୧୫-୨୧ ଜୁନ୍, ୨୦୨୬
ଗୀତ ୧୨୨ ଦୃଢ଼ ରୁହ
ସମସ୍ୟା ବିଷୟରେ ଯିହୋବାଙ୍କ ଭଳି ଦୃଷ୍ଟିକୋଣ ରଖନ୍ତୁ
“କ୍ଳେଶ ଓ ଯନ୍ତ୍ରଣା ମୋତେ ଆକ୍ରମଣ କରିଅଛି; ତେବେ ହେଁ ତୁମ୍ଭର ଆଜ୍ଞାସମୂହ ମୋହର ଆହ୍ଲାଦଜନକ ।”—ଗୀତ. ୧୧୯:୧୪୩.
କʼଣ ଶିଖିବା ?
ଆମେ ଶିଖିବା ଯେ ସମସ୍ୟାଗୁଡ଼ିକୁ ଯିହୋବାଙ୍କ ଦୃଷ୍ଟିରେ ଦେଖିଲେ ଆମେ କିପରି ତାହାର ଭଲଭାବେ ସାମନା କରିପାରିବା ।
୧-୨. ଆମକୁ ସମସ୍ୟାଗୁଡ଼ିକର ଭଲଭାବେ ସାମନା କରିବା ପାଇଁ କʼଣ କରିବାକୁ ପଡ଼ିବ ? (ଚିତ୍ର ମଧ୍ୟ ଦେଖନ୍ତୁ ।)
ଯିହୋବା ନିଜ ଲୋକଙ୍କୁ ବହୁତ ପ୍ରେମ କରନ୍ତି ଏବଂ ସେମାନଙ୍କୁ ବହୁମୂଲ୍ୟ ମନେ କରନ୍ତି । କିନ୍ତୁ ସେମାନଙ୍କ ମଧ୍ୟରୁ ଅନେକଙ୍କ ଜୀବନରେ ‘ଦୁଃଖ’ ଭରି ରହିଛି । (ଗୀତ. ୯୦:୧୦) କିଛି ଭାଇଭଉଣୀ ଏକୁଟିଆ ଯିହୋବାଙ୍କର ସେବା କରୁଛନ୍ତି ଏବଂ ତାଙ୍କ ପରିବାର ଲୋକେ ତାଙ୍କର ବିରୋଧ କରୁଛନ୍ତି । କିଛି ଭାଇଭଉଣୀଙ୍କୁ ନିଜ ବିଶ୍ୱାସ ଯୋଗୁଁ ଜେଲଦଣ୍ଡ ହୋଇଛି । କିଛି ଭାଇଭଉଣୀ ରୋଗ ବା ବୃଦ୍ଧାବସ୍ଥା ଯୋଗୁଁ କଷ୍ଟରେ ଅଛନ୍ତି । ତାʼସହିତ ଆଉ କିଛି ଭାଇଭଉଣୀ ନିଜ ପ୍ରିୟଜନମାନଙ୍କୁ ମୃତ୍ୟୁରେ ହରାଇବାର ଦୁଃଖ ସହୁଛନ୍ତି । ଏପରି ବି କିଛି ଭାଇଭଉଣୀ ଅଛନ୍ତି ଯେଉଁମାନେ ଦୁର୍ଘଟଣାର ଶିକାର ହୋଇଛନ୍ତି । କʼଣ ଆପଣ ବି ଏପରି କୌଣସି ସମସ୍ୟାର ସାମନା କରୁଛନ୍ତି ?
୨ ଆମକୁ ସମସ୍ୟାଗୁଡ଼ିକର ଭଲଭାବେ ସାମନା କରିବା ପାଇଁ ଯିହୋବାଙ୍କ ଭଳି ଦୃଷ୍ଟିକୋଣ ରଖିବାକୁ ପଡ଼ିବ । ଏପରି କଲେ ଆମେ ଶାନ୍ତ ରହିପାରିବା ଏବଂ ଜାଣିପାରିବା ଯେ ଆମକୁ ସମସ୍ୟା ସମୟରେ କʼଣ କରିବା ଉଚିତ୍ । ଏହାକୁ ବୁଝିବା ପାଇଁ ଗୋଟିଏ ଉଦାହରଣ ପ୍ରତି ଧ୍ୟାନ ଦିଅନ୍ତୁ । ଆମ ଜୀବନରେ ଯେଉଁ ସମସ୍ୟାଗୁଡ଼ିକ ଆସିଥାଏ, ତାହାକୁ ଆମେ ଗାଡ଼ି ଚଳାଇଲା ବେଳେ ରାସ୍ତାରେ ଆସୁଥିବା ସମସ୍ୟାଗୁଡ଼ିକ ସହ ତୁଳନା କରିପାରିବା । ଯେତେବେଳେ ରାସ୍ତାରେ କୌଣସି ସମସ୍ୟା ଆସେ, ସେତେବେଳେ ଆମେ କʼଣ କରୁ ? ହୁଏତ ସେସମୟରେ ଆମେ ଗାଡ଼ିକୁ ଧୀରେ କରିଦେଉ, କିଛି ସମୟ ପାଇଁ ଛିଡ଼ା ହୋଇଯାଉ କିମ୍ବା ଅନ୍ୟ ରାସ୍ତା ଦେଇ ଯାଉ । କିନ୍ତୁ କିଛି ବି ପଦକ୍ଷେପ ନେବା ପୂର୍ବରୁ, ଆମକୁ ସେହି ସମସ୍ୟାଗୁଡ଼ିକ ସ୍ପଷ୍ଟ ଭାବେ ଦେଖାଯିବା ଜରୁରୀ । ତାʼପାଇଁ ଆମ ଗାଡ଼ିର କାଚ ସଫା ଥିବା ଦରକାର । ତେବେ ହିଁ ଆମେ ସେହି ସମସ୍ୟାଗୁଡ଼ିକୁ ସ୍ପଷ୍ଟ ଭାବେ ଦେଖିପାରିବା ଏବଂ ଏହା ବୁଝିପାରିବା ଯେ ଆମକୁ କʼଣ କରିବାର ଅଛି । ଠିକ୍ ସେହିଭଳି ଆମ ଜୀବନରେ ଯେଉଁ ସମସ୍ୟାଗୁଡ଼ିକ ଆସେ, ଯଦି ଆମେ ସେଗୁଡ଼ିକୁ ସବୁବେଳେ ଯିହୋବାଙ୍କ ଦୃଷ୍ଟିରେ ଦେଖିବା, ତାହେଲେ ଆମେ ତାହାର ଭଲଭାବେ ସାମନା କରିପାରିବା । ଏହି ଲେଖାରେ ଆମେ ତିନୋଟି କଥା ବିଷୟରେ ଜାଣିବା । (୧) ଆମ ସମସ୍ୟାଗୁଡ଼ିକ ବିଷୟରେ ଯିହୋବାଙ୍କର କʼଣ ଦୃଷ୍ଟିକୋଣ ରହିଛି ? (୨) ଯଦି ଆମେ ଯିହୋବାଙ୍କ ଭଳି ଦୃଷ୍ଟିକୋଣ ରଖିବା ନାହିଁ, ତାହେଲେ ଆମର କʼଣ କ୍ଷତି ହୋଇପାରେ ? ଏବଂ (୩) ଆମେ ସମସ୍ୟାଗୁଡ଼ିକର ସାମନା କରିବା ସମୟରେ ଯିହୋବାଙ୍କ ଭଳି ଦୃଷ୍ଟିକୋଣ ରଖିବା ପାଇଁ କʼଣ କରିପାରିବା ?
ଆମକୁ ନିଜ ସମସ୍ୟାଗୁଡ଼ିକ ବିଷୟରେ ଯିହୋବାଙ୍କ ଭଳି ଦୃଷ୍ଟିକୋଣ ରଖିବାକୁ ପଡ଼ିବ, ତେବେ ଆମେ ତାହାର ଭଲଭାବେ ସାମନା କରିପାରିବା (ପାରାଗ୍ରାଫ ୨)
ସମସ୍ୟାଗୁଡ଼ିକ ବିଷୟରେ ଯିହୋବାଙ୍କର ଦୃଷ୍ଟିକୋଣ
୩. ବୁଝାନ୍ତୁ ଯେ କʼଣ ଆଜି ଆମେ ସମସ୍ୟାଗୁଡ଼ିକରୁ ରକ୍ଷା ପାଇପାରିବା ?
୩ ଏହି ଦୁଷ୍ଟ ଦୁନିଆରେ ଆମେ ସମସ୍ୟାଗୁଡ଼ିକରୁ ରକ୍ଷା ପାଇପାରିବା ନାହିଁ । ଏହି ଦୁନିଆକୁ ଶୟତାନ ଶାସନ କରୁଛି ଏବଂ ଅପରିପୂର୍ଣ୍ଣ ହେବା ଯୋଗୁଁ ଆମେ ଯେଉଁ ଭୁଲଗୁଡ଼ିକ କରୁ, ତାʼଯୋଗୁଁ ବି ଆମ ଉପରେ ସମସ୍ୟାଗୁଡ଼ିକ ଆସେ । ଏହି ଦୁନିଆର ବିନାଶ ପାଖେଇ ଆସିଛି, ତେଣୁ ସମସ୍ୟା ଓ ବିପତ୍ତିଗୁଡ଼ିକ ଆହୁରି ବଢ଼ିବ । ଯେପରି, ପ୍ରାକୃତିକ ବିପତ୍ତି ହେଉ ବା ମନୁଷ୍ୟକୃତ । ତାʼସହିତ ଦୁଷ୍ଟ ଲୋକମାନଙ୍କ ଯୋଗୁଁ ବି ଆମକୁ କଷ୍ଟଗୁଡ଼ିକ ସହିବାକୁ ପଡ଼େ । (ମାଥି. ୨୪:୮; ୨ ତୀମ. ୩:୧୩) ଆମେ ଜାଣିଛୁ ଯେ ଯିହୋବାଙ୍କ ରାଜ୍ୟରେ ଏହି ସମସ୍ୟାଗୁଡ଼ିକ ନ ଥିବ, କିନ୍ତୁ ଯଦି ସେ ଆଜି ଏହି ସମସ୍ୟାଗୁଡ଼ିକୁ ଦୂର କରିଦେବେ, ତାହେଲେ ଏପରି ଲାଗିବ ଯେ ସେ ଏହି ଦୁନିଆ ଉପରେ ଶାସନ କରିବା ପାଇଁ ଶୟତାନକୁ ସାହାଯ୍ୟ କରୁଛନ୍ତି । ଯେବେ ପର୍ଯ୍ୟନ୍ତ ଶୟତାନର ଶାସନ ଚାଲିଛି, ଆମେ ଜାଣିଛୁ ଯେ ଆମ ଉପରେ “ବିପଦ” ନିଶ୍ଚୟ ଆସିବ ।—ଉପ. ୯:୧୨.
୪. ଆମ ଉପରେ ଆଉ କେଉଁ କାରଣ ଯୋଗୁଁ ସମସ୍ୟାଗୁଡ଼ିକ ଆସେ ?
୪ ଖ୍ରୀଷ୍ଟିୟାନ ହେବା ଯୋଗୁଁ ଆମ ଉପରେ ଅଧିକ ସମସ୍ୟା ଆସେ । ଯୀଶୁ ପ୍ରାୟ ନିଜ ଶିଷ୍ୟମାନଙ୍କୁ କହୁଥିଲେ ଯେ ସେମାନଙ୍କର ବିଶ୍ୱାସ ଯୋଗୁଁ ଲୋକମାନେ ସେମାନଙ୍କ ଉପରେ ଅତ୍ୟାଚାର କରିବେ । (ମାଥି. ୨୪:୯; ଯୋହ. ୧୬:୨) ଏହି କଥା ଜାଣିବା ଯୋଗୁଁ ଆମେ ସମସ୍ୟାଗୁଡ଼ିକ ସମୟରେ ଅତ୍ୟଧିକ ଚିନ୍ତିତ ହୋଇ ନ ଥାଉ ଏବଂ ଆମର ବିଶ୍ୱାସ ଦୁର୍ବଳ ହୋଇ ନ ଥାଏ । (୧ ଥେସ. ୩:୩, ୪) ସମସ୍ୟା ସମୟରେ ଯେବେ ଆମ ବିଶ୍ୱାସର ପରୀକ୍ଷା ହୁଏ, ତେବେ ବି ଆମେ ଯିହୋବାଙ୍କର ବିଶ୍ୱସ୍ତ ରହୁ । ତେଣୁ ଆମକୁ ଭରସା ହୋଇଯାଏ ଯେ ଆମେ ସଠିକ୍ ବାଟରେ ଚାଲୁଛୁ, ଯାହା ଅନନ୍ତ ଜୀବନ ଆଡ଼କୁ ନେଇଯାଏ । ଆମକୁ ଏହା ବି ଭରସା ହୋଇଯାଏ ଯେ ଏହାପାଇଁ ଯିହୋବା ଓ ଯୀଶୁ ଆମକୁ ନିଶ୍ଚୟ ପୁରସ୍କାର ଦେବେ । ତାʼଛଡ଼ା ଏପରି ପରିସ୍ଥିତିରେ ଆମକୁ ଏହା ଦେଖାଇବାର ସୁଯୋଗ ମିଳେ ଯେ ଦୁନିଆର ମହତ୍ତ୍ୱପୂର୍ଣ୍ଣ ମାମଲାରେ ଆମେ କାହା ସପକ୍ଷରେ ଅଛୁ । ଆମେ ଏହା ପ୍ରମାଣିତ କରୁ ଯେ ଯିହୋବାଙ୍କ ଶାସନ କରିବାର ଉପାୟ ହିଁ ସବୁଠୁ ଉତ୍ତମ ଏବଂ ଶୟତାନ ମିଥ୍ୟାବାଦୀ ଅଟେ । ଶୟତାନ ଏହା ବି ଆରୋପ ଲଗାଇଛି ଯେ ମଣିଷମାନେ ଯିହୋବାଙ୍କୁ ପ୍ରେମ କରନ୍ତି ନାହିଁ, ସେମାନେ କେବଳ ନିଜ ସ୍ୱାର୍ଥ ଯୋଗୁଁ ତାଙ୍କର ଉପାସନା କରନ୍ତି । ଆଉ ଏହି କଥାକୁ ପ୍ରମାଣିତ କରିବା ପାଇଁ ସେ ଯିହୋବାଙ୍କ ଲୋକମାନଙ୍କ ଉପରେ ଅଧିକ ସମସ୍ୟା ଆଣେ, ଯାହାଫଳରେ ସେମାନେ ଯିହୋବାଙ୍କ ସେବା କରିବା ଛାଡ଼ି ଦିଅନ୍ତୁ । (ଆୟୁ. ୧:୯-୧୧) କିନ୍ତୁ ଆମେ ପ୍ରତ୍ୟେକ ପରିସ୍ଥିତିରେ ଯିହୋବାଙ୍କର ବିଶ୍ୱସ୍ତ ରହୁ, କାରଣ ଆମେ ତାଙ୍କୁ ହୃଦୟରୁ ପ୍ରେମ କରୁ । ଏହା ଦେଖି ତାଙ୍କୁ ବହୁତ ଖୁସି ଲାଗେ ।—ହିତୋ. ୨୭:୧୧.
୫. ଉପଦେଶକ ୭:୧୩, ୧୪ ପଦରୁ ଆମକୁ କʼଣ ଜଣାପଡ଼େ ? (ଚିତ୍ରଗୁଡ଼ିକ ମଧ୍ୟ ଦେଖନ୍ତୁ ।)
୫ ଯିହୋବା ଆମ ଜୀବନରେ ସମସ୍ୟାଗୁଡ଼ିକୁ ଆସିବାରୁ ରୋକନ୍ତି ନାହିଁ । ଯିହୋବା କେବେ ବି କୌଣସି ଖରାପ କାମ କରନ୍ତି ନାହିଁ ଏବଂ ସେ ଆମକୁ ଖରାପ କଥାଗୁଡ଼ିକରୁ ପରୀକ୍ଷା କରନ୍ତି ନାହିଁ । (ଯାକୁ. ୧:୧୩) ହେଲେ ରାଜା ଶଲୋମନ ଏପରି କାହିଁକି ଲେଖିଲେ ଯେ ‘ଦୁଃଖ ସମୟ’ “ପରମେଶ୍ୱରଙ୍କର କାର୍ଯ୍ୟ ?” (ଉପଦେଶକ ୭:୧୩, ୧୪ ପଢ଼ନ୍ତୁ ।) ତାଙ୍କ କହିବାର ଅର୍ଥ ଏହା ନ ଥିଲା ଯେ ଯିହୋବା ଆମ ଉପରେ ସମସ୍ୟାଗୁଡ଼ିକ ଆଣନ୍ତି, ବରଂ ସେ ଏହା କହିବା ପାଇଁ ଚାହୁଁଥିଲେ ଯେ ବର୍ତ୍ତମାନ ଯିହୋବା ଏହି ସମସ୍ୟାଗୁଡ଼ିକୁ ଆସିବାରୁ ରୋକନ୍ତି ନାହିଁ । ଈଶ୍ୱରଙ୍କ ପ୍ରେରଣାରେ ଶଲୋମନ ଏହା ବି ଲେଖିଲେ ଯେ ଆମକୁ ସମସ୍ୟାଗୁଡ଼ିକ ସମୟରେ କେଉଁ କଥା ମନେ ରଖିବା ଉଚିତ୍ । ପ୍ରଥମ କଥା, ଆମ ଜୀବନରେ କିଛି ଦିନ ‘ସୁଖ ସମୟ’ ଥିବ, ଅର୍ଥାତ୍ ଯେବେ ସବୁକିଛି ଭଲରେ ଚାଲୁଥିବ । ସେସମୟରେ ଆମେ ଯିହୋବାଙ୍କୁ ଧନ୍ୟବାଦ ଦେଇପାରିବା, କାରଣ ପ୍ରତ୍ୟେକ ଭଲ ଜିନିଷ ତାଙ୍କ ତରଫରୁ ଗୋଟିଏ ଉପହାର । ଅନ୍ୟପକ୍ଷରେ, ଆମେ ଏହା ବି ଜାଣିଛୁ ଯେ ଶୟତାନର ଏହି ଦୁନିଆରେ କିଛି ଦିନ ‘ଦୁଃଖ ସମୟ’ ଥିବ, ଅର୍ଥାତ୍ ସବୁକିଛି ଠିକ୍ ସେପରି ହେବନି ଯେପରି ଆମେ ଚାହୁଁ । ଦ୍ୱିତୀୟ କଥା, ଶଲୋମନ କହିଲେ ଯେ ଆମେ ‘ଭବିଷ୍ୟତରେ ଯାହା ଘଟିବ, ତାହା ଜାଣିପାରିବା ନାହିଁ’ ଅର୍ଥାତ୍ ଆମ ଜୀବନରେ କେବେ ସୁଖ ସମୟ ଓ କେବେ ଦୁଃଖ ସମୟ ଆସିବ, ତାହା ଆମେ ଜାଣିପାରିବା ନାହିଁ । ଏହାର ଅର୍ଥ ଧାର୍ମିକ ଓ ଦୁଷ୍ଟ ଉଭୟଙ୍କ ଜୀବନରେ ହଠାତ୍ ସମସ୍ୟାଗୁଡ଼ିକ ଆସିପାରେ ।
ଆମକୁ ଏହା ବୁଝିବାକୁ ପଡ଼ିବ ଯେ ଶୟତାନର ଏହି ଦୁନିଆରେ ଆମ ଜୀବନରେ କିଛି ଦିନ ଭଲ ସମୟ ଥିବ ଓ କିଛି ଦିନ ଦୁଃଖ ସମୟ ଥିବ (ପାରାଗ୍ରାଫ ୫)
୬. ଯିହୋବା କେଉଁ କାରଣଗୁଡ଼ିକ ଯୋଗୁଁ ଆମ ଜୀବନରେ ପରୀକ୍ଷାଗୁଡ଼ିକ ଆସିବା ପାଇଁ ଅନୁମତି ଦିଅନ୍ତି ? (ଏବ୍ରୀ ୧୨:୭, ୧୧)
୬ ଆମେ ସମସ୍ୟାଗୁଡ଼ିକ ସମୟରେ ଦେଖିପାରୁ ଯେ ଯିହୋବା ଆମକୁ ତାଙ୍କ ଉପରେ ଭରସା କରିବା ଶିଖାନ୍ତି । ଆମକୁ କେବେ ବି ଏପରି ଭାବିବା ଉଚିତ୍ ନୁହଁ ଯେ ଆମେ ନିଜ ଅନୁସାରେ ସମସ୍ୟାଗୁଡ଼ିକର ସାମନା କରିବା । ଏହା ସତ ଯେ ଯିହୋବା ଆମକୁ “ମୃତ୍ୟୁଛାୟାରୂପ ଉପତ୍ୟକା ଦେଇ ଗମନ” କରିବା ପାଇଁ ଅନୁମତି ଦିଅନ୍ତି, କିନ୍ତୁ ସେସମୟ ସେ ଆମକୁ କେବେ ବି ଏକୁଟିଆ ଛାଡ଼ନ୍ତି ନାହିଁ । ଆମକୁ ଯେପରି ଅନୁଭବ ହୁଏ, ତାହାକୁ ସେ ବି ଅନୁଭବ କରିପାରନ୍ତି । ସେ ଆମକୁ ସଠିକ୍ ବାଟ ଦେଖାନ୍ତି, ନିଜ ପ୍ରେମର ଭରସା ଦିଅନ୍ତି ଓ ଆମକୁ ସମସ୍ୟାଗୁଡ଼ିକର ସାମନା କରିବା ପାଇଁ ଶକ୍ତି ଦିଅନ୍ତି । (ଗୀତ. ୨୩:୪) ଯେତେବେଳେ ଆମ ସାମନାରେ କୌଣସି ପରୀକ୍ଷା ଆସେ, ସେତେବେଳେ ଆମେ ନିଜ ଦୁର୍ବଳତାଗୁଡ଼ିକୁ ସ୍ପଷ୍ଟ ଭାବେ ଦେଖିପାରୁ ଏବଂ ଯିହୋବାଙ୍କ ସାହାଯ୍ୟରୁ ଆମେ ନିଜ ଭିତରେ ସୁଧାର କରିପାରୁ ଓ ଭଲ ଗୁଣଗୁଡ଼ିକ ବଢ଼ାଇପାରୁ । (ଏବ୍ରୀ ୧୨:୭, ୧୧ ପଢ଼ନ୍ତୁ ।) ଆୟୁବଙ୍କ ବିଷୟରେ ଭାବନ୍ତୁ । ଯିହୋବା ତାଙ୍କ ଉପରେ ପରୀକ୍ଷା ଆଣି ନ ଥିଲେ, କିନ୍ତୁ ସେ କେବଳ ଏହାର ଅନୁମତି ଦେଇଥିଲେ । ସେହି କଠିନ ସମୟରେ ଆୟୁବ ଦେଖିପାରିଲେ ଯେ ତାଙ୍କୁ ଆହୁରି ନମ୍ର ହେବା ଉଚିତ୍ ଏବଂ ଯିହୋବାଙ୍କ ସାହାଯ୍ୟରୁ ସେ କିଛି ମହତ୍ତ୍ୱପୂର୍ଣ୍ଣ କଥା ଶିଖିପାରିଲେ । (ଆୟୁ. ୪୨:୧-୬) ଠିକ୍ ସେହିଭଳି ଯିହୋବା ଆମ ଜୀବନରେ ବି ପରୀକ୍ଷାଗୁଡ଼ିକ ଆସିବା ପାଇଁ ଅନୁମତି ଦିଅନ୍ତି ସତ, କିନ୍ତୁ ସେ ଆମକୁ ସବୁଦିନ ପାଇଁ କୌଣସି କ୍ଷତି ସହିବାକୁ ଦେବେ ନାହିଁ । ଯଦିଓ ଆମ ଉପରେ ସମସ୍ୟାଗୁଡ଼ିକ ଆସେ, ତଥାପି ଆମେ ପୂରା ଭରସା ରଖିପାରିବା ଯେ ଯିହୋବାଙ୍କ ସାହାଯ୍ୟରୁ ଆମେ ବିଶ୍ୱସ୍ତ ରହିପାରିବା ଏବଂ ଏହି ସମସ୍ୟାଗୁଡ଼ିକ ସମୟରେ “ସର୍ବତୋଭାବେ ବିଜୟୀ” ହେବା ।—ରୋମୀ. ୮:୩୫-୩୯.
୭. ଯେବେ ଆପଣଙ୍କୁ ଯିହୋବାଙ୍କ ଆଜ୍ଞା ମାନିବା ଯୋଗୁଁ ଅତ୍ୟାଚାର କରାଯାଏ, ତେବେ ବି ଆପଣ କାହିଁକି ଖୁସି ରହିପାରିବେ ?
୭ ଆମେ ଅତ୍ୟାଚାରଗୁଡ଼ିକ ସମୟରେ ବି ଖୁସି ରହିପାରିବା । ଯିହୋବାଙ୍କ ଆଜ୍ଞା ମାନିବା ଯୋଗୁଁ ଯଦି ଆପଣଙ୍କୁ ଅତ୍ୟାଚାର କରାଯାଉଛି, ତାହେଲେ ଏପରି ଭାବନ୍ତୁ ନାହିଁ ଯେ ଯିହୋବାଙ୍କର ଆଶିଷ ଆପଣଙ୍କ ଉପରେ ନାହିଁ । ବରଂ ଏହାର ଅର୍ଥ ହେଉଛି ଯେ ଯିହୋବାଙ୍କ ମଞ୍ଜୁରି ଆପଣଙ୍କ ଉପରେ ଅଛି । (ମାଥି. ୫:୧୦-୧୨) ଏହି କଥାକୁ ମନେ ରଖିଲେ ଆପଣ ପ୍ରେରିତମାନଙ୍କ ଭଳି ଅତ୍ୟାଚାରଗୁଡ଼ିକ ସମୟରେ ଖୁସି ରହିପାରିବେ ଏବଂ ଲଜ୍ଜା ଅନୁଭବ କରିବେ ନାହିଁ । (ପ୍ରେରି. ୫:୪୦-୪୨) ତାʼସହିତ ଏହାଯୋଗୁଁ ଆପଣଙ୍କୁ ଅନ୍ୟମାନଙ୍କୁ ସତ୍ୟ କହିବା ପାଇଁ ଏବଂ “ଈଶ୍ୱରଙ୍କ ଗୌରବ” କରିବା ପାଇଁ ସୁଯୋଗ ମିଳିବ । (୧ ପିତ. ୨:୧୨) ଠିକ୍ ଯେପରି ଜେଲରେ ଥିବା ସମୟରେ ଯିହୋବା, ଯୋଷେଫଙ୍କ ସାଙ୍ଗରେ ଥିଲେ ଏବଂ ପ୍ରତ୍ୟେକ କାମରେ ତାଙ୍କୁ ସଫଳତା ଦେଲେ । ଠିକ୍ ସେହିଭଳି, କେବଳ ସମସ୍ୟାଗୁଡ଼ିକ ଶେଷ ହେବା ପରେ ନୁହେଁ, ବରଂ ସମସ୍ୟାଗୁଡ଼ିକ ସମୟରେ ବି ଯିହୋବା ଆପଣଙ୍କୁ ସଫଳତା ଦେବେ ।—ଆଦି. ୩୯:୩, ୨୩.
୮. ସମସ୍ୟାଗୁଡ଼ିକର ସାମନା କରିବା ସମୟରେ ଆମେ କʼଣ ମନେ ରଖିଲେ ହାର ମାନିବାନି ?
୮ ଆମ ସମସ୍ୟାଗୁଡ଼ିକ ଦିନେ ନା ଦିନେ ନିଶ୍ଚୟ ଶେଷ ହୋଇଯିବ । ଆୟୁବଙ୍କ ଘଟଣାରୁ ଜଣାପଡ଼େ ଯେ ସମସ୍ୟାଗୁଡ଼ିକ ସବୁଦିନ ଯାଏ ରହିବନି, ତାହା ଏହି ଦୁନିଆରେ କିମ୍ବା ନୂଆ ଦୁନିଆରେ ନିଶ୍ଚୟ ଶେଷ ହୋଇଯିବ । ଆମେ ଆଉ କେଉଁ କଥା ଉପରେ ଭରସା କରିପାରିବା ? ବାଇବଲରେ କୁହାଯାଇଛି, ଯିହୋବା “ଆୟୁବର ଆଦ୍ୟ ଅବସ୍ଥା ଅପେକ୍ଷା ଶେଷ ଅବସ୍ଥାକୁ ଅଧିକ ଆଶୀର୍ବାଦଯୁକ୍ତ କଲେ ।” (ଆୟୁ. ୪୨:୧୨) ଆୟୁବଙ୍କ ଭଳି ଯିହୋବା ଆମକୁ ମଧ୍ୟ ଆଗ ଅପେକ୍ଷା ଅଧିକ ଆଶିଷ ଦେବେ, ଯାହା ସବୁଦିନ ପାଇଁ ରହିବ । ତେଣୁ ଆମେ କହିପାରିବା ଯେ ଆଜିର ସମସ୍ୟାଗୁଡ଼ିକ ଭବିଷ୍ୟତରେ ଯେଉଁ ଆଶିଷଗୁଡ଼ିକ ମିଳିବ, ତାହା ତୁଳନାରେ କିଛି ବି ନୁହଁ । ଶେଷ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରିବାର କେତେ ବଢ଼ିଆ ପ୍ରତିଫଳ ମିଳିବ !—ମାଥି. ୨୪:୧୩.
ଯିହୋବାଙ୍କ ଭଳି ଦୃଷ୍ଟିକୋଣ ନ ରଖିଲେ କʼଣ କ୍ଷତି ହୋଇପାରେ ?
୯. ଯଦି ଆମେ ନିଜ ସମସ୍ୟାଗୁଡ଼ିକ ବିଷୟରେ ଯିହୋବାଙ୍କ ଭଳି ଦୃଷ୍ଟିକୋଣ ରଖିବାନି, ତାହେଲେ କʼଣ ହୋଇପାରେ ?
୯ ଯଦି ଆମେ ନିଜ ସମସ୍ୟାଗୁଡ଼ିକ ବିଷୟରେ ଯିହୋବାଙ୍କ ଭଳି ଦୃଷ୍ଟିକୋଣ ରଖିବାନି, ତାହେଲେ ଆମ ସମସ୍ୟାଗୁଡ଼ିକ ଆହୁରି ବଢ଼ିଯିବ । ଯେପରି, ହୁଏତ ଆମକୁ ଲାଗିପାରେ ଯେ ଆମ ସମସ୍ୟାଗୁଡ଼ିକ ପଛରେ ଯିହୋବାଙ୍କର ହାତ ରହିଛି । କିଛି ସମୟ ପାଇଁ ଆୟୁବଙ୍କୁ ବି ଏପରି ହିଁ ଲାଗିଥିଲା । ତେଣୁ “ସେ ପରମେଶ୍ୱରଙ୍କ ଅପେକ୍ଷା ଆପଣାକୁ ଧାର୍ମିକ ମଣିଲା ।” (ଆୟୁ. ୩୨:୨) ସେହିଭଳି ଆରମ୍ଭରେ ନୟମୀଙ୍କୁ ବି ଲାଗିଥିଲା ଯେ ତାଙ୍କ ଉପରେ ପାହାଡ଼ ଭଳି ଯେଉଁ ସମସ୍ୟାଗୁଡ଼ିକ ଅଛି, ତାହା ଯିହୋବାଙ୍କ ଯୋଗୁଁ ଆସିଛି । (ରୂତ ୧:୧୩, ୨୦, ୨୧) ଯଦି ଆୟୁବ ଓ ନୟମୀ ନିଜ ଚିନ୍ତାଧାରା ବଦଳାଇ ନ ଥାʼନ୍ତେ, ତାହେଲେ ସେମାନେ ଯିହୋବାଙ୍କଠାରୁ ଦୂରକୁ ଚାଲିଯାଇଥାʼନ୍ତେ । (ହିତୋ. ୧୯:୩) ଯିହୋବା ପ୍ରେମର ସହ ସେମାନଙ୍କ ଚିନ୍ତାଧାରା ସୁଧାରିଲେ ଏବଂ ସେମାନେ ନିଜ ସମସ୍ୟାଗୁଡ଼ିକୁ ଯିହୋବାଙ୍କ ଦୃଷ୍ଟିକୋଣରୁ ଦେଖିପାରିଲେ । ତେଣୁ ସେମାନେ ଯିହୋବାଙ୍କ ବିଶ୍ୱସ୍ତ ରହିପାରିଲେ ଏବଂ ଯିହୋବା ସେମାନଙ୍କୁ ଅନେକ ଆଶିଷ ଦେଲେ ।
୧୦. ଆମ ଜୀବନରେ ସମସ୍ୟାଗୁଡ଼ିକ ଆସିଲେ, ଆମେ କʼଣ ଭାବିବାକୁ ଲାଗିପାରୁ ?
୧୦ ହୁଏତ ଆମେ ଏପରି ଭାବିବାନି ଯେ ଯିହୋବା ଆମ ଉପରେ ସମସ୍ୟାଗୁଡ଼ିକ ଆଣୁଛନ୍ତି । କିନ୍ତୁ ଯେବେ ସମସ୍ୟାଗୁଡ଼ିକ ଶେଷ ହେଉନି, ତେବେ ଆମେ ଏହା ଭାବିବାକୁ ଲାଗିପାରୁ, ‘ଯିହୋବା ମୋ କଷ୍ଟଗୁଡ଼ିକୁ ଦେଖୁଛନ୍ତି ନା ନାହିଁ ?’ ଏପରି ଚିନ୍ତାଧାରାର ଆମ ଉପରେ ଖରାପ ପ୍ରଭାବ ପଡ଼ିପାରେ ଓ ଆମର ସାହସ ଭାଙ୍ଗିପାରେ । (ହିତୋ. ୨୪:୧୦) ରାଜା ଦାଉଦ ଓ ଭବିଷ୍ୟଦ୍ବକ୍ତା ହବକ୍କୂକଙ୍କ ଜୀବନରେ ଅନେକ ସମସ୍ୟା ଆସିଥିଲା । ଅନେକ ଥର ସେମାନେ ପ୍ରଶ୍ନ କଲେ ଯେ ଯିହୋବା ତାଙ୍କର ପ୍ରାର୍ଥନା ଶୁଣୁଛନ୍ତି ନା ନାହିଁ । (ଗୀତ. ୧୦:୧; ହବ. ୧:୨) ତଥାପି ସେମାନେ କେବେ ବି ପ୍ରାର୍ଥନା କରିବା ଛାଡ଼ିଲେ ନାହିଁ । ଯିହୋବା ସେମାନଙ୍କ ପ୍ରାର୍ଥନାଗୁଡ଼ିକର ଉତ୍ତର ଦେଲେ ଏବଂ ସେମାନେ ବୁଝିପାରିଲେ ଯେ ଯିହୋବା ତାଙ୍କ ସାଙ୍ଗରେ ଅଛନ୍ତି । ଭରସା ରଖନ୍ତୁ, ଯିହୋବା ଆପଣଙ୍କର ବି ପ୍ରାର୍ଥନା ଶୁଣିବେ ଏବଂ ଆପଣଙ୍କୁ ବି ସାହାଯ୍ୟ କରିବେ ।—ଗୀତ. ୧୦:୧୭.
୧୧. ଯଦି ଆମେ ବିରୋଧ ବିଷୟରେ ଯିହୋବାଙ୍କ ଦୃଷ୍ଟିକୋଣ ରଖିବାନି, ତାହେଲେ ଆମକୁ କʼଣ ଲାଗିପାରେ ?
୧୧ ଯଦି ଆମେ ଯିହୋବାଙ୍କ ଭଳି ଦୃଷ୍ଟିକୋଣ ରଖିବାନି, ତାହେଲେ ସମସ୍ୟାଗୁଡ଼ିକ ସମୟରେ ଆମକୁ ଏହା ଲାଗିପାରେ ଯେ ଆମେ ତ ଯିହୋବାଙ୍କ ସେବା କରୁଛୁ, ହେଲେ ସେ କାହିଁକି ଆମ ଉପରେ ସମସ୍ୟାଗୁଡ଼ିକ ଆସିବା ପାଇଁ ଦେଉଛନ୍ତି । ଆଉ ଏପରି ଭାବିବା ଯୋଗୁଁ ହୁଏତ ଆମେ ବହୁତ ଚିନ୍ତିତ ହୋଇପାରୁ । (୧ ପିତ. ୪:୧୨) ଯୀଶୁଙ୍କ ଶିଷ୍ୟମାନଙ୍କ ସହିତ ପ୍ରାୟ ଏପରି ହେଲା । ସେମାନେ ଏହା ବିଶ୍ୱାସ କରିପାରୁ ନ ଥିଲେ ଯେ ଯୀଶୁଙ୍କୁ ଅତ୍ୟାଚାର କରାଯିବ । (ଲୂକ ୧୮:୩୩, ୩୪) ଯୀଶୁ ସ୍ପଷ୍ଟ ଭାବେ କହିଥିଲେ ଯେ ତାଙ୍କ ସହିତ କʼଣ ଘଟଣାଗୁଡ଼ିକ ଘଟିବ । କିନ୍ତୁ ପିତରଙ୍କୁ ଲାଗିଲା ଯେ ଯିହୋବା ଯୀଶୁଙ୍କ ଉପରେ କଷ୍ଟଗୁଡ଼ିକ ଆସିବା ପାଇଁ ଦେବେନି । ଯୀଶୁ ଜାଣିଥିଲେ ଯେ ଯିହୋବା ତାଙ୍କଠାରୁ କʼଣ ଆଶା କରନ୍ତି ଏବଂ ସେ ତାଙ୍କର ଆଜ୍ଞା ମାନିବା ପାଇଁ ଚାହୁଁଥିଲେ । ଯୀଶୁ ଏହା ବି ବୁଝିଯାଇଥିଲେ ଯେ ଯଦି ସେ ପିତରଙ୍କ ଭଳି ଦୃଷ୍ଟିକୋଣ ରଖିବେ, ତାହେଲେ ସେ ଯିହୋବାଙ୍କ ଇଚ୍ଛା ପୂରା କରିପାରିବେ ନାହିଁ ଏବଂ ଅତ୍ୟାଚାରଗୁଡ଼ିକୁ ସହିପାରିବେ ନାହିଁ । ସେଥିପାଇଁ ସେ ପିତରଙ୍କ ଚିନ୍ତାଧାରା ସୁଧାରିଲେ । (ମାର୍କ ୮:୩୧-୩୩) ଯୀଶୁଙ୍କ ମୃତ୍ୟୁ ପରେ ଶିଷ୍ୟମାନେ ତୁରନ୍ତ ଏହା ବୁଝିପାରିଲେ ନାହିଁ ଯେ ତାଙ୍କୁ କାହିଁକି ଅତ୍ୟାଚାର ସହି ମୃତ୍ୟୁଭୋଗ କରିବାକୁ ପଡ଼ିଲା । ଯୀଶୁ ଜୀବିତ ହେବା ପରେ ନିଜ ଶିଷ୍ୟମାନଙ୍କ ସହିତ କଥା ହେଲେ ଏବଂ ପ୍ରେମର ସହ ସେମାନଙ୍କ ଚିନ୍ତାଧାରା ସୁଧାରିଲେ । ସେ ସେମାନଙ୍କୁ ‘ଧର୍ମଶାସ୍ତ୍ରରୁ’ ଏହା ବୁଝିବା ପାଇଁ ସାହାଯ୍ୟ କଲେ ଯେ ତାଙ୍କୁ କାହିଁକି ଏତେ କଷ୍ଟଗୁଡ଼ିକ ସହିବାକୁ ପଡ଼ିଲା । (ଲୂକ ୨୪:୨୫-୨୭, ୩୨, ୪୪-୪୮) ଯୀଶୁ ନିଜ ଶିଷ୍ୟମାନଙ୍କୁ ଯାହା ଶିଖାଇଲେ, ସେଗୁଡ଼ିକ ବିଷୟରେ ଚିନ୍ତନ କରିବା ଯୋଗୁଁ ସେମାନେ ଘୃଣା ଓ ବିରୋଧ ବିଷୟରେ ସଠିକ୍ ଦୃଷ୍ଟିକୋଣ ରଖିପାରିଲେ ଏବଂ କଡ଼ା ବିରୋଧର ସାମନା କରିବା ପାଇଁ ମଧ୍ୟ ପ୍ରସ୍ତୁତ ହୋଇପାରିଲେ । ଆମେ ବି ଅତ୍ୟାଚାରଗୁଡ଼ିକ ପାଇଁ ପ୍ରସ୍ତୁତ ରହିପାରିବା । ଏହା ପାଇଁ ଆମକୁ ବାଇବଲରେ ବିରୋଧ ଓ ଅତ୍ୟାଚାର ବିଷୟରେ ଯାହା କୁହାଯାଇଛି, ସେଗୁଡ଼ିକ ଉପରେ ଚିନ୍ତନ କରିବାକୁ ପଡ଼ିବ ।
୧୨. ନିଜ ପରିସ୍ଥିତି ବିଷୟରେ ସଠିକ୍ ଦୃଷ୍ଟିକୋଣ ନ ରଖିଲେ କʼଣ ହୋଇପାରେ ?
୧୨ ଯଦି ଆମେ ସମସ୍ୟାଗୁଡ଼ିକ ବିଷୟରେ ଯିହୋବାଙ୍କ ଭଳି ଦୃଷ୍ଟିକୋଣ ରଖିବାନି, ତାହେଲେ ଆମକୁ ଲାଗିପାରେ ଯେ ଆମ ପରିସ୍ଥିତି ବହୁତ ଖରାପ ଅଛି । କିନ୍ତୁ ପ୍ରକୃତରେ ତାହା ସେତିକି ଖରାପ ନ ଥିବ । ଏହାକୁ ବୁଝିବା ପାଇଁ ଯୀଶୁଙ୍କର ଗୋଟିଏ ଉଦାହରଣ ମନେ ପକାନ୍ତୁ । ସେ ଦ୍ରାକ୍ଷାକ୍ଷେତ୍ରରେ କାମ କରୁଥିବା ମୂଲିଆମାନଙ୍କ ବିଷୟରେ କହିଲେ । ସେମାନଙ୍କର ଦୃଷ୍ଟିକୋଣ ଠିକ୍ ନ ଥିଲା । କିଛି ମୂଲିଆ ଭାବୁଥିଲେ ଯେ ମାଲିକ ସେମାନଙ୍କ ସହିତ ଅନ୍ୟାୟ କରୁଛନ୍ତି ଏବଂ ସେମାନଙ୍କୁ ଯେତିକି ମଜୁରି ମିଳିବା କଥା, ସେତିକି ମଜୁରି ଦେଉ ନାହାନ୍ତି । କିନ୍ତୁ ମାଲିକ ସେମାନଙ୍କ ମଧ୍ୟରୁ ଜଣକୁ ଉତ୍ତର ଦେଇ କହିଲେ, “ଭାଇ, ତୋʼ ପ୍ରତି ମୁଁ ଅନ୍ୟାୟ କରୁ ନାହିଁ ।” (ମାଥି. ୨୦:୧୦-୧୩) ଆଉ ଏହା ସତ ବି ଥିଲା । ମାଲିକ ମୂଲିଆମାନଙ୍କ ସହିତ କୌଣସି ଅନ୍ୟାୟ କରୁ ନ ଥିଲେ । ସେମାନେ କେବଳ ଏଥିପାଇଁ ଖୁସି ନ ଥିଲେ କାରଣ ସେମାନେ ଏପରି ଜିନିଷ ପାଇବାର ଆଶା କରୁଥିଲେ, ଯାହାର ଆଶା ସେମାନଙ୍କୁ କରିବାର ନ ଥିଲା । ଆଜି ବି କିଛି ଭାଇଭଉଣୀଙ୍କ ସହିତ ଏପରି ହୋଇପାରେ । ହୁଏତ ସେବା କରିବାର କୌଣସି ଭଲ ସୁଯୋଗ ବା ଦାୟିତ୍ୱ ତାଙ୍କୁ ମିଳି ନ ଥିବ କିମ୍ବା କୌଣସି ଦାୟିତ୍ୱ ତାଙ୍କଠାରୁ ଫେରାଇ ନିଆଯାଇଥିବ । ଏପରି ସମୟରେ ସେମାନଙ୍କୁ ଲାଗିପାରେ ଯେ ସେମାନଙ୍କ ସହିତ ଯାହା ହେଲା, ତାହା ଠିକ୍ ନ ଥିଲା । ଆସନ୍ତୁ ଦେଖିବା ଯେ ସମସ୍ୟାଗୁଡ଼ିକ ବିଷୟରେ ଯିହୋବାଙ୍କ ଭଳି ଦୃଷ୍ଟିକୋଣ ରଖିବା ପାଇଁ ଆମେ କʼଣ କରିପାରିବା ।
ସମସ୍ୟା ସମୟରେ କʼଣ କରିବା ?
୧୩. ଯେବେ ଆମ ସମସ୍ୟାଗୁଡ଼ିକ ଲମ୍ବା ସମୟ ଯାଏ ରହେ, ତେବେ ଆମକୁ କʼଣ ଲାଗିପାରେ ?
୧୩ ଆମେ ବାଇବଲରୁ ଜାଣିଛୁ ଯେ ଆମ ଉପରେ କାହିଁକି ସମସ୍ୟାଗୁଡ଼ିକ ଆସେ । ହୁଏତ ଆମେ ଏବିଷୟରେ ଅନ୍ୟମାନଙ୍କୁ ବି କହିଥିବା ଏବଂ ସେମାନଙ୍କର ସାହସ ବଢ଼ାଇଥିବା । କିନ୍ତୁ ଯେବେ ଆମ ଜୀବନରେ ସମସ୍ୟାଗୁଡ଼ିକ ଆସେ ଏବଂ ଆମକୁ ଲମ୍ବା ସମୟ ଯାଏ ଗୋଟିଏ ଗୋଟିଏ ଦିନ କାଟିବା କଷ୍ଟକର ଲାଗେ, ତେବେ ଆମ ପାଇଁ ସଠିକ୍ ଦୃଷ୍ଟିକୋଣ ରଖିବା ସହଜ ହୋଇ ନ ଥାଏ । ହୁଏତ ଆମକୁ ଲାଗିପାରେ, ‘ଯିହୋବା ମୋତେ ଦଣ୍ଡ ଦେଉଛନ୍ତି’ କିମ୍ବା ‘ଯିହୋବା ମୋ ପ୍ରାର୍ଥନା ଶୁଣୁ ନାହାନ୍ତି ।’ ହେଲେ ସମସ୍ୟାଗୁଡ଼ିକ ବିଷୟରେ ଯିହୋବାଙ୍କ ଭଳି ଦୃଷ୍ଟିକୋଣ ରଖିବା ପାଇଁ ଆମେ କʼଣ କରିପାରିବା ?
୧୪. ସମସ୍ୟା ସମୟରେ ଆପଣ ଯିହୋବାଙ୍କୁ ପ୍ରାର୍ଥନାରେ କʼଣ କହିପାରିବେ ? (ଫିଲିପ୍ପୀୟ ୪:୧୩)
୧୪ ଯିହୋବାଙ୍କୁ ସାହାଯ୍ୟ ମାଗନ୍ତୁ । ଯିହୋବାଙ୍କୁ ପ୍ରାର୍ଥନାରେ କହନ୍ତୁ ଯେ ଆପଣଙ୍କ ଉପରେ କʼଣ ଘଟୁଛି ଏବଂ ଆପଣ କିପରି ଅନୁଭବ କରୁଛନ୍ତି । ତାଙ୍କୁ ସ୍ପଷ୍ଟ ଭାବେ କହନ୍ତୁ ଯେ ସେ କେଉଁଭଳି ଭାବେ ଆପଣଙ୍କ ସାହାଯ୍ୟ କରନ୍ତୁ ବୋଲି ଆପଣ ଚାହାନ୍ତି । ଆପଣ ସମସ୍ୟାଗୁଡ଼ିକୁ ସହିବା ପାଇଁ ତାଙ୍କୁ ପବିତ୍ର ଶକ୍ତି ମାଗିପାରିବେ ଏବଂ ଭଲ ନିଷ୍ପତ୍ତି ନେବା ପାଇଁ ବୁଦ୍ଧି ମାଗିପାରିବେ । କିନ୍ତୁ ମନେ ରଖନ୍ତୁ, ଜରୁରୀ ନୁହେଁ ଯେ ଯିହୋବା ପ୍ରତିଥର ଆପଣଙ୍କ ପ୍ରାର୍ଥନାର ଉତ୍ତର ସେହିଭଳି ଭାବେ ଦେବେ, ଯେପରି ଆପଣ ଭାବିଥିଲେ । (ଏଫି. ୩:୨୦) ହୁଏତ ସେ ସ୍ୱର୍ଗଦୂତମାନଙ୍କ ଜରିଆରେ ବା ଭାଇଭଉଣୀମାନଙ୍କ ଜରିଆରେ ଆପଣଙ୍କୁ ସାହାଯ୍ୟ କରିପାରିବେ । (ଗୀତ. ୩୪:୭) ଯିହୋବାଙ୍କୁ ସାହାଯ୍ୟ ମାଗିବା ପରେ ଏହା ବି ଧ୍ୟାନ ଦିଅନ୍ତୁ ଯେ ସେ କେଉଁଭଳି ଭାବେ ଆପଣଙ୍କ ପ୍ରାର୍ଥନାର ଉତ୍ତର ଦେଉଛନ୍ତି ଏବଂ ତାଙ୍କ ସାହାଯ୍ୟକୁ ଗ୍ରହଣ କରନ୍ତୁ । ଯିହୋବା ଉଦାର ହୋଇ ନିଜର ପବିତ୍ର ଶକ୍ତି ଦିଅନ୍ତି । ସେଥିପାଇଁ ଭରସା ରଖନ୍ତୁ, ଆପଣଙ୍କ ଜୀବନରେ ଯେତେ ବଡ଼ ସମସ୍ୟା ଥିଲେ ବି, ଯିହୋବା ଆପଣଙ୍କୁ ତାହାର ସାମନା କରିବା ପାଇଁ ନିଶ୍ଚୟ ସାହାଯ୍ୟ କରିବେ ।—ଫିଲିପ୍ପୀୟ ୪:୧୩ ପଢ଼ନ୍ତୁ ।
୧୫. ସମସ୍ୟାଗୁଡ଼ିକର ସାମନା କରିବା ପାଇଁ ଆମେ କʼଣ କରିପାରିବା ? (ଚିତ୍ର ମଧ୍ୟ ଦେଖନ୍ତୁ ।)
୧୫ ଯିହୋବାଙ୍କ ସେବା ସହ ଜଡ଼ିତ କାମରେ ଲାଗି ରହନ୍ତୁ । ସମସ୍ୟା ସମୟରେ ହୁଏତ ଆପଣ ପୂର୍ବେ ଯେତିକି କରିପାରୁଥିଲେ, ଏବେ ସେତିକି କରିପାରୁ ନାହାନ୍ତି । କିନ୍ତୁ ଏହି “କ୍ଲେଶ ଓ ଯନ୍ତ୍ରଣା” ସମୟରେ ଯିହୋବାଙ୍କର ଦୃଷ୍ଟିକୋଣକୁ ମନେ ରଖିବା ବହୁତ ଜରୁରୀ । (ଗୀତ. ୧୧୯:୧୪୩) ସେଥିପାଇଁ ଏହି ସମୟରେ ଆପଣଙ୍କ ଦ୍ୱାରା ଯେତେ ସମ୍ଭବ ହୋଇପାରିବ, ଯିହୋବାଙ୍କର ଶୁଣିବା ପାଇଁ ଚେଷ୍ଟା କରନ୍ତୁ । ଯେପରି ପ୍ରତିଦିନ ବାଇବଲ ପଢ଼ନ୍ତୁ, ଅଧ୍ୟୟନ କରନ୍ତୁ ଓ ସେବିଷୟରେ ଚିନ୍ତନ କରନ୍ତୁ । ଆପଣଙ୍କ ପରିସ୍ଥିତି ଅନୁଯାୟୀ ଅନ୍ୟମାନଙ୍କୁ ସୁସମାଚାର ଶୁଣାଇବା ପାଇଁ ଚେଷ୍ଟା କରନ୍ତୁ । ସଭାକୁ ଯାʼନ୍ତୁ ଓ ସେଥିରେ ଭାଗ ନିଅନ୍ତୁ । ଭାଇଭଉଣୀମାନଙ୍କ ସହିତ ଲଗାତାର କଥା ହୁଅନ୍ତୁ । ବୋଧେ ଆପଣଙ୍କୁ ଏକା ରହିବା ପାଇଁ ଇଚ୍ଛା ହୋଇପାରେ, କିନ୍ତୁ ଅନ୍ୟମାନଙ୍କ ସହିତ ମିଳାମିଶା କରିବା ଛାଡ଼ନ୍ତୁ ନାହିଁ ।—ହିତୋ. ୧୮:୧.
ନିଜ ପରିସ୍ଥିତି ଅନୁଯାୟୀ ଯିହୋବାଙ୍କ ସେବା ସହ ଜଡ଼ିତ କାମଗୁଡ଼ିକରେ ଲାଗି ରହନ୍ତୁ (ପାରାଗ୍ରାଫ ୧୫)
୧୬. ସମସ୍ୟାଗୁଡ଼ିକ ସମୟରେ ଆମେ କʼଣ ଭାବିବାକୁ ଲାଗିପାରୁ ଏବଂ ସେସମୟରେ ଆମେ କʼଣ କରିପାରିବା ? (୨ କରିନ୍ଥୀୟ ୧୦:୪, ୫)
୧୬ ନିଜର ସନ୍ଦେହ ଦୂର କରନ୍ତୁ । ଯେବେ ଆମ ଜୀବନରେ ସମସ୍ୟା ଆସେ, ତେବେ ହୁଏତ ଆମେ ନିଜ ବିଷୟରେ କିମ୍ବା ଯିହୋବାଙ୍କ ବିଷୟରେ ଏପରି କଥାଗୁଡ଼ିକୁ ଭାବିବାକୁ ଲାଗିପାରୁ, ଯାହା ଠିକ୍ ନୁହେଁ । ହେଲେ ଏପରି ସମୟରେ ଆମକୁ ନିଜ ମନରୁ “ଦୃଢ଼ ଗଡ଼” ଭଳି ଥିବା କଥାଗୁଡ଼ିକୁ ବାହାର କରିବାକୁ ପଡ଼ିବ । (୨ କରିନ୍ଥୀୟ ୧୦:୪, ୫ ପଢ଼ନ୍ତୁ ।) ଏହା ଆମେ କିପରି କରିପାରିବା ? “ଈଶ୍ୱରଙ୍କ ଜ୍ଞାନ” ନେଇ ଆମେ ଏପରି କରିପାରିବା, ଯାହା ଆମକୁ ତାଙ୍କ ବାକ୍ୟ ବାଇବଲରୁ ଓ ତାଙ୍କ ସଂଗଠନ ଜରିଆରେ ପ୍ରକାଶିତ ହେଉଥିବା ପ୍ରକାଶନଗୁଡ଼ିକରୁ ମିଳେ । କʼଣ ଆପଣଙ୍କୁ ଲାଗେ ଯେ ଯିହୋବା ଆପଣଙ୍କ ଉପରେ ଖୁସି ନାହାନ୍ତି ? ହେଲେ ପ୍ରେରିତ ପାଉଲଙ୍କ ବିଷୟରେ ଅଧ୍ୟୟନ କରନ୍ତୁ । ସେ ନିଜ ସେବା ସମୟରେ ଉତ୍ସାହର ସହ ପ୍ରଚାର କଲେ, ତଥାପି ତାଙ୍କୁ ଅନେକ ବଡ଼ ବଡ଼ ସମସ୍ୟାର ସାମନା କରିବାକୁ ପଡ଼ିଲା । କିନ୍ତୁ ତାଙ୍କ ବିଶ୍ୱାସ ଦୁର୍ବଳ ହେଲା ନାହିଁ, ବରଂ ତାଙ୍କର ଏହି କଥା ଉପରେ ବିଶ୍ୱାସ ଆହୁରି ବଢ଼ିଗଲା ଯେ ଯିହୋବା ଓ ଯୀଶୁ ତାଙ୍କ ଉପରେ ଖୁସି ଅଛନ୍ତି । (୨ କରି. ୧୧:୨୩-୨୭) କʼଣ ଆପଣଙ୍କୁ ଲାଗେ ଯେ ଯିହୋବା ଆପଣଙ୍କ ପାପ କ୍ଷମା କରି ନାହାନ୍ତି ? ହେଲେ ଏପରି ପଦଗୁଡ଼ିକୁ ଲେଖି ରଖନ୍ତୁ, ଯେଉଁଥିରୁ ଜଣାପଡ଼େ ଯେ ଯିହୋବା ଆମକୁ କ୍ଷମା କରିଦିଅନ୍ତି । (ଯିଶା. ୪୩:୨୫) ସେହି ପଦଗୁଡ଼ିକୁ ପଢ଼ନ୍ତୁ ଏବଂ ସେବିଷୟରେ ଗଭୀର ଭାବେ ଚିନ୍ତନ କରନ୍ତୁ । (ଗୀତ. ୧୧୯:୯୭) କʼଣ କୌଣସି ଦୁର୍ଘଟଣା ଯୋଗୁଁ ଆପଣଙ୍କୁ ଏକଥା ଉପରେ ବିଶ୍ୱାସ କରିବା କଠିନ ଲାଗୁଛି ଯେ ଯିହୋବା ନିଜ ଲୋକମାନଙ୍କ ରକ୍ଷା କରନ୍ତି ? ହେଲେ ଏବିଷୟରେ ଅନୁସନ୍ଧାନ କରନ୍ତୁ ଯେ ଯିହୋବା କାହିଁକି ଆମ ଜୀବନରେ ସମସ୍ୟାଗୁଡ଼ିକୁ ଆସିବା ପାଇଁ ଦିଅନ୍ତି । ତାʼସହିତ ଆପଣ ଏବିଷୟରେ ବି ଅନୁସନ୍ଧାନ କରନ୍ତୁ ଯେ ଯିହୋବା କିପରି ତାଙ୍କ ସହିତ ଆମର ଯେଉଁ ସମ୍ପର୍କ ରହିଛି, ତାହାର ସୁରକ୍ଷା କରନ୍ତି । (ଗୀତ. ୯୧:୯-୧୨) ସେହି ଭାଇଭଉଣୀମାନଙ୍କ ବିଷୟରେ ବି ପଢ଼ନ୍ତୁ, ଯେଉଁମାନେ ଅନେକ ସମସ୍ୟା ସତ୍ତ୍ୱେ ଖୁସିର ସହ ଯିହୋବାଙ୍କ ସେବା କରିବା ଜାରି ରଖିଲେ ।a
୧୭. ଆମକୁ ସମସ୍ୟା ସମୟରେ କʼଣ କରିବା ଉଚିତ୍ ?
୧୭ କʼଣ ବର୍ତ୍ତମାନ ଆପଣଙ୍କ ଜୀବନରେ କୌଣସି ସମସ୍ୟା ନାହିଁ ଏବଂ ଆପଣ ‘ସୁଖ ସମୟର’ ମଜା ନେଉଛନ୍ତି ? ହେଲେ ଯିହୋବାଙ୍କୁ ଧନ୍ୟବାଦ କରନ୍ତୁ ଏବଂ ଏପରି କାମ କରନ୍ତୁ ଯେଉଁଥିରୁ ତାଙ୍କର ମହିମା ହୁଏ । (ଉପ. ୭:୧୪) ଆଉ ଯେବେ ସମସ୍ୟାଗୁଡ଼ିକ ଆସେ, ତେବେ ଯିହୋବାଙ୍କ ଭଳି ଦୃଷ୍ଟିକୋଣ ରଖନ୍ତୁ ଏବଂ ତାଙ୍କ ଉପରେ ପୂରା ଭରସା କରନ୍ତୁ । ଏପରି କଲେ ଆପଣ ‘ଯେପରି ସହ୍ୟ କରିପାରିବେ ଏଥିପାଇଁ ପରୀକ୍ଷା ଘଟିବା ସଙ୍ଗେ ସଙ୍ଗେ ଯିହୋବା ଉଦ୍ଧାରର ପଥ ମଧ୍ୟ ପ୍ରସ୍ତୁତ କରିବେ ।’ (୧ କରି. ୧୦:୧୩) କିନ୍ତୁ ଯେବେ ଆମ ଭାଇଭଉଣୀମାନେ କୌଣସି ସମସ୍ୟାର ସାମନା କରନ୍ତି, ତେବେ ଆମେ କʼଣ କରିପାରିବା ? ଏହି ବିଷୟରେ ଆମେ ପରବର୍ତ୍ତୀ ଲେଖାରେ ଜାଣିବା ।
ଗୀତ ୧୫୦ ଯିହୋବାଙ୍କ ନିକଟରେ ପାଇବା ସୁରକ୍ଷା
a ଯେପରି ଆପଣ jw.org ୱେବସାଇଟ୍ରେ ଦିଆଯାଇଥିବା ଜୀବନ କାହାଣୀ “ଆଶୁଁ ଔର ଗମ୍ ମେ ଡୁବେ ପରିୱାର ମେଁ ଲୌଟି ଖୁସିୟାଁ” ଲେଖା ପଢ଼ିପାରିବେ । ସେଥିରେ କୁହାଯାଇଛି ଯେ ଯେବେ ଭାଇ ଡେଭିଡ୍ ମେଜାଙ୍କ ପୁଅଙ୍କ ମୃତ୍ୟୁ ହେଲା, ତେବେ ସେ ଓ ତାଙ୍କ ପରିବାର କିପରି ସେହି ଦୁଃଖକୁ ସହିପାରିଲା ।