ଜୀବନ କାହାଣୀ
‘ଯୁଦ୍ଧ ଯିହୋବାଙ୍କର’
୨୮ ଜାନୁୟାରୀ, ୨୦୧୦ରେ ମୁଁ ଫ୍ରାନ୍ସର ଏକ ସୁନ୍ଦର ସହର ଷ୍ଟ୍ରାସବର୍ଗରେ ଥିଲି । ସେସମୟରେ ପାଗ ବହୁତ ଥଣ୍ଡା ଥିଲା, କିନ୍ତୁ ମୁଁ ସେଠାକୁ ବୁଲିବା ପାଇଁ ଯାଇ ନ ଥିଲି । ମୁଁ ଆଇନ ବିଭାଗର କିଛି ଭାଇମାନଙ୍କ ସହ ମାନବ ଅଧିକାରର ୟୁରୋପୀୟ ଅଦାଲତରେ ଯିହୋବାଙ୍କ ସାକ୍ଷୀମାନଙ୍କ ତରଫରୁ ମକଦ୍ଦମା ଲଢ଼ିବା ପାଇଁ ଆସିଥିଲି । କାରଣ ଫ୍ରାନ୍ସର ସରକାର ଆମ ଭାଇମାନଙ୍କ ଉପରେ ପ୍ରାୟ ୮ କୋଟି ୯୦ ଲକ୍ଷ ଡଲାର ଟ୍ୟାକ୍ସ ଭରିବାର ଦାବି କରୁଥିଲା । ଏହା ଏକ ବଡ଼ ମୂଲ୍ୟ ଥିଲା ଏବଂ ଆମକୁ ପ୍ରମାଣିତ କରିବାର ଥିଲା ଯେ ଏହି ଦାବି ବେଆଇନ ଅଟେ । ଆମ ପାଇଁ ଏହି ମକଦ୍ଦମା ଜିତିବା ବହୁତ ଜରୁରୀ ଥିଲା, କାରଣ ଏଥିରୁ ଯିହୋବାଙ୍କ ନାମର ମହିମା ହୁଅନ୍ତା, ସେହି ଅଞ୍ଚଳରେ ଯିହୋବାଙ୍କ ଲୋକମାନଙ୍କର ଭଲ ନାମ ବଜାୟ ରହନ୍ତା ଏବଂ ଆମେ ଫ୍ରାନ୍ସରେ ଖୋଲାଖୋଲି ଭାବେ ଯିହୋବାଙ୍କର ସେବା କରିବା ଜାରି ରଖିପାରନ୍ତୁ । ସେହି ଦିନ ଶୁଣାଣି ସମୟରେ ଯାହା ହେଲା ସେଥିରୁ ଏହା ପ୍ରମାଣିତ ହୋଇଗଲା ଯେ ‘ଯୁଦ୍ଧ ଯିହୋବାଙ୍କର ।’ (୧ ଶାମୁ. ୧୭:୪୭) ଆସନ୍ତୁ ମୁଁ ଆପଣଙ୍କୁ ପୂରା କାହାଣୀ କହୁଛି ।
୧୯୯୯ ମସିହାରେ ଫ୍ରାନ୍ସର ସରକାର ଫ୍ରାନ୍ସର ଶାଖା କାର୍ଯ୍ୟାଳୟକୁ କହିଲା ଯେ ତାକୁ ୧୯୯୩ରୁ ୧୯୯୬ ମସିହା ମଧ୍ୟରେ ଦାନର ଯେଉଁ ଟଙ୍କା ମିଳିଛି, ତାʼପାଇଁ ଟ୍ୟାକ୍ସ ଭରିବାକୁ ପଡ଼ିବ । ଏହି ଦାବି ବେଆଇନ ଥିଲା । ଆମେ ଫ୍ରାନ୍ସର ଅନେକ ଅଦାଲତକୁ ଗଲୁ, କିନ୍ତୁ କିଛି ଲାଭ ହେଲା ନାହିଁ । ଯେବେ ଆମେ କୋର୍ଟରେ ଅପିଲ କଲୁ ଓ ହାରିଗଲୁ, ତେବେ ଫ୍ରାନ୍ସ ସରକାର ଆମ ଶାଖା କାର୍ଯ୍ୟାଳୟର ଆକାଉଣ୍ଟରୁ ୬୩ ଲକ୍ଷରୁ ବି ଅଧିକ ଡଲାର ଜବତ କରିନେଲା । ଆମର ଶେଷ ଆଶା ୟୁରୋପୀୟ ଅଦାଲତ ଥିଲା । କିନ୍ତୁ ମାମଲାର ଶୁଣାଣି ପୂର୍ବରୁ ଏହି ଅଦାଲତ ଆମକୁ ଫ୍ରାନ୍ସ ସରକାରର ଓକିଲ ଓ ୟୁରୋପୀୟ ଅଦାଲତର ଅଧିକାରୀମାନଙ୍କ ସହ ସାକ୍ଷାତ କରିବା ପାଇଁ କହିଲା, ଯାହାଫଳରେ ଯଦି ସମ୍ଭବ ଶୁଣାଣି ପୂର୍ବରୁ ଦୁଇଟି ପାର୍ଟି ମଧ୍ୟରେ ବୁଝାମଣା କରି ଏହାକୁ ରୋକା ଯାଇପାରିବ ।
ଆମକୁ ଲାଗିଲା ଯେ କୋର୍ଟର ଅଧିକାରୀ ଆମ ଉପରେ ଚାପ ପକାଇବେ ଯେ ଆମେ ଫ୍ରାନ୍ସର ସରକାରକୁ ପୂରା ପଇସା ନ ଦେଲେ ମଧ୍ୟ କିଛି ପଇସା ଦେଇ ଏହି ମାମଲାକୁ ରୋକି ଦେଉ । କିନ୍ତୁ ଆମେ ଜାଣିଥିଲୁ ଯେ ଏପରି କରିବା ବାଇବଲ ସିଦ୍ଧାନ୍ତ ବିରୁଦ୍ଧରେ ହେବ । ଭାଇଭଉଣୀମାନେ ଏହି ପଇସା ରାଜ୍ୟର କାମ ପାଇଁ ଦେଇଥିଲେ । ସେଥିପାଇଁ ଏହି ପଇସାରେ ସରକାରର କୌଣସି ଅଧିକାର ନ ଥିଲା । (ମାଥି. ୨୨:୨୧) ତଥାପି ଆମେ ଏହି ସାକ୍ଷାତ କରିବା ପାଇଁ ପ୍ରସ୍ତୁତ ଥିଲୁ, କାରଣ ଆମେ ଅଦାଲତର କଥା ମାନିବା ପାଇଁ ଚାହୁଁଥିଲୁ ।
୨୦୧୦ ମସିହାରେ ୟୁରୋପୀୟ ଅଦାଲତ ସାମନାରେ ଆମର ଓକିଲମାନଙ୍କର ଟିମ
ଆମେ ସାକ୍ଷାତ କରିବା ପାଇଁ କୋର୍ଟର ଗୋଟିଏ ବହୁତ ସୁନ୍ଦର କନଫ୍ରେନସ ହଲରେ ଭେଟିଲୁ । କଥାବାର୍ତ୍ତା ଆରମ୍ଭ ହେବା ମାତ୍ରେ କୋର୍ଟର ଜଣେ ଅଧିକାରୀ ଆମକୁ କହିଲେ ଯେ ଯିହୋବାଙ୍କ ସାକ୍ଷୀମାନଙ୍କୁ ଫ୍ରାନ୍ସର ସରକାରକୁ କମ୍ରୁ କମ୍ କିଛି ଟ୍ୟାକ୍ସ ନିଶ୍ଚୟ ଦେବାକୁ ପଡ଼ିବ । କିନ୍ତୁ ହଠାତ୍ ଏମିତି ଲାଗିଲା ଯେମିତି ପବିତ୍ର ଶକ୍ତି ଆମକୁ ଏହା ପଚାରିବା ପାଇଁ ପ୍ରେରିତ କରୁଛି, “କʼଣ ଆପଣ ଜାଣନ୍ତି ଯେ ସରକାର ଆମ ବ୍ୟାଙ୍କ ଆକାଉଣ୍ଟରୁ ଆଗରୁ ହିଁ ୬୩ ଲକ୍ଷରୁ ବି ଅଧିକ ଡଲାର ଜବତ କରି ନେଇଛି ?”
ଏହା ଶୁଣି ସେହି ଅଧିକାରୀ ଆଶ୍ଚର୍ଯ୍ୟ ହୋଇଗଲେ । ଯେବେ ସରକାରୀ ଓକିଲମାନେ ଏହା କହିଲେ ଯେ ସେମାନେ କʼଣ କରିଥିଲେ, ତେବେ ସେହି ମାମଲା ବିଷୟରେ ସେହି ଅଧିକାରୀଙ୍କ ଚିନ୍ତାଧାରା ପୂରା ବଦଳିଗଲା । ସେ ସେମାନଙ୍କ ଉପରେ ରାଗିଲେ ଏବଂ ତୁରନ୍ତ ସଭା ଶେଷ କରିଦେଲେ । ମୁଁ ଦେଖିପାରିଲି ଯେ ଯିହୋବା ପରିସ୍ଥିତିକୁ ଏପରି ଭାବେ ପରିବର୍ତ୍ତନ କଲେ ଯେପରି ଆମେ କେବେ ବି କଳ୍ପନା କରି ନ ଥିଲୁ । ଏହା ଦେଖି ଆମେ ବହୁତ ଖୁସି ଥିଲୁ ଏବଂ ଯାହା ହେଲା ସେବିଷୟରେ ଭାବି ଆମକୁ ବହୁତ ଆଶ୍ଚର୍ଯ୍ୟ ଲାଗୁଥିଲା ।
୩୦ ଜୁନ୍, ୨୦୧୧ରେ ୟୁରୋପୀୟ ଅଦାଲତ ଆମ ପକ୍ଷରେ ଏକମତ ହୋଇ ନିଷ୍ପତ୍ତି ନେଲା । ଅଦାଲତ କହିଲା ଯେ ଟ୍ୟାକ୍ସର ଦାବି କରିବା ବେଆଇନ ଅଟେ । ସରକାରକୁ ଆଦେଶ ଦିଆଗଲା ଯେ ଆମଠାରୁ ଟ୍ୟାକ୍ସ ଭାବେ ଯେଉଁ ଟଙ୍କା ଜବତ କରାଯାଇଥିଲା, ତାହାକୁ ସୁଧ ସହିତ ଫେରାଇ ଦିଆଯାଉ । ଏହା ଏକ ଐତିହାସିକ ନିଷ୍ପତ୍ତି ଥିଲା । ଏହି ନିଷ୍ପତ୍ତି ଯୋଗୁଁ ଆଜି ପର୍ଯ୍ୟନ୍ତ ଆମେ ଫ୍ରାନ୍ସରେ ବିନା କୌଣସି ବାଧାରେ ଶୁଦ୍ଧ ଉପାସନା କରିପାରୁଛୁ । ଆମେ ଏହି ପ୍ରଶ୍ନ ବିଷୟରେ ପୂର୍ବରୁ ଭାବି ନ ଥିଲୁ । କିନ୍ତୁ ଏହି ପ୍ରଶ୍ନ ସେହି ପଥର ଭଳି ଥିଲା, ଯାହା ଗଲୀୟାତର କପାଳରେ ଆଘାତ ପହଞ୍ଚାଇଲା ଓ ଏହି ମାମଲାର ଫଳାଫଳକୁ ପୂରାପୂରି ବଦଳାଇ ଦେଲା । ଆମେ ନିଜ ବୁଦ୍ଧି ଉପରେ ନିର୍ଭର ରହି ନ ଥାଉ, ବରଂ ଯେପରି ଦାଉଦ ଗଲୀୟାତକୁ କହିଥିଲେ, ପ୍ରକୃତରେ ‘ଯୁଦ୍ଧ ଯିହୋବାଙ୍କର ।’—୧ ଶାମୁ. ୧୭:୪୫-୪୭.
ଏହା କେବଳ ଥରକର କଥା ନୁହେଁ । ଆମେ ରାଜନୈତିକ ଓ ଧାର୍ମିକ ସଂଗଠନଗୁଡ଼ିକର ବିରୋଧ ସତ୍ତ୍ୱେ ଆଜି ପର୍ଯ୍ୟନ୍ତ ୭୦ ଦେଶଗୁଡ଼ିକର ସର୍ବୋଚ୍ଚ ନ୍ୟାୟାଳୟ ଏବଂ ଅନେକ ଆନ୍ତଃରାଷ୍ଟ୍ରୀୟ ଅଦାଲତରେ ୧,୨୨୫ ମକଦ୍ଦମା ଜିତିଛୁ । ଏହି ମକଦ୍ଦମାରେ ଜିତିବା ଯୋଗୁଁ ଆମର ଅଧିକାରଗୁଡ଼ିକର ରକ୍ଷା ହୋଇଛି । ଯେପରି, ଆଇନ ଅନୁଯାୟୀ ଆମେ ଏକ ଧର୍ମ ଭାବେ ପରିଚିତ । ଆମ ପାଖରେ ସର୍ବସାଧାରଣ ଜାଗାରେ ସାକ୍ଷ୍ୟ ଦେବାର ଅନୁମତି ଅଛି, ଆମେ ଦେଶଭକ୍ତିର କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ ମନା କରିପାରୁ ଓ ରକ୍ତ ନ ନେବା ପାଇଁ ମଧ୍ୟ ନିଷ୍ପତ୍ତି ନେଇପାରୁ ।
ମୁଁ ତ ଆମେରିକାର ଯିହୋବାଙ୍କ ସାକ୍ଷୀମାନଙ୍କର ବିଶ୍ୱ ମୁଖ୍ୟାଳୟରେ ସେବା କରୁଥିଲି, ତାହେଲେ ମୁଁ କିପରି ଗୋଟିଏ ଆଇନ ମାମଲା ପାଇଁ ୟୁରୋପକୁ ଆସିଲି ?
ମିଶନାରୀ ହେବାର ଇଚ୍ଛା
ମୋ ବାପାମାଆଙ୍କ ନାମ ଜର୍ଜ ଓ ଲୁସିଲ୍ ଥିଲା । ସେମାନେ ଗିଲିଅଡ୍ର ୧୨ ତମ କ୍ଲାସରୁ ଗ୍ରାଜୁଏଟ୍ ହୋଇଥିଲେ ଏବଂ ଇଥିଓପିଆରେ ସେବା କରୁଥିଲେ । ମୋର ଜନ୍ମ ୧୯୫୬ ମସିହାରେ ଇଥିଓପିଆରେ ହେଲା । ସେମାନେ ମୋର ନାମ ପ୍ରଥମ ଶତାବ୍ଦୀର ପ୍ରଚାରକ ଫିଲିପ୍ପଙ୍କ ଉପରେ ରଖିଲେ । (ପ୍ରେରି. ୨୧:୮) ଏହାର ଆଗାମୀ ବର୍ଷରେ ସରକାର ଆମ କାମ ଉପରେ ରୋକ ଲଗାଇ ଦେଲା । ସେସମୟରେ ମୁଁ ଛୋଟ ଥିଲି, କିନ୍ତୁ ମୋତେ ମନେ ଅଛି ଯେ ଆମ ପରିବାର ଲୁଚିଛପି ଉପାସନା କରୁଥିଲା । ମୋତେ ବେଶୀ କିଛି ବୁଝାପଡ଼ୁ ନ ଥିଲା, କିନ୍ତୁ ଏପରି ଲୁଚିଛପି ଉପାସନା କରିବାରେ ମୋତେ ବହୁତ ମଜା ଲାଗୁଥିଲା । ୧୯୬୦ ମସିହାରେ ଅଧିକାରୀମାନେ ଆମକୁ ଦେଶରୁ ବାହାର କରିଦେଲେ ।
୧୯୫୯ ମସିହାରେ ଇଥିଓପିଆର ଆଦିସ୍ ଅବାବା ସହରରେ ଭାଇ ନେଥନ ନର୍ (ବାମପଟେ) ଆମ ପରିବାରକୁ ଭେଟୁଥିବା ସମୟର ଚିତ୍ର
ଏହାପରେ ଆମ ପରିବାର କାନସାସ୍ ରାଜ୍ୟର ୱିଚିଟା ସହରରେ ରହିଲା । ଏହା ଆମେରିକାରେ ଅଛି । ମୋ ବାପାମାଆ ନିଜ ସହ ଗୋଟିଏ ବିଶେଷ ଜିନିଷ ନେଇକି ଆସିଲେ: ମିଶନାରୀମାନଙ୍କ ଭଳି ସେବା କରିବାର ଇଚ୍ଛା ! ସେମାନେ ସତ୍ୟକୁ ବହୁତ ପ୍ରେମ କରୁଥିଲେ । ସେମାନେ ମୋର, ମୋ ବଡ଼ ଭଉଣୀ ଜୁଡ଼ିଙ୍କ ଓ ମୋ ଛୋଟ ଭାଇ ଲେସ୍ଲିର ବହୁତ ଭଲଭାବରେ ଲାଳନପାଳନ କଲେ । ସେହି ଦୁଇଜଣଙ୍କର ଜନ୍ମ ମଧ୍ୟ ଇଥିଓପିଆରେ ହୋଇଥିଲା । ତାʼପରେ ମୁଁ ୧୩ ବର୍ଷ ବୟସରେ ବାପ୍ତିସ୍ମ ନେଲି ଏବଂ ତିନି ବର୍ଷ ପରେ ଆମ ପରିବାର ପେରୁର ଅରେକିପା ସହରକୁ ଚାଲିଗଲା, ଯେଉଁଠି ପ୍ରଚାରକମାନଙ୍କ ଅଧିକ ଆବଶ୍ୟକ ଥିଲା ।
୧୯୭୪ ମସିହାରେ ଯେବେ ମୁଁ କେବଳ ୧୮ ବର୍ଷର ଥିଲି, ତେବେ ପେରୁ ଶାଖା କାର୍ଯ୍ୟାଳୟ ମୋତେ ଏବଂ ଆଉ ଚାରିଜଣ ଭାଇଙ୍କୁ ବିଶେଷ ଅଗ୍ରଦୂତ ଭାବେ ନିଯୁକ୍ତ କଲା । ଆମକୁ ଏଣ୍ଡିଜ୍ ପର୍ବତମାଳାର ସେହି ଅଞ୍ଚଳକୁ ପଠାଗଲା, ଯେଉଁଠି ଏବେ ପର୍ଯ୍ୟନ୍ତ ପ୍ରଚାର ହୋଇ ନ ଥିଲା । ଆମେ କେଚୁଆରୁ ଏମାରା ଭାଷା କହୁଥିବା ଲୋକମାନଙ୍କୁ ପ୍ରଚାର କଲୁ । ଆମେ ଚାରି ଚକିଆ ଥିବା ଗୋଟିଏ ଘରରେ ରହୁଥିଲୁ, ଯାହାକୁ ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ନିଆ ଯାଇପାରେ । ତାହା ଗୋଟିଏ ଡବା ଭଳି ଥିଲା, ତେଣୁ ଆମେ ତାହାକୁ “ନୋହଙ୍କ ଜାହାଜ” ବୋଲି କହୁଥିଲୁ । ମୋତେ ଆଜି ବି ସେହି ଦିନକୁ ମନେ ପକାଇ ଭାରି ଖୁସି ଲାଗେ ଯେବେ ମୁଁ ସେହି ଲୋକମାନଙ୍କୁ ବାଇବଲରୁ ଶିଖାଉ ଥିଲି ଯେ ଯିହୋବା ଖୁବ୍ ଶୀଘ୍ର ଦାରିଦ୍ରତା, ରୋଗ ଓ ମୃତ୍ୟୁକୁ ଶେଷ କରିଦେବେ । (ପ୍ରକା. ୨୧:୩, ୪) ଏହା ବହୁତ ଖୁସିର କଥା ଯେ ସେଠାର ଅନେକ ଲୋକ ସତ୍ୟକୁ ଆପଣାଇଲେ ।
୧୯୭୪ ମସିହାରେ ଆମ “ନୋହଙ୍କ ଜାହାଜ”
ବିଶ୍ୱ ମୁଖ୍ୟାଳୟକୁ ଗଲି
୧୯୭୭ ମସିହାରେ ସେସମୟର ପ୍ରଶାସନ ଦଳର ସଦସ୍ୟ ଭାଇ ଆଲବର୍ଟ ସ୍ରୋଡର ପେରୁ ଆସିଥିଲେ । ସେ ମୋତେ ବିଶ୍ୱ ମୁଖ୍ୟାଳୟରେ ବୈଥେଲ ସେବା କରିବା ପାଇଁ ଆବେଦନ କରିବା ପାଇଁ ପ୍ରୋତ୍ସାହନ ଦେଲେ । ତେଣୁ ମୁଁ ଆବେଦନ କଲି ଏବଂ ୧୭ ଜୁନ୍, ୧୯୭୭ରେ ବ୍ରୁକଲିନ୍ ବୈଥେଲରେ ସେବା କରିବା ପାଇଁ ଆରମ୍ଭ କଲି । ଆସନ୍ତା ଚାରି ବର୍ଷ ଯାଏ ମୁଁ ସଫାସୁତୁରା ବିଭାଗ ଓ ରକ୍ଷଣାବେକ୍ଷଣ ବିଭାଗରେ କାମ କଲି ।
୧୯୭୯ ମସିହାରେ ଆମର ବିବାହ ଦିନର ଚିତ୍ର
ଜୁନ୍ ୧୯୭୮ ମସିହାରେ ମୁଁ ନ୍ୟୁ ଆର୍ଲିୟନ୍ସ ସହରରେ ହୋଇଥିବା ଆନ୍ତଃରାଷ୍ଟ୍ରୀୟ ଅଧିବେଶନରେ ଏଲିଜାବେଥ୍ ଏୱାଲୋନ୍ ନାମକ ଜଣେ ଭଉଣୀଙ୍କୁ ଭେଟିଲି । ମୋ ଭଳି ତାଙ୍କର ଲାଳନପାଳନ ବି ସତ୍ୟରେ ହୋଇଥିଲା । ସେ ଚାରି ବର୍ଷରୁ ଅଗ୍ରଦୂତ ସେବା କରୁଥିଲେ ଓ ସାରା ଜୀବନ ପୂର୍ଣ୍ଣ ସମୟର ସେବା କରିବା ପାଇଁ ଚାହୁଁଥିଲେ । ପରସ୍ପରକୁ ଧିରେ ଧିରେ ଜାଣିବା ପରେ ଆମେ ପରସ୍ପରକୁ ପ୍ରେମ କରିବାକୁ ଲାଗିଲୁ । ଆଉ ତାʼପରେ ୨୦ ଅକ୍ଟୋବର, ୧୯୭୯ରେ ଆମେ ବିବାହ କଲୁ ଏବଂ ଏକାସହ ମିଶି ବୈଥେଲରେ ସେବା କରିବାକୁ ଲାଗିଲୁ ।
ଆମେ ସବୁଠୁ ପ୍ରଥମେ ବ୍ରୁକଲିନ୍ର ସ୍ପେନିସ୍ ମଣ୍ଡଳୀରେ ସେବା କଲୁ । ସେଠାର ଭାଇଭଉଣୀମାନେ ଆମକୁ ବହୁତ ପ୍ରେମ କରୁଥିଲେ । ଆସନ୍ତା କିଛି ବର୍ଷ ଯାଏ ଆମକୁ ଆଉ ତିନୋଟି ମଣ୍ଡଳୀରେ ସେବା କରିବା ପାଇଁ ସୁଯୋଗ ମିଳିଲା । ସେଠାର ଭାଇଭଉଣୀମାନେ ମଧ୍ୟ ଆମକୁ ହୃଦୟରୁ ସ୍ୱାଗତ କଲେ ଏବଂ ବୈଥେଲ ସେବା କରିବା ଜାରି ରଖିବା ପାଇଁ ସାହାଯ୍ୟ କଲେ । ଆମେ ସେହି ଭାଇଭଉଣୀମାନଙ୍କର ବହୁତ କୃତଜ୍ଞ । ଆମେ ସେହି ସାଙ୍ଗ ଓ ସମ୍ପର୍କୀୟମାନଙ୍କର ବି ବହୁତ କୃତଜ୍ଞ, ଯେଉଁମାନେ ଆମ ବୃଦ୍ଧ ବାପାମାଆଙ୍କର ଯତ୍ନ ନେବାରେ ଆମକୁ ସାହାଯ୍ୟ କଲେ ।
୧୯୮୬ ମସିହାରେ ବ୍ରୁକଲିନ୍ର ସ୍ପେନିସ୍ ମଣ୍ଡଳୀର ଭାଇଭଉଣୀମାନେ, ଯେଉଁମାନେ ବୈଥେଲରେ ସେବା କରୁଥିଲେ
ଆଇନ ବିଭାଗରେ ମୋ କାମ
ଯେବେ ଜାନୁୟାରୀ ୧୯୮୨ରେ ମୋତେ ବୈଥେଲର ଆଇନ ବିଭାଗରେ ସେବା କରିବା ପାଇଁ କୁହାଗଲା, ତେବେ ମୁଁ ବହୁତ ଆଶ୍ଚର୍ଯ୍ୟ ହୋଇଗଲି । ତିନି ବର୍ଷ ପରେ ମୋତେ ବିଶ୍ୱ ବିଦ୍ୟାଳୟ ଯାଇ ଆଇନ ବିଷୟରେ ପଢ଼ିବା ପାଇଁ ଓ ଏକ ଓକିଲ ହେବା ପାଇଁ କୁହାଗଲା । ଆଇନ ବିଷୟରେ ପଢ଼ିବା ସମୟରେ ମୋତେ ଗୋଟିଏ କଥା ଜାଣି ବହୁତ ଆଶ୍ଚର୍ଯ୍ୟ ଲାଗିଲା । ଆମେରିକା ଓ ଅନ୍ୟ କିଛି ଦେଶରେ ଲୋକମାନଙ୍କ ପାଖରେ କିଛି କାମ କରିବାର ଯେଉଁ ସ୍ୱାଧୀନତା ଅଛି, ତାହା ଏଥିପାଇଁ ସମ୍ଭବ ହୋଇପାରିଛି କାରଣ ଯିହୋବାଙ୍କ ସାକ୍ଷୀମାନେ କିଛି ମହତ୍ତ୍ୱପୂର୍ଣ୍ଣ ମକଦ୍ଦମା ଜିତିଛନ୍ତି । ଏହି ମହତ୍ତ୍ୱପୂର୍ଣ୍ଣ ମକଦ୍ଦମାଗୁଡ଼ିକ ବିଷୟରେ ଆମେ କ୍ଲାସରେ ଅନେକ ଥର ଚର୍ଚ୍ଚା କଲୁ ।
୧୯୮୬ ମସିହାରେ ଯେବେ ମୋ ବୟସ ୩୦ ବର୍ଷ ଥିଲା, ତେବେ ମୋତେ ଆଇନ ବିଭାଗର ଅଧ୍ୟକ୍ଷ ନିଯୁକ୍ତ କରାଗଲା । ମୁଁ ବହୁତ ଖୁସି ଥିଲି ଯେ ଏତେ କମ୍ ବୟସ ସତ୍ତ୍ୱେ ସଂଗଠନକୁ ମୋ ଉପରେ ଏତେ ଭରସା ଥିଲା, କିନ୍ତୁ ମୋତେ ବହୁତ ଡର ମଧ୍ୟ ଲାଗୁଥିଲା । କାରଣ ମୁଁ ଅନେକ କଥା ଜାଣି ନ ଥିଲି ଏବଂ ମୋତେ ଜଣାଥିଲା ଯେ ଏହି ଦାୟିତ୍ୱକୁ ତୁଲାଇବା ଏତେ ସହଜ ହେବ ନାହିଁ ।
୧୯୮୮ ମସିହାରେ ମୁଁ ଓକିଲ ହୋଇଗଲି । କିନ୍ତୁ ମୁଁ ଏକଥା ଜାଣି ନ ଥିଲି ଯେ ଏହି ଶିକ୍ଷା ନେବା ଯୋଗୁଁ ଯିହୋବାଙ୍କ ସହ ମୋ ସମ୍ପର୍କ ଉପରେ କʼଣ ପ୍ରଭାବ ପଡ଼ିବ । ଉଚ୍ଚ ଶିକ୍ଷା ନେବା ଯୋଗୁଁ ଜଣେ ବ୍ୟକ୍ତି ଅହଂକାରୀ ହୋଇପାରେ ଏବଂ ଏହା ଭାବିବାକୁ ଲାଗିପାରେ ଯେ ସେ ଅନ୍ୟମାନଙ୍କଠାରୁ ଶ୍ରେଷ୍ଠ । ଏହି ମାମଲାରେ ମୋ ସ୍ତ୍ରୀ ଏଲିଜାବେଥ୍ ମୋତେ ସାହାଯ୍ୟ କଲେ । ତାଙ୍କ ସାହାଯ୍ୟରେ ମୁଁ ପୁଣିଥରେ ସେହି କାମଗୁଡ଼ିକ କରିପାରିଲି, ଯେଉଁଥିରୁ ଯିହୋବାଙ୍କ ସହ ମୋ ସମ୍ପର୍କ ଦୃଢ଼ ହୁଅନ୍ତା । ଏଥିରେ କିଛି ସମୟ ଲାଗିଲା, କିନ୍ତୁ ମୁଁ ପୁଣିଥରେ ଯିହୋବାଙ୍କର ନିକଟତର ହୋଇପାରିଲି । ମୁଁ ନିଜ ଅନୁଭୂତିରୁ କହିପାରିବି ଯେ ବହୁତ ବେଶୀ ଜ୍ଞାନ ନେବା ଜୀବନରେ ଅଧିକ ଜରୁରୀ ନୁହେଁ । ଏହା ପରିବର୍ତ୍ତେ ପ୍ରକୃତରେ ଖୁସିରେ ରହିବା ପାଇଁ ଆମର ଯିହୋବାଙ୍କ ସହ ଏକ ଭଲ ସମ୍ପର୍କ ହେବା ଏବଂ ତାଙ୍କୁ ଓ ତାଙ୍କର ଲୋକମାନଙ୍କୁ ହୃଦୟରୁ ପ୍ରେମ କରିବା ଜରୁରୀ ।
ଖୁସିର ଖବରକୁ ସମର୍ଥନ କରିବା ଓ ତାହାକୁ ଆଇନ ମାନ୍ୟତା କରାଇବା
ଆଇନର ପାଠ ଶେଷ ହେବା ପରେ ମୁଁ ବୈଥେଲରେ ଆଇନ ବିଭାଗରେ କାମ କରିବାକୁ ଲାଗିଲି ଓ ପ୍ରଚାର କରିବାର ଆମ ଅଧିକାର ପାଇଁ ଅଦାଲତଗୁଡ଼ିକରେ ଲଢ଼ିବାକୁ ଲାଗିଲି । ସେସମୟରେ ଆମ ସଂଗଠନରେ ଅନେକ ପରିବର୍ତ୍ତନ ହେଉଥିଲା ଓ ଅନେକ ନୂଆ ବ୍ୟବସ୍ଥା କରାଯାଉଥିଲା, ତେଣୁ ବେଳେବେଳେ ଆମ ଉପରେ କିଛି ସମସ୍ୟା ବି ଆସିଲା । କିନ୍ତୁ ଆମ କାମ ବହୁତ ମଜାଦାର ଥିଲା । ଯେପରି, ୧୯୯୧ ମସିହାରେ ଆଇନ ବିଭାଗକୁ କୁହାଗଲା ଯେ ସେ ଭାଇଭଉଣୀମାନଙ୍କୁ ଗୋଟିଏ ନୂଆ ନିର୍ଦ୍ଦେଶ ଦେଉ । ସେହି ନିର୍ଦ୍ଦେଶ ଥିଲା ଯେ ଏବେଠାରୁ ଆମେ ଲୋକମାନଙ୍କୁ ବହି ପତ୍ରିକା ଦେବା ପରେ ଦାନ ପାଇଁ ଏକ ନିର୍ଦ୍ଧାରିତ ମୂଲ୍ୟ ମାଗିବା ନାହିଁ । ଏହି ନିର୍ଦ୍ଦେଶ ପରେ ଯିହୋବାଙ୍କ ସାକ୍ଷୀମାନେ ବିନା ମୂଲ୍ୟରେ ବହି ପତ୍ରିକା ଦେବାକୁ ଲାଗିଲେ । ଏହାଯୋଗୁଁ ବୈଥେଲରେ ଓ ପ୍ରଚାରରେ ଆମ କାମ ସହଜ ହୋଇଗଲା ଆଉ ଆମକୁ ଅଯଥା ଟ୍ୟାକ୍ସ ଦେବାକୁ ପଡ଼ିଲା ନାହିଁ । କିଛି ଲୋକମାନଙ୍କୁ ଲାଗିଲା ଯେ ଏହାଯୋଗୁଁ ଆମ ସଂଗଠନକୁ କ୍ଷତି ସହିବାକୁ ପଡ଼ିବ ଓ ଆମ ପ୍ରଚାର କାମ ଭଲଭାବରେ ହୋଇପାରିବ ନାହିଁ । କିନ୍ତୁ ଏହାର ଠିକ୍ ଓଲଟା ହେଲା । ୧୯୯୦ ମସିହାରୁ ନେଇ ଆଜି ପର୍ଯ୍ୟନ୍ତ ଯିହୋବାଙ୍କ ସାକ୍ଷୀମାନଙ୍କର ସଂଖ୍ୟା ବହୁତ ବଢ଼ିଯାଇଛି ଓ ଏବେ କେହି ବି ବିନା ମୂଲ୍ୟରେ ବାଇବଲ ସହ ଜଡ଼ିତ ତଥ୍ୟ ପାଇପାରିବେ । ମୁଁ ଦେଖିଛି ଯେ ଆମ ସଂଗଠନରେ ଏତେଗୁଡ଼ିଏ ପରିବର୍ତ୍ତନ ଏଥିପାଇଁ ହୋଇପାରିଲା, କାରଣ ଯିହୋବା ଆମକୁ ସାହାଯ୍ୟ କରୁଛନ୍ତି ଏବଂ ସେ ହିଁ ବିଶ୍ୱସ୍ତ ଓ ବୁଦ୍ଧିମାନ ଦାସକୁ ନିର୍ଦ୍ଦେଶ ଦେଉଛନ୍ତି ।—ଯାତ୍ରା. ୧୫:୨; ମାଥି. ୨୪:୪୫.
ଏହା ସତ ଯେ ଆମ ସଂଗଠନରେ ଅନେକ ଭଲ ଓକିଲ ଅଛନ୍ତି, କିନ୍ତୁ ଅଧିକାଂଶ ମାମଲାରେ ଆମେ କେବଳ ଏହି କାରଣ ଯୋଗୁଁ ମକଦ୍ଦମା ଜିତି ନ ଥାଉ । ବରଂ ଯେବେ ଅଧିକାରୀମାନେ ଦେଖନ୍ତି ଯେ ଯିହୋବାଙ୍କ ସାକ୍ଷୀମାନଙ୍କର ଚାଲିଚଳନ କେତେ ଭଲ, ତେବେ ସେମାନେ ଆମ ସହ ଭଲ ବ୍ୟବହାର କରନ୍ତି । ଏ କଥାର ଗୋଟିଏ ଉଦାହରଣ ମୁଁ ୧୯୯୮ ମସିହାରେ ଦେଖିଲି, ଯେବେ କ୍ୟୁବାରେ ବିଶେଷ ଅଧିବେଶନ ରଖାଯାଇଥିଲା । ସେହି ଅଧିବେଶନଗୁଡ଼ିକରେ ତିନିଜଣ ପ୍ରଶାସନ ଦଳର ସଦସ୍ୟ ନିଜ ସ୍ତ୍ରୀମାନଙ୍କ ସହିତ ଆସିଥିଲେ । ଆମେ ସେଠାର ଅଧିକାରୀମାନଙ୍କ ସହ ଗୋଟିଏ ସଭା ରଖିଥିଲୁ ଓ ସେଠାରେ ସେମାନଙ୍କୁ ବୁଝାଇ ଦେଇଥିଲୁ ଯେ ଆମେ ରାଜନୈତିକ ମାମଲାରେ ନିଷ୍ପକ୍ଷ ରହୁ । କିନ୍ତୁ ଯେବେ ସେମାନେ ନିଜେ ଦେଖିଲେ ଯେ ପ୍ରଶାସନ ଦଳର ଭାଇ ଓ ସେମାନଙ୍କର ସ୍ତ୍ରୀମାନେ କେତେ ପ୍ରେମର ସହ ବ୍ୟବହାର କରନ୍ତି ଏବଂ ଅନ୍ୟମାନଙ୍କୁ ଆଦର କରନ୍ତି, ତେବେ ସେମାନଙ୍କୁ ଏହି କଥା ଉପରେ ଆହୁରି ଭରସା ହୋଇଗଲା ।
କିନ୍ତୁ ବେଳେବେଳେ ଯେବେ ଆମକୁ କୌଣସି ବାଟ ଦେଖାଯାଏ ନାହିଁ, ତେବେ ‘ସୁସମାଚାର ପକ୍ଷ ସମର୍ଥନ ଓ ସେଥିର ସତ୍ୟ ପ୍ରମାଣ କରିବା ପାଇଁ’ [“ଏହାକୁ ଆଇନ ମାନ୍ୟତା କରାଇବା ପାଇଁ,” NWT] ଆମକୁ ଅଦାଲତ ଯିବାକୁ ପଡ଼େ । (ଫିଲିପ୍. ୧:୭) ଯେପରି, ଅନେକ ବର୍ଷ ଧରି ୟୁରୋପ ଓ ଦକ୍ଷିଣ କୋରିଆର ଅଧିକାରୀମାନେ ସେନାରେ ଭର୍ତ୍ତି ନ ହେବାର ଆମ ଅଧିକାରକୁ ମାନ୍ୟତା ଦେଉ ନ ଥିଲେ । ଏହି କାରଣରୁ ୟୁରୋପରେ ପ୍ରାୟ ୧୮ ହଜାର ଭାଇମାନେ ଓ ଦକ୍ଷିଣ କୋରିଆରେ ୧୯ ହଜାରରୁ ଅଧିକ ଭାଇମାନେ ସେନାରେ ଭର୍ତ୍ତି ହେବା ପାଇଁ ମନା କରିଦେଲେ । ତେଣୁ ସେମାନଙ୍କୁ ଜେଲ ଯିବାକୁ ପଡ଼ିଲା ।
ଶେଷରେ ୭ ଜୁଲାଇ, ୨୦୧୧ରେ ୟୁରୋପୀୟ ଅଦାଲତ ବାୟାତିୟାନ ବନାମ୍ ଆର୍ମିନିୟା ମାମଲାରେ ଗୋଟିଏ ଐତିହାସିକ ନିଷ୍ପତ୍ତି ଶୁଣାଇଲା । ଏହାପରେ ପୂରା ୟୁରୋପରେ ପ୍ରତ୍ୟେକ ଜଣଙ୍କୁ ଏହା ଅଧିକାର ମିଳିଗଲା ଯେ ଯଦି କେହି ସେନାରେ ଭର୍ତ୍ତି ହେବା ପାଇଁ ଚାହାନ୍ତି ନାହିଁ, ତାହେଲେ ସେ ଅଣ-ସାମରିକ ଲୋକସେବା କରିପାରିବେ । ୨୮ ଜୁନ୍, ୨୦୧୮ରେ ଦକ୍ଷିଣ କୋରିଆର ସାମ୍ବିଧାନିକ ଅଦାଲତ ବି ଏପରି ହିଁ ନିଷ୍ପତ୍ତି ଶୁଣାଇଲା । ଏହି ମକଦ୍ଦମାଗୁଡ଼ିକରେ ଆମେ ଏଥିପାଇଁ ଜିତିପାରିଲୁ, କାରଣ ଏହି ଦେଶଗୁଡ଼ିକରେ ଥିବା ଆମ ପ୍ରତ୍ୟେକ ଯୁବା ଭାଇ ନିଷ୍ପକ୍ଷ ହୋଇ ରହିଲେ ।
ବିଶ୍ୱ ମୁଖ୍ୟାଳୟ ଓ ଶାଖା କାର୍ଯ୍ୟାଳୟଗୁଡ଼ିକର ଆଇନ ବିଭାଗ, ଈଶ୍ୱରଙ୍କ ରାଜ୍ୟର କାମର ପକ୍ଷରେ ଲଢ଼ିବା ପାଇଁ ବହୁତ ପରିଶ୍ରମ କରୁଛି । ଯେବେ ସରକାର ଆମ ଭାଇଭଉଣୀମାନଙ୍କ ବିରୋଧ କରେ, ତେବେ ଭାଇଭଉଣୀମାନଙ୍କ ତରଫରୁ ଲଢ଼ିବା ଆମ ପାଇଁ ଗୋଟିଏ ସମ୍ମାନର କଥା । ଆମେ କୌଣସି ମକଦ୍ଦମା ନ ଜିତିଲେ ମଧ୍ୟ ଏଥିରୁ ରାଜ୍ୟପାଳ, ରାଜା ଓ ରାଷ୍ଟ୍ରଗୁଡ଼ିକୁ ସାକ୍ଷ୍ୟ ମିଳିଥାଏ । (ମାଥି. ୧୦:୧୮) ଯେବେ ଆମେ ଅଦାଲତରେ ନିଜ ପକ୍ଷ ନେଉ କିମ୍ବା କିଛି ଦସ୍ତାବିଜ୍ ଦେଉ, ତେବେ ସେଥିରେ ବାଇବଲର ପଦଗୁଡ଼ିକ ବି ସାମିଲ୍ କରିଥାଉ । ଏପରି କରିବା ଦ୍ୱାରା ମାମଲାର ଶୁଣାଣି ସମୟରେ ଜଜ୍, ସରକାରୀ ଓକିଲ, ମିଡିଆର ଲୋକମାନେ ଓ ସାଧାରଣ ଜନତାକୁ ଏହି ପଦଗୁଡ଼ିକ ବିଷୟରେ ଜାଣିବାକୁ ହିଁ ପଡ଼େ । ଏଥିରୁ ଭଲ ମନ ରଖୁଥିବା ଲୋକମାନେ ଯିହୋବାଙ୍କ ସାକ୍ଷୀ କିଏ ବୋଲି ଜାଣିପାରନ୍ତି ଓ ଏହା ବି ଜାଣିପାରନ୍ତି ଯେ ସେମାନେ ଯାହା ବି ବିଶ୍ୱାସ କରନ୍ତି, ତାହା ବାଇବଲ ଉପରେ ଆଧାରିତ ହୋଇଥାଏ । କିଛି ଲୋକ ଏହି କାରଣରୁ ବି ସତ୍ୟକୁ ଆପଣାଇଲେ ।
ଯିହୋବା, ତମର ଧନ୍ୟବାଦ !
ଗତ ୪୦ ବର୍ଷ ମଧ୍ୟରେ ମୋତେ ସାରା ଦୁନିଆରେ ଥିବା ଶାଖା କାର୍ଯ୍ୟାଳୟ ସହିତ ଆଇନ ମାମଲାରେ କାମ କରିବାର ସମ୍ମାନ ମିଳିଲା । ଆଉ ଏହି କାମ ଯୋଗୁଁ ମୋତେ ଅନେକ ବଡ଼ ବଡ଼ ଅଦାଲତରେ ଉଚ୍ଚ ଅଧିକାରୀମାନଙ୍କ ପାଖକୁ ଯିବାର ସୁଯୋଗ ମିଳିଲା । ମୁଁ ବିଶ୍ୱ ମୁଖ୍ୟାଳୟ ଓ ଶାଖା କାର୍ଯ୍ୟାଳୟର ଆଇନ ବିଭାଗରେ କାମ କରୁଥିବା ସମସ୍ତ ଭାଇଭଉଣୀମାନଙ୍କୁ ବହୁତ ଆଦର କରେ । ମୁଁ ନିଜ ଅନୁଭୂତିରୁ କହିପାରିବି ଯେ ଯିହୋବା ମୋତେ ବହୁତ ଆଶିଷ ଦେଇଛନ୍ତି ଓ ତାଙ୍କ କାମ କରିବାରୁ ମୋତେ ବହୁତ ଖୁସି ମିଳିଛି ।
ଏଲିଜାବେଥ୍ ଗତ ୪୫ ବର୍ଷ ମଧ୍ୟରେ ଭଲ ଓ ମନ୍ଦ ସବୁ ପରିସ୍ଥିତିରେ ମୋତେ ସହଯୋଗ କଲେ । ମୁଁ ଏହି କଥା ପାଇଁ ତାଙ୍କର ବହୁତ କୃତଜ୍ଞ କାରଣ ତାଙ୍କୁ ନିଜକୁ ଗୋଟିଏ ଏପରି ରୋଗ ହୋଇଛି, ଯାହାଯୋଗୁଁ ସେ ବହୁତ ଦୁର୍ବଳ ହୋଇଯାଇଛନ୍ତି ।
ଆମେ ଦେଖିଲୁ ଯେ ଆମେ ନିଜ ଶକ୍ତି କିମ୍ବା ନିଜ ଦକ୍ଷତାରେ କୌଣସି ଯୁଦ୍ଧ ଜିତିପାରିବା ନାହିଁ । କାରଣ ଯେପରି ଦାଉଦ କହିଥିଲେ, ‘ଯିହୋବା ସେମାନଙ୍କର ବଳ ।’ (ଗୀତ. ୨୮:୮) ସତରେ, ‘ଯୁଦ୍ଧ ଯିହୋବାଙ୍କର ।’