ପାଠ ୧୦୩
“ତୁମ୍ଭର ରାଜ୍ୟ ଆସୁ”
ଯିହୋବା ପ୍ରତିଜ୍ଞା କରିଛନ୍ତି, ‘ଏପରି ସମୟ ଆସିବ ଯେବେ କ୍ରନ୍ଦନ, ବ୍ୟଥା, ରୋଗ ଆଉ ମୃତ୍ୟୁ ରହିବ ନାହିଁ । ମୁଁ ସମସ୍ତଙ୍କ ଆଖିରୁ ଲୁହ ପୋଛିଦେବି । ଆଗରୁ ଯାହା କିଛି ଖରାପ ହୋଇଥିଲା ସେସବୁ ଆଉ ମନେ ରହିବ ନାହିଁ ।’
ଯିହୋବା ଆଦମ ଓ ହବାକୁ ଏଦନ ବଗିଚାରେ ଶାନ୍ତି ଓ ଖୁସିରେ ବଞ୍ଚିବା ପାଇଁ ରଖିଥିଲେ । ସେମାନଙ୍କୁ ସ୍ୱର୍ଗରେ ଥିବା ନିଜ ପିତାଙ୍କ ଉପାସନା କରିବାର ଥିଲା ଏବଂ ସନ୍ତାନ ଜନ୍ମ କରିବାର ଥିଲା, ଯାହାଦ୍ୱାରା ପୃଥିବୀ ଲୋକମାନଙ୍କ ଦ୍ୱାରା ଭରିଯାଉ । ଆଦମ ଓ ହବା ଯିହୋବାଙ୍କ କଥା ମାନିଲେ ନାହିଁ, ତଥାପି ଯିହୋବାଙ୍କ ଉଦ୍ଦେଶ୍ୟ ବଦଳିଲା ନାହିଁ । ଏହି ବହିରେ ଆମେ ପଢ଼ିଲୁ, ଈଶ୍ୱର ଯାହା ବି ପ୍ରତିଜ୍ଞା କରନ୍ତି ତାହା ପୂରା ହୋଇଥାଏ । ତାଙ୍କ ରାଜ୍ୟରୁ ପୃଥିବୀର ଲୋକମାନଙ୍କୁ ଅନେକ ଆଶିଷ ମିଳିବ, ଠିକ୍ ଯେପରି ସେ ଅବ୍ରହାମକୁ ପ୍ରତିଜ୍ଞା କରିଥିଲେ ।
ଖୁବ୍ ଶୀଘ୍ର ଶୟତାନ, ତାʼର ଦୁଷ୍ଟ ସ୍ୱର୍ଗଦୂତମାନଙ୍କୁ ଏବଂ ସମସ୍ତ ଦୁଷ୍ଟ ଲୋକଙ୍କୁ ବିନାଶ କରିଦିଆଯିବ । ସେସମୟରେ ଦୁନିଆର ପ୍ରତ୍ୟେକ ମଣିଷ ଯିହୋବାଙ୍କ ଉପାସନା କରିବ । ଆମେ ରୋଗରେ ପୀଡ଼ିତ ହେବା ନାହିଁ ଆଉ ଆମ ମୃତ୍ୟୁ ମଧ୍ୟ ହେବ ନାହିଁ । ପ୍ରତିଦିନ ସକାଳେ ଯେବେ ଉଠିବା ଆମକୁ ସତେଜ ଲାଗିବ ଏବଂ ଆମେ ଖୁସି ହେବା ଯେ ଆମକୁ କେତେ ବଢ଼ିଆ ଜୀବନ ମିଳିଛି । ସାରା ପୃଥିବୀ ଏକ ସୁନ୍ଦର ବଗିଚା ଅର୍ଥାତ୍ ପାରଦୀଶ ହୋଇଯିବ । ସମସ୍ତଙ୍କ ପାଖରେ ଭଲ ଖାଦ୍ୟ ଏବଂ ରହିବା ପାଇଁ ମଜବୁତ୍ ଘର ଥିବ । କେବଳ ଭଲ ଲୋକମାନେ ଥିବେ । କେହି କାହାରିକୁ ମାରିବେ ନାହିଁ । ବନ୍ୟ ପଶୁ ଆମକୁ ଡରିବେ ନାହିଁ ଆଉ ନା ଆମେ ସେମାନଙ୍କୁ ଡରିବା ।
ଯେବେ ଯିହୋବା ମରିଯାଇଥିବା ଲୋକମାନଙ୍କୁ ଜୀବିତ କରିବେ ତେବେ କେତେ ଖୁସିର ସମୟ ଥିବ ! ଆମେ ପ୍ରାଚୀନ ସମୟର ଲୋକମାନଙ୍କୁ ସ୍ୱାଗତ କରିବା ଯେପରି ହେବଲ, ନୋହ, ଅବ୍ରହାମ, ସାରା, ମୋଶା, ରୂତ, ଏଷ୍ଟର ଓ ଦାଉଦଙ୍କୁ । ସେମାନେ ଆମ ସହ ମିଶି ଏହି ପୃଥିବୀକୁ ପାରଦୀଶ କରିବେ । ଆମ ପାଖରେ ସବୁଦିନ ପାଇଁ ଅନେକ ମଜାଦାର କାମ ଥିବ ।
ଯିହୋବା ଚାହାନ୍ତି ଯେ ଆପଣ ମଧ୍ୟ ପାରଦୀଶରେ ରହନ୍ତୁ । ସେଠାରେ ଆପଣ ଯିହୋବାଙ୍କ ବିଷୟରେ ଏପରି କଥାଗୁଡ଼ିକ ଶିଖିବେ ଯାହା ଆପଣ କେବେ ବି ଭାବି ନ ଥିବେ । ଆସନ୍ତୁ ଆମେ ପ୍ରତିଦିନ ଯିହୋବାଙ୍କ ନିକଟତର ହେବା । ଏପରି ଆମେ ଆଜି ବି ଓ ସବୁଦିନ ପାଇଁ କରିବା ଜାରି ରଖିବା !
‘ହେ ଯିହୋବା ଓ ଆମ ଈଶ୍ୱର, ତୁମ୍ଭେ ଗୌରବ, ସମ୍ଭ୍ରମ ଓ ପରାକ୍ରମ ପାଇବାକୁ ସୁଭାଜନ ଅଟ, ତୁମ୍ଭେ ସମସ୍ତ ସୃଷ୍ଟି କରିଅଛ ।’—ପ୍ରକାଶିତ ବାକ୍ୟ ୪:୧୧