୍ତି ନେବା ପାଇଁ ଆଉ ବି କିଛି ଦେଇଛନ୍ତି । ତାହା ହେଉଛି, ଆମ ବିବେକ । ପରବର୍ତ୍ତୀ ଲେଖାରେ ଆମେ ଏବିଷୟରେ ଜାଣିବା ।
ଗୀତ ୯୫ ବଢ଼େ ସତ୍ୟର ଆଲୋକ
a ଆମ ଖ୍ରୀଷ୍ଟିୟାନମାନଙ୍କ ଜୀବନରେ ଏପରି ଅନେକ ସମୟ ଆସେ, ଯେବେ ଆମକୁ ବାଇବଲ ସିଦ୍ଧାନ୍ତଗୁଡ଼ିକ ବିଷୟରେ ଗଭୀର ଭାବେ ଚିନ୍ତନ କରିବାକୁ ପଡ଼ିଥାଏ । କୌଣସି ନିଷ୍ପତ୍ତି ନେବା ସମୟରେ ହୁଏତ ଆମକୁ ଅନେକ ସିଦ୍ଧାନ୍ତ ବିଷୟରେ ଭାବିବାକୁ ପଡ଼ିଥାଏ । ଏପରି ସମୟରେ ଆମେ ଭଲ ନିଷ୍ପତ୍ତି ନେବା ପାଇଁ ଯିହୋବାଙ୍କଠାରୁ ମିଳିଥିବା ବୁଝିବିଚାରି କାମ କରିବାର ଶକ୍ତିକୁ ବ୍ୟବହାର କରିବା ଉଚିତ୍, ଯେଉଁଥିରୁ ଯିହୋବା ଖୁସି ହେବେ ଏବଂ ଆମକୁ ଆଶିଷ ଦେବେ । ପ୍ରଥମ ଶତାବ୍ଦୀରେ ଯେଉଁ ଯିହୁଦୀମାନେ ପରେ ଖ୍ରୀଷ୍ଟିୟାନ ହେଲେ, ସେମାନଙ୍କୁ ଏବିଷୟରେ ଶିଖିବାର ଥିଲା । ଖ୍ରୀଷ୍ଟିୟାନ ହେବା ପୂର୍ବରୁ ସେମାନେ, ଧର୍ମଗୁରୁମାନେ ତିଆରି କରିଥିବା ନିୟମଗୁଡ଼ିକୁ ମାନୁଥିଲେ । କିନ୍ତୁ ଏବେ ସେମାନଙ୍କୁ ସିଦ୍ଧାନ୍ତଗୁଡ଼ିକୁ ଧ୍ୟାନରେ ରଖି ନିଜେ ନିଷ୍ପତ୍ତି ନେବାର ଥିଲା ।