ବୃଦ୍ଧ ଭାଇଭଉଣୀମାନେ, ଆପଣ ମଣ୍ଡଳୀ ପାଇଁ ଏକ ଆଶିଷ
“ବେଳେବେଳେ ମୁଁ ଏହା ଭାବି ବହୁତ ଆଶ୍ଚର୍ଯ୍ୟ ହୋଇଯାଏ ଯେ ଦିନେ ମୁଁ ଅନେକ କାମ କରିପାରୁଥିଲି, କିନ୍ତୁ ଏବେ ବୟସ ଯୋଗୁଁ ସେତିକି କରିପାରୁ ନାହିଁ ।”—କୋନି, ୮୩ ବର୍ଷ ।
ଆପଣ ଅନେକ ବର୍ଷରୁ ବିଶ୍ୱସ୍ତତାର ସହିତ ଯିହୋବାଙ୍କ ସେବା କରିଛନ୍ତି, କିନ୍ତୁ ଏବେ ହୁଏତ ବୟସ ବଢ଼ିବା ଯୋଗୁଁ ଏବଂ ପରିସ୍ଥିତିରେ ପରିବର୍ତ୍ତନ ହେବା ଯୋଗୁଁ ଆପଣ ପୂର୍ବ ଭଳି ଆଉ କରିପାରୁ ନାହାନ୍ତି, ତେଣୁ ଆପଣ ନିରାଶ ହୋଇଯାʼନ୍ତି । ହୁଏତ ପ୍ରାୟ ସମୟରେ ଆପଣ ଭାବନ୍ତି ଯେ ମୁଁ ଦିନେ ଅନେକ କାମ କରିପାରୁଥିଲି, କିନ୍ତୁ ଏବେ କିଛି କରିପାରୁ ନାହିଁ । ଏପରି ସମୟରେ ଆପଣ କିପରି ନିଜର ଖୁସି ବଜାୟ ରଖିପାରିବେ ?
ଯିହୋବା ଆପଣଙ୍କଠାରୁ କʼଣ ଆଶା କରନ୍ତି ?
ନିଜକୁ ପଚାରନ୍ତୁ, ‘ଯିହୋବା ମୋଠାରୁ କʼଣ ଆଶା କରନ୍ତି ?’ ଦ୍ୱିତୀୟ ବିବରଣ ୬:୫ ପଦରୁ ଆପଣଙ୍କୁ ବହୁତ ସାନ୍ତ୍ୱନା ମିଳିପାରିବ । ସେଠାରେ ଲେଖାଅଛି, ‘ତୁମ୍ଭେ ନିଜର ସମସ୍ତ ଅନ୍ତଃକରଣ ଓ ସମସ୍ତ ପ୍ରାଣ ଓ ସମସ୍ତ ଶକ୍ତି ସହିତ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କୁ ପ୍ରେମ କରିବ ।’
ଏହି ପଦ ଅନୁସାରେ ଯିହୋବା ଚାହାନ୍ତି ଯେ ଆପଣ ନିଜର ଅନ୍ତଃକରଣ, ପ୍ରାଣ ଓ ଶକ୍ତିରୁ ତାଙ୍କୁ ପ୍ରେମ କରନ୍ତୁ । ଯଦି ଆପଣ ଏହି କଥା ଉପରେ ଧ୍ୟାନ ଦେବେ, ତାହେଲେ ଆପଣ ନିଜର ତୁଳନା ଅନ୍ୟମାନଙ୍କ ସହିତ କରିବେ ନାହିଁ । ଆପଣ ଏପରି ବି ଭାବିବେ ନାହିଁ ଯେ ଆପଣ ଦିନେ ଅନେକ କାମ କରିପାରୁଥିଲେ, କିନ୍ତୁ ଏବେ କିଛି କରିପାରୁ ନାହାନ୍ତି ।
ଭାବନ୍ତୁ ଯେ ଆପଣ ଯୁବା ଥିବା ସମୟରେ ଯିହୋବାଙ୍କ ସେବାରେ କʼଣ କʼଣ କରିଛନ୍ତି । ଯଦି ଆପଣ ଯିହୋବାଙ୍କର ଅଧିକାଂଶ ସେବକଙ୍କୁ ପଚାରିବେ, ତାହେଲେ ସେମାନେ ବି କହିବେ ଯେ ସେମାନେ ଯୁବା ଥିବା ସମୟରେ ଯିହୋବାଙ୍କ ସେବାରେ ଅନେକ କାମ କରିଥିଲେ । ଆପଣ ମଧ୍ୟ ସେସମୟରେ ନିଜର ପରିସ୍ଥିତି ଅନୁଯାୟୀ ଯିହୋବାଙ୍କୁ ସବୁଠୁ ଉତ୍ତମ ଦେଉଥିଲେ । କିନ୍ତୁ ଆଜି ବି ଆପଣ ନିଜ ପରିସ୍ଥିତି ଅନୁଯାୟୀ ଯିହୋବାଙ୍କୁ ନିଜର ସବୁଠୁ ଉତ୍ତମ ଦେଉଥିବେ । ଯଦି ଆପଣ ଏହିପ୍ରକାର ଚିନ୍ତାଧାରା ରଖିବେ, ତାହେଲେ ଆପଣ ଅନୁଭବ କରିପାରିବେ ଯେ ପୂର୍ବେ ଆପଣ ଯିହୋବାଙ୍କ ପାଇଁ ଯେତିକି କରିପାରୁଥିଲେ, ଆଜି ମଧ୍ୟ ଆପଣ ସେତିକି କରିପାରୁଛନ୍ତି । ଆପଣ ପୂର୍ବେ ଯିହୋବାଙ୍କୁ ନିଜର ସବୁଠୁ ଉତ୍ତମ ଦେଉଥିଲେ ଏବଂ ଆଜି ବି ତାଙ୍କୁ ସବୁଠୁ ଉତ୍ତମ ଦେଉଛନ୍ତି ।
ଯେବେ ଆପଣ ବୃଦ୍ଧାବସ୍ଥାରେ ଯିହୋବାଙ୍କୁ ନିଜର ସବୁଠୁ ଉତ୍ତମ ଦିଅନ୍ତି, ତେବେ ଆପଣ ଯିହୋବାଙ୍କୁ ସେତିକି ହିଁ ଦେଉଛନ୍ତି ଯେତିକି ଆପଣ ଯୁବାବସ୍ଥାରେ ଦେଉଥିଲେ
ଆପଣ ନିଶ୍ଚୟ ଅନ୍ୟମାନଙ୍କୁ ସାହାଯ୍ୟ କରିପାରିବେ
କେବଳ ଏହା ଭାବନ୍ତୁ ନାହିଁ ଯେ ବୟସ ବଢ଼ିବା ଯୋଗୁଁ ଆପଣ କʼଣ କʼଣ କରିପାରିବେ ନାହିଁ, ବରଂ ଏହା ଭାବିବା ପାଇଁ ଚେଷ୍ଟା କରନ୍ତୁ ଯେ ଏହି ସମୟରେ ଆପଣଙ୍କ ପାଖରେ କʼଣ କʼଣ କରିବାର ସୁଯୋଗ ରହିଛି । ଯଦିଓ ଆପଣଙ୍କର ବୟସ ହୋଇଯାଇଛି, ତଥାପି ଆଜି ଆପଣ ସେହି କାମ କରିପାରିବେ ଯାହା ଆପଣ ଯୁବା ସମୟରେ କରିପାରି ନ ଥାʼନ୍ତେ । ଉଦାହରଣ ପାଇଁ:
ଅନ୍ୟମାନଙ୍କୁ ନିଜର ଅନୁଭୂତି କହନ୍ତୁ । ଧ୍ୟାନ ଦିଅନ୍ତୁ ଯେ ତଳେ ଦିଆଯାଇଥିବା ବାଇବଲର ଏହି ପଦଗୁଡ଼ିକରେ କʼଣ କୁହାଯାଇଛି:
ରାଜା ଦାଉଦ କହିଲେ: “ମୁଁ ଯୁବା ଥିଲି, ଏବେ ବୃଦ୍ଧ ହୋଇଅଛି; ତଥାପି ମୁଁ ଧାର୍ମିକକୁ ପରିତ୍ୟକ୍ତ, ଅବା ତାହାର ବଂଶକୁ ଖାଦ୍ୟ ଭିକ୍ଷା କରିବାର ଦେଖି ନାହିଁ ।”—ଗୀତ. ୩୭:୨୫.
ଯିହୋଶୂୟ କହିଲେ: “ଦେଖ, ଆଜି ମୁଁ ସମଗ୍ର ମର୍ତ୍ତ୍ୟର ମାର୍ଗରେ ଯାଉଅଛି । ତୁମ୍ଭେମାନେ ସମସ୍ତ ଅନ୍ତଃକରଣ ଓ ସମସ୍ତ ବୁଦ୍ଧିରେ ଜ୍ଞାତ ଅଛ ଯେ, ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ତୁମ୍ଭମାନଙ୍କ ବିଷୟରେ ଯେତେ ମଙ୍ଗଳ କଥା କହିଥିଲେ, ତହିଁ ମଧ୍ୟରୁ ଗୋଟିଏ ମାତ୍ର କଥା ବିଫଳ ହୋଇ ନାହିଁ; ତୁମ୍ଭମାନଙ୍କ ପକ୍ଷରେ ସବୁ ସଫଳ ହୋଇଅଛି ।”—ଯିହୋ. ୨୩:୧୪.
ହୁଏତ ଅନ୍ୟମାନଙ୍କର ଉତ୍ସାହ ବଢ଼ାଇବା ପାଇଁ ଆପଣ ବି ଦାଉଦ ଓ ଯିହୋଶୂୟଙ୍କ ଭଳି କଥା କହିଥିବେ । ସେମାନେ ଏହି କଥାଗୁଡ଼ିକ ନିଜ ଜୀବନର ଅନୁଭୂତିରୁ କହିଥିଲେ । କାରଣ ସେମାନେ ଅନେକ ବର୍ଷରୁ ବିଶ୍ୱସ୍ତତାର ସହିତ ଯିହୋବାଙ୍କର ସେବା କରୁଥିଲେ ଏବଂ ଅନେକ ଥର ଏହି କଥାଗୁଡ଼ିକୁ ପୂରା ହେବାର ବି ଦେଖିଥିଲେ । ସେଥିପାଇଁ ସେମାନେ ଯାହା କହିଲେ, ତାହା ଲୋକମାନଙ୍କ ପାଇଁ ବହୁତ ମହତ୍ତ୍ୱ ରଖୁଥିଲା ।
ହୁଏତ ଆପଣ ଲମ୍ବା ସମୟରୁ ଯିହୋବାଙ୍କର ସେବା କରୁଛନ୍ତି । ସେଥିପାଇଁ ଆପଣ ବି ଅନ୍ୟମାନଙ୍କୁ କହିପାରିବେ ଯେ ଯିହୋବାଙ୍କ ସେବା କରିବା ଯୋଗୁଁ କେତେ ଆଶିଷଗୁଡ଼ିକ ମିଳେ । କʼଣ ଆପଣଙ୍କୁ ଏପରି କୌଣସି ଘଟଣା ମନେ ଅଛି, ଯେବେ ଯିହୋବା କୌଣସି ବିଶେଷ ଉପାୟରେ ନିଜ ଲୋକମାନଙ୍କୁ ସାହାଯ୍ୟ କରିଥିଲେ ? ତାହେଲେ ଆପଣ ଏବିଷୟରେ ଅନ୍ୟମାନଙ୍କୁ କହନ୍ତୁ । ଯେପରି ସେହି ଘଟଣା ଶୁଣି ଆପଣଙ୍କୁ ଖୁସି ମିଳିଥିଲା, ଠିକ୍ ସେହିପରି ଅନ୍ୟମାନଙ୍କୁ ବି ଖୁସି ମିଳିବ । ଯିହୋବାଙ୍କ ସେବାରେ ଆପଣଙ୍କ ପାଖରେ ଯାହା ବି ଭଲ ଅନୁଭୂତି ରହିଛି, ସେବିଷୟରେ ଶୁଣି ଅନ୍ୟମାନଙ୍କୁ ବହୁତ ଉତ୍ସାହ ମିଳିପାରିବ ।—ରୋମୀ. ୧:୧୧, ୧୨.
ଆଉ ଗୋଟିଏ ଉପାୟରୁ ବି ଆପଣ ଅନ୍ୟମାନଙ୍କର ଉତ୍ସାହ ବଢ଼ାଇପାରିବେ । ଯେତେ ସମ୍ଭବ ଆପଣ ସଭା ପାଇଁ ରାଜ୍ୟଘରକୁ ଯିବା ପାଇଁ ଚେଷ୍ଟା କରନ୍ତୁ । ଏପରି କଲେ ଅନ୍ୟମାନଙ୍କର ଉତ୍ସାହ ବଢ଼ିବା ସହିତ ଆପଣଙ୍କର ବି ଉତ୍ସାହ ବଢ଼ିବ । ଭଉଣୀ କୋନି ଯାହାଙ୍କ ବିଷୟରେ ଆମେ ପୂର୍ବେ ଚର୍ଚ୍ଚା କରିଥିଲୁ, ସେ କହନ୍ତି, “ସଭାକୁ ଯିବା ଦ୍ୱାରା ମୋତେ ବହୁତ ସାହାଯ୍ୟ ମିଳେ । ମୁଁ ଅନେକ ଭାଇଭଉଣୀମାନଙ୍କର ପ୍ରେମ ଅନୁଭବ କରିପାରେ, ତେଣୁ ମୁଁ ନିରାଶ ରହେନି । ମୁଁ ନିଜର କୃତଜ୍ଞତା ଦେଖାଇବା ପାଇଁ ସେମାନଙ୍କୁ କିଛି ଛୋଟ ଉପହାର ଦିଏ ଏବଂ ସବୁବେଳେ ସେମାନଙ୍କ ସହିତ ମିଶି ଆଧ୍ୟାତ୍ମିକ କାମଗୁଡ଼ିକରେ ଲାଗି ରହିବା ପାଇଁ ଚେଷ୍ଟା କରେ ।”
ଆପଣ ଯିହୋବାଙ୍କ ସେବାରେ ଯାହା କରୁଛନ୍ତି ତାʼପାଇଁ ସେ ବହୁତ କୃତଜ୍ଞ
ବାଇବଲରେ ଏପରି ଅନେକ ଲୋକଙ୍କ ବିଷୟରେ କୁହାଯାଇଛି, ଯେଉଁମାନେ ନିଜ ପରିସ୍ଥିତି ଯୋଗୁଁ ଯିହୋବାଙ୍କ ସେବାରେ ଅଧିକ କରିପାରିଲେ ନାହିଁ । କିନ୍ତୁ ଯିହୋବା ସେମାନଙ୍କୁ ବହୁତ ପ୍ରେମ କରୁଥିଲେ । ଉଦାହରଣ ପାଇଁ, ବୃଦ୍ଧ ଇସ୍ରାଏଲୀୟ ଶିମୀୟୋନଙ୍କ ବିଷୟରେ ଭାବନ୍ତୁ । ସେ ସେହି ସମୟରେ ବଞ୍ଚିଥିଲେ ଯେବେ ଯୀଶୁଙ୍କର ଜନ୍ମ ହୋଇଥିଲା । ଯେବେ ଶିମୀୟୋନ ମନ୍ଦିରକୁ ଯାଉଥିବେ, ତେବେ ସେ ଦେଖୁଥିବେ ଯେ ଅନେକ ଯୁବା ସେଠାରେ ମନ୍ଦିରର ଜରୁରୀ କାମଗୁଡ଼ିକ କରୁଛନ୍ତି । ସେମାନଙ୍କୁ ଦେଖି ସେ ଭାବୁଥିବେ ଯେ ସେ ତ କିଛି ବି କରିପାରୁ ନାହାନ୍ତି । କିନ୍ତୁ ଯିହୋବା ତାଙ୍କ ବିଷୟରେ ଏପରି ଭାବୁ ନ ଥିଲେ । ଯିହୋବାଙ୍କ ଦୃଷ୍ଟିରେ ଶିମୀୟୋନ “ଜଣେ ଧାର୍ମିକ ଓ ଭକ୍ତ ବ୍ୟକ୍ତି ଥିଲେ ।” ସେଥିପାଇଁ ଯିହୋବା ଶିମୀୟୋନଙ୍କୁ ଶିଶୁ ଯୀଶୁଙ୍କୁ ଦେଖିବାର ବିଶେଷ ସମ୍ମାନ ଦେଲେ । ଯିହୋବା ତାଙ୍କ ଜରିଆରେ ଏହା ଭବିଷ୍ୟତବାଣୀ କରାଇଲେ ଯେ ଯୀଶୁ ଆଗକୁ ଯାଇ ମସୀହ ହେବେ । (ଲୂକ ୨:୨୫-୩୫) ଏଥିରୁ ସ୍ପଷ୍ଟ ଜଣାପଡ଼େ ଯେ ଯିହୋବା ଶିମୀୟୋନ ବୃଦ୍ଧ ହେବା ଯୋଗୁଁ କʼଣ କରିପାରୁ ନାହାନ୍ତି, ତାହା ଦେଖିବା ପରିବର୍ତ୍ତେ ସେ ଶିମୀୟୋନଙ୍କର ଦୃଢ଼ ବିଶ୍ୱାସକୁ ଧ୍ୟାନ ଦେଲେ । ସେଥିପାଇଁ ତାଙ୍କ ଉପରେ ଯିହୋବାଙ୍କର ‘ପବିତ୍ର ଶକ୍ତି ଥିଲା ।’
ଯିହୋବା ଶିମୀୟୋନଙ୍କୁ ଶିଶୁ ଯୀଶୁଙ୍କୁ ଦେଖିବାର ବିଶେଷ ସମ୍ମାନ ଦେଲେ ଏବଂ ତାଙ୍କ ଜରିଆରେ ଏହା ଭବିଷ୍ୟତବାଣୀ କରାଇଲେ ଯେ ଯୀଶୁ ହିଁ ଆଗକୁ ଯାଇ ମସୀହ ହେବେ
ଆପଣ ବି ଭରସା ରଖିପାରିବେ ଯେ ଯିହୋବା ଆପଣଙ୍କୁ ବହୁମୂଲ୍ୟ ମନେ କରନ୍ତି । ସେଥିପାଇଁ ବୃଦ୍ଧାବସ୍ଥା ସତ୍ତ୍ୱେ ଆପଣ ତାଙ୍କ ସେବାରେ ଯାହା ବି କରୁଛନ୍ତି, ତାହାକୁ ସେ ବହୁମୂଲ୍ୟ ମନେ କରନ୍ତି । ଯିହୋବା ‘ଆପଣଙ୍କ ପାଖରେ ଯାହା ଅଛି, ସେହି ଅନୁସାରେ ଆପଣଙ୍କ ଦାନ ଗ୍ରାହ୍ୟ କରନ୍ତି; ଆପଣଙ୍କ ପାଖରେ ଯାହା ନାହିଁ, ସେ ଅନୁସାରେ ନୁହେଁ ।’—୨ କରି. ୮:୧୨, ଇଜି-ଟୁ-ରିଡ୍ ଭର୍ସନ ।
ଏବିଷୟରେ ଭାବନ୍ତୁ ଯେ ଏବେ ଆପଣ କʼଣ କରିପାରିବେ । ଉଦାହରଣ ପାଇଁ, କʼଣ ଆପଣ ଏବେ ବି କିଛି ସମୟ ପାଇଁ ଅନ୍ୟ ଉପାୟରେ ପ୍ରଚାର କରିପାରିବେ ? କʼଣ ଆପଣ ଭାଇଭଉଣୀମାନଙ୍କୁ ଫୋନ୍ କରି ତାଙ୍କର ଉତ୍ସାହ ବଢ଼ାଇପାରିବେ କିମ୍ବା ସେମାନଙ୍କୁ କାର୍ଡ ଲେଖି ଦେଇପାରିବେ ? ଯେବେ ଆପଣଙ୍କ ଭଳି ଲମ୍ବା ସମୟରୁ ଯିହୋବାଙ୍କ ସେବା କରୁଥିବା ଭାଇଭଉଣୀମାନେ ଏହି ଛୋଟ ଛୋଟ ଉପାୟରୁ ଅନ୍ୟମାନଙ୍କୁ ପ୍ରେମ ଦେଖାନ୍ତି, ତେବେ ସେମାନଙ୍କୁ ବହୁତ ଭଲ ଲାଗେ ।
ଯଦି ଆପଣଙ୍କୁ ଲାଗେ ଯେ ଆପଣ ଅଧିକ ଚଲାବୁଲା କରିପାରିବେ ନାହିଁ, ତାହେଲେ ବି ଆପଣ ଯିହୋବାଙ୍କ ପାଇଁ ବହୁତ କିଛି କରିପାରିବେ । ପୂର୍ବ ଆଫ୍ରିକାର ଗୋଟିଏ ଅନୁଭୂତି ଉପରେ ଧ୍ୟାନ ଦିଅନ୍ତୁ, ଯାହା ଏହି ଲେଖାର ବକ୍ସରେ ଦିଆଯାଇଛି, “ତାଙ୍କ ଜୀବନ ରକ୍ଷା ହେଲା ।”
ମନେ ରଖନ୍ତୁ, ଆପଣ ଯେଉଁଭଳି ଭାବେ ଯିହୋବାଙ୍କର ଅନେକ ବର୍ଷରୁ ବିଶ୍ୱସ୍ତତାର ସହ ସେବା କରୁଛନ୍ତି ଏବଂ ତାଙ୍କ ଉପରେ ଯେଉଁ ଦୃଢ଼ ବିଶ୍ୱାସ ରଖିଛନ୍ତି, ତାହାକୁ ଦେଖି ଅନ୍ୟମାନଙ୍କର ବହୁତ ଉତ୍ସାହ ବଢ଼ିପାରେ । ତାʼସହିତ ଆପଣ ଧୈର୍ଯ୍ୟ ଧରିବାରେ ଗୋଟିଏ ଉତ୍ତମ ଉଦାହରଣ ରଖିଛନ୍ତି । ସେଥିପାଇଁ ଭରସା ରଖନ୍ତୁ, ‘ଈଶ୍ୱର [ଆପଣମାନଙ୍କର] କର୍ମ, ଆଉ ସାଧୁଲୋକମାନଙ୍କର ସେବା କରିଥିବା ଦ୍ୱାରା ଓ ଏବେ ମଧ୍ୟ କରୁଥିବା ଦ୍ୱାରା ତାହାଙ୍କ ନାମ ପ୍ରତି [ଆପଣମାନେ] ଯେଉଁ ପ୍ରେମ ପ୍ରକାଶ କରିଅଛନ୍ତି, ତାହା ଯେ ଭୁଲିଯିବେ, ଏପରି ଅନ୍ୟାୟକାରୀ ସେ ନୁହନ୍ତି ।’—ଏବ୍ରୀ ୬:୧୦.
ଯେତେ ସମ୍ଭବ ଯିହୋବାଙ୍କ ସେବାରେ ଲାଗି ରହନ୍ତୁ
ଡାକ୍ତରମାନଙ୍କୁ ଅଧ୍ୟୟନରୁ ଜଣାପଡ଼ିଲା ଯେ ଯେଉଁ ବୃଦ୍ଧବୃଦ୍ଧାମାନେ ଅନ୍ୟମାନଙ୍କର ସାହାଯ୍ୟ କରନ୍ତି, ସେମାନଙ୍କ ସ୍ୱାସ୍ଥ୍ୟ ଅଧିକ ଭଲ ରହେ, ସେମାନେ ଠିକ୍ରେ ଭାବିପାରନ୍ତି ଓ ଲମ୍ବା ସମୟ ଯାଏଁ ବଞ୍ଚିପାରନ୍ତି ।
ଏହା ସତ ଯେ ଆମେ ଅନ୍ୟମାନଙ୍କ ପାଇଁ ଭଲ କାମ କରି ପୂରାପୂରି ଭାବେ ସ୍ୱାସ୍ଥ୍ୟବାନ ହୋଇପାରିବା ନାହିଁ । କାରଣ ଆମେ ଜାଣିଛୁ ଯେ ଏପରି କେବଳ ଈଶ୍ୱରଙ୍କ ରାଜ୍ୟରେ ହିଁ ହୋଇପାରିବ । ଏହି ରାଜ୍ୟ ଜରିଆରେ ବୃଦ୍ଧାବସ୍ଥା ଓ ମୃତ୍ୟୁର ପ୍ରକୃତ କାରଣ ଅର୍ଥାତ୍ ଆଦମଠାରୁ ମିଳିଥିବା ପାପକୁ ପୂରାପୂରି ଭାବେ ଶେଷ କରିଦିଆଯିବ ।—ରୋମୀ. ୫:୧୨.
ତଥାପି ଆଜି ଆପଣ ଯିହୋବାଙ୍କ ସେବାରେ ଯାହା କରୁଛନ୍ତି ଏବଂ ତାଙ୍କ ବିଷୟରେ ଜାଣିବା ପାଇଁ ଅନ୍ୟମାନଙ୍କୁ ଯେଉଁ ସାହାଯ୍ୟ କରୁଛନ୍ତି, ସେଥିରୁ ଆପଣଙ୍କର ଆଶା ଆହୁରି ଦୃଢ଼ ହୋଇଯାଏ ଏବଂ ଆପଣଙ୍କର ସ୍ୱାସ୍ଥ୍ୟ ବି ଭଲ ରହିପାରେ । ତେଣୁ ପ୍ରିୟ ଭାଇ ଓ ଭଉଣୀମାନେ ଭରସା ରଖନ୍ତୁ, ଆପଣଙ୍କର ବଢ଼ିଆ ଉଦାହରଣରୁ ମଣ୍ଡଳୀର ଭାଇଭଉଣୀମାନେ ବହୁତ କିଛି ଶିଖନ୍ତି ଏବଂ ଯିହୋବା ଆପଣଙ୍କ ସେବାକୁ ବହୁମୂଲ୍ୟ ମନେ କରନ୍ତି ।